ବସ୍ତିରେ ପ୍ରତିଭା ଖୋଜିବ 'ବସ୍ତିର ଆଇଡଲ'; ବସ୍ତି ଜନସାଧାରଣ ମୁଖ୍ଯସ୍ରୋତରେ ହେବେ ସାମିଲ

ବସ୍ତିକୁ ଚାଲ ଅଭିଯାନ କ୍ରମରେ ଭୁବନେଶ୍ଵର ସହରାଞ୍ଚଳ ପୋଲିସ ରିଜର୍ଭ ଅଫିସଠାରେ “ବସ୍ତିର ଆଇଡ଼ଲ” କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଅପରାଧ ଗୁଡ଼ିକୁ ହ୍ରାସ କରିବା ଓ ବସ୍ତିର ଜନସାଧାରଣଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଏହି ଅଭିଯାନର ଉଦ୍ଦେଶ୍ଯ ।

ବସ୍ତିରେ ପ୍ରତିଭା ଖୋଜିବ କମିଶନରେଟ ପୋଲିସର “ବସ୍ତିର ଆଇଡଲ” (ପ୍ରତୀକାତ୍ମକ ଛବି)

ବସ୍ତିରେ ପ୍ରତିଭା ଖୋଜିବ କମିଶନରେଟ ପୋଲିସର “ବସ୍ତିର ଆଇଡଲ” (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ବସ୍ତିକୁ ଚାଲ ଅଭିଯାନ କ୍ରମରେ ଭୁବନେଶ୍ଵର ସହରାଞ୍ଚଳ ପୋଲିସ ରିଜର୍ଭ ଅଫିସଠାରେ “ବସ୍ତିର ଆଇଡ଼ଲ” କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଭୁବନେଶ୍ୱର ସହରାଞ୍ଚଳ ପୋଲିସ ତରଫରୁ ଆରମ୍ଭ କରାଯାଇଥିବା ବସ୍ତିକୁ ଚାଲ ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ଥିଲା, ବସ୍ତି ଅଞ୍ଚଳରୁ ସୃଷ୍ଟି ହୋଇ ସହର ସାରା କାୟ ବିସ୍ତାର କରୁଥିବା ଅପରାଧ ଗୁଡ଼ିକୁ ହ୍ରାସ କରିବା ଓ ବସ୍ତିର ଜନସାଧାରଣଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ।

ପ୍ରାୟତଃ ବସ୍ତିରେ ବସବାସ କରୁଥିବା ଜନସାଧାରଣ କିମ୍ବା ସେମାନଙ୍କ ସନ୍ତାନ ସନ୍ତତି ମାନଙ୍କଠାରେ ବିଭିନ୍ନ ପ୍ରତିଭା ଲୁଚି ରହିଥିଲେ ମଧ୍ୟ ସେସବୁକୁ ଲୋକଲୋଚନକୁ ଆଣିବା ନିମନ୍ତେ  ସେମାନଙ୍କୁ ଯଥେଷ୍ଟ ସୁଯୋଗ ମିଳି ନଥାଏ । ବସ୍ତିରେ ଲୁଚି ରହିଥିବା ପ୍ରତିଭାକୁ ଖୋଜି ବାହାର କରିବା ନିମନ୍ତେ ଭୁବନେଶ୍ୱର ସହରାଞ୍ଚଳ ପୁଲିସ ତରଫରୁ ଆଜିର ଏହି “ବସ୍ତିର ଆଇଡଲ”କାର୍ଯକ୍ରମ ।

"ଆମେ ଗତବର୍ଷ ଠାରୁ ବସ୍ତିକୁ ଚାଲ ଅଭିଯାନ ଆରମ୍ଭ କରିଥିଲୁ । ଏହା ଦ୍ବାରା ବସ୍ତିରେ ଘଟୁଥିବା ଅପରାଧକୁ ରୋକିବା ଆମର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ବସ୍ତିରେ କେଉଁମାନେ ରହୁଛନ୍ତି, ସେମାନଙ୍କ ଉପରେ ନଜର ରଖିବାକୁ ଏହି ଅଭିଯାନ ଆମେ ଆରମ୍ଭ କରିଥିଲୁ । ପରେ ପୋଲିସ ମିତ୍ର ଭାବେ କିଛି ଯୁବକମାନଙ୍କୁ ଆମେ ବାଛିଥିଲୁ। ବସ୍ତିର ପ୍ରତିଭାମାନଙ୍କୁ ଖୋଜିବା ପାଇଁ ଆମେ ଗତ ମାସ ବିଭିନ୍ନ ବସ୍ତିକୁ ନେଇ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ କରିଥିଲୁ । ଏବେ ସଙ୍ଗୀତ ମାଧ୍ୟମରେ ଆମେ ପ୍ରତିଭାମାନଙ୍କୁ ଖୋଜୁଛୁ," କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ସହର ମଧ୍ୟରେ ଥିବା ସମସ୍ତ ବସ୍ତିର ବଛା ବଛା କଳାକାରମାନେ ସେମାନଙ୍କ କଳାର ପ୍ରଦର୍ଶନ କରିଥିଲେ । ପ୍ରତିଯୋଗୀମାନଙ୍କୁ  ଉତ୍ସାହିତ କରିବା ନିମନ୍ତେ ଓଡ଼ିଆ କଳା ଓ ସଙ୍ଗୀତ ଜଗତର ବହୁ ନାମୀ ଓ ସୁନାମ ଧନ୍ୟ ବ୍ୟକ୍ତି ବିଶେଷ ମାନେ ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ଭୁବନେଶ୍ଵର-କଟକ ପୁଲିସ କମିଶନରେଟର କମିଶନର ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ, ଭୁବନେଶ୍ଵର-କଟକ ପୁଲିସ କମିଶନରେଟର ଅତିରିକ୍ତ କମିଶନର ନୀତି ଶେଖର, ଭୁବନେଶ୍ୱରର ଡେପୁଟି କମିଶନର ଉମାଶଙ୍କର ଦାଶ, କଟକ କମିଶନରେଟର ଡେପୁଟି କମିଶନର ପ୍ରତୀକ ସିଂହ ଓ ଟ୍ରାଫିକ ଡି ସି ପି  ଏସ.ସୁଶ୍ରୀଙ୍କ ସହ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଯୋଗ ଦେଇଥିଲେ ।
Published by:Soumya Das
First published: