News 18 Odia Digital
ଭୁବନେଶ୍ୱର : ପୋଲିସର ଚିନ୍ତା ବଢାଉଛି ଆତ୍ମହତ୍ୟା । ଜାତୀୟ ହାରଠାରୁ ଓଡ଼ିଶାରେ ଆତ୍ମହତ୍ୟା ସଂଖ୍ୟା ଅଧିକ ରହୁଛି । ଏନେଇ NCRB ରିପୋର୍ଟ ସାମ୍ନାକୁ ଆସିବା ପରେ ପୋଲିସର ସ୍ୱତନ୍ତ୍ର କର୍ମଶାଳା ଆରମ୍ଭ ହୋଇଯାଇଛି । କିଭଳି ଆତ୍ମହତ୍ୟାକୁ ରୋକାଯାଇ ପାରିବ, ଆତ୍ମହତ୍ୟା ଘଟଣା ଗୁଡ଼ିକର ତଦନ୍ତ କିଭଳି କରାଯିବ ସେନେଇ କମିସନରେଟ ପୋଲିସ ପକ୍ଷରୁ ପୋଲିସ ସେବା ଭବନରେ ଏକ କର୍ମଶାଳାର ଆୟୋଜନ କରାଯାଇଥିଲା । ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ପୋଲିସ ଡ଼ିଜି ସୁନୀଲ ଵଂଶଲ ଯୋଗ ଦେଇଥିଲେ । ତେବେ ଆତ୍ମହତ୍ୟା ଘଟଣା ଗୁଡ଼ିକରେ ଗଣମାଧ୍ୟମର ଭୂମିକା କଣ ରହିଛି ସେନେଇ ମଧ୍ୟ ଆଲୋଚନା କରାଯାଇଛି ।
ବିଶେଷ କରି ଟୁଇନସିଟିରେ ଆତ୍ମହତ୍ୟା ପ୍ରବଣତା ବେଶି । ଗତ କିଛିମାସ ହେବ କଟକ ଭୁବନେଶ୍ୱରରେ ଆତ୍ମହତ୍ୟା ବୃଦ୍ଧି ପାଉଛି । ସେଲିବ୍ରେଟିଙ୍କ ଠାରୁ ଜଜ, ପ୍ରେମୀଯୁଗଳଙ୍କ ଠାରୁ ପତ୍ନୀ । ପ୍ରତିଦିନ ଆତ୍ମହତ୍ୟା ଭଳି ଖବର ସାମ୍ନାକୁ ଆସୁଛି । ଆତ୍ମହତ୍ୟା କାରଣ ସସପେନ୍ସରେ ରହୁଥିବା ବେଳେ ତଦନ୍ତ ପକ୍ରିୟାକୁ ନେଇ ବି ପ୍ରଶ୍ନ ଉଠୁଛି । ଆଉ ଏହାକୁ ନେଇ ଚିନ୍ତାରେ ରହୁଛି କମିସନରେଟ ପୋଲିସ । ଗତ କିଛିଦିନ ତଳେ ଶୁଭଶ୍ରୀ ମହାପାତ୍ର ଆତ୍ମହତ୍ୟା ଘଟଣା ଉପରୁ ପୋଲିସ ପରଦା ଉଠାଇଥିବା ବେଳେ ସଫ୍ଟୱେର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀ ଆତ୍ମହତ୍ୟା ଘଟଣା ଏବେବି ସସପେନ୍ସରେ ରହିଛି ।
କମିସନରେଟ ପୋଲିସର ତଥ୍ୟ ଅନୁସାରେ, ୨୦୨୦ ରେ ରାଜଧାନୀରେ ୩୧୦ ଜଣ ଆତ୍ମହତ୍ୟା କରିଥିବା ବେଳେ ୨୦୨୧ ରେ ୨୮୨ ଜଣ ଆତ୍ମହତ୍ୟା କରିଛନ୍ତି । ତେବେ ଚଳିତବର୍ଷ ବର୍ତ୍ତମାନ ପର୍ଯ୍ୟନ୍ତ ୨୨୬ ଜଣ ଆତ୍ମହତ୍ୟା କରିଥିବା ନେଇ ରିପୋର୍ଟ ହୋଇଛି । ଯାହା ପୋଲିସ ପାଇଁ ବେଶ ଚିନ୍ତା ଜନକ । ଏଭଳି କ୍ଷେତ୍ରରେ ପୋଲିସ କର୍ମଚାରୀଙ୍କଠାରୁ ଆରମ୍ଭ କରି ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନେଇ କମିସନରେଟ ପୋଲିସ କାର୍ଯ୍ୟାଳୟ ଦିନିକିଆ କର୍ମଶାଳା ଆୟୋଜିତ ହୋଇଛି ।
ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, "ଗତ କିଛିଦିନ ହେବ କଟକ ଭୁବନେଶ୍ୱରରେ ଆତ୍ମହତ୍ୟା ବୃଦ୍ଧି ପାଇଛି । ତେଣୁ କିଭଳି ଆତ୍ମହତ୍ୟା ରୋକା ଯାଇପାରିବ ଓ ଠିକ ପକ୍ରିୟାରେ ତଦନ୍ତ କରାଯିବ ସେନେଇ ପୋଲିସ ଅଧିକାରୀମାନଙ୍କୁ ଟ୍ରେନି ଦିଆଯିବ । ଯାହା ଆଗାମୀ ଦିନରେ ଆତ୍ମହତ୍ୟା ରୋକିବାରେ ସହାୟକ ହେବ"।
NCRB ତଥ୍ୟ ଅନୁସାରେ, ଛାତ୍ର ଆତ୍ମହତ୍ୟାରେ ଓଡିଶା ଦେଶରେ ଦ୍ଵିତୀୟ । ଯେଉଁ ବୟସରେ ପାଠ ପଢିବା କଥା ସେହି ବୟସରେ ନିଜ ଜୀବନ ନିଜେ ନେବାକୁ ପଛାଉ ନାହାଁନ୍ତି । NCRB ରିପୋର୍ଟ କହୁଛି ୨୦୨୧ ରେ ଓଡ଼ିଶାରେ ୫୬୫୧ ଜଣ ଆତ୍ମହତ୍ୟା କରିଛନ୍ତି । ବଡ଼କଥା ହେଉଛି ଓଡ଼ିଶାର ହାର ଗତ ୫ବର୍ଷ ରେ ୧୦ ରୁ ବଢି ୧୨.୦୫ ପ୍ରତିଶତରେ ପହଞ୍ଚିଛି ଯାହା ଜାତୀୟ ହାରଠାରୁ ଅଧିକ । ବଢୁଥିବା ଆତ୍ମହତ୍ୟା ମାମଲାକୁ ନେଇ ଚିନ୍ତା ପ୍ରକଟ କରିବା ସହ ଚେଷ୍ଟା କଲେ ଏହାକୁ ରୋକା ଯାଇ ପାରିବ ବୋଲି ମତ ବିଶେଷଜ୍ଞ ରଖିଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।