News18 Odia Digital
ଭୁବନେଶ୍ୱର: ଭୁବନେଶ୍ୱର ସହିଦନଗର ଥାନା ପ୍ରେସଛକ ନିକଟରେ ଘଟିଥିବା ନିରଂଜନ ପରିଡ଼ା ହତ୍ୟାକାଣ୍ଡ ଘଟଣାରେ ଦୁଇଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଗିରଫ ଦୁଇ ଅଭିଯୁକ୍ତ ହେଲେ ସତ୍ୟରଞ୍ଜନ ପାଣ୍ଡଵ (୨୮) ଓ ସତ୍ୟରଞ୍ଜନ ସିଂ(୨୭) । ଘଟଣା ପରେ ଉଭୟ ଫେରାର ଥିଲେ । ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସୋମ୍ୟ ରଞ୍ଜନ ବେହେରା ଓରଫ ମିଲୁ ଏବେବି ଫେରାର ଅଛି।
ପ୍ରାଥମିକ ତଦନ୍ତରୁ ସହିଦନଗର ଥାନା ପୋଲିସ ଜାଣିବାକୁ ପାଇଛି ମମୋ ଖାଇବାକୁ କେନ୍ଦ୍ରକରି ଉଭୟ ଗୋଷ୍ଠୀର କିଛି ପିଲାଙ୍କ ମଧ୍ୟରେ କମେଣ୍ଟ ମରା ହୋଇଥିଲା । ଯାହା ପରବର୍ତ୍ତୀ ସମୟରେ ଭୟନକ ହତ୍ୟାର ରୂପ ନେଇଥିଲା। ଗିରଫ ଦୁଇ ଅଭିଯୁକ୍ତ ଗଜପତି ନଗର ଅଞ୍ଚଳରେ ଥିବା ଏକ ଗାଡ଼ି ସୋରୁମରେ କାମ କରନ୍ତି । ଫେରାର ଥିବା ଅଭିଯୁକ୍ତ ମିଲୁ ଏକ ଫାଇନାନ୍ସ କମ୍ପାନୀରେ କାମ କରେ ବୋଲି ପୋଲିସ ଜାଣିବାକୁ ପାଇଛି ।
"ଚିଣ୍ଟୁ ହତ୍ୟାକାଣ୍ଡ ଘଟଣାରେ ଆମେ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛୁ । ହେଲେ ମୁଖ୍ୟ ଅଭିଯୁକ୍ତ ମିଲୁ ଫେରାର ଅଛି। ତାକୁ ଧରିବା ପାଇଁ ପୋଲିସ ଚଢ଼ାଉ ଜାରି ରଖିଛି । ତଦନ୍ତ ବେଳେ ଜଣା ପଡ଼ିଛି ଏମାନଙ୍କ ମଧ୍ୟରେ କୌଣସି ପୁର ଶତ୍ରୁତା କିମ୍ବା ଝଗଡ଼ା ନଥିଲା। ଘଟଣା ସ୍ଥଳରେ ହିଁ ବଚସା ଆରମ୍ଭ ହୋଇଥିଲା। ଯାହା ଫଳରେ ଏକ ଛୁରୀରେ ଚିଣ୍ଟୁ ଓ ତାର ଆଉ ଜଣେ ସାଙ୍ଗକୁ ଅଭିଯୁକ୍ତକୁମାନେ ଆକ୍ରମଣ କରିଥିଲେ । ତେବେ ମୁଖ୍ୟ ଅଭିଯୁକ୍ତ ମିଲୁ ଗିରଫ ପରେ ପୁରା ଘଟଣା ଉପରୁ ପରଦା ହଟିବ," କହିଛନ୍ତି ଭୁବନେଶ୍ୱର ଡି.ସି.ପି ଉମା ଶଙ୍କର ଦାଶ୍ ।
ସୂଚନାଯୋଗ୍ୟ, ଶନିବାର ସଂଧ୍ୟାରେ ବଚସାକୁ କେନ୍ଦ୍ର କରି କାଢ଼କଣ ଅଞ୍ଚଳର ଚିଣ୍ଟୁ ପରିଡ଼ାକୁ ହତ୍ୟା କରିଥିଲେ ଅଭିଯୁକ୍ତ । ଏବେ ଦୁଇ ଅଭିଯୁକ୍ତକୁ ଗିରଫ ପରେ ହତ୍ୟାକାଣ୍ଡରେ ବ୍ୟବହୃତ ଛୁରୀ, ସ୍କୁଟି ଓ କାରକୁ ଜବତ କରିଛି ସହିଦନଗର ଥାନା ପୋଲିସ । ହେଲେ ପ୍ରଶ୍ନ ଉଠୁଛି କେବଳ ସାମାନ୍ୟ ବଚସା ନା ହତ୍ୟାକାଣ୍ଡ ପଛରେ ଆଉ କିଛି କାରଣ ଅଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।