ରେଭେନ୍ସା ବିଶ୍ବବିଦ୍ୟାଳୟରେ କୋଭିଡ ନିୟମ ଉଲ୍ଲଙ୍ଘନ; କାରଣ ଦର୍ଶାଅ ନୋଟିସ୍ ଜାରି କଲା CMC

ସିଏମସି କମିଶନର ଅନନ୍ୟା ଦାସ କହିଛନ୍ତି, "ରେଭେନ୍ସାରେ କୋଭିଡ ନିୟମର ଉଲ୍ଲଙ୍ଘନ ହୋଇଥିବା ମଧ୍ୟ ଆମ ନଜରକୁ ଆସିଛି । ସେଥି ପାଇଁ ବିପର୍ଯ୍ୟୟ ପରିଚାଳନା ଆଇନ ଅନୁଯାଇ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ଦର୍ଶାଇ ଆମେ ତାଙ୍କର ପରିଚାଳନା କମିଟିକୁ ଏକ କାରଣ ଦର୍ଶାଅ ନୋଟିସ ଜାରି କରିଛୁ ।"

ରେଭେନ୍ସା ବିଶ୍ବବିଦ୍ୟାଳୟରେ କୋଭିଡ ନିୟମ ଉଲ୍ଲଙ୍ଘନ

ରେଭେନ୍ସା ବିଶ୍ବବିଦ୍ୟାଳୟରେ କୋଭିଡ ନିୟମ ଉଲ୍ଲଙ୍ଘନ

  • Share this:
News18 Odia Digital

କଟକ: ରେଭେନ୍ସା ବିଶ୍ବବିଦ୍ୟାଳୟ କ୍ୟାମ୍ପାସରେ ବାର୍ଷିକ କ୍ରିଡ଼ାର ଉଦଯାପନି ଉତ୍ସବ ଅବସରରେ ହଜାର ହାଜର ଛାତ୍ରଛାତ୍ରୀ ଓ ଅଧ୍ୟାପକମାନଙ୍କ ଦ୍ବାରା କୋଭିଡ ନିୟମ ଉଲ୍ଲଙ୍ଘନ ଘଟଣା ଏବେ ଭିନ୍ନ ମୋଡ ନେଇଛି । ନାଚଗୀତ ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ କଟକ ମହାନଗର ନିଗମ ଏହି ଘଟଣାକୁ ଅତି ଗୁରୁତର ସହ ନେଇଛି।

କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସଂଖ୍ୟାଧିକ ଲୋକଙ୍କୁ ଏକାଠି ହେବା ଉପରେ କଟକଣା ଜାରି କରିଥିବା ବେଳେ କାହା ଅନୁମତି ନେଇ ଓ କାହିଁକି କ୍ୟାମ୍ପସରେ ଏହି ଭଳି କାର୍ଯ୍ୟକ୍ରମ କରାଗଲା, କାହିଁକି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ତା'ର କାରଣ ଦର୍ଶାଇବାକୁ ବିଶ୍ବବିଦ୍ୟାଳୟ କତ୍ତୃପକ୍ଷଙ୍କୁ କାରଣ ଦର୍ଶାଇବା ନୋଟିସ ଜାରି କରିଛି ସି.ଏମ.ସି. ।

ସିଏମସି କମିଶନର ଅନନ୍ୟା ଦାସ କହିଛନ୍ତି, "ସେଠାରେ କୋଭିଡ ନିୟମର ଉଲ୍ଲଙ୍ଘନ ହୋଇଥିବା ମଧ୍ୟ ଆମ ନଜରକୁ ଆସିଛି । ସେଥି ପାଇଁ ବିପର୍ଯ୍ୟୟ ପରିଚାଳନା ଆଇନ ଅନୁଯାଇ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ଦର୍ଶାଇ ଆମେ ତାଙ୍କର ପରିଚାଳନା କମିଟିକୁ ଏକ କାରଣ ଦର୍ଶାଅ ନୋଟିସ ଜାରି କରିଛୁ ।"

ସିଏମସି କମିଶନର ଅନନ୍ୟା ଦାସ


ସାମାଜିକ ଦୂରତା ତ ଦୂରର କଥା ସେହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଛାତ୍ରଛାତ୍ରୀ ଓ ଅଧ୍ୟାପକମାନଙ୍କ ମଧ୍ୟରେ କେହି ଜଣେ ବି ମାସ୍କ ପିନ୍ଧି ନଥିଲେ । ସାମାଜିକ ଗଣମାଧ୍ୟମରେ ସେହି ଭିଡ଼ିଓ ଭାଇରାଲ ହେବା ପରେ ଏହାକୁ ନେଇ ସମଗ୍ର ରାଜ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ତେବେ ଏ ସମ୍ପର୍କରେ ଚର୍ଚ୍ଚା ଜୋର ଧରିବା ପରେ ଏବେ ରେଭେନ୍ସ କୁଳପତି କିମ୍ବା ନାଚଗୀତ କାର୍ଯ୍ୟକ୍ରମରେ ଭାଗ ନେଇଥିବା ଛାତ୍ରଛାତ୍ରୀ ମୁହଁ ଖୋଲୁ ନାହାଁନ୍ତି। ଅନ୍ୟପଟେ କ୍ରିଡ଼ା ଉତ୍ସବ ଆୟୋଜନ କରିଥିବା ଶିକ୍ଷକ ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀମାନେ ନିଜସ୍ବ ଉଦ୍ୟମରେ ଆୟୋଜନ କରିଥିବା ସଫେଇ ଦେଇଛନ୍ତି।

"କ୍ରିଡ଼ା ଆୟୋଜନ ଦାୟୀତ୍ବ ମୋର ଥିଲା । ଉଦଯାପନି ଅବସରରେ ହୋଉଥିବା ସଭା କାର୍ଯ୍ୟ ଶେଷ ହେବା ପରେ ଉତ୍ସବ ଶେଷ ହୋଇଥିଲା । କିନ୍ତୁ ତା' ପରେ ପିଲାମାନେ କାହିଁକି ଏକାଠି ହୋଇ ନାଚଗୀତ କଲେ ତାହା ମୁଁ ଜାଣି ନାହିଁ । ସେହି କାର୍ଯ୍ୟକ୍ରମରେ ବ୍ୟବହାର ହୋଇଥିବା ଡିଜେ ପିଲାମାନେ ନିଜସ୍ବ ଉଦ୍ୟମରେ ଆଣିଥାଇ ପାରନ୍ତି । କାର୍ଯ୍ୟକ୍ରମ ଶେଷ ହେବା ପରେ ଆମେ ଆମର ସାଉଣ୍ଡ ସିଷ୍ଟମକୁ ଖୋଲି ଦେଇଥିଲୁ," କହିଥିଲେ ରେଭେନ୍ସା ବିଶ୍ବବିଦ୍ୟାଳୟର କ୍ରିଡ଼ା ଶିକ୍ଷକ ଅଞ୍ଜନ ଖୁଣ୍ଟିଆ।

କୋଭିଡ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଦଶହରା, ବାଲିଯାତ୍ରା ଠାରୁ ଆରମ୍ଭ କରି ଇଦ ଓ ବଡ଼ଦିନ ଉତ୍ସବ ପାଳନ ଉପରେ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର। ରାଜ୍ୟ ସରକାରଙ୍କୁ ସବୁ ବର୍ଗର ଲୋକେ ଗ୍ରହଣ କରିଥିବା ବେଳେ ରେଭେନ୍ସା ବିଶ୍ବବିଦ୍ୟାଳୟ କତ୍ତୃପକ୍ଷ ଓ ଛାତ୍ରଛାତ୍ରୀଙ୍କ ଏହି ଭଳି ଆଚରଣ ଭବିଷ୍ୟତରେ ଏକ ବଡ଼ ବିପଦକୁ ନିମନ୍ତ୍ରଣ କରିବାର ଆଶଙ୍କାକୁ ଅଧିକ ଘନିଭୂତ କରିଛି।
Published by:Lipina Das
First published:
)}