ରାଜ୍ୟରେ ପୁଣି ଥରେ କୋଇଲା ସଙ୍କଟକୁ ନେଇ ବଢ଼ିଲା ଚିନ୍ତା; ହସ୍ତକ୍ଷେପ ପାଇଁ CMଙ୍କୁ ଚିଠି ଲେଖିଲା UCCI

ଶୁକ୍ରବାର ଉତ୍କଳ ଚ୍ୟାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡିଷ୍ଟ୍ରିଜ୍ (ୟୁସିସିଆଇ) ଏହି ମର୍ମରେ ରାଜ୍ୟ ସରକାରଙ୍କୁ ଚିଠି ଲେଖିବା ପରେ ଏଭଳି ସ୍ଥିତି ସାମ୍ନାକୁ ଆସିଛି । ୟୁସିସିଆଇର ସଭାପତି ବ୍ରହ୍ମା ମିଶ୍ରଙ୍କ ସୂଚନା ଅନୁସାରେ, ଏବେ ରାଜ୍ୟର ଷ୍ଟିଲ ଓ ଆଲୁମିନିୟମ ପ୍ରସ୍ତୁତକାରୀ ଶିଳ୍ପାନୁଷ୍ଠାନଗୁଡ଼ିକ ଘୋର ସଙ୍କଟ ମଧ୍ୟ ଦେଇ ଗତି କରୁଛନ୍ତି।

ରାଜ୍ୟରେ ପୁଣି ଥରେ କୋଇଲା ସଙ୍କଟକୁ ନେଇ ବଢ଼ିଲା ଚିନ୍ତା

ରାଜ୍ୟରେ ପୁଣି ଥରେ କୋଇଲା ସଙ୍କଟକୁ ନେଇ ବଢ଼ିଲା ଚିନ୍ତା

  • Share this:
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ପୁଣି କୋଇଲା ସଙ୍କଟ। ଉତ୍ପାଦନ ଓ ଯୋଗାଣ କମ୍ ହେବା କାରଣରୁ ଏଭଳି କୋଇଲା ସଙ୍କଟ ସୃଷ୍ଟି ହୋଇଛି। ଯଦି ସରକାରୀ ସ୍ତରରେ କୌଣସି ଉଦ୍ୟମ କରା ନ ଯାଏ, ତାହା ହେଲେ ରାଜ୍ୟରେ ଥିବା ବିଭିନ୍ନ ତାପଜ ବିଦ୍ୟୁତ୍ ପରିଚାଳିତ ଶିଳ୍ପାନୁଷ୍ଠାନଗୁଡ଼ିକ ବନ୍ଦ ହୋଇଯିବ। ଏଭଳି ଚିନ୍ତା ପ୍ରକଟ କରି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛି ଉତ୍କଳ ଚ୍ୟାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡିଷ୍ଟ୍ରିଜ୍ ବା ୟୁସିସିଆଇ। ଏ ଦିଗରେ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବାକୁ ମଧ୍ୟ ଅନୁରୋଧ କରିଛି ୟୁସିସିଆଇ। ଅନ୍ୟପକ୍ଷେ ଶିଳ୍ପ ବିଶେଷଜ୍ଞ କହିଛନ୍ତି, ଏହା ସାମୟିକ ସମସ୍ୟା ହୋଇପାରେ। ଏଥିରେ ସୁଧାର ପାଇଁ ମିଳିତ ପ୍ରୟାସ ହେବା ଦରକାର।

