ରାଜ୍ୟ ଗୃହ ନିର୍ମାଣ ବିଭାଗ ନାଁରେ ଅଭିଯୋଗ; ଏଲଆଇଜି ଲୋକଙ୍କୁ ଘର ଦେବା ନାଁରେ ଠକୁଛି

ଓଡ଼ିଶା ସହରାଞ୍ଚଳ ଗୃହ ନିର୍ମାଣ ସଂସ୍ଥା ଦ୍ବାରା ଭୁବନେଶ୍ୱର ଡୁମୁଡୁମା ଫେଜ୍ ୭ରେ ଏମ.ଆଇ.ଜି ଓ ଏଲ.ଆଇ.ଜି ହିତାଧିକାରୀଙ୍କ ପାଇଁ ମୋଟ ୩୫୬ଟି ଫ୍ଲାଟ ୨୦୧୫ ମସିହାରୁ ନିର୍ମାଣ ଆରମ୍ଭ କରିଛି।

ରାଜ୍ୟ ଗୃହ ନିର୍ମାଣ ବିଭାଗ ନାଁରେ ଅଭିଯୋଗ

ରାଜ୍ୟ ଗୃହ ନିର୍ମାଣ ବିଭାଗ ନାଁରେ ଅଭିଯୋଗ

  • Share this:
News18 Odia Digital

ଭୁବନେଶ୍ବର: ରାଜ୍ୟ ଗୃହ ନିର୍ମାଣ ବିଭାଗ ନାଁରେ ଅଭିଯୋଗ। ଏଲ.ଆଇ.ଜି. ଓ ଏଲ.ଆଇ.ଜି. ଲୋକଙ୍କୁ ଘର ଦେବା ନାଁରେ ଠକୁଥିବା ଖବର ସାମ୍ନାକୁ ଆସିଛି। ୨୦୧୯ ସୁଦ୍ଧା ଘର ଦେବାକୁ କହି ଟଙ୍କା ନେଇଥିବାବେଳେ ଗୃହ ନିର୍ମାଣ ବିଭାଗ ୨୦୨୨ ସୁଦ୍ଧା ଦେଇ ପାରୁନାହିଁ। ଯାହାକୁ ନେଇ ହିତାଧିକାରୀମାନେ ମଙ୍ଗଳବାର ଗୃହ ନିର୍ମାଣ ବିଭାଗ କାର୍ଯ୍ୟାଳୟ ଘେରାଉ କରିବା ସହ କର୍ତ୍ତୃପକ୍ଷଙ୍କୁ ଘେରିଥିଲେ। ସମସ୍ୟା ଲାଗି ରହିଥିବାରୁ ସରିପାରୁନି କାମ କି ଘର ଦିଆଯାଇ ପାରୁନାହିଁ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି।

ଓଡ଼ିଶା ସହରାଞ୍ଚଳ ଗୃହ ନିର୍ମାଣ ସଂସ୍ଥା ଦ୍ବାରା ଭୁବନେଶ୍ୱର ଡୁମୁଡୁମା ଫେଜ୍ ୭ରେ ଏମ.ଆଇ.ଜି ଓ ଏଲ.ଆଇ.ଜି ହିତାଧିକାରୀଙ୍କ ପାଇଁ ମୋଟ ୩୫୬ଟି ଫ୍ଲାଟ ୨୦୧୫ ମସିହାରୁ ନିର୍ମାଣ ଆରମ୍ଭ କରିଛି। ନିୟମ ଅନୁଯାୟୀ ହିତାଧିକାରୀଙ୍କୁ ଗୃହ ଆବଣ୍ଟନ କରି ୨୦୧୯ ଡିସେମ୍ବର ଶେଷ ସୁଦ୍ଧା ହସ୍ତାନ୍ତର କରାଯିବ। କିନ୍ତୁ ହିତାଧିକାରୀ ସମସ୍ତ କିସ୍ତି ପୈଠ କରିସାରିଥିଲେ ସୁଦ୍ଧା ହାଉସିଂ ବୋର୍ଡ ସ୍କିମ ଅନୁସାରେ ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ନକରି ବିଭିନ୍ନ ଆଳ ଦେଖାଇ ମାସ ପରେ ମାସ ବର୍ଷ ପରେ ବର୍ଷ ଗଡ଼ାଇ ଚାଲିଛି ବିଭାଗ।

ଗତ ବର୍ଷ ନଭେମ୍ବର ମାସରେ ଗୃହ ହସ୍ତାନ୍ତର ବାବଦରେ ହିତାଧିକାରୀମାନେ ଦାବି କରିବାରୁ ହାଉସିଂ ବୋର୍ଡର ସେକ୍ରେଟାରୀ ମୌଖିକ ପ୍ରତିଶୃତିରେ ଅତିବେଶିରେ ୨୦୨୧ ଡିସେମ୍ବର ଶେଷ ସୁଦ୍ଧା ମିଳିବ ବୋଲି କହିଥିଲେ। ଡିସେମ୍ବର ସରିଲା ପଛେ ଘର ମିଳି ପାରିଲା ନାହିଁ। ଯାହାକୁ ନେଇ ହିତାଧିକାରୀମାନେ ଭୁବନେଶ୍ୱର ୟୁନିଟ ୩ ସ୍ଥିତ ସଂସ୍ଥା କାର୍ଯ୍ୟାଳୟ ଆଗରେ ଗଣ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ତୁରନ୍ତ ଆନୁସଙ୍ଗିକ ବ୍ୟବସ୍ଥା କରି ଘର ହସ୍ତାନ୍ତର କରିବାକୁ ଦାବି କରିଛନ୍ତି। ନଚେତ୍ ଆଗକୁ ଆନ୍ଦୋଳନ ଜୋରଦାର ହେବ ବୋଲି କହିଛନ୍ତି।

