• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • ବିମାନ ବନ୍ଦର ପରିମଳ ଓ ସୁରକ୍ଷା ଵ୍ୟଵସ୍ଥା ନେଇ ବଢ଼ିଲା ଚିନ୍ତା; ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ

ବିମାନ ବନ୍ଦର ପରିମଳ ଓ ସୁରକ୍ଷା ଵ୍ୟଵସ୍ଥା ନେଇ ବଢ଼ିଲା ଚିନ୍ତା; ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ

ପାଟନା ବିମାନ ଦୁର୍ଘଟଣା ପରେ ସବୁ ବିମାନ ବନ୍ଦର ପରିମଳ ବ୍ୟବସ୍ଥା ନେଇ ଉଠିଛି ପ୍ରଶ୍ନ। ବାର୍ଡ ହିଟିଂ ଉପରେ ଗୁରୁତ୍ୱ।

ବିମାନ ବନ୍ଦର ପରିମଳ ଓ ସୁରକ୍ଷା ଵ୍ୟଵସ୍ଥା ନେଇ ବଢ଼ିଲା ଚିନ୍ତା

ବିମାନ ବନ୍ଦର ପରିମଳ ଓ ସୁରକ୍ଷା ଵ୍ୟଵସ୍ଥା ନେଇ ବଢ଼ିଲା ଚିନ୍ତା

  • Share this:
News18 Odia Digital

ଭୁବନେଶ୍ବର: ବିମାନ ବନ୍ଦର ଚତୁର୍ପାର୍ଶ୍ଵରେ ସୁରକ୍ଷା ବ୍ୟବସ୍ଥା ନେଇ ବଢ଼ିଲା ଚିନ୍ତା। ବାର୍ଡ ହିଟିଂ ନେଇ ବିମାନ ବନ୍ଦର ଆଖପାଖ କାର୍ଯ୍ୟକଳାପ ଉପରେ ନଜର ଦେବାକୁ ଡିଜିସିଏଙ୍କ ନିର୍ଦ୍ଦେଶ। ମୌସୁମୀ ସମୟରେ ବିମାନ ବନ୍ଦର ଭିତର ଓ ବାହାର ସଫେଇ ନେଇ ଜାରି କଲେ ସ୍ୱତନ୍ତ୍ର ଗାଇଡ଼ଲାଇନ। ସ୍ଥାନୀୟ ପ୍ରଶାସନ ସାହାଯ୍ୟରେ ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ। ବିଏମସି କହୁଛି ନିୟମିତ ଚାଲିଛି ସଫେଇ କାମ ହେଲେ ଅବସ୍ଥା କହୁଛି ଅନ୍ୟ କିଛି।

ପାଟନା ବିମାନ ବନ୍ଦରରେ ବିମାନରେ ନିଆଁ ଲାଗିବା ଘଟଣା ପରେ ଚେତିଛି କେନ୍ଦ୍ର ସରକାରଙ୍କ ସିଭିଲ ଆଭିଏସନ ବିଭାଗ। ମୌସୁମୀ ସମୟରେ ପରିମଳ ବ୍ୟବସ୍ଥା ଓ ବାର୍ଡ ହିଟିଂ ଉପରେ ଗୁରୁତ୍ୱ ଦେଇ ସମସ୍ତ ବିମାନ ବନ୍ଦର ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି। ମୌସୁମୀ ବା ବର୍ଷା ସମୟରେ ସାଧାରଣତଃ ବିମାନ ବନ୍ଦର ଚତୁର୍ପାର୍ଶ୍ଵରେ ଅଳିଆ ଆବର୍ଜନା ଜମା ହୁଏ। ଯାହା ଫଳରେ ପକ୍ଷୀଙ୍କ ଉପଦ୍ରବ ବଢ଼େ। ଫଳରେ ପକ୍ଷୀଙ୍କ ଉପଦ୍ରବ ବିମାନ ଉଡାଣ ସମୟରେ ଅଡୁଆ ସୃଷ୍ଟି କରେ।

ଯାହାକୁ ନେଇ ବିମାନ ବନ୍ଦର ଚତୁର୍ପାର୍ଶ୍ଵକୁ ସଫା ରଖିବା ନେଇ ଡିଜିସିଏ ସ୍ୱତନ୍ତ୍ର ଗାଇଡ଼ଲାଇନ ଜାରି କରିଛନ୍ତି। ବିମାନ ବନ୍ଦର ଭିତରେ ଘାସ କାଟିବା, ପାଣି ଜମା ହେବାକୁ ନଦେବା, ରନ ୱେ ପରିଦର୍ଶନ ଓ ପକ୍ଷୀ ଧରାଳିମାନଙ୍କୁ ସ୍ଥାନାନ୍ତର କରିବା ପାଇଁ କୁହାଯାଇଛି। ସେହିଭଳି ସ୍ଥାନୀୟ ପ୍ରଶାସନ ଦ୍ୱାରା ବିମାନ ବନ୍ଦର ବାହାରେ ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ରହିଛି। ତେବେ ବିଏମସି ସହାୟତାରେ ନିୟମିତ ପର୍ଯ୍ୟାୟରେ ବିମାନ ବନ୍ଦର ଚରିପାଖକୁ ସଫା ରଖିବା ପାଇଁ କୁହାଯାଇଛି ବୋଲି ବିମାନ ବନ୍ଦର ନିର୍ଦେଶକ କହିଛନ୍ତି।

ହେଲେ ବିମାନ ବନ୍ଦର ଚତୁର୍ପାର୍ଶ୍ଵ କହୁଛି ଆଉ କିଛି କାହାଣୀ। ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇଛି ଚତୁର୍ପାର୍ଶ୍ଵ। ଆଣ୍ଠୁଏ ଆଣ୍ଠୁଏ ଘାସ ସାଙ୍ଗକୁ କୁଢ଼ କୁଢ଼ ଅଳିଆ ଜମିଛି ନାଳରେ। ଫଳରେ ପଶୁ ପକ୍ଷୀଙ୍କ ଉପଦ୍ରବ ବି ଦେଖିବାକୁ ମିଳୁଛି। ହେଲେ ବିଏମସି ଅତିରିକ୍ତ କମିଶନର କହୁଛନ୍ତି ଏହା ନିୟମିତ ପ୍ରକ୍ରିୟା। ସବୁବେଳେ କିଭଳି ବିମାନ ବନ୍ଦର ଚତୁର୍ପାର୍ଶ୍ଵ ସଫା ରହିବ ସେଥିପ୍ରତି କାମ ଚାଲିଛି। ଅଯଥା ଦୋକାନ ବଜାରକୁ ଏନ୍ଫୋର୍ସମେଣ୍ଟ ଟିମ ନିୟନ୍ତ୍ରଣ କରୁଛି। ହେଲେ ଜମା ହୋଇଥିବା କୁଢ଼ କୁଢ଼ ଅଳିଆ କିଛି ଅଲଗା ଚିତ୍ର ବଖାଣୁଛି। ସେପଟେ ବିଶେଷଜ୍ଞଙ୍କ କହିବା କଥା ବିମାନ ବନ୍ଦର ସାଧାରଣତଃ ସହର ଠାରୁ ଦୂରରେ ରହିବା କଥା। ଯେଉଁଠି ସହର ଭିତରେ ରହିଛି ସେଠି ନିୟମିତ ଭାବେ ସଫା ରଖିବା ଓ ପକ୍ଷୀ ଗବେଷକ ମାନଙ୍କ ପରାମର୍ଶ ରେ ପକ୍ଷୀ ଘଉଡାଇବା ଓ ଧରିବାର ବ୍ୟବସ୍ଥା ହେବା କଥା। ଯାହା ହୋଇପାରୁନାହିଁ। ଫଳରେ ଅନେକ ସମୟରେ ଅଘଟଣ ଘଟୁଛି।

ଏହା ନିୟମିତ ପ୍ରକ୍ରିୟା। ବିମାନ ବନ୍ଦର କର୍ତ୍ତୃପକ୍ଷ ମଧ୍ୟ ପ୍ରତି ଦୁଇ ତିନି ମାସରେ ମିଟିଂ ଡାକି ଯାହା ଆବଶ୍ୟକ ତାହା କୁହନ୍ତି। ଆମେ ମଧ୍ୟ ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଇ ଆସିଛୁ। ଏଣୁ ସେଥିରେ ଅବହେଳା ହେବନାହିଁ ବୋଲି କହିଛନ୍ତି ବିଏମସିର ଅତିରିକ୍ତ କମିଶନର ବିନୟ ଦାସ।

ପ୍ରଥମ କଥା ସହର ଭିତରେ ବିମାନ ବନ୍ଦର ହେବା କଥା ନୁହେଁ। ବେଙ୍ଗାଲୁରୁ, ନବି ମୁମ୍ବାଇ, ପୁଣେ ଭଳି ସହର ଠାରୁ ଅନତି ଦୂରରେ ରହିବା କଥା। ପୁରୁଣା ସହର ଭିତରେ ବିମାନ ବନ୍ଦର ଯେଉଁଠି ରହିଛି ସେଠି ଜନ ବସତି ରହିଛି। ଏଣୁ ସେଗୁଡିକର ସମାଧାନ କିଭଳି କରିହେବ ତାର ରାସ୍ତା ବର୍ତ୍ତମାନ ଖୋଜିବା ଦରକାର ବୋଲି କହିଛନ୍ତି ବିଶେଷଜ୍ଞ ଜନକିଶ ବଡ଼ପଣ୍ଡା।

ପ୍ରତିଦିନ ବିଜୁ ପଟ୍ଟନାୟକ ଆନ୍ତର୍ଜାତିୟ ବିମାନ ବନ୍ଦରରୁ ୮୦ଟି ବିମାନ ଯାତାୟାତ କରେ। ବର୍ଷକ ମଧ୍ୟରେ ଦୁଇ ରୁ ୩ ଥର ବାର୍ଡ ହିଟିଂ ମଧ୍ୟ ହୋଇଛି। ଯଦିଓ ଅଳ୍ପକେ ବର୍ତ୍ତିଛି ବିମାନ ଦୁର୍ଘଟଣାରୁ କିନ୍ତୁ ଚିନ୍ତା କମାଇନି।
Published by:Lipina Das
First published: