News18 Odia Digital
ଭୁବନେଶ୍ୱର: ବେଡ୍ ରୁମ୍ ଭିତରେ ନାଗ ସାପ! ଖାଲି ଏ କଥା ଶୁଣି ତ ଭୟ ଲାଗୁଛି । କିନ୍ତୁ ଏମିତି ଏକ ଘଟଣା ବାସ୍ତବରେ ଘଟିଛି କଟକ ଜିଲ୍ଲାର ବାଙ୍କୀ ହରିରାଜପୁର ଗ୍ରାମରେ । ପ୍ରବଳ ବର୍ଷା ଯୋଗୁଁ ଶରତ ପଣ୍ଡାଙ୍କ ବେଡ୍ ରୁମ୍ ଭିତରକୁ ଏକ ନାଗ ସାପ ପଶିଆସି ଲୁଚି ରହିଥିଲା । ତାକୁ ଧରିବା କାଠିକର ପାଠ ପ୍ରମାଣିତ ହୋଇଥିଲା ।
ବେଡ୍ ରୁମ୍ ଭିତରକୁ ଏକ ସାପ ପଶିଥିବାର ଦେଖି ଶରତ ପଣ୍ଡା ସ୍ନେକ ହେଲ୍ପଲାଇନକୁ ଫୋନ କଲେ । ପ୍ରବଳ ବର୍ଷା ହେଉଥିଲେ ମଧ୍ୟ ତାଙ୍କ ଭୟ ଓ ଦୁରାବସ୍ଥା ଦେଖି ସ୍ନେକ ହେଲ୍ପ ଲାଇନ ସଦସ୍ୟ ଲଳିତ ମୋହନ ପଣ୍ଡା ଓ ଦୁର୍ଗା ମାଧବ ମହାପାତ୍ର ତାଙ୍କ ଘରେ ପହଞ୍ଚି ଢେର ଖୋଜାଖୋଜି କଲେ, ହେଲେ ସାପକୁ ପାଇ ନ ଥିଲେ ।
ବେଡ୍ ରୁମରେ ଖଟ ତଳେ ଅନେକ ଜିନିଷପତ୍ର ଥିଲା । ସେ ସବୁ ତନ୍ନ ତନ୍ନ କରି ଖୋଜିବା ପରେ ମଧ୍ୟ ସାପର ଦେଖା ମିଳିଲା ନାହିଁ । କିନ୍ତୁ ସାପର ଫୁତ୍କାର ଶବ୍ଦ ମଝିରେ ମଝିରେ ଶୁଣିବାକୁ ମିଳୁଥିଲା । ତେଣୁ ଘର ଛାଡ଼ି ମଧ୍ୟ ଆସି ହେଉ ନ ଥିଲା । ଘର ବାଲା ସମସ୍ତେ ଖଟ ତଳ ଓ ଆଲମାରୀ ତଳକୁ ଗୁରୁତ୍ୱ ଦେଉଥିଲେ । ତେବେ ସବୁ ଆଡୁ ନିରାଶ ହେବା ପରେ ଏକ ପୁରୁଣା ଟିଭି ଉପରେ ସମସ୍ତଙ୍କ ସନ୍ଦେହ ଘନୀଭୂତ ହୋଇଥିଲା ।

ଏହା ଏକ ପାଞ୍ଚ ଫୁଟ ଲମ୍ବା ନାଗ ସାପ ଥିଲା ।
କାଳେ ସାପଟି ଟିଭି ଭିତରେ ଥାଇପାରେ ଭାବି ଲଳିତ ଖଟ ଉପରେ ବସି ଟିଭି ଟିକୁ ଖୋଲିବାକୁ ଉଦ୍ୟମ କଲା ବେଳେ ଖଟ କଣରେ ଗଦି ତଳେ କଣ ଗୋଟେ ହଲ୍ ଚଲ୍ ହେବା ଦେଖି ଦୁର୍ଗା ମାଧବ ଚିତ୍କାର କରି ଲଳିତଙ୍କୁ ଖଟ ଉପରୁ ଉଠି ଯିବା ପାଇଁ କହିଥିଲେ । ଲଳିତ କାଳ ବିଳମ୍ବ ନ କରି ସଙ୍ଗେ ସଙ୍ଗେ ଖଟ ଉପରୁ ଉଠି ଆସିଥିଲେ । ଏଥି ସହ ଘର ଲୋକଙ୍କୁ ତୁରନ୍ତ ସେହି ଜାଗାରୁ ବାହାରିଯିବାକୁ ନିର୍ଦ୍ଦେଶ ଦେଇଥିଲେ ଲଳିତ । ସେ ନିଜ ମୋବାଇଲ ଫୋନରେ ସୁଟିଂ ବି ଜାରି ରଖିଥିଲେ ।
ଦୁର୍ଗା ମାଧବ ଅତି ସତର୍କତାର ସହ ସ୍ନେକ୍ ହୁକ୍ ସାହାଯ୍ୟରେ ଗଦିକୁ ଟେକନ୍ତେ ଏକ ମୋଟା ନାଗ ସାପକୁ ଦେଖିବାକୁ ପାଇଲେ । ସାପଟିକୁ ଆସ୍ତେ ବାହାରକୁ ଆଣିବା ବେଳକୁ ତା’ର ଲମ୍ବ ଆନୁମାନିକ ପାଞ୍ଚ ଫୁଟ ବୋଲି ଜଣାପଡ଼ିଲା । ଏକ ନିଶ୍ଚିତ ଦୁର୍ଘଟଣାରୁ ଉଭୟ ସ୍ନେକ ହେଲ୍ପ ଲାଇନ ସଦସ୍ୟ ଓ ଶରତ ପଣ୍ଡାଙ୍କ ଘର ଲୋକେ ରକ୍ଷା ପାଇଲେ ।
‘‘ନାଗ ସାପଟିକୁ ବାଙ୍କୀ ଠାରୁ ଦୂରରେ ଏକ ପ୍ରାକୁତିକ ଆବାସସ୍ଥଳୀ ରେ ଛାଡ଼ି ଦିଆଯାଇଛି। ଲଘୁଚାପଜନିତ ଲଗାଣ ବର୍ଷା ଫଳରେ ବାଙ୍କୀରେ ଅନେକ ସ୍ଥାନ ଜଳାର୍ଣ୍ଣବ ହେଇଥିବାରୁ ଏଇ ନାଗ ସାପ ଟି ବାସହରା ହୋଇ ଶରତ ବାବୁଙ୍କ ଘରକୁ ଆଶ୍ରୟ ନେବା ପାଇଁ ଉଠି ଆସିଥିବ,’’ କହିଛନ୍ତି ସ୍ନେକ ହେଲ୍ପ ଲାଇନର ସଂଯୋଜକ ଲଳିତ ମୋହନ ପଣ୍ଡା ।
ଏହା ବି ପଢ଼ନ୍ତୁ | ସାମ୍ବାଦିକ ରାଜୀବ ଶର୍ମା ଚୀନକୁ ଦେଉଥିଲେ ଭାରତ ବିଷୟରେ ସମ୍ବେଦନଶୀଳ ସୂଚନା!ଏହା ବି ପଢ଼ନ୍ତୁ | ବର୍ଷା-ଅନୁଭବ ବିବାଦ: ଛାଡ଼ପତ୍ର ମାମଲାକୁ କଟକ ସ୍ଥାନାନ୍ତର ଦାବି କରି ସୁପ୍ରିମ କୋର୍ଟ ଗଲେ ବର୍ଷାଲଳିତ ଏ ପର୍ଯ୍ୟନ୍ତ ସାପ ସହ ବୁଧବାର ସନ୍ଧ୍ୟାର ସେହି ଭେଟ ବିଷୟରେ ଭାବି ଶିହିରି ଉଠୁଛନ୍ତି । ‘‘ମୁଁ ଖଟ ଉପରେ ବସି ଟିଭିକୁ ଖୋଲିଲା ବେଳେ ସାପ ଯେ ମୋ’ ସାଇଡରେ ଥିଲା ସେଇ କଥା ଭାବିଲେ ଏବେ ମଧ୍ୟ ମୋ ଦେହ ଶୀତେଇ ଉଠୁଛି,’’ ସେ କହିଛନ୍ତି ।
‘‘ବାଙ୍କୀରେ ପ୍ରବଳ ବର୍ଷା ଲାଗିରହିଥିଲା ବେଳେ ଗତ ଦୁଇ ତିନି ଦିନ ଭିତରେ ପ୍ରାୟ ୮୦ ଜଣ ଟି କରୋନା ପଜିଟିଭ ମଧ୍ୟ ଚିହ୍ନଟ ହେଇଚନ୍ତି । ତେଣୁ ଆମେ ପରିସ୍ଥିତିର ଗୁରତ୍ୱକୁ ବିଚାର କରି ଅଳ୍ପ କିଛି ରେସକ୍ୟୁ କଲ୍ ଆଟେଣ୍ଡ କରୁଛୁ,’’ କହିଛନ୍ତି ସ୍ନେକ୍ ହେଲ୍ପ ଲାଇନ୍ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।