ଏହି ମାମଲାରେ ହିତାଧିକାରୀ ରମେଶ ମାଝୀ କହିଛନ୍ତି, "୨୦୧୫ ମସିହାରୁ ଆମେ ଫ୍ଲାଟ ପାଇଁ ପଇସା ଦେଇଛି ରାଜ୍ୟ ଗୃହ ନିର୍ମାଣ ବିଭାଗକୁ। ଏଲ.ଆଇ.ଜି. ମାନେ ୧୬ ଲକ୍ଷ ଓ ଏମ.ଆଇ.ଜି ମାନେ ୩୫ ଲକ୍ଷ ଦେଇଛୁ। ୨୦୧୯ରେ ଘର ଆମକୁ ମିଳିବା କଥା। ଆମେ ଲୋନ କରି ପଇସା ଦେଇଛୁ ସେପଟେ ଘର ଭଡା ନେଇ ରହୁଛୁ। ଏ କି ପ୍ରକାର ନ୍ୟାୟ ସରକାରଙ୍କର। ଆମକୁ ତୁରନ୍ତ ଘର ହସ୍ତାନ୍ତର କର ନଚେତ୍ ଆନ୍ଦୋଳନ ହେବ।’’

ହାଉସିଂ ବୋର୍ଡ଼ ସ୍କିମ ଅନୁଯାୟୀ ନିମ୍ନ ଓ ମଧ୍ୟବିତ୍ତ ଶ୍ରେଣୀ ଲୋକଙ୍କୁ ବଜାର ଦର ଠାରୁ କମ ମୂଲ୍ୟରେ ସହରାଞ୍ଚଳରେ ଆପାର୍ଟମେଣ୍ଟ ଯୋଗାଇ ଦିଆଯାଏ। ପ୍ରତି ଫ୍ଲାଟର ମୂଲ୍ୟ ବଜାର ମୂଲ୍ୟ ଠାରୁ କମ ଥାଏ। ଏଲ.ଆଇ.ଜି. ଲୋକଙ୍କୁ ୧୬ ଲକ୍ଷ ରେ ଫ୍ଲାଟ ଯୋଗାଇ ଦିଆଯାଉ ଥିବାବେଳେ ଏମ.ଆଇ.ଜି. ଲୋକଙ୍କୁ ୩୫ ଲକ୍ଷ୍ୟରେ ହାଉସିଂ ବୋର୍ଡ଼ ଦେଉଛି ଫ୍ଲାଟ। ହିତାଧିକାରୀ ସମସ୍ତ ଟଙ୍କା ମଧ୍ୟ ପୈଠ କରି ସାରିଲେଣି, ହେଲେ ଘର ମିଳିପାରିନାହିଁ ଗତ ଦୁଇ ବର୍ଷ ହେବ। ଏନେଇ କର୍ତ୍ତୃପକ୍ଷଙ୍କୁ ଘେରିବା ସହ ଯୁକ୍ତିତର୍କ ମଧ୍ୟ ହୋଇଥିଲା। ତେବେ ଡୁମଡୁମା ଫେଜ ୭ରେ କିଛି ଲୋକାଲ ସମସ୍ୟା ଲାଗି ରହିଥିବାରୁ ବାହ୍ୟ କାମ ଗୁଡିକ ଶେଷ ହୋଇପାରୁନି ବୋଲି କହିଛନ୍ତି ଗୃହ ନିର୍ମାଣ ବିଭାଗ କାର୍ଯ୍ୟ ନିର୍ବାହୀ ଅଧିକାରୀ। ତେବେ ଖୁବ ଶୀଘ୍ର ଏହାର କାମ ଶେଷ କରି ହିତାଧିକାରୀଙ୍କୁ ହସ୍ତାନ୍ତର କରିବୁ ବୋଲି ସେ କହିଛନ୍ତି।

"ଆମେ ମାନୁଛୁ ଘର ଦେବାରେ ବିଳମ୍ବ ହେଉଛି। ସେଠି କିଛି ସମସ୍ୟା ରହିଛି ଯାହାର ସମାଧାନ ପାଇଁ ସମୟ ଲାଗୁଛି। ଆପାର୍ଟମେଣ୍ଟ ଭିତର କାମ ସରିଛି, ବାହାର କାମ ବାକି ରହିଛି। ଖୁବ ଶୀଘ୍ର ମାର୍ଚ୍ଚ ଶେଷ ସୁଦ୍ଧା କାମ ସାରି ହିତାଧିକାରୀଙ୍କୁ ଘର ଦେବାର ଯୋଜନା ରହିଛି," ଗୃହ ନିର୍ମାଣ ବିଭାଗର କାର୍ଯ୍ୟନିର୍ବାହୀ ଅଧିକାରୀ ଲଲାଟେନ୍ଦୁ ସାହୁ।

ଡୁମଡୁମା ଫେଜ ୭ରେ ରାସ୍ତା, ବିଜୁଳି, ଲିଫ୍ଟ ଭଳି କାମ ଶେଷ ହୋଇ ନଥିବାବେଳେ ଆହୁରି ଫ୍ଲାଟ ତିଆରି କରି ଲୋକଙ୍କ ପାଖରୁ ପଇସା ନେଉଛି ବିଭାଗ ବୋଲି ସାଙ୍ଘାତିକ ଅଭିଯୋଗ କରିଛନ୍ତି ହିତାଧିକାରୀ।
Published by:Lipina Das
First published: