ପୋଲିସର ନିଆରା କାମ; ପ୍ରେମୀ ଯୁଗଳଙ୍କ ପ୍ରେମକୁ ସଫଳ କରାଇଲା କମିଶନରେଟ ପୋଲିସ

ପ୍ରେମରେ ଧୋକା ପାଇବା ପରେ ପ୍ରେମିକା ଜଣଙ୍କ ଥାନାରେ ଅଭିଯୋଗ କରିଥିଲେ। ହେଲେ ପୋଲିସ ହସ୍ତକ୍ଷେପ କରିବା ପରେ ପୁଣି ଥରେ ପ୍ରେମୀ ଯୁଗଳ ଏକାଠି ହୋଇପାରିଛନ୍ତି। କେବଳ ଏକାଠି ହୋଇନଥିଲେ, ଉଭୟଙ୍କୁ ବିବାହ ବନ୍ଧନରେ ଆବଦ୍ଧ ମଧ୍ୟ ହୋଇଛନ୍ତି।

ଖାରବେଳନଗର ଥାନା ଅଧିକାରୀ ଅରୁଣ କୁମାର ସ୍ୱାଇଁ

ଖାରବେଳନଗର ଥାନା ଅଧିକାରୀ ଅରୁଣ କୁମାର ସ୍ୱାଇଁ

  • Share this:
News18 Odia Digital

ଭୁବନେଶ୍ବର: ପୋଲିସ ନିଷ୍ଠୁର। ପୋଲିସର ହୃଦୟ ନାହିଁ। ପୋଲିସକୁ ଦେଖିଲେ ମନକୁ ଏଭଳି କିଛି ଶବ୍ଦ ବାହାରି ଆସେ। ହେଲେ ରାଜ୍ୟ ରାଜଧାନୀର କମିଶନରେଟ ପୋଲିସ ଏଭଳି ଏକ କାମ କରିଛନ୍ତି ଯାହା ଶୁଣିଲେ ଆପଣଙ୍କ ମନ ବି ତରଳି ଯିବ। ଆପଣଙ୍କ ମନରେ ଥିବା ପୋଲିସ ପ୍ରତି ଘୃଣା ଭାବ ବି ଦୂରେଇ ଯିବ। ଆପଣ ବି କହିବେ ପୋଲିସ ହେବ ତ ଏମିତି।

ଦୁଇଜଣ ପ୍ରେମୀ ଯୁଗଳ ସୋସିଆଲ ମିଡ଼ିଆ ଇନଷ୍ଟାଗ୍ରାମରେ ବନ୍ଧୁତା ପରେ ପରସ୍ପରକୁ ପ୍ରେମ କରିଥିଲେ। ଆଉ ବିବାହ ନ କରି ରାଜଧାନୀରେ ଏକାଠି ରହୁଥିଲେI ପରସ୍ପରର ସୁଖ ଦୁଃଖର ସାଥି ହୋଇ ପ୍ରେମ ରାଇଜରେ ଉଡ଼ି ବୁଲୁଥିଲେ। କିଛି ବର୍ଷ ଏକାଠି ରହିବା ପରେ ପ୍ରେମରେ ସୃଷ୍ଟି ହୋଇଥିଲେ ଫାଟ। ଆଉ ହଠାତ ପ୍ରେମିକା ଠାରୁ ପ୍ରେମିକ ଦୂରେଇ ଯାଇଥିଲା।

ପ୍ରେମରେ ଧୋକା ପାଇବା ପରେ ପ୍ରେମିକା ଜଣଙ୍କ ଥାନାରେ ଅଭିଯୋଗ କରିଥିଲେ। ହେଲେ ପୋଲିସ ହସ୍ତକ୍ଷେପ କରିବା ପରେ ପୁଣି ଥରେ ପ୍ରେମୀ ଯୁଗଳ ଏକାଠି ହୋଇପାରିଛନ୍ତି। କେବଳ ଏକାଠି ହୋଇନଥିଲେ, ଉଭୟଙ୍କୁ ବିବାହ ବନ୍ଧନରେ ଆବଦ୍ଧ ମଧ୍ୟ ହୋଇଛନ୍ତି। ଆଉ ନୂଆ କରି ସଂସାର ଗଢ଼ି ତୋଳିବେ ବୋଲି ପୋଲିସ ଆଗରେ ଶପଥ ନେଇଛନ୍ତି ଏହି ପ୍ରେମୀ ଯୁଗଳ।

ଏହି ଘଟଣାଟି ଭୁବନେଶ୍ବର ଖାରବେଳନଗର ଥାନାରେ ଗୁରୁବାର ସନ୍ଧ୍ୟାରେ ଦେଖିବାକୁ ମିଳିଥିଲା। ଖାରବେଳନଗର ଥାନା ଅଧିକାରୀ ଅରୁଣ କୁମାର ସ୍ୱାଇଁଙ୍କ ହସ୍ତକ୍ଷେପ ପରେ ରାମ ମନ୍ଦିରରେ ଏଭଳି ନିଆରା ବାହାଘର ସମ୍ପନ୍ନ ହୋଇଛି।

ପୋଲିସର ସୂଚନା ଅନୁସାରେ, ଦୁଇ ନବ ଦମ୍ପତିଙ୍କ ନାମ ଗୋପନ ରଖାଯାଇଛି। ହେଲେ ପୂରା ଘଟଣା ଏମିତି ଥିଲା। ରାଜଧାନୀର ଅଲଗା ଅଲଗା ଘରୋଇ ସଂସ୍ଥାରେ ଢେଙ୍କାନାଳର ପୁଅ ଓ ଝିଅ କାମ କରୁଥିଲେ। ଦୁହେଁ ଗୋଟିଏ ଜିଲ୍ଲାରେ ହୋଇଥିଲେ ମଧ୍ୟ ପୂର୍ବରୁ ଚିହ୍ନା ପରିଚିତ ହୋଇନଥିଲେ। କିନ୍ତୁ ଇନଷ୍ଟାଗ୍ରାମରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା। ପରେ ସେମାନଙ୍କ ମଧ୍ୟରେ ଗଢ଼ି ଉଠିଥିଲା ପ୍ରେମ। ଦୁଇଜଣଙ୍କ ସହମତିରେ ବିବାହ କରିବା ପୂର୍ବରୁ ଏକାଠି ରହିବେ ବୋଲି ମନସ୍ଥ କରିଥିଲେ। ଖାରବେଳନଗର ଥାନା ଅଞ୍ଚଳରେ ଭଡ଼ା ନେଇ ଉଭୟ ରହିଥିଲେ। ସମାଜ ସେମାନଙ୍କୁ ସ୍ୱାମୀ-ସ୍ତ୍ରୀର ସିକୃତି ଦେଇନଥିଲେ ମଧ୍ୟ ସେମାନେ ବିବାହ ନ କରି ସ୍ବାମୀ-ସ୍ତ୍ରୀ ଭାବେ ରହୁଥିଲେ। କିଛି ବର୍ଷ ରହିବା ପରେ ପ୍ରେମିକର ମତ ବଦଳି ଯାଇଥିଲା। ସେ ପ୍ରେମିକା ଠାରୁ ଦୂରେଇ ଯିବା ଲାଗି ମନସ୍ଥ କରିବା ସହ ଅଲଗା ହୋଇଯିବାରୁ ପ୍ରେମିକାକୁ ପ୍ରସ୍ତାବ ଦେଇଥିଲେ। ହେଲେ ପ୍ରେମିକା ଏହି ପ୍ରସ୍ତାବରେ ରାଜି ହୋଇନଥିଲେ। ଶେଷରେ ପ୍ରେମିକ ତାଙ୍କର ପ୍ରେମିକାକୁ ଛାଡ଼ି ଢେଙ୍କାନାଳରେ ଥିବା ଗାଁକୁ ପଳାଇଥିଲେ। ପରେ ପ୍ରେମିକା ଖାରବେଳନଗର ଥାନାର ଦ୍ୱାରସ୍ଥ ହୋଇଥିଲେ।

ପୋଲିସ କିନ୍ତୁ ଧୋକା ଦେଇଥିବା ପ୍ରେମିକକୁ ଗିରଫ କରିବା ବଦଳରେ ସମାଧନ କରି ଉଭୟଙ୍କୁ ଏକାଠି କରିବା ଲାଗି ପ୍ରେମିକା ପୋଲିସ ଆଗରେ ଗୁହାରି କରିଥିଲେ। ସବୁ କଥା ଶୁଣିବା ପରେ ଖାରବେଳନଗର ଥାନା ଅଧିକାରୀ ଅରୁଣ ସ୍ୱାଇଁ ପ୍ରେମିକର ପରିବାର ଲୋକଙ୍କୁ ଯୋଗାଯୋଗ କରିଥିଲେ। ପରେ ପ୍ରେମିକକୁ କାଉନସିଲିଂ କରିବା ପରେ ସେ ବିବାହ କରିବ ବୋଲି ରାଜି ହୋଇଥିଲା। ଆଉ ତିଥି, ରାଶି ଓ ନକ୍ଷେତ୍ର ନ ଦେଖି ତୁରନ୍ତ ବିବାହ ସମ୍ପନ୍ନ ହେବ ବୋଲି ପୋଲିସ ଉପସ୍ଥିତିରେ ଉଭୟ ପରିବାର ରାଜି ହୋଇଥିଲେ। ଗୁରୁବାର ପ୍ରେମୀଯୁଗଳ ବର ଓ କନ୍ୟା ବେଶରେ ଖାରବେଳନଗର ଥାନାରେ ପହଞ୍ଚି ଯାଇଥିଲେ। ତେବେ ଉଭୟ ପରିବାର ଓ ପୋଲିସ ଉପସ୍ଥିତିରେ ରାମ ମନ୍ଦିରରେ ପ୍ରେମୀ ଯୁଗଳ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଆଉ ସବୁଦିନ ଏକାଠି ରହିବେ ବୋଲି ପଣ ମଧ୍ୟ କରିଛନ୍ତି। ଶେଷରେ ଥାନାରେ ପହଞ୍ଚି ପୋଲିସ କର୍ମଚାରୀ ଓ ଅଧିକାରୀଙ୍କ ଠାରୁ ଆର୍ଶୀବାଦ ନେଇଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ଖାରବେଳନଗର ଥାନା ଅଧିକାରୀ ଅରୁଣ ସ୍ୱାଇଁଙ୍କୁ ବିଭିନ୍ନ ମହଲରୁ ପ୍ରସଂଶାର ସୁଅ ଛୁଟୁଛି।
Published by:Lipina Das
First published: