ସିଏମସି ଅଧିକାରୀ ଓ କନିଷ୍ଠ ଯନ୍ତ୍ରୀମାନଙ୍କ ଉପରେ ବର୍ଷିଛନ୍ତି ସିଏମସିର ମେୟର
News18 Odia Digital
କଟକ: କାର ଛାଡ଼ି ବାଇକରେ ସହର ମଧ୍ୟରେ ବୁଲ । ସଠିକ ଢଙ୍ଗରେ କାର୍ଯ୍ୟ ନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ । ସିଏମସି ଅଧିକାରୀ ଓ କନିଷ୍ଠ ଯନ୍ତ୍ରୀମାନଙ୍କୁ ଏଭଳି କିଛି ଚେତାବନୀ ଦେଇଛନ୍ତି ସିଏମସିର ମେୟର ସୁବାସ ସିଂ ।
ଶୁକ୍ରବାର ଦିନ ସିଏମସିର କାଉନସିଲ ବୈଠକରେ ଅବସରରେ ମେୟର ସହର ଡ୍ରେନ ଓ କଲଭଟ ଗୁଡ଼ିକର ସ୍ଥିତିକୁ ଦେଖି ସିଏମସି ଅଧିକାରୀ ଓ କନିଷ୍ଠ ଯନ୍ତ୍ରୀମାନଙ୍କ ଉପରେ ବର୍ଷିଛନ୍ତି । ମୌସୁମୀ ଆସିବା ପୂର୍ବରୁ କଟକ ସହରର ପ୍ରତିଟି ଗଳି କନ୍ଦି ବୁଲି ଡ୍ରେନ ଓ କଲଭଟର ସ୍ଥିତି ଅନୁଧ୍ୟାନ କରିବାକୁ ଅଧିକାରୀ ଓ କନିଷ୍ଠ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମେୟର । ଏପରିକି ସିଏମସିର ଯେଉଁ କର୍ମଚାରୀମାନେ ଭୁବନେଶ୍ୱର ବା କଟକ ସହର ବାହାରେ ରହୁଛନ୍ତି ସେମାନଙ୍କୁ ମଧ୍ୟ ସଠିକ ସମୟରେ ଅଫିସକୁ ଆସିବାକୁ ତାଗିଦ କରିଛନ୍ତି ସୁବାସ ।
"ଅଧିକାଶଂ ସ୍ଥାନରେ ଡ୍ରେନଗୁଡ଼ିକରୁ ପଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଯଦି ଯନ୍ତ୍ରୀ ଆଉ ଅଧିକାରୀମାନେ କାରରେ ସହର ବୁଲିବେ ତେବେ କଣ ସହରର ସଠିକ ସ୍ଥିତିକୁ ଅନୁଧ୍ୟାନ କରି ହେବ । ସେଥିପାଇଁ ମୁଁ ସେମାନଙ୍କୁ ବାଇକରେ ବୁଲିବା ପାଇଁ କହିଛି । ଆସନ୍ତା ୧୦ ରୁ ୧୫ ଦିନ ମଧ୍ୟରେ ସହରର ଡ୍ରେନଗୁଡ଼ିକରୁ ପଙ୍କ ଉଦ୍ଧାର କାର୍ଯ୍ୟ ଶେଷ ହେବ। ଏଥର ବର୍ଷା ଦିନେ ସହରରେ ବିଲକୁଳ ପାଣି ଜମା ହେବ ନାହିଁ ବୋଲି ମୁଁ କହିବି ନାହିଁ। କିନ୍ତୁ ପାଣି ଆଉ ଘଣ୍ଟା ଘଣ୍ଟା ଧରି ଜମା ହୋଇ ରହିବ ନାହିଁ," କହିଛନ୍ତି ସିଏମସି ମେୟର ସୁବାସ ସିଂ ।
କାଉନସିଲ ବୈଠକରେ ଡ୍ରେନଗୁଡ଼ିକରୁ ପଙ୍କ ଉଦ୍ଧାର ବିଷୟକୁ ନେଇ ମୁଖ୍ୟତଃ ଆଲୋଚନା କରାଯାଇଥିଲା। ଖାଲ ଖମା ରାସ୍ତା ଘାଟ, ଦୁର୍ବଳ ଡ୍ରେନେଜ, ଜଳବନ୍ଦୀ ସମସ୍ୟା ଆଦି ଅନ୍ୟାନ୍ୟ ପ୍ରସଙ୍ଗ ମଧ୍ୟ ବୈଠକରେ ଉଠାଇଥିଲେ ଉଭୟ ଶାସକ ଓ ବିରୋଧୀ ଦଳର କର୍ପୋରେଟର । ମୌସୁମୀ ପୂର୍ବରୁ ସହରରେ ଡ୍ରେନ ଗୁଡିକରୁ ପଙ୍କ ଉଦ୍ଧାର କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କୌଣସି କାର୍ଯ୍ୟ ସଠିକ ଢଙ୍ଗରେ ହେଉ ନ ଥିବା ଅଭିଯୋଗ ଆଣିଛନ୍ତି କର୍ପୋରେଟର ।
"ମୋ ଓ୍ବାର୍ଡ଼ରେ କୌଣସି ସ୍ଥାନରେ ବି ଡ୍ରେନରୁ ପଙ୍କ ଉଦ୍ଧାର ହୋଇ ନାହିଁ । ନୂଆପଡ଼ା, ବାଲିସାହି ଠାରୁ ଶୁଭମ ସ୍କୁଲ, ଲେବର କଲୋନି ଛକରୁ ସାଇମନ୍ଦିର ଭାୟା ଶିବ ମନ୍ଦିର, ଜଗନ୍ନାଥ ରୋଡ, ନେତାଜୀ ନଗର ଓ ଖପୁରିଆ ଶିଳ୍ପାଞ୍ଚଳର ସ୍ଥିତିଟ ସାଙ୍ଘାତିକ । ବର୍ଷା ହେଲେ ସେଠାରେ ଜଳବନ୍ଦି ସମସ୍ୟା ସୃଷ୍ଟି ହେବ । ସେଥିପାଇଁ ଯୁଦ୍ଧକାଳିନ ଭିତ୍ତିରେ ପଙ୍କ ଉଦ୍ଧାର ପାଇଁ ବୈଠକରେ ମୁଁ ଦାବି କରିଛି," କହିଛନ୍ତି ୫୦ ନଂମ୍ବର ଓ୍ବାର୍ଡ଼ର କର୍ପୋରେଟର ସନ୍ତୋଷ ଭୋଳ ।
Published by:Soumya Das
First published: