News18 Odia Digital
ଭୁବନେଶ୍ୱର: ଦୁଇଟି ନାଗ ସାପ ପରସ୍ପର ଉପରେ ତୀବ୍ର ଆକ୍ରମଣ କରିଥିଲେ । ଜଣେ ଆଉ ଜଣଙ୍କୁ କାମୁଡି଼ ପକାଉଥିଲେ । କେହି କାହାକୁ ଛାଡି଼ବାର ନାଁ ନେଉ ନ ଥିଲେ । ରକ୍ତ ବି ବାହାରୁଥିଲା । ଲାଗୁଥିଲା ପରସ୍ପରର ବିଷର ପ୍ରଭାବରେ ଉଭୟ ସାପ ବା ସେଥିରୁ ଗୋଟିଏ ମରିଯିବ । ପର ଦିନ ସେମାନଙ୍କ ପୋଷ୍ଟ ମର୍ଟମ୍ ପାଇଁ ପ୍ରସ୍ତୁତ ହୋଇ ରହିଥିଲା ସ୍ନେକ୍ ହେଲ୍ପଲାଇନ୍ । ହେଲେ ସାପ ଦୁଇଟି ମରି ନ ଥିଲେ ।
ସୁନାବେଡ଼ାରେ ରହୁଥିବା ଇତିହାସ ଅଧ୍ୟାପିକା ଅନସୂୟା ନନ୍ଦଙ୍କ ଘରେ ଘଟିଥିବା ସେହି ସାପଦୁଇଟିର ଲଢ଼େଇ ସ୍ନେକ୍ ହେଲ୍ପଲାଇନର ସଦସ୍ୟମାନଙ୍କୁ ଆଶ୍ଚର୍ଯ୍ୟରେ ପକେଇଥିଲା । ଅନସୂୟାଙ୍କ ଗ୍ୟାରେଜ୍ ଭିତରେ ଏକ ସାପ ଦେଖି ତାକୁ ଉଦ୍ଧାର କରିବା ପାଇଁ ସେ ସ୍ନେକ୍ ହେଲ୍ପଲାଇନକୁ ଫୋନ୍ କରିଥିଲେ । ସ୍ନେକ୍ ହେଲ୍ପଲାଇନ ସଦସ୍ୟ ସୁଜିତ କୁମାର ମହାନ୍ତି ଘଟଣା ସ୍ଥଳରେ ପହଞ୍ଚି ଏକ ସିମେଣ୍ଟ ଅଖା ପଛ ପଟେ ଏକ ନାଗ ସାପର ଅଧା ଦେହ ଦେଖିବାକୁ ପାଇଥିଲେ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ପୁଅକୁ ନେଇ ଅଭିନେତ୍ରୀ ଶ୍ୱେତା ତିୱାରୀ ଓ ପୂର୍ବ ପତିଙ୍କ ମଧ୍ୟରେ ଝଗଡ଼ା CCTV ଫୁଟେଜ୍ ଓ VIDEOରେ ଜାରି
ଦୁଇ ଫୁଟ୍ ଲମ୍ବର ସେହି ନାଗ ସାପଟି ମଝିରେ ମଝିରେ ଗୋଲ୍ ଗୋଲ୍ ହୋଇ ନିଜ ଦେହକୁ ଗୋଡ଼ାଉଥିଲା । ସେଇ ସାପଟିର ଲାଙ୍ଗୁଡ଼କୁ ସୁଜିତ ନିଜର ସ୍ନେକ୍ ହୁକ୍ ସାହାଯ୍ୟରେ ଟେକି ହାତରେ ଭିଡ଼ିବାକୁ ଚେଷ୍ଟା କରନ୍ତେ ସିମେଣ୍ଟ୍ ବ୍ୟାଗ୍ ପଛ ପଟୁ ଆଉ ଗୋଟିଏ ନାଗ ସାପର ମୁଣ୍ଡ ଦେଖାଯାଇଥିଲା, ଯିଏ ଏହି ଦୁଇ ଫୁଟ୍ ଲମ୍ବର ସାପଟିର ମୁଣ୍ଡକୁ ପ୍ରାୟ ଗିଳି ଦେଇଥିଲା ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ‘‘କିଛି ବାହାରୁନି ଏଥିରୁ…’’ ଖାଲି ଅମ୍ଳଜାନ ମାସ୍କ ଧରି ମୃତ୍ୟୁ ପୂର୍ବରୁ VIDEOରେ କହିଥିଲେ ଅଭିନେତା ରାହୁଲ ଭୋରା

ସୁନାବେଡ଼ାର ଇତିହାସ ଅଧ୍ୟାପିକା ଅନସୂୟା ନନ୍ଦ
ବଡ଼ ନାଗ ସାପର ପାଟିରୁ ଖସିବା ପାଇଁ ଛୋଟ ନାଗଟି ବହୁତ ପରିଶ୍ରମ କରୁଥିଲା, ହେଲେ ସଫଳ ହେଉ ନ ଥିଲା । ସୁଜିତ ଧୀରେ ଧୀରେ ଛୋଟ ନାଗଟିକୁ ଭିଡି଼ ବାହାରକୁ ଆଣିବା ବେଳେ ବଡ଼ ନାଗଟି ସେହି ଭଳି ଛୋଟ ନାଗ ସାପର ମୁଣ୍ଡକୁ ପାଟିରେ ଧରି ବାହାରକୁ ଆସିଥିଲା । ସାପ ଦୁଇଟିଙ୍କୁ ଉଦ୍ଧାର କରିବା ପରେ ସୁଜିତଙ୍କ ମନରେ ସ୍ୱାଭାବିକ କୌତୁହଳ ସୃଷ୍ଟି ହେଲା ଯେ ନାଗ ସାପ ଦୁଇଟି ପରସ୍ପରକୁ କାମୁଡି଼ଥିବାରୁ ସେମାନେ ବଞ୍ଚିବେ କି ନାହିଁ । ଉଭୟ ସମାନ ପ୍ରଜାତିର ସାପ ହୋଇଥିବା ହେତୁ ସେମାନଙ୍କ ଉପରେ ବିଷ କାମ କରିବ କି ନାହିଁ?
ଏହା ବି ପଢ଼ନ୍ତୁ | ଆସିଲା କରୋନା ପଛରେ ଥିବା ସାଙ୍ଘାତିକ ସତ୍ୟ: ଚୀନ୍ ଏହାକୁ ଜୈବିକ ଅସ୍ତ୍ର ଭାବେ ପରୀକ୍ଷା କରୁଥିଲା!

ସୁନାବେଡ଼ା ସ୍ନେକ୍ ହେଲ୍ପଲାଇନ ସଦସ୍ୟ ସୁଜିତ କୁମାର ମହାନ୍ତି
ସୁଜିତଙ୍କ ପାଇଁ ଏହା ଏକ ନୂଆ ଘଟଣା ହୋଇଥିବାରୁ ସେ ସ୍ନେକ୍ ହେଲ୍ପଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କୁ ଫୋନ୍ କରିଥିଲେ । ମଲ୍ଲିକ ତାଙ୍କୁ ସାପ ଦୁଇଟିକୁ ରାତିଟା ଅବଜରଭେସନରେ ରଖି ସକାଳେ ତାଙ୍କ ଅବସ୍ଥା ଦେଖି ଜଙ୍ଗଲରେ ଛାଡି଼ଦେବାକୁ ପରାମର୍ଶ ଦେଇଥିଲେ । ସକାଳେ ସୁଜିତ ଉଭୟ ସାପ ଜୀବିତ ଓ ସୁସ୍ଥ ଥିବା ଦେଖିବାକୁ ପାଇଥିଲେ । ଏହା ପରେ ସାପ ଦୁଇଟିଙ୍କୁ ସହର ବାହାରେ ଏକ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡି଼ ଦିଆଯାଇଥିଲା ।
ଏହା ବି ପଢ଼ନ୍ତୁ | ଚନ୍ଦା ମୁଣ୍ଡ ଥିବା ପୁରୁଷମାନଙ୍କଠାରେ କରୋନା ସଂକ୍ରମିତ ହେବା ପରେ ମୃତ୍ୟୁ ସମ୍ଭାବନା ଅଧିକ: ରିସର୍ଚ୍ଚ

ସ୍ନେକ୍ ହେଲ୍ପଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ
‘‘ନାଗ ସାପଙ୍କ କ୍ଷେତ୍ରରେ କାନିବାଲିଜିମ୍ (ନିଜ ଜାତିର ପ୍ରାଣୀକୁ ଖାଇଦେବା) ଦେଖାଯାଏ । ଗୋଟିଏ ନାଗ ସାପ ଅନ୍ୟ ନାଗ ସାପକୁ ଖାଇବା ଏକ ସାଧାରଣ ଘଟଣା । ତେବେ ବୈଜ୍ଞାନିକମାନେ ଏବେ ମଧ୍ୟ ଏକ ନାଗର ଶରୀର ଉପରେ ଅନ୍ୟ ଏକ ନାଗର ବିଷର ପ୍ରତିକ୍ରିୟା ଉପରେ ଦ୍ଵନ୍ଦ୍ୱରେ ଅଛନ୍ତି,’’ କହିଛନ୍ତି ସ୍ନେକ୍ ହେଲ୍ପଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ।
ସାପ ଦେହରେ ବିଷ ତିଆରି ହେବା ଏକ ଜଟିଳ ପ୍ରକ୍ରିୟା ବୋଲି ସେ କହିଛନ୍ତି । ‘‘ସାପମାନେ ନିଜର ବିଷକୁ କେବଳ ଶିକାର ପାଇଁ ଖର୍ଚ୍ଚ କରିଥାନ୍ତି । ଅଯଥାରେ ବିଷ ଖର୍ଚ୍ଚ କରିବା ସାପମାନେ ପସନ୍ଦ କରନ୍ତି ନାହିଁ । ତେଣୁ ସୁନାବେଡ଼ାରେ ଲଢ଼େଇ କରିଥିବା ସେହି ଦୁଇଟି ସାପ ପରସ୍ପର ଶରୀରରେ ନିଜ ବିଷ ଛାଡି଼ଥିଲେ କି ନାହିଁ ତାହା ଆମେ ନିର୍ଦ୍ଦିଷ୍ଟ କରି କହି ପାରିବା ନାହିଁ । କିନ୍ତୁ ଯଦି କେଉଁ ବି ସାପ ମରିଥାନ୍ତା ଆମେ ନିଶ୍ଚୟ ପ୍ରାଣୀ ଚିକିତ୍ସକଙ୍କ ଦ୍ଵାରା ତା’ର ପୋଷ୍ଟ ମର୍ଟମ୍ କରିଥାନ୍ତୁ । ସେଥି ପାଇଁ ସବୁ ପ୍ରସ୍ତୁତି କରି ରଖିଥିଲୁ । ଯାହା ହେଉ ସାପ ଦୁଇଟି ବଞ୍ଚିରହିଲେ,’’ କହିଛନ୍ତି ମଲ୍ଲିକ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।