News 18 Odia Digital
ଭୁବନେଶ୍ୱର; ବିଧାନସଭାରେ ଇଡି ଝଡ଼ । କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧିଙ୍କୁ ଇଡି ସମନ ନେଇ ଗୃହରେ ମୁହାଁମୁହିଁ ହୋଇଛନ୍ତି ରାଜ୍ୟର ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସ । ହୋ ହଲ୍ଲା ନାରାବାଜିରେ କମ୍ପିଥିଲା ଗୃହ । ପ୍ରଶ୍ନକାଳରେ ଜଳସମ୍ପଦ ବିଭାଗ, ଯୋଜନା ଓ ସଂଯୋଜନ ବିଭାଗ, ଆଇ ଟି ବିଭାଗର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ସୁରୁଖୁରୁରେ ଚାଲିଥିଲା । କିନ୍ତୁ ଶୂନ୍ୟକାଳ ଆରମ୍ଭରୁ ଗାନ୍ଧୀ ପରିବାରକୁ ଇଡି ନୋଟିସ ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ।
ତାରାଙ୍କ କହିବାନୁସାରେ, ଜାଣିଶୁଣି ବାରମ୍ବାର ନୋଟିସ କରାଯାଉଛି । ଆଜିର ଦିବସ କଳା ଦିବସ ଅଭିହିତ କରି ପ୍ରଧାନମନ୍ତ୍ରୀ ନିରପେକ୍ଷ ରହିବା ଆବଶ୍ୟକ । ବିଧାନସଭା ସହିତ ଏହି ପ୍ରସଙ୍ଗ ଜଡ଼ିତ ନଥିବାରୁ ଏହାକୁ ବିରୋଧ କରିଥିଲେ ବିଜେପି ସଦସ୍ୟ । ଗୃହର ମଧ୍ୟଭାଗରେ ପ୍ରତିବାଦ ଯୋଗୁଁ ପ୍ରଥମେ ୧୦ ମିନିଟ ଓ ପରେ ୧୫ ମିନିଟ ପାଇଁ ଗୃହ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ।
ପୁନର୍ବାର ମୁଲତବୀ ଆଲୋଚନା ଆରମ୍ଭରୁ ସମାନ ପ୍ରସଙ୍ଗରେ କଂଗ୍ରେସ ସଦସ୍ୟ ହୋ ହାଲ୍ଲା କରିଥିଲେ । ବିରୋଧୀ ଦଳ ଉପନେତା କହିଥିଲେ ଏହା ବିଧାନସଭାର ପ୍ରସଙ୍ଗ ନୁହେଁ ତେଣୁ କଂଗ୍ରେସ ଏ ପ୍ରଶ୍ନ ଉଠାଇବା ଉଚିତ ନୁହେଁ । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି ମଧ୍ୟ ମୁହଁ ଖୋଲି କହିଥିଲେ ପୂର୍ବରୁ କେନ୍ଦ୍ରୀୟ ପ୍ରସଙ୍ଗ ଉଠାଇବା ବେଳେ ବିରୋଧ କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା । ଏବେ ସେମାନେ କିପରି ଏହି ପ୍ରସଙ୍ଗ ଉଠାଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ମୋହନ । ଦୁଇ ବିରୋଧୀ ଦଳଙ୍କ ହୋ ହଲ୍ଲା ନାରାବାଜି ପାଇଁ ଅପରାହ୍ମ ୪ ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ।
ସେପଟେ, ବିରୋଧୀଙ୍କ ଆଚରଣକୁ ନାପସନ୍ଦ କରିଛି ବିଜେଡି । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଗୃହ ବାହାରେ କହିଛନ୍ତି, ସଂସଦ ଚାଲୁଥିବା ସମୟରେ ନିୟମ ଅଛି ଜେରା ପାଇଁ ଡାକି ପାରିବେ ନାହିଁ l ବିରୋଧିଙ୍କ ସ୍ୱର ଚାପିଦେବା ପାଇଁ ଜାଣିଶୁଣି ଉଦ୍ଦେଶ୍ୟମୂଳକ ଭାବେ ସୋନିଆ ଗାନ୍ଧିଙ୍କୁ ଜେରା କରାଯାଉଛି । କେନ୍ଦ୍ର ସରକାର ଚାହୁ ନାହାଁନ୍ତି ଦେଶରେ ବିରୋଧି ରୁହନ୍ତୁ । ବିଜେପି ଅସହିଷ୍ଣୁ ହୋଇ ପଡ଼ୁଛି । କ୍ଷମତାକୁ ଆସିବା ପରେ ଆଉ ସହନଶୀଳତା ନାହିଁ ବିଜେପିର । ସେଥିପାଇଁ ଗୃହକୁ ଚଳାଇ ଦେଉନାହାନ୍ତି ବୋଲି କହିଛନ୍ତି ନରସିଂହ ମିଶ୍ର । ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି, ନିୟମ ଅନୁଯାୟୀ ଯେଉଁ ବ୍ୟକ୍ତି ଗୃହର ସଦସ୍ୟ ନୁହଁନ୍ତି ତାଙ୍କ ପ୍ରସଙ୍ଗ ଉଠିବ ନାହିଁ । କଂଗ୍ରେସ ମଧ୍ୟ ପୂର୍ବରୁ ଏ ପ୍ରସଙ୍ଗ ଉଠାଇବାକୁ ବିରୋଧ କରିଥିଲା । ଆଜି ତାଙ୍କ ନେତାଙ୍କ ସୁରକ୍ଷା ପାଇଁ ସେମାନେ ବାହାରୁଛନ୍ତି । ଗୃହକୁ ବନ୍ଦ କରିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି ମତ ରଖିଛନ୍ତି ବିଷ୍ଣୁ ସେଠୀ । ବିଜେଡି ଉପସଭାପତି ଦେବୀ ମିଶ୍ର କହିଛନ୍ତି, ଯେହେତୁ ବିରୋଧୀ ମୁଲତବୀ ପ୍ରସ୍ତାବ ଆଣୁଛନ୍ତି ସେ ବିଷୟରେ ଆଲୋଚନା କରିବା କଥା । କିନ୍ତୁ ଅଯଥା ପ୍ରସଙ୍ଗ ଉଠାଇ ଗୃହକୁ ଅଚଳ କରୁଛନ୍ତି ବୋଲି କହିଛନ୍ତି ଦେବୀ ମିଶ୍ର ମତବ୍ୟକ୍ତ କରିଛନ୍ତି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।