ଶୁକ୍ରବାର ଉତ୍କଳ ଚ୍ୟାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡିଷ୍ଟ୍ରିଜ୍ (ୟୁସିସିଆଇ) ଏହି ମର୍ମରେ ରାଜ୍ୟ ସରକାରଙ୍କୁ ଚିଠି ଲେଖିବା ପରେ ଏଭଳି ସ୍ଥିତି ସାମ୍ନାକୁ ଆସିଛି । ୟୁସିସିଆଇର ସଭାପତି ବ୍ରହ୍ମା ମିଶ୍ରଙ୍କ ସୂଚନା ଅନୁସାରେ, ଏବେ ରାଜ୍ୟର ଷ୍ଟିଲ ଓ ଆଲୁମିନିୟମ ପ୍ରସ୍ତୁତକାରୀ ଶିଳ୍ପାନୁଷ୍ଠାନଗୁଡ଼ିକ ଘୋର ସଙ୍କଟ ମଧ୍ୟ ଦେଇ ଗତି କରୁଛନ୍ତି। ସେମାନଙ୍କ ପାଖରେ ଗଚ୍ଛିତ ଥିବା କୋଇଲା ହୁଏତ ଆଗାମୀ ୨/୩ ଦିନ ଭିତରେ ସରି ଯାଇପାରେ। ସ୍ଥିତି ଏଭଳି ହୋଇପାରେ ଯେ, ତାପଜ ବିଦ୍ୟୁତ୍ ଉପରେ ନିର୍ଭର କରୁଥିବା ଶିଳ୍ପାନୁଷ୍ଠାନଗୁଡ଼ିକ ବନ୍ଦ ହୋଇଯାଇପାରେ।

ତାଙ୍କ ସୂଚନା ଅନୁସାରେ, ସାରା ଦେଶରେ ଯେତେ ପରିମାଣର କୋଇଲା ଗଚ୍ଛିତ ଅଛି, ତାହାର ୨୫ ପ୍ରତିଶତ କୋଇଲା କେଵଳ ଓଡ଼ିଶାରେ ରହିଛି । ମହାନଦୀ କୋଲଫିଲ୍‌ଡ଼ ଜରିଆରେ ୧୫୦ ମିଲିୟନ ଟନ୍ କୋଇଲା ଉତ୍ପାଦିତ ହେଉଛି । ଓଡ଼ିଶାରେ ତାପଜ ବିଦ୍ୟୁତ୍ ଉପରେ ନିର୍ଭରଶୀଳ ଶିଳ୍ପାନୁଷ୍ଠାନଗୁଡ଼ିକ ବର୍ଷକୁ ୮୫ ମିଲିୟନ ଟନ୍ କୋଇଲା ଆବଶ୍ୟକ କରିଥାନ୍ତି, ଯାହା ଓଡ଼ିଶାରେ ଉତ୍ପାଦିତ କୋଇଲାର ମାତ୍ର ୫୫ ପ୍ରତିଶତ। ବିଡ଼ମ୍ବନା ହେଲା ଓଡ଼ିଶାରେ ଆବଶ୍ୟକ ହେଉଥିବା କୋଇଲାକୁ ପ୍ରାଥମିକତା ଦିଆ ନ ଯାଇ ପ୍ରାୟ ୬୫ ପ୍ରତିଶତ କୋଇଲା ଅନ୍ୟ ରାଜ୍ୟରେ ଥିବା ଶିଳ୍ପପାଇଁ ରତ୍ପାନୀ ହେଉଛି। ତେଣୁ ବର୍ତମାନ ସ୍ଥିତିରେ ଏହା ଉପରେ ଲଗାମ ରଖାଯିବା ଉଚିତ୍। ପ୍ରଥମେ ରାଜ୍ୟରେ ପରିଚାଳିତ ଥିବା ଶିଳ୍ପାନୁଷ୍ଠାନଗୁଡ଼ିକୁ ଆବଶ୍ୟକ ପରିମାଣର କୋଇଲା ଦିଆଯାଇ ପରେ ରତ୍ପାନୀ କରାଯିବା ଦରକାର।

ଉତ୍କଳ ଚ୍ୟାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡିଷ୍ଟ୍ରିଜ୍ କୋଇଲା ସଙ୍କଟକ ନେଇ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛି


ୟୁସିସିଆଇ ଏକଥା ମଧ୍ୟ ସ୍ପଷ୍ଟ କରିଛି ଯେ, ଗତ ଅଗଷ୍ଟ ମାସରୁ ବିଭିନ୍ନ ସମୟରେ ଏଭଳି କୋଇଲା ସଙ୍କଟ ସମସ୍ୟାକୁ ସାମ୍ନାକରି ଆସୁଛନ୍ତି ରାଜ୍ୟରେ ଥିବା ବିଭିନ୍ନ ଛୋଟ ବଡ଼ ଶିଳ୍ପାନୁଷ୍ଠାନ। ସେମାନଙ୍କ ଆବଶ୍ୟକତା ତୁଳନାରେ ମିଳି ପାରୁଛି ମାତ୍ର ୪୦ ରୁ ୫୦ ପ୍ରତିଶତ କୋଇଲା। ଏହା ଦ୍ୱାରା ଶିଳ୍ପାନୁଷ୍ଠାନ ପ୍ରତି ବିପଦ ସୃଷ୍ଟି ହେବା ସହିତ ଆଗାମୀ ଦିନରେ ପରିଚାଳନାରେ ବିଭ୍ରାଟ ହେବ ବୋଲି ୟୁସିସିଆଇ ଆଶଙ୍କା ବ୍ୟକ୍ତ କରିଛି। ଶିଳ୍ପାନୁଷ୍ଠାନ ବନ୍ଦ ହେଲେ ରାଜ୍ୟରେ ବେକାରୀ ସମସ୍ୟା ବଢ଼ିବ ବୋଲି ଚିନ୍ତା ପ୍ରକଟ କରିଛି ୟୁସିସିଆଇ।

ତେବେ ଏଥିରେ ସହମତି ପ୍ରକାଶ କରିନାହାଁନ୍ତି ଶିଳ୍ପ ବିଶେଷଜ୍ଞ । ବରିଷ୍ଠ ଶିଳ୍ପ ବିଶେଷଜ୍ଞ ଭବାନୀ ଶଙ୍କର ପାଣିଙ୍କ ସୂଚନା ଅନୁସାରେ, କୋଇଲା ଏକ ରାଷ୍ଟ୍ରୀୟ ସମ୍ପତ୍ତି । ରାଷ୍ଟ୍ରର ଆବଶ୍ୟକତା ଅନୁସାରେ, କୋଇଲା ପରିଚାଳନା ହୋଇଥାଏ । ତେଣୁ ବର୍ତ୍ତମାନର ସଙ୍କଟ ସମୟରେ କେହି ବି ଦୋଷୀ ନୁହଁନ୍ତି । ବିଭିନ୍ନ ସମୟରେ ଉପୁଜୁଥିବା ଏଭଳି ସମସ୍ୟାର ସମାଧାନ ପାଇଁ ମିଳିତ ପ୍ରୟାସ ହେବା ଦରକାର।

ଅର୍ଥନିତୀଜ୍ଞଙ୍କ ମତରେ ରାଜ୍ୟରେ କୋଇଲା ଉପରେ ନିର୍ଭରଶୀଳ ବିଭିନ୍ନ ଶିଳ୍ପ ପ୍ରତିଷ୍ଠାନଗୁଡ଼ିକ ବର୍ଷକୁ ହାରାହାରି ସେମାନଙ୍କ ଆବଶ୍ୟକତାର ମାତ୍ର ୩୫ ପ୍ରତିଶତ କୋଇଲା ବ୍ୟବହାର ପାଇଁ ଅନୁମତି ପାଉଛନ୍ତି। ଏହା ଦ୍ୱାରା ନିଶ୍ଚିତ ଭାବେ କର୍ମନିଯୁକ୍ତି ସୁଯୋଗ ସଙ୍କୁଚିତ ହେଉଛି। ବାରମ୍ବାର ଏଭଳି ସମସ୍ୟା ଉପୁଜୁଥିବାରୁ ଏହାର ସ୍ଥାୟୀ ସମାଧାନ ପାଇଁ ଯତ୍ନବାନ ପ୍ରୟାସ ହେବା ଜରୁରୀ।
Published by:Lipina Das
First published:
)}