News18 Odia Digital
ବାଲେଶ୍ବର: ବାଲେଶ୍ବର ଥାନାରେ କୁକୁଡ଼ା, ୪ ଦିନ ହେଲାଣି ବନ୍ଦୀ ଭାବରେ ଥାନାରେ ରହିଛନ୍ତି ୪ଟି କୁକୁଡ଼ା। ଅନ୍ୟର ଦୋଷ ପାଇଁ ସଜା ଭୋଗୁଛନ୍ତି ଏହି ୪ଟି କୁକୁଡ଼ା। ଘଟଣାଟି ଆଶ୍ଚର୍ଯ୍ୟ ହୋଇଥିଲେ ବ ସତ। ଗତକାଲି ୪ଟି କୁକୁଡ଼ାଙ୍କ ସିମୁଳିଆ ପ୍ରାଣୀ ଚିକିତ୍ସାଳୟରେ ଚିକିତ୍ସା କରାଇଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ମୁରୁଣା ପଞ୍ଚାୟତ ମଞ୍ଜୁରୀପୁର ଗ୍ରାମର ଜନୈକ ବ୍ୟକ୍ତିଙ୍କ ଜାଗାରେ ପ୍ରତ୍ୟକ ପାର୍ବପର୍ବାଣିରେ କୁକୁଡ଼ା ଲଢ଼େଇ ହୋଇଥାଏ। କିନ୍ତୁ ଗତ ଡିସେମ୍ବର ୨୫ ତାରିଖ ବଡ଼ ଦିନ ଥିବାରୁ ବିଭିନ୍ନ ଅଞ୍ଚଳରୁ ଲଢୁଆ ଗଞ୍ଜା ନେଇ ଲଢ଼େଇ ଚାଲୁଥିବା ବେଳେ ସିମୁଳିଆ ପୋଲିସ ଅଚାନକ ଚଢ଼ାଉ କରିଥିଲା।
ଯାହା ଫଳରେ ଆୟୋଜକମାନେ ସେ ସ୍ଥାନ ଛାଡ଼ି ଛାତ୍ରଭଙ୍ଗ ଦେଇଥିଲେ। ପୋଲିସ ୪ଟି କୁକୁଡ଼ା ସହିତ ୪ ଜଣକୁ ଥାନାକୁ ଆଣିଥିଲା। ହେଲେ ପୋଲିସ ୪ଜଣ ନାମରେ ୩୪୧/୨୨ ମୂଳେ ମାମଲା ରୁଜୁ କରି ଛାଡ଼ି ଦେଇଥିବା ବେଳେ ବର୍ତ୍ତମାନ ୪ଟି କୁକୁଡ଼ା ଥାନାରେ ଥିବା ସୂଚନା ମିଳିଛି। ତେବେ ୪ଟି କୁକୁଡ଼ାଙ୍କୁ ଜେଲକୁ ପଠା ଯିବ କି ଛାଡ଼ି ଦିଆଯିବ ସେ ନେଇ ପୋଲିସ ପକ୍ଷରୁ କୌଣସି ସୂଚନା ମିଳିନାହିଁ। କିନ୍ତୁ ବର୍ତ୍ତମାନ ୪ଟି କୁକୁଡ଼ାଙ୍କୁ ଥାନାରେ ରଖି ଚର୍ଚ୍ଚାରେ ସିମୁଳିଆ ପୋଲିସ।
ତେବେ ଗତ କିଛି ମାସ ହେବ ଛେଳି ଚାଉଳ ଖାଇବାରୁ ଛେଳିକୁ ନେଇ ସୋର ଥାନାରେ ଅଭିଯୋଗକାରୀ ହାଜର ହୋଇଥିବା ଦେଖିବାକୁ ମିଳିଥିବା ବେଳେ ସିମୁଳିଆ ଥାନାରେ ବର୍ତ୍ତମାନ କୁକୁଡାଙ୍କୁ ରଖାଯିବା ଘଟଣା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।