ସମ୍ବଲପୁର ଜିଲ୍ଲାରେ ଆରମ୍ଭ ହେଲା ଚଳିତ ବର୍ଷର ଖରିଫ ଧାନ ସଂଗ୍ରହ; ଖୋଲିଛି ୬୬ଟି ମଣ୍ଡି

ଖରିଫ ଧାନ କିଣା ବିକା କିପରି ସୁରୁଖୁରରେ ହୋଇପାରିବ ସେଥି ପାଇଁ ଆରଏମସି ପ୍ରାଙ୍ଗଣରେ ଚାଷୀ, ମିଲର ଏବଂ ପ୍ରଶାସନର ମଧ୍ୟରେ ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଥିଲା।

ସମ୍ବଲପୁର ଜିଲ୍ଲାରେ ଆରମ୍ଭ ହେଲା ଚଳିତ ବର୍ଷର ଖରିଫ ଧାନ ସଂଗ୍ରହ

ସମ୍ବଲପୁର ଜିଲ୍ଲାରେ ଆରମ୍ଭ ହେଲା ଚଳିତ ବର୍ଷର ଖରିଫ ଧାନ ସଂଗ୍ରହ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ଆଜି ଠାରୁ ଆରମ୍ଭ ହେଇଛି ଚଳିତ ବର୍ଷର ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା। ପ୍ରଥମ ପର୍ଯ୍ୟାରେ ସମ୍ବଲପୁର ସଦର ଅଞ୍ଚଳରେ ୬୬ଟି ମଣ୍ଡିରେ ଏ ବର୍ଷ ଧାନ କିଣା ବିକା ବ୍ୟବସ୍ଥା ହୋଇଛି। ଚଳିତ ବର୍ଷ ଧାନ ବିକ୍ରୟ ପାଇଁ ୫୬,୩୪୮ ଜଣ ଚାଷୀ ରେଜିଷ୍ଟ୍ରେସନ କରିଥିବା ବେଳେ ଧାନ କ୍ରୟ କରିବା ପାଇଁ ୪୫ଟି ପେକ୍ସ, ୧୫ଟି ଏସେଚଜି, ୧୨୯ପିପିସି ଓ ୪୬ଟି ମିଲ ନିୟୋଜିତ ରହିବେ।

ଖରିଫ ଧାନ କିଣା ବିକା କିପରି ସୁରୁଖୁରରେ ହୋଇପାରିବ ସେଥି ପାଇଁ ଆରଏମସି ପ୍ରାଙ୍ଗଣରେ ଚାଷୀ, ମିଲର ଏବଂ ପ୍ରଶାସନର ମଧ୍ୟରେ ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଟୋକନ ସମସ୍ୟା, କଟନି ଛଟନି ଓ ଟ୍ରାନ୍ସପୋର୍ଟ ଉପରେ ଆଲୋଚନ କରାଯାଇଥିଲା।

ସମ୍ବଲପୁର ଜିଲ୍ଲାରେ ଆରମ୍ଭ ହେଲା ଚଳିତ ବର୍ଷର ଖରିଫ ଧାନ ସଂଗ୍ରହ


ତେବେ କଟନି ଛଟନି ନାମରେ ମିଲରେ ଅଧିକ ଧାନ କଟାଯାଉ ଥିବାରୁ ଏ ନେଇ ଚାଷୀମାନେ ଅସନ୍ତୋଷ ପ୍ରକଟ କରିଥିଲେ। ଏଥି ସହ ଅଗଷ୍ଟ ମାସରୁ ଚାଷୀମାନେ ଧାନ ବିକ୍ରି ପାଇଁ ରେଜିଷ୍ଟ୍ରେସନ କରି ସାରିଛନ୍ତି। କିନ୍ତୁ ଏ ପର୍ଯ୍ୟନ୍ତ ସମସ୍ତ ଚାଷୀଙ୍କୁ ଟୋକନ ମିଳି ନାହିଁ ବୋଲି ଅଭିଯୋଗ କରିବା ସହ ଶୀଘ୍ର ଟୋକନ ଦିଆଯାଉ ବୋଲି ଚାଷୀମାନେ ଦାବି କରିଛନ୍ତି।

‘‘ଏହି ବୈଠକରେ ଚଳିତ ବର୍ଷରେ ଖରିଫ ଧାନ ସଂଗ୍ରହ ସମୟରେ କଟନି ଛଟନି, ଟୋକନ ସମସ୍ୟା ଓ ଅଭାବୀ ଧାନ ବିକ୍ରୀ ଭଳି ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା। ଧାନ ବିକ୍ରି ସମୟରେ ଚାଷୀମାନେ କିଭଳି ଏହି ସମସ୍ୟାର ସମ୍ମୁଖୀନ ନ ହେବେ ସେ ଉପରେ ଆଲୋଚନା କରାଯାଇଛି,’’ କହିଛନ୍ତି ଚାଷୀ ଦିଲୀପ ସାହୁ କହିଛନ୍ତି।

ସେହିପରି ଚାଷୀ ଏମ. ଗୋବିନ୍ଦୁ କହିଛନ୍ତି, ‘‘ଖରିଫ ଧାନ ବିକ୍ରି ପାଇଁ ଚାଷୀମାନେ ବହୁ ଦିନରୁ ରେଜିଷ୍ଟ୍ରେସନ କରିସାରିଛନ୍ତି। କିନ୍ତୁ ଏ ପର୍ଯ୍ୟନ୍ତ ସବୁ ଚାଷୀମାନଙ୍କର ଟୋକନ ଆସିନାହିଁ। ଶୀଘ୍ର ଏହି ସମସ୍ୟାର ସମାଧାନ କରାଯାଉ।’’

ସେପଟେ ଜିଲ୍ଲା ପ୍ରଶାସନ ପକ୍ଷରୁ ଧାନ କିଣା ବିକା କିପରି ସୁରୁଖୁରରେ ହେବ ସେଥି ପାଇଁ ଟିମ୍‌ ଗଠନ କରାଯାଇଛି। ଏହି ଟିମ୍‌ ଗୁଡିକ ସମ୍ବଲପୁରରେ ଥିବା ବିଭିନ୍ନ ମିଲକୁ ଯାଇ ଷ୍ଟକ ଯାଞ୍ଚ କରୁଛନ୍ତି। ଏଥି ସହ ବାହାର ଜିଲ୍ଲାର ଧାନ ଯେପରି ସମ୍ବଲପୁରର କୌଣସି ମିଲକୁ ନ ଆସିବ ସେ ନେଇ ଜିଲ୍ଲା ପ୍ରଶାସନ ଦୃଷ୍ଟି ରଖିଛି।

ଏ ବର୍ଷ ଖରିଫ ଧାନ ସଂଗ୍ରହ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ଧାନ କିଣା ବିକା କିପରି ଠିକ ଭାବରେ ହୋଇ ପାରିବ ସେ ଉପରେ ଧ୍ୟାନ ଦିଆଯାଉଛି ବୋଲି ଜିଲ୍ଲା ଯୋଗାଣ ଅଧିକାରୀ ରାମଚନ୍ଦ୍ର ଟୁଡୁ କହିଛନ୍ତି।

ପୂର୍ବରୁ ୨୫ ତାରିଖରେ ମଣ୍ଡି ଖୋଲିବା ନିଷ୍ପତ୍ତି ହୋଇଥିବା ବେଳେ ଚାଷୀମାନଙ୍କ ଆନ୍ଦୋଳନ ଯୋାଗୁଁ ଜିଲ୍ଲା ପ୍ରଶାସନ ଏହାକୁ ୨୨ ତାରିଖ ଖୋଲିବା ପାଇଁ ନିଷ୍ପତ୍ତି ନେଇଥିଲେ।
Published by:Lipina Das
First published: