ସଫେଇ କର୍ମଚାରୀ ଶୁଣିଲେ ନାହିଁ; ରାସ୍ତାରୁ ମଲା କୁକୁରଙ୍କୁ ଉଠାଇଲେ CMC ମେୟର ସୁବାଷ ସିଂ

ରାସ୍ତାରୁ ମଲା କୁକୁର ଉଠାଇ ନିଜ ଗାଡ଼ିରେ ନେଇ ପୋତିଲେ ସିଏମସି ମେୟର ସୁବାଷ ସିଂ। ସେପଟେ କଟକର ମେୟରଙ୍କ ଏହି କାର୍ଯ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ତାଙ୍କୁ ଚାରିଆଡୁ ପ୍ରଶଂସା ମିଳିଛି।

ରାସ୍ତାରୁ ମଲା କୁକୁରଙ୍କୁ ଉଠାଇଲେ CMC ମେୟର ସୁବାଷ ସିଂ

ରାସ୍ତାରୁ ମଲା କୁକୁରଙ୍କୁ ଉଠାଇଲେ CMC ମେୟର ସୁବାଷ ସିଂ

  • Share this:
News18 Odia Digital

କଟକ: ରାସ୍ତା ଉପରେ ମରି ପଡ଼ିଥିବା ଏକ ବୁଲା କୁକୁର ଦେଖି ଅଟ କିଲେ। ତାକୁ ଏକ ଅଖାରେ ଭର୍ତ୍ତି କରି ତାକୁ ନିଜ ଗାଡ଼ିରେ ରଖିଲେ। ଅଫିସ ଆଣିଲେ ଓ କର୍ମଚାରୀ ଦ୍ବାରା ତାକୁ ପୋତିବାର ବ୍ୟବସ୍ଥା ମଧ୍ୟ କଲେ। ସିଏମସି ମେୟର ସୁବାଷ ସିଂ ଏହି କାର୍ଯ୍ୟ ଏବେ ସହରର ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି।

ଘଟଣାଟି ଥିଲା କିଛି ଏମିତି ଶୁକ୍ରବାର ଦିନ ସକାଳ ପ୍ରାୟ ୯ଟା ସମୟରେ ଫିରିଙ୍ଗବଜାର ଛକରେ ଏକ ଅଜଣା ଗାଡ଼ି ରାସ୍ତା ପାର ହେଉଥିବା ଏକ ବୁଲା କୁକୁର ଧକ୍କା ଦେବା ଫଳରେ ବୁଲା କୁକୁରଟିର ମୃତ୍ୟୁ ହୋଇଯାଇଥିଲା। ଦୀର୍ଘ ଗୋଟିଏ ଘଣ୍ଟା ଧରି ରାସ୍ତା ଉପରେ କୁକୁରଟିର ରକ୍ତାକ୍ତ ମୃତ ଦେହଟି ପଡ଼ି ରହିଥିଲା। କିଛି ଲୋକ ଏହି ଘଟଣାକୁ ବାବଦରେ ସ୍ଥାନୀୟ ୱାର୍ଡ ସଫେଇ ଅଧିକାରୀଙ୍କ ଜଣାଇଥିଲେ। କିନ୍ତୁ ଅଧିକାରୀ ଜଣଙ୍କ କୁଆଡେ ଲୋକଙ୍କ କଥା ଶୁଣି ମଧ୍ୟ କିଛି କରି ନଥିଲେ।

ଏହାର ପ୍ରାୟ ଗୋଟିଏ ଘଣ୍ଟା ପରେ ସେହି ବାଟ ଦେଇ ଘରୁ ଅଫିସ ଯାଉଥିବା ସିଏମସି ମେୟର ରାସ୍ତା ପଡ଼ିଥିବା ମଲା କୁକୁରଟିକୁ ଦେଖି ଗାଡ଼ି ଅଟକାଇଥିଲେ। ସ୍ଥାନୀୟ ଲୋକଙ୍କ ଠାରୁ ୱାର୍ଡ ସଫେଇ ଅଧିକାରୀଙ୍କ ବାବଦରେ ଅଭିଯୋଗ ପାଇବା ପରେ ଗାଡ଼ିରୁ ଓହ୍ଲାଇ ନିକଟରେ ଥିବା ଏକ ଦୋକାନରୁ ଏକ ବ୍ୟାଗ କିଣିଥିଲେ। ଓ ମଲା କୁକୁରଟିକୁ ସେହି ବ୍ୟାଗରେ ଭର୍ତ୍ତି କରି ନିଜ ଗାଡ଼ିରେ ନେଇ ଅଫିସକୁ ଆଣିଥିଲେ। ସେଠାରେ ନିଜର କର୍ମଚାରୀମାନଙ୍କ ଦ୍ୱାରା ମଲା କୁକୁରଟିକୁ ପୋତିବାର ବ୍ୟବସ୍ଥା କରିଥିଲେ।

କଥା କେବଳ ଏତିକିରେ ସରିଯାଇନଥିଲା ବରଂ ଅଫିସରେ ପହଁଞ୍ଚିବା ପରେ ସହରର ସଫେଇ ଦାୟିତ୍ବରେ ଥିବା ଅଧିକାରୀମାନଙ୍କୁ ନିଜ ଚାମ୍ବରକୁ ଡ଼ାକି ନିଜର ଭଲ କରି ଝାଡ଼ିଲେ ମେୟର। ଏକ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ରାସ୍ତା ଉପରେ ମଲା କୁକୁର ପଡ଼ି ରହିଥିବା ବେଳେ କାର୍ଯ୍ୟରତ ଅଧିକାରୀମାନେ କାହିଁକି ଜାଣି ପାରିଲେ ନାହିଁ। ସେମାନେ କାହିଁକି ସେମାନଙ୍କ ଦାୟିତ୍ୱ ସଠିକ ଭାବରେ କରୁ ନାହାଁନ୍ତି ବୋଲି ଅଧିକାରୀମାନଙ୍କ ପ୍ରଶ୍ନ କରିବା ସହ ଏହାର ପୁନରାବୃତ୍ତି ନ ହେବା ନେଇ ତାଗିଦ ମଧ୍ୟ କରିଛନ୍ତି।

"ଏହା ନିହାତି ଭାବେ ଗୋଟିଏ ଦୁଃଖଦ ବିଷୟ ଯେ ସହରର ରାସ୍ତାରେ ଗୋଟିଏ ମଲା କୁକୁରଟିଏ ଘଣ୍ଟା ଘଣ୍ଟା ଧରି ପଡ଼ି ରହୁଛି। ଅଥଚ ସଫେଇ କର୍ମଚାରୀ କିମ୍ବା ଅଧିକାରୀମାନେଙ୍କ ପାଖରେ ଖବର ରହୁନାହିଁ। ଏହା ଆଦୌ ଗ୍ରହଣୀୟ ନୁହେଁ। କାହିଁକି ଏପରି ହେବ? ଏହାର ଯେମତି ପୁନରାବୃତ୍ତି ନ ହୁଏ। ସେଥିପାଇଁ ମୁଁ ସଫେଇ ସହିତ ଜଡ଼ିତ ଅଧିକାରୀ ଓ କର୍ମଚାରୀମାନଙ୍କୁ ତାଗିଦ କରିଛି," କହିଛନ୍ତି କଟକ ମେୟର ସୁବାଷ ସିଂ।

ସେପଟେ କଟକର ମେୟରଙ୍କ ଏହି କାର୍ଯ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ତାଙ୍କୁ ଚାରିଆଡୁ ପ୍ରଶଂସା ମିଳିଛି। "ଦେଖନ୍ତୁ ସହରକୁ ସ୍ଵଚ୍ଛ ରଖିବା ଦିଗରେ ସୁବାଷ ସିଂଙ୍କ ଏହି କାର୍ଯ୍ୟ ନିହାତି ଭାବରେ ପ୍ରଶଂସନୀୟ। ଏହା ସହିତ କଟକର ମେୟର ଏପରି କାମ କରି ସିଏମସିର ଅନ୍ୟ କର୍ମଚାରୀଙ୍କ ପାଇଁ ଏକ ଉଦାହରଣ ମଧ୍ୟ ସୃଷ୍ଟି କରିଛନ୍ତି। ହେଲେ ପରିବେଶକୁ ପରିଷ୍କାର ରଖିବା ଆମ ସମସ୍ତଙ୍କର ଦାୟିତ୍ୱ। ଯଦି ସହରରେ ବସ ବାସ କରୁଥିବା ପ୍ରତିଟି ଲୋକ ଏହି ଦିଗରେ ଧ୍ୟାନ ଦିଅନ୍ତେ ତେବେ ତା ହେଲେ ପରିସ୍ଥିତିରେ ବହୁତ ସୁଧାର ଆସି ପାରନ୍ତା," କହିଛନ୍ତି କଟକବାସିନ୍ଦା ରଞ୍ଜନ କୁମାର ମଲ୍ଲିକ।
Published by:Lipina Das
First published: