News 18 Odia Digital
ମାଲକାନଗିରି: ମାଲକାନଗିରି (malkangiri) ଜିଲ୍ଲା ସ୍ବାଭିମାନ ଅଞ୍ଚଳର ଜୋଡ଼ାମ୍ବ ଗ୍ରାମରେ ଥିବା ଏକ ଘର, ଦିନେ ଥିଲା ଲାଲ ବାହିନୀର ଶିକ୍ଷା କେନ୍ଦ୍ର । ଲାଲ୍ ବାହିନୀର କମ୍ରେଡ ମାନେ ଏହି ଘରେ ନେଉଥିଲେ ବନ୍ଧୁକ ଓ ଗୋଳା ବାରୁଦ ବିଷୟରେ ଜ୍ଞାନ । ହେଲେ ଏବେ ଏହି ଅଞ୍ଚଳର ଚିତ୍ର ବଦଳିଛି । ମାଓବାଦୀଙ୍କ ଲାଲଘର ଏବେ ପାଲଟିଛି ପିଲାଙ୍କ କମ୍ପୁଟର (computer) ଶିକ୍ଷା କେନ୍ଦ୍ର । ମାଲକାନଗିରି ଜିଲ୍ଲା ପୋଲିସ ତରଫରୁ ଏହି ପ୍ରୟାସ କରାଯାଇଥିବାବେଳେ ପ୍ରଥମ ପର୍ଯ୍ୟାୟରେ ୨୬ ଜଣ ଛାତ୍ରଛାତ୍ରୀ (student)ଙ୍କୁ ଦିଆଯାଉଛି ମାଗଣା କମ୍ପ୍ୟୁଟର ଶିକ୍ଷା ।
ବଦଳିଲା ମାଲକାନଗିରି ସ୍ବାଭିମାନ ଅଞ୍ଚଳର ଲାଲ୍କୋଠାର ଚିତ୍ର । ଆଉ ବନ୍ଧୁକ କି ଗୋଳୋ ବାରୁଦ ନୁହେଁ, ଏଣିକି ଲାଲ୍କୋଠାରେ ପଢ଼ାଯିବ କମ୍ପୁଟର ଶିକ୍ଷା । ଲାଲ୍ଘରକୁ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ରରେ ପରିଣତ କଲା ଜିଲ୍ଲା ପୋଲିସ । ପ୍ରଥମ ପର୍ଯ୍ୟାୟରେ ୨୬ ଜଣ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଟ୍ରେନିଂ।
ବଦଳିଛି ସ୍ଥିତି, ବଦଳିଛି ପରିବେଶ । ଯେଉଁ ଅଞ୍ଚଳରେ ଦିନେ ନାଲି ପତକା ଉଡୁଥିଲା ଆଜି ସେଠି ଉଡୁଛି ତ୍ରିରଙ୍ଗା ପତକା । ଯେଉଁ ଅଞ୍ଚଳରେ ଥିବା ନାଲି ଘର ଦିନେ ଦେଉଥିଲା ମାଓବାଦୀଙ୍କ ଅନ୍ଧାରି ଦୁନିଆର ବାର୍ତ୍ତା, ଆଜି ସେଇ ଘର ଦେଖାଉଛି ଉନ୍ନତିର ମାର୍ଗ । ଏହି ଚିତ୍ର ହେଉଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ବାଭିମାନ ଅଞ୍ଚଳ ଜୋଡ଼ାମ୍ବ ଗ୍ରାମର । ସ୍ବାଭିମାନ ଅଞ୍ଚଳର ଆଦିବାସୀ ପିଲାଙ୍କୁ ଉତ୍ତମ ଶିକ୍ଷା ଦେବା ଲାଗି ଅଣ୍ଟା ଭିଡ଼ିଛି ମାଲକାନଗିରି ଜିଲ୍ଲା ପୋଲିସ । ଏଥିପାଇଁ ମାଓବାଦୀଙ୍କ ଲାଲଘରକୁ ପରିବର୍ତ୍ତନ କରି କରାଯାଇଛି କମ୍ପ୍ୟୁଟର ତାଲିମ କେନ୍ଦ୍ର । ଯାହାକୁ ଉଦଘାଟନ କରିଛନ୍ତି ସ୍ଥାନୀୟ ସରପଞ୍ଚଙ୍କ ସହ ମିଶି ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ । ଏହାପରେ ନିଜେ ପିଲାଙ୍କୁ ଇଂରାଜୀ ସହ କମ୍ପ୍ୟୁଟର ଜ୍ଞାନ ସମ୍ପର୍କରେ ବୁଝାଇଥିଲେ । ଅଭିଙ୍ଗ ପ୍ରଶିକ୍ଷକଙ୍କ ସହାୟତାରେ ଏହି ତାଲିମ କେନ୍ଦ୍ର ପ୍ରତିଦିନ ସକାଳେ ଏବଂ ସଂଧ୍ୟାରେ ଦୁଇ ଘଣ୍ଟା ଖୋଲିବ । ସ୍ବାଭିମାନ ଅଞ୍ଚଳର ପିଲାଙ୍କୁ ଏଠାରେ ଇଁରାଜୀ ସହ କମ୍ପ୍ୟୁଟର (computer) ସମ୍ପର୍କରେ ତାଲିମ ଦିଆଯିବ । ଯାହାର ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବ ମାଲକାନଗିରି ପୋଲିସ ।
ଲାଲଗଡ଼ରେ କମ୍ପ୍ୟୁଟର ଶିକ୍ଷାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା । ପିଲାମାନେ ଚେୟାରରେ ବସି ମାଉସ ମାଧ୍ୟମରେ କମ୍ପ୍ୟୁଟର ଚଲାଇଥିଲେ । ସାରଙ୍କଠାରୁ କମ୍ପ୍ୟୁଟର ସମ୍ପର୍କିତ ଜ୍ଞାନ ପାଇ ପିଲାଏ ଖୁସି ଅନୁଭବ କରିଥିବା କହିଛନ୍ତି । ଏହି ଅବସରରେ ମାଲକାନଗିରି ଜିଲ୍ଲା ପୋଲିସ ତରଫରୁ ଛାତ୍ରଛାତ୍ରୀଙ୍କୁ କମ୍ପୁଟର ସଂପର୍କିତ ପାଠ୍ୟ ପୁସ୍ତକ ପ୍ରଦାନ ସହ ସ୍ଥାନୀୟ ବାସିନ୍ଦାଙ୍କୁ ଶାଢ଼ୀ ଓ ବିଭିନ୍ନ ସାମଗ୍ରୀ ମଧ୍ୟ ପ୍ରଦାନ କରାଯାଇଥିଲା ।
ପ୍ରଥମ ପର୍ଯ୍ୟାୟରେ ସ୍ବାଭିମାନ ଅଞ୍ଚଳର ୨୬ ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇ ଏହି ମାଗଣା କମ୍ପ୍ୟୁଟର ତାଲିମ ପ୍ରଦାନ କରାଯାଇଛି । ଆଗାମୀ ଦିନରେ ଅନ୍ୟ ଏକ କମ୍ପ୍ୟୁଟର ତାଲିମ କେନ୍ଦ୍ର ନିର୍ମାଣ କରାଯିବା ସହ, ସେଠାରେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ମାଗଣା ତାଲିମ ଦିଆଯିବାର ଲକ୍ଷ ରଖିଛି ମାଲକାନଗିରି ଜିଲ୍ଲା ପୋଲିସ ।
ଏହି ଖବର ପଢ଼ନ୍ତୁ-
୨୪ ଘଣ୍ଟାରେ ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷିବ! ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନାPublished by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।