ଅନଲାଇନ ଆପ୍ କୋକୋ ଓ ଜୋଜୋରେ ଋଣ ଦେବା ନାଁରେ ଠକେଇ; ଗିରଫ ହେଲା ଆଉ ଜଣେ ଅଭିଯୁକ୍ତ

ଇଓଡବ୍ଲ୍ୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆର.ବି.ଆଇ. ନିୟମ ଅଧିନ ଏନ୍‌.ବି.ଏଫ.ସିରେ ପଞ୍ଜୀକୃତ ହୋଇନଥିବା କିଛି ଆପ୍ ବ୍ୟବହାର କରିବା ଲୋକଙ୍କୁ ମହଙ୍ଗା ପଡ଼ିଛି। ଋଣ ପାଇବା ଆଶାରେ ରାଜ୍ୟର ପ୍ରାୟ ଦେଢ଼ ଲକ୍ଷ ଲୋକ କୋଟି କୋଟି ଟଙ୍କା ହରାଇଛନ୍ତି।

ଅନଲାଇନ ଆପ୍ କୋକୋ ଓ ଜୋଜୋରେ ଋଣ ଦେବା ନାଁରେ ଠକେଇ

ଅନଲାଇନ ଆପ୍ କୋକୋ ଓ ଜୋଜୋରେ ଋଣ ଦେବା ନାଁରେ ଠକେଇ

  • Share this:
News18 Odia Digital

ଭୁବନେଶ୍ବର: ଅନଲାଇନ ଆପ୍ କୋକୋ ଓ ଜୋଜୋରେ ଋଣ ଦେବା ନାଁରେ ଠକେଇ ଘଟଣାରେ ଆଉ ଜଣେ ମାଷ୍ଟରମାଇଣ୍ଡ ଗିରଫ। ଗିରଫ ଅଭିଯୁକ୍ତ ଜଣକ ହେଲା ମହାଗ୍ରାମ ପ୍ରେମେଣ୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ର ଏମ୍ ରାମ ଶ୍ରୀରାମ ପଠାଡେ। ସେ ଦିଲ୍ଲୀ ଇନ୍ଦିରାଗାନ୍ଧୀ ଏୟାରପୋର୍ଟ ଦେଇ ଖସି ଯିବାକୁ ଯୋଜନା କରିଥିବା ବେଳେ କ୍ରାଇମ୍ ବ୍ରାଞ୍ଚ ଇଓଡବ୍ଲ୍ୟୁ ତାକୁ ଗିରଫ କରିଥିଲା।

ପରେ ତାକୁ ସ୍ଥାନୀୟ କୋର୍ଟରେ ହାଜର କରିବା ପରେ ଟ୍ରାଞ୍ଜିଟ୍ ରିମାଣ୍ଡରେ ଭୁବନେଶ୍ବର ଅଣାଯାଇଛି। ଏହି ଘଟଣାରେ ଗତ ୧୫ ତାରିଖରେ ଏହି ମାମଲାରେ ଇଓଡବ୍ଲ୍ୟୁ ଅନ୍ୟ ଜଣେ ଅଭିଯୁକ୍ତ ତରୁଣ ଦ୍ରଦେତାକୁ ଗିରଫ କରି ଜେଲ ପଠାଇଥିଲା।

"ଅନଲାଇନରେ ଇନଷ୍ଟାଣ୍ଟ ଲୋନ ଦେବା ଆଳରେ ଜୋଜୋ ଓ କୋକୋ ଦୁଇଟି ଆପ ଜରିଆରେ ଲୋକଙ୍କୁ ଦେବାକୁ ଲୋଭନୀୟ ସ୍କିମ ଦେଖାଉଥିଲେ। ପରେ ଆପ ଡାଉନଲୋଡ କରାଇ ଟଙ୍କା ପଠାଇ ବିଛାଉଥିଲେ ଠକାମିର ଜାଲ। ଲୋକଙ୍କୁ ଆପ ଡାଉନଲୋଡ କରିବାକୁ ବାଧ୍ୟ କରୁଥିଲେ। ଜମାକାରୀ ଏହାକୁ ଇନଷ୍ଟଲ କରିବା ମାତ୍ରେ ସଙ୍ଗେ ସଙ୍ଗେ ଅକାଉଣ୍ଟରୁ ୩ରୁ ୧୦ ହଜାର ଟଙ୍କା ପର୍ଯନ୍ତ କଟି ଯାଉଥିଲା। ଏନେଇ ଦୁଇ ଆପର କାରନାମା ପଦାକୁ ଆସିବା ପରେ ଇଓଡବ୍ଲୁ ପାଖରେ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ ହୋଇଥିଲା। ଗୁରୁବାର ଧରାପଡ଼ିଥିବା ଅଭିଯୁକ୍ତ ହେଲା ମହାଗ୍ରାମ ପ୍ରେମେଣ୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ର ଏମ୍ ରାମ ଶ୍ରୀରାମ ପଠାଡେ। ସେ ଦିଲ୍ଲୀ ଇନ୍ଦିରାଗାନ୍ଧୀ ଏୟାରପୋର୍ଟ ଦେଇ ଖସି ଯିବାକୁ ଯୋଜନା କରିଥିବା ବେଳେ କ୍ରାଇମ୍ ବ୍ରାଞ୍ଚ ଇଓଡବ୍ଲ୍ୟୁ ତାକୁ ଗିରଫ କରିଥିଲା," କହିଛନ୍ତି ଇ.ଓ.ଡବ୍ଲ୍ୟ ଏସପି ଦିଲ୍ଲୀପ ତ୍ରିପାଠୀ।

ଇଓଡବ୍ଲ୍ୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆର.ବି.ଆଇ. ନିୟମ ଅଧିନ ଏନ୍‌.ବି.ଏଫ.ସିରେ ପଞ୍ଜୀକୃତ ହୋଇନଥିବା କିଛି ଆପ୍ ବ୍ୟବହାର କରିବା ଲୋକଙ୍କୁ ମହଙ୍ଗା ପଡ଼ିଛି। ଋଣ ପାଇବା ଆଶାରେ ରାଜ୍ୟର ପ୍ରାୟ ଦେଢ଼ ଲକ୍ଷ ଲୋକ କୋଟି କୋଟି ଟଙ୍କା ହରାଇଛନ୍ତି। ଏନେଇ କ୍ରାଇମ୍‌ ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇ.ଓ.ଡବ୍ଲ୍ୟୁ)ରେ ଅଭିଯୋଗ ହେବା ପରେ ତଦନ୍ତ ଆରମ୍ଭ ହୋଇଛି। ଲୋକଙ୍କ ଟଙ୍କା ହଡ଼ପ କରିଥିବା ଗୁରୁଗ୍ରାମର ମହାଗ୍ରାମ୍ ପେମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍‌ର ପ୍ରାୟ ୬.୫୭ କୋଟି ଟଙ୍କା ଅଚଳ କରିଦେଇଛି ଇଓଡ଼ବ୍ଲ୍ୟୁ। ଏହାସହ ଲୋକଙ୍କୁ ଋଣ ପ୍ରଦାନକାରୀ ଅଣ-ପଞ୍ଜୀକୃତ ଆପ ଠାରୁ ଦୁରେଇ ରହିବା ପାଇଁ ପରାମର୍ଶ ଦିଆଯାଇଛି।

ସୂଚନାଯୋଗ୍ୟ, ଏହି ଅଣ-ପଞ୍ଜୀକୃତ ଆପ ମୋବାଇଲରେ ଡାଉନଲୋଡ୍ କରିବା ମାତ୍ରେ ମୋବାଇଲ୍‌ରେ ଥିବା ବ୍ୟକ୍ତିଗତ ତଥ୍ୟ, ଫଟୋ ସମେତ ସମସ୍ତ କଣ୍ଟାକ୍ଟ ନମ୍ବର ଆଦି ହ୍ୟାକ୍ ହେବାର ଆଶଙ୍କା ରହିଥାଏ। ଅପରପକ୍ଷେ ସପ୍ତାହେ ମଧ୍ୟରେ ମୂଳ ଟଙ୍କା ଫେରସ୍ତ କରିବା ସହିତ ୫ଗୁଣା ଅଧିକ ସୁଧ ନ ଦେଲେ ନାନା ଉପାୟରେ ହଇରାଣ କରାଯାଉଛି। ଋଣ ଗ୍ରହିତାର ଫଟୋକୁ ‘ଦେବାଳିଆ’ ବୋଲି ଉଲ୍ଲେଖ କରି ପରିବାର ଲୋକ, ସାଙ୍ଗ ଓ ସମ୍ପର୍କୀୟଙ୍କୁ ମେସେଜ୍ କରାଯାଉଛି। ଏପରିକି ଫଟୋ ଏଡିଟ୍ କରି ବ୍ଲାକମେଲ୍‌ ମଧ୍ୟ କରାଯାଉଛି। ଏଥିପାଇଁ ମାର୍ଗଦର୍ଶିକା ଜାରି କରିବା ସହିତ ଆପ୍ ବ୍ୟବହାର ନକରିବାକୁ ପରାମର୍ଶ ଦିଆଯାଇଛି। ଅପରପକ୍ଷରେ ଯେଉଁମାନେ ଆପ୍ ଦ୍ବାରା ଟଙ୍କା ନେଇଛନ୍ତି, ସେମାନେ ଉକ୍ତ ଆପକୁ ଟଙ୍କା ନ ଦେବାକୁ କୁହାଯାଇଛି। ଅନେକ ସମୟରେ ଲୋକଙ୍କୁ ଟଙ୍କା ପାଇଁ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ କରାଯାଉଛି। ତେଣୁ ଏ ସଂକ୍ରାନ୍ତରେ ଥାନାରେ ଅଭିଯୋଗ କରିବାକୁ କୁହାଯାଇଛି।
Published by:Lipina Das
First published: