News18 Odia Digital
ଭୁବନେଶ୍ବର: ରାଜ୍ୟ ରାଜଧାନୀରେ ସଫଳ ହେଲା କମିଶନରେଟ ପୋଲିସର ପାଇଲଟ୍ ପ୍ରକଳ୍ପ ‘ଡ୍ରିମ’। ନିଶାଦ୍ରବ୍ୟ ସେବନ କରି ଅପରାଧ ପାଲଟି ଯାଇଥିବା ନିଶାଡ଼ିଙ୍କୁ ଅବାଟରୁ ବାଟକୁ ଫେରାଇ ଆଣିବାରେ ସଫଳ ହୋଇଛି କମିଶନରେଟ ପୋଲିସ। ଦୀର୍ଘ ଚାରି ମାସ ପରେ ନିଶା କବଳରୁ ମୁକୁଳିଛନ୍ତି ୫୦ ଜଣ ଯୁବକ। ଏବେ ସମ୍ପୂର୍ଣ୍ଣ ସୁସ୍ଥ ପରେ ସେମାନଙ୍କ ଘରକୁ ଫେରିଛନ୍ତି। କମିଶନରେଟ ପୋଲିସ ମୁଖ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ନିଶା କବଳରୁ ମୁକୁଳିଥିବା ଯୁବକଙ୍କୁ ସେମାନଙ୍କୁ ପରିବାରଲୋକଙ୍କୁ ନିକଟକୁ ଛଡ଼ାଯାଇଛି।
ପୋଲିସ ଅନୁସାରେ, ନିଶାରୁ ମୁକ୍ତି ପାଇଥିବା ୫୦ ଜଣଙ୍କୁ ମୌଳିକ ଶିକ୍ଷାର ପ୍ରଶିକ୍ଷଣ ଦିଆଯାଇଛି। କିଭଳି ସେମାନେ ମୁଖ୍ୟସ୍ରୋତକୁ ଫେରିବେ ସେ ଦିଗକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଖୁବ୍ ଶୀଘ୍ର ନିଶା କବଳରୁ ମୁକୁଳିଥିବା ୪୦ ଜଣଙ୍କୁ ସ୍ଵାବଲମ୍ବୀ କରାଯିବା। ସେଥିରୁ ୨୦ଜଣଙ୍କୁ ଜୀବିକା ନିର୍ବାହ ଓ ସମାଜର ମୁଖ୍ୟସ୍ରୋତରେ ସାମିଲ ଲାଗି ଏକ ବଡ଼ ଫାଷ୍ଟଫୁଡ୍ ସଂସ୍ଥା ସେମାନଙ୍କୁ କାର୍ଯ୍ୟ ଯୋଗାଇ ଦିଆଯିବ। ସେମାନଙ୍କୁ ମାସକୁ ସଂସ୍ଥା ପକ୍ଷରୁ ୮ ହଜାର ଟଙ୍କା ଲେଖାଏଁ ମାସିକ ଦରମା ମିଳିବ। ଆଉ ୨୦ ଜଣଙ୍କୁ ଠେଲାଗାଡ଼ି ଯୋଗାଇ ଦିଆଯାଇ ଫଳ, ପନିପରିବା ଓ ଅନ୍ୟାନ୍ୟ ରୋଜଗାରକ୍ଷମ ନିଯୁକ୍ତି ଯୋଗାଇ ଦିଆଯିବ।
ଶନିବାର କମିଶନରେଟ ପୋଲିସ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୋଲିସ ଡିଜି ସୁନୀଲ କୁମାର ଵଂଶଲ ଯୋଗ ଦେଇ ନିଶା କବଳରୁ ମୁଖ୍ୟସ୍ରୋତକୁ ଫେରିଥିବା ୫୦ ଜଣ ଯୁବକଙ୍କୁ ସମାଜ ପ୍ରତି ସେମାନଙ୍କ କର୍ତ୍ତବ୍ୟ ଉପରେ ଗୁରୁତ୍ଵ ଦେଇଥିଲେ ଆଗକୁ ଏହି ପ୍ରକଳ୍ପକୁ ଆହୁରି ଅଧିକ ମାତ୍ରାରେ ତ୍ୱରାନ୍ୱିତ କରାଯିବ ବୋଲି କହିଛନ୍ତି ପୋଲିସ ଡିଜି।

ସଫଳ ହେଲା କମିଶନରେଟ ପୋଲିସର ଡ୍ରିମ ପ୍ରକଳ୍ପ
ଏହି କାର୍ଯ୍ୟକ୍ରମରେ ନିଶାରୁ ମୁକୁଳିଥିବା ଯୁବକଙ୍କୁ ସାର୍ଟିଫିକଟ ଦିଆଯାଇଥିଲା। ପରିବାର ଲୋକଙ୍କ ଉପସ୍ଥିତିରେ ଯୁବକଙ୍କ ମୌଳିକ ଶିକ୍ଷା ନେବା ସମୟରେ କହିଥିବା ଲକ୍ଷ୍ୟ ବିଷୟରେ ସୂଚାଇ ଦିଆଯାଇଥିଲା। ଏହାସହ ପ୍ରଥମେ ସେମାନେ ବସ୍ତି ମିତ୍ର ଭାବେ କାମ କରିବେ। ବସ୍ତିରେ ନିଶା କାରାବର ରୋକିବା ଉପରେ କାମ କରିବେ। କୋକଙ୍କୁ ସଚେତନ କରିବେ। ଏଥି ସହିତ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ କରାଯିବା ସହ ସମସ୍ତଙ୍କୁ ସମ୍ମାନିତ କରାଯାଇଥିଲା। ଏଥିରେ ପୋଲିସ ମହା ନିର୍ଦ୍ଦେଶକ ସୁନୀଲ ବଂଶଲ, ଏସ୍ଏସ୍ପିତି ବିଭାଗର ସଚିବ ଭାସ୍କରଜ୍ୟୋତି ଶର୍ମା, କ୍ରୀଡା ସଚିବ ଭିନିଲ କ୍ରିଷ୍ଣା, ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଅତିରିକ୍ତ ପୋଲିସ କମିସନର ଉମାଶଙ୍କର ଦାଶ, ଡିସିପି ପ୍ରତୀକ ସିଂ, ଅଭିନେତା ସବ୍ୟସାଚୀ ମିଶ୍ର। ତେବେ ଆଗାମୀ ଦିନରେ ଏହାକୁ ଦ୍ବୈତନଗରୀରେ କାର୍ଯ୍ୟକାରୀ କରିବାକୁ ଯୋଜନା କରାଯାଉଥିବା ପୋଲିସ ପକ୍ଷରୁ କୁହାଯାଇଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।