News 18 Odia Digital
ଭୁବନେଶ୍ୱର; ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ନବମଦିନର ଭାରତଯୋଡ଼ ଯାତ୍ରା ବାଲେଶ୍ୱର ସହର ଉପକଣ୍ଠ କୋରଡ଼ା ଛକଠାରୁ ପ୍ରଥମ ପର୍ଯ୍ୟାୟ ପଦଯାତ୍ରା ଆରମ୍ଭ ହୋଇଯାଇଛି । ଏହି ପଦଯାତ୍ରାରେ ଓଡ଼ିଶା ପ୍ରଭାରୀ ତଥା ସାଂସଦ ଡ. ଏ ଚେଲା କୁମାର ଏବଂ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ କଂଗ୍ରେସ ପତାକା ଦେଖାଇ ପଦଯାତ୍ରାକୁ ଶୁଭାରମ୍ଭ କରିଥିଲେ । ଏହି ପଦଯାତ୍ରା ବାଲେଶ୍ୱର ସହର ପରିକ୍ରମା କରି ହିମପୁରା ଛକଠାରେ ପ୍ରଥମ ପର୍ଯ୍ୟାୟ ପଦଯାତ୍ର ଶେଷ ହୋଇଥିଲା ।

ଏହି ପ୍ରଥମ ପର୍ଯ୍ୟାୟ ପଦଯାତ୍ରାରେ ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବା ଜେନା, ସୁରେଶ କୁମାର ରାଉତରାୟ, ଗଣେଶ୍ୱର ବେହେରା, ନବଜ୍ୟୋତି ପଟ୍ଟନାୟକ, ରାଜନ ଏକା ଏବଂ ବହୁ ମାନଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ । ବାଲେଶ୍ୱର ଜିଲ୍ଲାର ପୂର୍ବତନ ବିଧାୟକ ଅକ୍ଷୟ ଆଚାର୍ଯ୍ୟ, ଚିତରଞ୍ଜନ ଷଡ଼ଙ୍ଗୀ, ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡ଼ା, ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ଦଳ ତରଫରୁ ପ୍ରତିଯୋଗିତା କରିଥିବା ସମସ୍ତ ବିଧାୟକ ପ୍ରାର୍ଥୀ, ବିଜନ ନାୟକ, ସୁଦର୍ଶନ ଦାସ, ସତ୍ୟଶିବ ସୁନ୍ଦର ଦାସ, ମନଜା ମଞ୍ଜରୀ ଦେବୀ ଅଂଶଗ୍ରହଣ କରିଥିଲେ । ପୋଲିସ ଲାଇନ ଛକଠାରେ କଂଗ୍ରେସ ଦଳର ବହୁ ନେତୃବର୍ଗ ଶରତ ପଟ୍ଟନାୟକ, ଡ. ଚେଲା କୁମାରଙ୍କ ସମେତ ବରିଷ୍ଠ କଂଗ୍ରେସ ନେତା ତଥା ଭାରତ ଯୋଡ଼ ଯାତ୍ରୀଙ୍କୁ ସ୍ୱାଗତ କରିବା ସହିତ ପୁଷ୍ପମାଲ୍ୟ ଓ ଉତରୀୟ ପ୍ରଦାନ କରିଥିଲେ । ନିକଟ ଲକ୍ଷ୍ମୀନାରାୟଣ ମନ୍ଦିରର ପୂଜକମାନେ ଚନ୍ଦନ ସିନ୍ଦୁର ଲଗାଇଥିଲେ । ଷ୍ଟେସନ ଛକଠାରେ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ, ଚେଲା କୁମାର, ନବଜ୍ୟୋତି ପଟ୍ଟନାୟକ, ବାଲେଶ୍ୱର ଜିଲ୍ଲା ସଭାପତି ଶ୍ରୀ ସଂଜିବ ଗିରି ଇନ୍ଦିରା ଗାନ୍ଧିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ।
ଷ୍ଟେସନ ଛକଠାରେ ବହୁ କଂଗ୍ରେସ ନେତୃବର୍ଗ କଂଗ୍ରେସ ପ୍ରେମୀ, କର୍ମୀ, ନେତୃବର୍ଗ ତଥା ବାଲେଶ୍ୱର ଜିଲ୍ଲାର ବହୁ ଜନସାଧାରଣ ଭାରତଯୋଡ଼ ଯାତ୍ରୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଫକୀର ମୋହନ ଗୋଲେଇଠାରେ ସଂକ୍ରାନ୍ତି ପୁରୁଷ ଫକୀର ମୋହନ ସେନାପତିଙ୍କ ପ୍ରତିମୂର୍ତ୍ତିରେ ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଡ. ଏ ଚେଲା କୁମାର, ନବଜ୍ୟୋତି ପଟ୍ଟନାୟକ ମାଲ୍ୟାର୍ପଣ କରିଥିଲେ । ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି ଶରତ ପଟ୍ଟନାୟକ କହିଲେ "ଏ ଧନ, ପାନ, ମୀନର ସହର ଆଜି ୨୨ ବର୍ଷରେ ଏକ ଅପାରଗ ସରକାର ଯୋଗୁ ଆଜି ଶ୍ରୀହିନ । କଂଗ୍ରେସ ଶାସନ ସମୟରେ ଏ ଜିଲା ଏକ ଶିଳ୍ପ ସମୃଦ୍ଧ ଜିଲ୍ଲା ଥିଲା । କିନ୍ତୁ ଆଜି ବିର୍ଲା ଟାୟାର୍ସ ବନ୍ଦ, ପୋଲାର ଲାଟେଜ, ବାଲେଶ୍ୱର ଆଲୋଏଜ, ଓଇଏଲ ମଧ୍ୟ ବନ୍ଦ ହୋଇଯାଇଛି । ୨୨ ବର୍ଷ ଭିତରେ ନବୀନ ବାବୁ ଗୋଟିଏ ବି ନୂଆ କାରଖାନା ସ୍ଥାପନ କରିନାହାନ୍ତି । ଏ ଅଞ୍ଚଳର ଏମ୍ସ, ଆଇଟିଆଇ କଂଗ୍ରେସ ସରକାର ସମୟରେ ହୋଇଥିଲା । କିନ୍ତୁ ୮ ବର୍ଷର ବିଜେପି ଶାସନରେ ଏ ଜିଲ୍ଲାର ଏମ୍ସ ସାଟଲାଇଟି ସିଟି ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ । ଆଜି ଏ ଜିଲ୍ଲାର କୃଷକ, ଧାନର ଅଭାବି ବିକ୍ରୀର ବଡ଼ ସମସ୍ୟାକୁ ସାମନା କରୁଛି । ଏ ଅଞ୍ଚଳର ଯୁବକ ଯୁବତୀ ଆଜି ବେରୋଜଗାର । ବାଲେଶ୍ୱର ସହର, ଉଚ୍ଚଶିକ୍ଷିତ ଜିଲ୍ଲା ହୋଇଥିଲେ ମଧ୍ୟ ଏ ଜିଲ୍ଳାର ସମସ୍ତ ଶିକ୍ଷାନୁଷ୍ଠାନରେ ଅର୍ଦ୍ଧାଧିକ ଶିକ୍ଷକ ପଦବୀ ବର୍ଷ ବର୍ଷ ଧରି ଖାଲି ପଡ଼ିଛି ।" ସହଦବେ ଖୁଣ୍ଟା ଓଭରିବ୍ରିଜ ଠାରେ ଜଣେ ଶତାୟୁ ମହିଳା ଶରତ ପଟ୍ଟନାୟକ ଏବଂ ଭାରତଯୋଡ଼ ଯାତ୍ରୀଙ୍କୁ ଆଶୀର୍ବାଦ କରିଥିଲେ । ବହୁ ସ୍କୁଲ ଛାତ୍ରଛାତ୍ରୀ ତଥା ସଂଖ୍ୟାଲଘୁ ସଂପ୍ରଦାୟର ଯୁବକ ଯୁବତୀ ଏ ଯାତ୍ରାରେ ସାମିଲ ହୋଇଥିଲେ । କୁନି କୁନି ପିଲାମାନେ ସର୍ବଧର୍ମ ସମନ୍ୱୟର ବିଭିନ୍ନ ପୋଷାକ ପିନ୍ଧି ଭାରତ ଯୋଡ଼ ଯାତ୍ରାରେ ସାମିଲ ହୋଇ ବହୁବାଟ ପଦଯାତ୍ରା କରିଥିଲେ । କଚେରି ଛକଠାରେ ବହୁ କଂଗ୍ରେସ ନେତା ତଥା ପ୍ରଜ୍ଞା ପାରମିତା ମହାନ୍ତି ଶ୍ରୀ ଶରତ ପଟ୍ଟନାୟକ ଏବଂ ଡ ଏ ଚେଲ୍ଳା କୁମାରଙ୍କୁ ଧରି କାନ୍ଦିଲେ ଏବଂ କଂଗ୍ରେସ କିପରି ସୁଦୃଢ଼ ହେବ ଓ କଂଗ୍ରେସ କିପରି ସରକାରକୁ ଫେରିବ ଏହା ତାଙ୍କର ଅନ୍ତିମ ଇଚ୍ଛା ବୋଲି କହିଥିଲେ । ଶରତ ପଟ୍ଟନାୟକ ତାଙ୍କର ଦୁଇ ହାତକୁ ଧରି ଭାବବିହ୍ୱଳ ହୋଇ ପ୍ରତିଶୃତି ଦେଇଥିଲେ ଯେ, ୨୦୨୪ ରେ କଂଗ୍ରେସ ନିଶ୍ଚିତ ଭାବେ ଶାସନ ଭାର ହାତକୁ ନେବ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।