News18 Odia Digital
ଭୁବନେଶ୍ୱର: ରାଜଧାନୀରେ ନିଶା ମାଫିଆଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଛି କମିଶନରେଟ ପୋଲିସ । ଯେଉଁମାନେ ଦୀର୍ଘଦିନ ଧରି ନିଶା କାରବାର କରୁଛନ୍ତି ସେମାନଙ୍କ ତାଲିକା ପ୍ରସ୍ତୁତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରାଯାଇଛି। ଏହି ପରିପ୍ରେକ୍ଷୀରେ ସାଲିଆ ସାହି ଆଦିବାସୀ ଗାଁ ରେ ରହୁଥିବା ଏକ ଦମ୍ପତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଶୁକ୍ରବାର ଉକ୍ତ ଦମ୍ପତିକୁ ଗିରଫ କରି କୋର୍ଟ ଚାଲାଣ କରିବା ପରେ ଆଜି ତାଙ୍କର ଏକ ଦୋକାନ ଘରକୁ ପୋଲିସ ଭାଙ୍ଗିଦେଇଛି । ଉକ୍ତ ଦୋକାନ ଘରେ ବ୍ରାଉନସୁଗାର କାରବାର କରୁଥିବା ନେଇ ଅଭିଯୋଗ ହୋଇଥିଲା ।
ବ୍ରାଉନସୁଗର କାରବାର ଟଙ୍କାରେ ସରକାରୀ ଜାଗାରେ ଦୋକାନ କରିବା ସହ ଦୋକାନ ଘରେ ବ୍ରାଉନସୁଗର କାରବାର କରୁଥିଲେ ନିଶା ମାଫିଆ ଦମ୍ପତ୍ତି । ଗତକାଲି ଉଭୟଙ୍କୁ ଗିରଫ କରିଥିଲା ନୟାପଲ୍ଲୀ ଥାନା ପୋଲିସ । ଗିରଫ ଦମ୍ପତି ହେଲେ ଦିଲୀପ ବରାଳ ଓ ପୂର୍ଣ୍ଣିମା ବରାଳ। ସାଲିଆସାହି ଆଦିବାସୀ ଗାଁରେ ଥିବା ଦୋକାନ ଘରକୁ ଭାଙ୍ଗିଛି ପୋଲିସ।
"ଭୁବନେଶ୍ବର ସହରାଞ୍ଚଳ ପୋଲିସ ତରଫରୁ ସହରରେ ବ୍ରାଉନ ସୁଗାର ଭଳି ମାରାତ୍ମକ ନିଶା ଦ୍ରବ୍ୟର ବେଆଇନ ବିକ୍ରୟ ଓ ସେବନକୁ ପ୍ରତିହତ କରିବା ନିମନ୍ତେ କଡା କାର୍ଯ୍ୟନୁଷ୍ଠାନମାନ ଗ୍ରହଣ କରାଯାଇଛି । ଏହି ନିଶା କାରବାର ବିରୋଧରେ ଥାନା ସ୍ତରରେ ନିୟମିତ ଭାବେ ପ୍ରୟାସ ଜାରି ରହିଥିବା ବେଳେ ସ୍ବତନ୍ତ୍ର ରୂପେ ଗଠିତ ଅପରେସନ ହ୍ଵାଇଟ ସ୍ପାଇଡର ମାଧ୍ୟମରେ POPD ଓ ଟିମ୍ - ୬୦ ମଧ୍ୟ ତୀକ୍ଷ୍ଣ ନଜର ରଖିଛି। ଚଳିତ ବର୍ଷ ଜାନୁଆରୀ ମାସ ୧ତାରିଖରୁ ଜୁନ ମାସ ୧୭ତାରିଖ ମଧ୍ୟରେ ସମୁଦାୟ ୧୯ଟି ବେଆଇନ ବ୍ରାଉନ ସୁଗାର ବିକ୍ରି ଜନିତ ମାମଲା ରୁଜୁ ହୋଇଥିବା ବେଳେ ମାମଲାରେ ସମ୍ପୃକ୍ତ ଥିବା ମୋଟ ୨୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି , ଯେଉଁଥିରେକି ୭ଜଣ ମହିଳା ଅଭିଯୁକ୍ତ ମଧ୍ୟ ଅନ୍ତର୍ଭୁକ୍ତ ।
ଏହି ପରିପ୍ରେକ୍ଷୀରେ ଅଭିଯୁକ୍ତ ମାନଙ୍କ ନିକଟରୁ ସମୁଦାୟ ୬୨୬.୧୯ଗ୍ରାମ ଓଜନର ବ୍ରାଉନସୁଗାର ଜବତ ହୋଇଥିବା ବେଳେ ବ୍ରାଉନସୁଗାର ବିକ୍ରୟରୁ ଆୟ ହୋଇଥିବା ପ୍ରାୟ ୨,୩୭,୩୩୦ଟଙ୍କା ମଧ୍ୟ ଜବତ କରାଯାଇପାରିଛି," କହିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ।
ଅବକାରୀ ତଥ୍ୟ ଅନୁସାରେ, ଅବକାରୀ ବିଭାଗ ମଧ୍ୟ ସ୍ପେଶାଲ ଡ୍ରାଇଭକୁ ଜୋରଦାର କରିଛି । ଗତ ୬ ମାସ ମଧ୍ୟରେ ରାଜଧାନୀରୁ ଗିରଫ ହେଲେଣି ୧୪ଜଣ ମହିଳା । ଜବତ ୧୨୦୦ଗ୍ରାମର ବ୍ରାଉନସୁଗର। ବାରମ୍ବାର ବ୍ରାଉନସୁଗର ଘଟଣାରେ ମହିଳା ସମ୍ପୃକ୍ତି ଆସୁଥିବାରୁ ଆଗକୁ ବସ୍ତି ଗୁଡ଼ିକ ଉପରେ ଅଧିକ ଫୋକସ କରାଯିବା ବୋଲି କହିଛନ୍ତି ଭୁବନେଶ୍ୱର ଅବକାରୀ ବିଭାଗ ଅଧିକାରୀ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।