ସୂର୍ଯ୍ୟପରାଗକୁ ନେଇ ରହିଥିବା ଅନ୍ଧବିଶ୍ୱାସକୁ ଦୂର କରିବା ପାଇଁ ସାମୁହିକ ଭୋଜନ କାର୍ଯ୍ୟକ୍ରମ

ସୂର୍ଯ୍ୟପରାଗକୁ ନେଇ ରହିଥିବା ଅନ୍ଧବିଶ୍ୱାସକୁ ଦୂର କରିବା ପାଇଁ ସାମୁହିକ ଭୋଜନ ସହ ସଚେତନତା ସଭାର ଆୟୋଜନ କଲା ମାନବବାଦୀ ହେତୁବାଦୀ ସଙ୍ଗଠନ । କାର୍ଯ୍ୟକ୍ରମରେ ସାମିଲ ହେଲେ ସହରର ବହୁ ସଙ୍ଗଠନ, ବୁଦ୍ଧିଜୀବୀ ଓ ସହରବାସୀ ।

ସୂର୍ଯ୍ୟପରାଗକୁ ନେଇ ରହିଥିବା ଅନ୍ଧବିଶ୍ୱାସକୁ ଦୂର କରିବା ପାଇଁ ସାମୁହିକ ଭୋଜନ କାର୍ଯ୍ୟକ୍ରମ

ସୂର୍ଯ୍ୟପରାଗକୁ ନେଇ ରହିଥିବା ଅନ୍ଧବିଶ୍ୱାସକୁ ଦୂର କରିବା ପାଇଁ ସାମୁହିକ ଭୋଜନ କାର୍ଯ୍ୟକ୍ରମ

  • News18 Odia
  • Last Updated :
  • Odisha (Orissa), India
  • Share this:
News 18 Odia Digital

ବ୍ରହ୍ମପୁର; ମଙ୍ଗଳବାର ଥିଲା ସୂର୍ଯ୍ୟପରାଗ । ପୁରାତନ ପରାମ୍ପରା ଓ ବିଶ୍ୱାସ ଅନୁସାରେ ସୂର୍ଯ୍ୟ ପରାଗ ସମୟରେ ବାହାରକୁ ବାହାରିବା ଅନୁଚିତ । ଏହାଛଡ଼ା ସେହି ସମୟରେ ଯଦି ସୂର୍ଯ୍ୟକୁ ନିର୍ଦ୍ଦିଷ୍ଟ ରାଶିର ବ୍ୟକ୍ତି ବିଶେଷମାନେ ଦେଖନ୍ତି ତେବେ ସେମାନଙ୍କ ଉପରେ ଖରାପ ପ୍ରଭାବ ପଡିବାର ସମ୍ଭାବନା ରହିଛି । ଏହାସହିତ ସୂର୍ଯ୍ୟପରାଗ ସମୟରେ ପାକ ନିଷେଧ ବୋଲି ମଧ୍ୟ ବିଶ୍ୱାସ ରହିଛି । ତେବେ ଏଭଳି ବିଶ୍ୱାସକୁ ଅନ୍ଧବିଶ୍ୱାସ ବୋଲି କଳନା କରିଛି ବ୍ରହ୍ମପୁର ସହରର ମାନବବାଦୀ ହେତୁବାଦୀ ସଙ୍ଗଠନ ।

ସଙ୍ଗଠନର ସମସ୍ତ କର୍ମକର୍ତ୍ତା ସିଟି ହାଇସ୍କୁଲ ରୋଡ଼ ନିକଟରେ ରହିଥିବା ଚାର୍ବାକ ଭବନ ଠାରେ ଏକତ୍ରିତ ହୋଇ ସୂର୍ଯ୍ୟପରାଗକୁ ନେଇ ରହିଥିବା ଅନ୍ଧବିଶ୍ୱାସ ସମ୍ପର୍କରେ ସଚେତନତା କରାଇଥିଲେ । ଏହାସହିତ ସାମୁହିକ ଭୋଜନର ମଧ୍ୟ ଆୟୋଜନ କରିଥିଲେ । ଆଉ ଏହି ଭୋଜନରେ ସାମିଲ ହୋଇଥିଲେ ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା, ବୁଦ୍ଧିଜୀବୀ ଓ ସହରବାସୀ ।

