News18 Odia Digital
ଭୁବନେଶ୍ବର: ରାଜ୍ୟ ରାଜଧାନୀରେ ଦିନକୁ ଦିନ ଅପରିଚିତ ମୃତ ଦେହକୁ ନେଇ ଅଡ଼ୁଆରେ ପଡିଛି କମିସନରେଟ ପୋଲିସ । ୨୦୦୮ କମିଶନରେଟ ପୋଲିସ ଗଠନ ହେବା ଦିନଠୁ ଏବେ ପର୍ଯ୍ୟନ୍ତ ୨୪୨ଟି ମୃତ ଦେହର ପରିଚୟ ଖୋଜୁଛି ପୋଲିସ । ଏହି ୧୪ ବର୍ଷ ମଧ୍ୟରେ ୨୦୧୮ ମସିହାରେ ସର୍ବାଧିକ ୪୫ଟି ଅଜଣା ମୃତ ଦେହ ରହିଛି ।
କମିଶନରେଟ ପୋଲିସ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ୨୦୦୮ ମସିହାରେ ୨୬ଟି ଅଜଣା ମୃତ ଦେହ ହିହ୍ନଟ ହୋଇନଥିବା ବେଳେ ୨୦୦୯ ମସିହାରେ ୧୩ଟି ମୁତ ଦେହକୁ ଚିହ୍ନଟ କରି ପାରିନି ପୋଲିସ । ୨୦୧୦ ମସିହାରେ ୨୦ ଅଜଣା ମୃତ ଦେହ ଥିବା ବେଳେ ୨୦୧୧ରେ ୧୭ ଅଜଣା ମୃତ ଦେହର ଠିକଣା ଖୋଜୁଛି ପୋଲିସ । ୨୦୧୨ ମସିହାରେ ଆଠିଟି, ୨୦୧୩ ମସିହାରେ ସାତଟି, ୨୦୧୪ ମସିହାରେ ୧୫ ଓ ୨୦୧୫ରେ ଚାରୋଟି ମୃତ ଦେହର ପରିଚୟ ଏ ପର୍ଯ୍ୟନ୍ତ ମିଳିନି ।
୨୦୧୬ରେ ଚାରୋଟି ଓ ୨୦୧୭ରେ ୧୧ଟି ମୃତ ଦେହର ପରିଚୟ ନମିଳି ପଡ଼ି ରହିଥିବା ବେଳେ ୨୦୧୮ରେ ସର୍ବାଧିକ ୪୫ଟି ମୃତଦେହର ପରିଚୟ ଖୋଜୁଛି ପୋଲିସ । ସେହିପରି ୨୦୧୯ରେ ୩୮, ୨୦୨୦ରେ ୨୫ ଓ ୨୦୨୧ ଏବେ ପର୍ଯ୍ୟନ୍ତ ଆଠଟି ମୃତ ଦେହର ପରିଚୟ ଖୋଜୁଛି କମିସନରେଟ ପୋଲିସ ।

୧୪ ବର୍ଷ ପରେ ମଧ୍ୟ ମିଳିନାହିଁ ୨୪୨ଟି ମୃତ ଦେହର ପରିଚୟ
ଏହି ମାମଲାରେ ଭୁବନେଶ୍ୱର ଡିସିପି ଉମା ଶଙ୍କର ଦାଶ୍ କହିଛନ୍ତି, "ଅଜଣା ମୃତ ଦେହର ପରିଚୟ ଖୋଜିବା ଆମ ପାଇଁ ଏବେ ଚାଲେଞ୍ଜ ସୃଷ୍ଟି ହୋଇଛି । କମିଶନରେଟ ପୋଲିସ ସ୍ଥାପନ ହେବା ଦିନ ଠାରୁ ଅନେକ ମୃତଦେହ ପରିଚୟ ବିନା ପଡ଼ି ରହିଛି । ଏଥି ପାଇଁ କମିଶନରେଟ ପୋଲିସରେ ପଡ଼ି ରହିଥିବା ଅଜଣା ମୃତ ଦେହ ଗୁଡ଼ିକର ପରିଚୟ ଖୋଜିବା ପାଇଁ ଏବେ ଆମେ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରିଛୁ । ଯେଉଁ ଥିରେ ଜଣେ ଏସିପିଙ୍କୁ ଦାୟିତ୍ୱ ଦିଆଯାଇଛି । ବିଭିନ୍ନ ଥାନାରେ ପରିଚୟ ପାଇବାକୁ ଥିବା ମୃତ ଦେହ ଗୁଡ଼ିକର ପରିଚୟ ଖୋଜିବା ଆରମ୍ଭ ହୋଇଛି ।’’
ଅଜଣା ମୃତ ଦେହ ମଧ୍ୟରେ ଅନେକ ଗୁଡ଼ିଏ ହତ୍ୟାକାଣ୍ଡ ସାମିଲ ରହିଛି । ଫଳରେ ହତ୍ୟାର ଶିକାର ହୋଇଥିବା ମୃତକର ପରିଚୟ ମିଳି ନଥିବା ବେଳେ ହତ୍ୟାକାରୀର ଟେର ପାଇନି ପୋଲିସ ।
ନଜର ପକାନ୍ତୁ କିଛି ଚର୍ଚ୍ଚିତ ହତ୍ୟାକାଣ୍ଡ ଗୁଡ଼ିକ ଉପରେକିଛି ହତ୍ୟାକାଣ୍ଡର ମୃତକର ପରିଚୟ ମିଳି ନଥିବା ବେଳେ ଆଉ କିଛି ହତ୍ୟାକାଣ୍ଡର ହତ୍ୟାକାରୀ ଗିରଫ ହୋଇ ନାହାନ୍ତି ।

ମୃତ ଦେହ ଯାଞ୍ଚ ପାଇଁ କମିଶନରେଟ ପୋଲିସ ଗଠନ କରିଛି ଟିମ
୨୦୧୧ ମସିହାରେ ଯାଆଁଳା ନିକଟରେ କୋରିଅର ବୟ ଦେବାଶିଷ ମହାନ୍ତିଙ୍କ ଗୁଳି କରି ହତ୍ୟା କରାଯାଇଥିଲା । ଦେବାଶିଷଙ୍କ ମୃତ ଦେହ କାର ଭିତରୁ ମିଳିଥିଲା,ଏହି ଘଟଣାରେ ଏ ପର୍ଯ୍ୟନ୍ତ ପୋଲିସ ହତ୍ୟାକାରୀକୁ ଗିରଫ କରିବାରେ ସକ୍ଷମ ହୋଇନି । ୨୦୧୨ ମେ ୨୭ ତାରିଖରେ ଚନ୍ଦକା ଥାନା ଗୋଠପାଟଣାରେ ଜଣେ ଯୁବତୀଙ୍କ ରକ୍ତାକ୍ତ ମୃତ ଦେହ ମିଳିଥିଲା । ଏ ପର୍ଯ୍ୟନ୍ତ ମୃତ ଯୁବତୀଙ୍କ ପରିଚୟ ପାଇନି ପୋଲିସ । ୨୦୧୪ ଅଗଷ୍ଟ ୨୭ ତାରିଖରେ ଖାରବେଳ ନଗର ଟ୍ରେନ ଲାଇନ କଡ଼ରୁ କବି ନାୟକ ନାମକ ଜଣେ ଯୁବକକୁ ହତ୍ୟାକରି ଫିଙ୍ଗି ଦେଇଥିଲେ ଦୁର୍ବୁତ୍ତ । ସେହି ଘଟଣାର ଅଭିଯୁକ୍ତକୁ ଗିରଫ କରି ପାରିନି ପୋଲିସ । ୨୦୧୬ ମସିହାରେ କୁଆଖାଇ ବ୍ରିଜ ତଳୁ ବ୍ୟାଗ ଭିତରୁ ଜବତ ହୋଇଥିଲା ଏକ ଯୁବତୀ ମୃତ ଦେହ । ଏବେ ବି ମୃତ ଯୁବତୀ ପରିଚୟ ଖୋଜୁଛି । ଗତ ଜୁଲାଇ ୨୨ ତାରିଖରେ କୁଆଖାଇ ନଈ ବାଲି ଭିତରୁ ଉଦ୍ଧାର ଯୁବକର ପରିଚୟ ଖୋଜୁଛି ପୋଲିସ ।
"ରାଜଧାନୀ ରେ ଦିନକୁ ଦିନ ଜନସଂଖ୍ୟା ବୃଦ୍ଧି ପାଉଛି । ବାହାର ରାଜ୍ୟର ଲୋକେ ମଧ୍ୟ ଭୁବନେଶ୍ୱରରେ ଆସୁଛନ୍ତି । ସେମାନଙ୍କର ପରିଚୟ ପଡୋଶୀ ମଧ୍ୟ ଜାଣୁ ନାହାନ୍ତି । ଯାହା ଫଳରେ କିଏ ନିଖୋଜ ଅଛନ୍ତି ହୋଇଗଲେ ବି କିଛି ସୁରାକ ମିଳୁନି । ତେଣୁ ପୋଲିସକୁ ଏହା ଚାଲେଞ୍ଜ ରହୁଥିବା," କହିଛନ୍ତି ଡିସିପି ଦାଶ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।