News18 Odia Digital
ଭୁବନେଶ୍ବର: ରାଜ୍ୟ ରାଜଧାନୀ କମିଶନରେଟ ପୋଲିସ ହାତରେ ଇରାନୀ ଗ୍ୟାଙ୍ଗ। ଏହି ଗ୍ୟାଙ୍ଗ ଦୀର୍ଘଦିନ ଧରି ରାଜଧାନୀ ଓ ଏହାର ଆଖପାଖ ଅଞ୍ଚଳରେ ଛିନତାଇ କରି ଆତଙ୍କ ଖେଳାଇବା ସହ ବିଭିନ ଦୋକାନରେ ପଶି ଦୋକାନୀଙ୍କ ଅନ୍ୟମନସ୍କତାରେ ଫାଇଦା ଉଠାଇ ଲୁଟ କରି ଫେରାର ହେଇଯାଉଥିଲେl
ଏପରି ଭିନ୍ନ ଭିନ୍ନ ତରିକାରେ ଲୁଟ୍ କରି କମିଶନରେଟ ପୋଲିସର ମୁଣ୍ଡବିନ୍ଧାର କାରଣ ପାଲଟିଥିବା ଏକ ଗ୍ୟାଙ୍ଗକୁ ମାଡ଼ି ବସିଛି ପୋଲିସ। ଏହି ଗ୍ୟାଙ୍ଗର ନାଁ ହେଉଛି ଇରାନୀ ଗ୍ୟାଙ୍ଗ। ଏହି ଗ୍ୟାଙ୍ଗର ୪ ସଦସ୍ୟଙ୍କୁ ନୂଆପଡା ଜିଲ୍ଲାରୁ ଗିରଫ କରିଛି କମିଶନରେଟ ପୋଲିସl

କମିଶନରେଟ ପୋଲିସ ହାତରେ ଇରାନୀ ଗ୍ୟାଙ୍ଗ
ଗିରଫ ଅଭିଯୁକ୍ତମାନେ ହେଲେ ଜାହୀର ହୁସେନ, ସନୋଜ କୁମ୍ଭାର, କିସ୍ମତ ଅଲ୍ଲି, ସିକନ୍ଦର ଅଲ୍ଲିl ଏହି ଗ୍ୟାଙ୍ଗର ସଦସ୍ୟମାନେ ଇରାନର ମୂଳ ବାସିନ୍ଦା। ହେଲେ କାଳକ୍ରମେ ରାୟପୁର, ଆନ୍ଧ୍ର ପ୍ରଦେଶ, ଛତିଶଗଡ ଓ ଓଡ଼ିଶାର ନୂଆପଡା ଜିଲ୍ଲାରେ ବହୁ ସଂଖ୍ୟାରେ ଦୀର୍ଘ ଦିନ ହେଲା ରହି ଆସୁଛନ୍ତି। ସେମାନଙ୍କ ମଧ୍ୟରୁ କିଛି ଜଣ ଭୁବନେଶ୍ୱର ଆସି ନୂଆ ନୂଆ ତରିକାରେ ଲୁଟପାଟ କରି ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଉଥିଲେ। ଦୀର୍ଘ ଦିନର କସରତ ପରେ ପୋଲିସ ସେମାନଙ୍କୁ କାବୁ କରିବାରେ ସଫଳ ହୋଇଛି।

ଲୁଟ ହୋଇଥିବା ବାଇକ ଜବତ
ଏହି ଗ୍ୟାଙ୍ଗର ଟାର୍ଗେରେ ଥିଲେ ଏକୁଟିଆ ଯାଉଥିବା ମହିଳାମାନେ। ଏମାନେ ମୁଖ୍ୟତଃ ବାଇକରେ ଆସି ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପି ନେଉଥିଲେl ଏହି ଗ୍ୟାଙ୍ଗ ନାମରେ ଭୁବନେଶ୍ୱରରେ ୨୨ରୁ ଅଧିକ ମାମଲା ରହିଛି। ସେମାନଙ୍କଠାରୁ ୫ଟି ବାଇକ, ୧୭ଟି ସୁନା ଚେନ୍ ଓ କିଛି ପଥର ଜବତ ହୋଇଛି। ଭୁବନେଶ୍ୱର ସମେତ ଆନ୍ଧ୍ର, ରାୟପୁରରେ ଏମାନଙ୍କ ଗ୍ୟାଙ୍ଗ ଅପରେଟ୍ ହେଉଥିବା କହିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂl
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।