ସୂର୍ଯ୍ୟପରାଗ ହୋଇଥିବା ହେତୁ ସମସ୍ତେ ଘରେ ରହିଥିଲେ । କାରଣ ଏହି ସମୟରେ ଘରୁ ବାହାରକୁ ବାହାରିବା ଅନୁଚିତ । ଏହାସହିତ ସୂର୍ଯ୍ୟପରାଗ ସମୟରେ ପାକ ନିଷେଧ ବୋଲି ମଧ୍ୟ ବିଶ୍ୱାସ ରହିଛି । କିନ୍ତୁ ଏଥିସବୁଠାରୁ ଉର୍ଦ୍ଧ୍ବରେ ରହି ଏକ ନିଆରା ଭାବେ ସୂର୍ଯ୍ୟପରାଗକୁ ପାଳନ କରିଛି ବ୍ରହ୍ମପୁର ସହରର ମାନବବାଦୀ ହେତୁବାଦୀ ସଙ୍ଗଠନ । ଆଜି ସଙ୍ଗଠନର ସମସ୍ତ କର୍ମକର୍ତ୍ତା ସିଟି ହାଇସ୍କୁଲ ରୋଡ଼ ଠାରେ ରହିଥିବା ଚାର୍ବାକ ଭବନ ଠାରେ ଏକତ୍ରିତ ହୋଇଥିଲେ । ସୂର୍ଯ୍ୟପରାଗକୁ ନେଇ ଲୋକଙ୍କ ମଧ୍ୟରେ ରହିଥିବା ଭ୍ରାନ୍ତ ଧାରଣା ଓ ଅନ୍ଧବିଶ୍ବାସକୁ ଦୂର କରାଇବା ନିମନ୍ତେ ଏକ ସଚେତନତା ସଭାର ମଧ୍ୟ ଆୟୋଜନ କରାଯାଇଥିଲା ।

‘‘ସୂର୍ଯ୍ୟପରାଗ ସହିତ ପାକତ୍ୟାଗ ତଥା ଅନ୍ନ ନିଷେଧର କୌଣସି ସମ୍ପର୍କ ନାହିଁ । ଏହା ସମ୍ପୂର୍ଣ୍ଣରୂପେ ଅବୈଜ୍ଞାନିକ । ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଏକ ସରଳରେଖାରେ ରହିଲେ ସୂର୍ଯ୍ୟପରାଗ ସୃଷ୍ଟି ହୋଇଥାଏ । ଯାହାଫଳରେ ସୂର୍ଯ୍ୟର ଆଲୁଅ ପୃଥିବୀ ଉପରେ ପଡ଼େନାହିଁ । ତେବେ ଏହାସହିତ ଅନ୍ନ ଗ୍ରହଣ ମଧ୍ୟରେ କୌଣସି ସମ୍ପର୍କ ନାହିଁ । ତେଣୁ ଏଭଳି ଅନ୍ଧବିଶ୍ବାସକୁ ଆଦୌ ଗ୍ରହଣ କରିବା ଅନୁଚିତ ବୋଲି କହିଛନ୍ତି,‘‘ ମାନବବାଦୀ ହେତୁବାଦୀ ସଙ୍ଗଠନର ସଦସ୍ୟ କିଶୋର ଚନ୍ଦ୍ର ମିଶ୍ର ।
‘‘ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ ଏକ ମହାଜାଗତିକ ଦୃଶ୍ୟ ତଥା ଘଟଣା । ଏହାକୁ ନେଇ ଭୟଭୀତ ନ ହୋଇ ଏହାକୁ ସମସ୍ତେ ଉପଭୋଗ କରିବାର ଆବଶ୍ୟକତାର ରହିଛି । ସୂର୍ଯ୍ୟପରାଗ ସମୟରେ ପାକ ନିଷେଧର ଯେଉଁ ପରମ୍ପରାକୁ ଆମ ସମାଜ ଆପଣାଇଛି ଏହା ସମ୍ପୂର୍ଣ୍ଣ ରୂପେ ଅବୈଜ୍ଞାନିକ ଓ ଅନ୍ଧବିଶ୍ବାସ । ଏଭଳି ଅନ୍ଧବିଶ୍ବାସକୁ ଦୂର କରି ବିଜ୍ଞାନ ଯାହା କହୁଛି ତାହାକୁ ଆପଣାଇବା ପାଇଁ ଏଭଳି ସାମୁହିକ ଭୋଜନର ଆୟୋଜନ କରାଯାଇଛି । ଯାହାକି ଅନ୍ୟ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାରେ ସହାୟକ ହୋଇପାରିବ ବୋଲି କହିଛନ୍ତି,‘‘ ମାନବବାଦୀ ହେତୁବାଦୀ ସଙ୍ଗଠନର ସଦସ୍ୟ ଭାଲଚନ୍ଦ୍ର ଷଡ଼ଙ୍ଗୀ ।

ମାନବବାଦୀ ହେତୁବାଦୀ ସଙ୍ଗଠନ ପକ୍ଷରୁ ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ ସମୟରେ ଏଭଳି ଲୋକଙ୍କୁ ସଚେତନତା କରିବା ନିମନ୍ତେ ଦୀର୍ଘ ବର୍ଷ ହେଲା ପଦକ୍ଷେପ ନିଆଯାଉଛି । ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ନିମନ୍ତେ ସଭା ସହ ସାମୁହିକ ଭୋଜନର ମଧ୍ୟ ଆୟୋଜନ କରାଯାଉଛି । ଆଜିର ଏହି ସାମୁହିକ ଭୋଜନରେ କେବଳ ଯେ ମାନବବାଦୀ ହେତୁବାଦୀ ସଙ୍ଗଠନର କର୍ମକର୍ତ୍ତା ମାନେ ସାମିଲ ହୋଇଥିଲେ ତାହା ନୁହେଁ ବରଂ ସହରର ବହୁ ସାମାଜିକ ସଙ୍ଗଠନ ସମେତ ବୁଦ୍ଧିଜୀବୀ ଓ ସହରବାସୀ ମଧ୍ୟ ସାମିଲ ହୋଇଥିଲେ । ସଚେତନତା ସଭାରେ ସୂର୍ଯ୍ୟପରାଗକୁ ନେଇ ନିଜର ମତ ପ୍ରକାଶ କରିଥିଲେ ସମସ୍ତେ । ଏହାସହିତ ସାମୁହିକ ଭୋଜନରେ ସାମିଲ ହୋଇ ଖାଇଥିଲେ ।

‘‘ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଆଜି କାହିଁ କେତେ ଦୂରରେ ପହଞ୍ଚିଥିବା ବେଳେ ଆଜିର ସମାଜ ବର୍ତ୍ତମାନ ମଧ୍ୟ ଏଭଳି ଅନ୍ଧବିଶ୍ବାସ ଉପରେ ବିଶ୍ବାସ ରଖିଛି । ଯାହା ପୂର୍ବରୁ ପାଳନ ଆସୁଛି ସେଥିରେ କୌଣସି ସତ୍ୟତା ବର୍ତ୍ତମାନ ସୁଦ୍ଧା ପରିଲଖିତ ହୋଇପାରିନାହିଁ । ତେଣୁ ଏଭଳି ଅନ୍ଧବିଶ୍ବାସରେ ବିଶ୍ବାସ ନ କରି ଆଗକୁ ଆସିବା ଆବଶ୍ୟକ ଏବଂ ମାନବବାଦୀ ହେତୁବାଦୀ ସଙ୍ଗଠନର ପ୍ରଚେଷ୍ଟାକୁ ନେଇ ସମସ୍ତେ ଆପଣାଇବା ସହିତ ସଚେତନତା ହେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି,‘‘ ବ୍ରହ୍ମପୁର ବାସିନ୍ଦା ତନ୍ମୟୀ ଜେନା । ସୂର୍ଯ୍ୟପରାଗକୁ ନେଇ ବହୁ ପ୍ରଥା, ପରାମ୍ପରା ଓ ବିଶ୍ବାସ ରହିଥିବା ବେଳେ ମାନବବାଦୀ ହେତୁବାଦୀ ସଙ୍ଗଠନର ଏଭଳି ବିରୋଧ ଓ ପଦକ୍ଷେପ ଲୋକଙ୍କ ମଧ୍ୟରେ କେତେ ସଚେତନତା ସୃଷ୍ଟି କରିପାରୁଛି ତାହା ଆଗାମୀ ଦିନରେ ହିଁ ଜଣାପଡ଼ିବ ।
Published by:Soubhagya Mishra
First published: