News18 Odia Digital
ନୂଆ ଦିଲ୍ଲୀ: ଦେଶରେ ଏହି ସମୟରେ ପେଟ୍ରୋଲ ଓ ଡିଜେଲର ଦାମ୍ (Petrol Diesel Rate) ଆକାଶ ଛୁଆଁ ହୋଇଛି । କ୍ରମାଗତ ଭାବେ ଦାମ୍ ବୃଦ୍ଧି ପରେ ସୋମବାର କେତେକ ସହରରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କାରେ ପହଞ୍ଚିଛି । ଏହି ସମୟରେ ଏଲପିଜି ସିଲିଣ୍ଡରର (LPG Cylinder) ଦାମ୍ ମଧ୍ୟ ୫୦ ଟଙ୍କା ବୃଦ୍ଧି କରାଯାଇଛି । ଏଭଳି ପରିସ୍ଥିତିରେ କଂଗ୍ରେସ ସରକାରଙ୍କୁ ଘେରିଛି । ସୋମବାର ଦିନ ପେଟ୍ରୋଲ-ଡିଜେଲ ଓ ଏଲପିଜି ଦାମ୍ ବୃଦ୍ଧି ନେଇ ଏକ ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ସରକାରଙ୍କୁ ଟାର୍ଗେଟ କରିଛି । ଏହାକୁ ନେଇ କଂଗ୍ରେସ ନେତା ସୁପ୍ରିୟା ଶ୍ରୀନେତ ସାମ୍ବାଦିକ ସମ୍ମିଳନୀ ସମୟରେ ସରକାରଙ୍କୁ ବିରୋଧ କରି ଦୁଇଟି ଖାଲି ସିଲିଣ୍ଡର ମଧ୍ୟ ସମ୍ନାରେ ରଖିଥିଲେ।
ଏହି ମୁଦ୍ରାସ୍ଫୀତି ବିରୋଧରେ ମୋଦୀ ସରକାରଙ୍କ ସହ ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଅନେକ ପ୍ରଶ୍ନ ଉଠାଇଛି । ଏଲପିଜି ସିଲିଣ୍ଡରର ଦର ବୃଦ୍ଧି ନେଇ ସରକାରଙ୍କୁ ଆକ୍ରମଣ କରି କଂଗ୍ରେସ ନେତା ସୁପ୍ରିୟା ଶ୍ରୀନେତ କହିଛନ୍ତି ଯେ ମୋଦୀ ସରକାର ଚାଷୀଙ୍କ ସହ ଅତ୍ୟାଚାର କରିବା ପୂର୍ବରୁ ସ୍ଥିର କରିସାରିଛନ୍ତି । ଇତି ମଧ୍ୟରେ ସରକାର ବର୍ତ୍ତମାନ ପ୍ରତ୍ୟେକ ଚୁଲି, ପ୍ରତ୍ୟେକ ଗୃହିଣୀ ଓ ସାଧାରଣ ଲୋକଙ୍କ କମର ଭାଙ୍ଗିବାକୁ ନିଷ୍ପତ୍ତି ନେଇଛନ୍ତି । ସେ କହିଛନ୍ତି ଯେ କେନ୍ଦ୍ର ସରକାର ବର୍ତ୍ତମାନ ଚୁଲାରେ ମଧ୍ୟ ମୁଦ୍ରାସ୍ଫୀତି ନିଆଁ ଲଗାଇ ଦେଇଛନ୍ତି ।
ପେଟ୍ରୋଲ ଓ ଡିଜେଲର ଦର ବୃଦ୍ଧିକୁ ନେଇ କଂଗ୍ରେସ ନେତା ସୁପ୍ରିୟା ଶ୍ରୀନେତ କହିଛନ୍ତି ଯେ ଦେଶର ଅନେକ ସହରରେ ପେଟ୍ରୋଲ ଓ ଡିଜେଲର ଦାମ୍ ଲିଟର ପିଛା ୧୦୦ ଟଙ୍କାରୁ ଅଧିକ ହୋଇଛି । ସମସ୍ତେ ଏହି କଥା ଜାଣନ୍ତି । କିନ୍ତୁ ବର୍ତ୍ତମାନ LPG ର ଦାମ୍ ମଧ୍ୟ କ୍ରମାଗତ ଭାବରେ ବୃଦ୍ଧି କରାଯାଉଛି ।
ସୁପ୍ରିୟା ଶ୍ରୀନେତ ଦାବି କରିଛନ୍ତି ଯେ ଦେଶରେ ଏଲପିଜି ସିଲିଣ୍ଡରର ଦାମ୍ ମାତ୍ର ୧୦ ଦିନ ମଧ୍ୟରେ ୭୫ ଟଙ୍କା ବୃଦ୍ଧି କରାଯାଇଛି । ସେ କହିଛନ୍ତି ଯେ ଫେବୃଆରୀ ୪ ରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୨୫ ଟଙ୍କା ବୃଦ୍ଧି କରାଯାଇଥିଲା । ଏହା ସତ୍ତ୍ୱେ ଆଜି ଏହାର ଦାମ୍ ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି କରାଯାଇଛି । ଏହି ମୁଦ୍ରାସ୍ଫୀତି ବିରୋଧରେ କଂଗ୍ରେସ ସୋମବାର ଓଡ଼ିଶାରେ ୬ ଘଣ୍ଟା ବନ୍ଦ ଡାକରା ଦେଇଥିଲା । ଏହି ସମୟ ମଧ୍ୟରେ ଅନେକ ଦୋକାନ ବଜାର ମଧ୍ୟ ବନ୍ଦ ରହିଥିଲା । କଂଗ୍ରେସ କର୍ମୀମାନେ ମଧ୍ୟ ଟ୍ରେନ୍ ବନ୍ଦ କରି ବିରୋଧ କରିଥିଲେ । ଅନେକ ସ୍ଥାନରେ ଚକା ଜାମ୍ କରାଯାଇଥିଲା ।
Published by:Jagdish Barik
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।