ପୁରୀ: ସାମୁଦ୍ରିକ ଜୀବଙ୍କ ସୁରକ୍ଷାର ବାର୍ତ୍ତା ନେଇ କିଛି ବରିଷ୍ଠ ପ୍ରାଶାସନିକ ଅଧିକାରୀ, ଆଇପିଏସ୍ ଅଫିସର ଓ ପର୍ଯ୍ୟଟକ କୋଷ୍ଟାଲ୍ ଟ୍ରେକିଂ ଆରମ୍ଭ କରିଛନ୍ତି । ସ୍ୱର୍ଣିମ ବେଳାଭୂମିରୁ ଚିଲିକାର ଧଳାବାଲି ୩୦ କିଲୋମିଟର ରାସ୍ତାକୁ ଗୋଟିଏ ଦିନରେ ଯାତ୍ରା କରି ପ୍ରକୃତିର ମଜା ସହ ସମୁଦ୍ର କୂଳରେ ରାତ୍ରି ରହଣିର ନେଇଛନ୍ତି ନିଆରା ଅନୁଭୁତି ।
ସାମୁଦ୍ରିକ ଜୀବ ବିଶେଷତଃ ବିରଳ ପ୍ରଜାତିର କଇଁଛ ଅଲିଭ ରିଡଲେଙ୍କ ସୁରକ୍ଷା ଓ ସମୁଦ୍ରର ସୁରକ୍ଷା ଏହି କୋଷ୍ଟାଲ୍ ଟ୍ରେକିଂର ମୁଖ୍ୟ ଉଦ୍ଦେଶ୍ୟ । ଉପକୂଳର ପ୍ରତିଟି ବାସିନ୍ଦାର କର୍ତ୍ତବ୍ୟ ବେଳାଭୂମି ପରିଷ୍କାର ରଖିବା ସହ ପରିବେଶ ପ୍ରଦୁଷଣ ରୋକିବା ପାଇଁ ନିଜେ ସଚେତନ ହେବା ଓ ଅନ୍ୟକୁ କରାଇବା, କହିଛନ୍ତି ଏହି ଟ୍ରେକ୍ରେ ଭାଗନେଇଥିବା ବ୍ୟକ୍ତିମାନେ ।
ଗତ ଛଅ ବର୍ଷ ଧରି ବରିଷ୍ଠ ଆଇପିଏସ୍ ଅଫିସର୍ ସଂଜୀବ ପଣ୍ଡାଙ୍କ ଭୁବନେଶ୍ୱର ସାଇକ୍ଲିଂ ଆଣ୍ଡ୍ ଆଡଭେଞ୍ଚର୍ କ୍ଲବ୍ ଓ ପୁରୀର ବେୟାର୍ଫୁଟ୍ ସଂସ୍ଥାର ମିଳିତ ସମନ୍ୱୟରେ ଆୟୋଜନ କରାଯାଉଛି କୋଷ୍ଟାଲ୍ ଟ୍ରେକିଂ । ଏଥିରେ ଅନେକ ଆଇପିଏସ୍ ଅଫିସର, ବରିଷ୍ଠ ପ୍ରାଶାସନିକ ଅଧିକାରୀଙ୍କ ସହ ପର୍ଯ୍ୟଟକ ବି ସାମିଲ ହୋଇଛନ୍ତି ।

ବରିଷ୍ଠ ଆଇପିଏସ୍ ଅଫିସର ସଞ୍ଜୀବ ପଣ୍ଡା
କୋଷ୍ଟାଲ୍ ଟ୍ରେକିଂରେ ଗୋଟିଏ ଦିନ ୩୦ କିଲୋମିଟର ଯାତ୍ରା ପୁରୀରୁ ଚିଲିକା ଧଳାବାଲି ପର୍ଯ୍ୟନ୍ତ ଯାତ୍ରା ହେଉଛି । ପୁରୀରେ ସେମାନଙ୍କ ସହ ସାମିଲ ହୋଇଥିଲେ ପୁରୀ ଏସ୍ପି ଉମାଶଙ୍କର ଦାଶ । ସେ ମଧ୍ୟ ବେଳାଭୂମି ପରିଷ୍କାରର ବାର୍ତ୍ତା ଦେଇ ଏଭଳି କାର୍ଯ୍ୟକ୍ରମକୁ ସ୍ୱାଗତ କରିଛନ୍ତି ।
ଏଥରର ଟ୍ରେକିଂରେ ସାମିଲ ହୋଇଛନ୍ତି ୫୦ ଜଣ ପ୍ରତିଯୋଗୀ । ସେମାନଙ୍କ ମଧ୍ୟରେ ରହିଛନ୍ତି ଛଅ ଜଣ ମହିଳା ଓ ଛଅ ଜଣ ପିଲା । ପୁରୀରୁ ବାହାରି ବେଳାଭୂମିରେ ଚ଼ାରି କିଲୋମିଟର ଗଲାପରେ ରହିଛି ମଙ୍ଗଳାନଦୀ ମୁହାଣ ଓ ସମୁଦ୍ର ମୁହାଣ । ସେଠି ପ୍ରତିଯୋଗୀ ଡଙ୍ଗାରେ ନଦୀ ପାର ହେବାପାଇଁ ବ୍ୟବସ୍ଥା ରହିଛି । ତା’ପରେ ୧୦ କିଲୋମିଟର ଗଲାପରେ ବାଲି ହରଚଣ୍ଡୀ । ସେଠି କାଜୁ ଜଙ୍ଗଲ ସହ ଭରପୁର ସବୁଜିମା ।
‘‘ଏହି ଯାତ୍ରାରେ ପରିବେଶର ମଜା ନେବା ସହ ନିଆରା ଆଡଭେଞ୍ଚର୍ ମିଳୁଛି । ପାଦରେ ଚାଲି ଚାଲି ସମୁଦ୍ର କୂଳେ କୂଳେ ଗଲେ ଡଲ୍ଫିନ ମଧ୍ୟ ଦେଖିବାର ସୌଭାଗ୍ୟ ପାଉଛୁ । ଏଥିରେ ସାମିଲ ହୋଇ ବେଶ୍ ଖୁସି ଅନୁଭବ କରୁଛି,’’ କହିଛନ୍ତି ଦିଲ୍ଲୀରୁ ଆସିଥିବା ପ୍ରତିଯୋଗୀ ସୁମିତ ଠାକୁର ।
ଷଷ୍ଠ ଥରରେ ପହଞ୍ଚିଥିବା ଏହି କୋଷ୍ଟାଲ ଟ୍ରେକିଂ କ୍ରମାଗତଭାବେ ଜନପ୍ରିୟତା ଲାଭ କରୁଛି ଓ ଓଡିଶାରେ ଇକୋ ଟୁରିଜିମ୍ ପ୍ରତି ଆଗ୍ରହ ସୃଷ୍ଟି କରି ଚାଲିଛି ।
‘‘ଅଧିକରୁ ଅଧିକ ଲୋକେ ନିଜକୁ ପ୍ରକୃତି ସହ ଯୋଡିବାକୁ ଆଗ୍ରହୀ ହେଉଛନ୍ତି। ପୁରୀର ସମୁଦ୍ରକୁଳରେ ନିଜ ପରିବାର ପରିଜନ ଓ ବନ୍ଧୁଙ୍କ ସହ ଆଡଭେଞ୍ଚର୍ର ମଜା, ସହ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତର ଅପୂର୍ବ ଅନୁଭୁତି ପାଉଛନ୍ତି । ପୁଣି ରାତିରେ ଟେଣ୍ଟ୍ରେ ଖୋଲା ଆକାଶ ତଳେ ରହିବା ସହ ଶାନ୍ତ ଶୀତଳ ପରିବେଶ ସହ ସମୁଦ୍ର ଢେଉର ଶବ୍ଦ ସେମାନଙ୍କୁ ଆଣି ଦେଉଛି ବିଶେଷ ଆନନ୍ଦ,’’ କହିଛନ୍ତି ବରିଷ୍ଠ ଆଇପିଏସ୍ ଅଫିସର ସଞ୍ଜୀବ ପଣ୍ଡା ।
କୋଷ୍ଟାଲ୍ ଟ୍ରେକିଂକୁ ନେଇ ପୁରୀ ଏସପି ଉମାଶଙ୍କର ଦାସ ବି ଖୁବ୍ ଉତ୍ସାହିତ । ‘‘ବ୍ୟସ୍ତତାବହୁଳ ଜୀବନରେ ନିଜର ସମୟ ଅଭାବରୁ ଆମେ ପ୍ରକୃତିକୁ ଚିହ୍ନି ପାରିନଥାଉ । ପୁଣି ନିଜ ଜୀବନଶୈଳୀ ଯୋଗୁଁ ଆମ ପରିବେଶ ନଷ୍ଟ ହେଉଛି । ତେଣୁ ପରିବେଶକୁ ରକ୍ଷା କରିବା ଓ ପ୍ରଦୁଷଣମୁକ୍ତ କରିବା ପାଇଁ ଏଭଳି କୋଷ୍ଟାଲ ଟ୍ରେକିଂର ଆବଶ୍ୟକତା ରହିଛି । ଏହା ପୁରୀ ବେଳାଭୂମିରୁ ଆରମ୍ଭ ହେଉଥିବାରୁ ପ୍ରତିଯୋଗୀଙ୍କୁ ପୁରୀ ପର୍ଯ୍ୟଟନ ଶିଳ୍ପ ସହ ବେଳାଭୂମି ବେଶ୍ ଆକର୍ଷିତ କରିପାରିବ,’’ କହିଛନ୍ତି ଦାସ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।