ପଞ୍ଚାୟତ ନିର୍ବାଚନରେ ବିପୁଳ ସଫଳତା ପାଇଁ ଓଡ଼ିଶାବାସୀ ଓ BJD କର୍ମୀଙ୍କୁ ଧନ୍ୟବାଦ ଜାଣାଇଲେ CM ନବୀନ

ଆଗାମୀ ପୌର ନିର୍ବାଚନ ସମୟରେ ମଧ୍ୟ ବିରୋଧୀ ଦଳଙ୍କର ଅପପ୍ରଚାର ପ୍ରତି ସତର୍କ ରହିବାକୁ ପରାମର୍ଶ ଦେଲେ ମୁଖ୍ୟ ମନ୍ତ୍ରୀ । ସରକାରକୁ ବଦନାମ କରିବା ପାଇଁ ବିରୋଧୀ ମିଛ କାହାଣୀ କହିଛନ୍ତି ଓ ନେଗେଟିଭ ରାଜନୀତି କରିଛନ୍ତି ବୋଲି କହିଲେ ସିଏମ ନବୀନ ପଟ୍ଟନାୟକ।

ପଞ୍ଚାୟତ ନିର୍ବାଚନରେ ବିପୁଳ ସଫଳତା ପାଇଁ ଓଡ଼ିଶାବାସୀ ଓ BJD କର୍ମୀଙ୍କୁ ଧନ୍ୟବାଦ ଜାଣାଇଲେ CM ନବୀନ

ପଞ୍ଚାୟତ ନିର୍ବାଚନରେ ବିପୁଳ ସଫଳତା ପାଇଁ ଓଡ଼ିଶାବାସୀ ଓ BJD କର୍ମୀଙ୍କୁ ଧନ୍ୟବାଦ ଜାଣାଇଲେ CM ନବୀନ

  • Share this:
News18 Odia Digital

ଭୁବନେଶ୍ବର: ମୁଖ୍ୟ ମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ବୁଧବାର ଦିନ ଆସନ୍ତା ପୌର ନିର୍ବାଚନର ପ୍ରସ୍ତୁତି ସ୍ଵରୂପ ଦଳର ଏମ.ପି.ଏମ.ଏଲ.ଏ ଓ ଜିଲ୍ଲା ସଭାପତି ଓ ପର୍ଯ୍ୟବେକ୍ଷକମାନଙ୍କ ସହ ଭର୍ଚୁଆଲି ମାଧ୍ୟମରେ କଥା ହୋଇଥିଲେ। ଏହି ଅବସରରେ ମୁଖ୍ୟ ମନ୍ତ୍ରୀ ଗତ ପଞ୍ଚାୟତ ନିର୍ବାଚନରେ ଦଳର ବିପୁଳ ସଫଳତା ପାଇଁ ଓଡ଼ିଶାବାସୀ ତଥା ଦଳର କର୍ମୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ମୁଖ୍ୟ ମନ୍ତ୍ରୀ କହିଥିଲେ, “ପଞ୍ଚାୟତ ନିର୍ବାଚନରେ, ଆମର ଏହି ଅସାଧାରଣ ଓ ଅଭୂତପୂର୍ବ ସଫଳତା ପାଇଁ, ମୁଁ ସବୁ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଉଛି। ଓଡ଼ିଶାବାସୀ ପୁଣି ଥରେ, ଆମ କାମ ଉପରେ, ଆସ୍ଥା ପ୍ରକାଶ କରିଛନ୍ତି। ଏହି ବିଜୟ, ଗଣତାନ୍ତ୍ରିକ ନିର୍ବାଚନରେ ନୂଆ ରେକର୍ଡ ସୃଷ୍ଟି କରିଛି। ପଶ୍ଚିମରୁ ଉପକୂଳ, ଉତ୍ତରରୁ ଦକ୍ଷିଣ, ଓଡ଼ିଶାର, ସବୁ ଅଞ୍ଚଳର ଜନସାଧାରଣ, ଏହି ନିର୍ବାଚନରେ ସମାନ ଭାବରେ ବିଜୁ ଜନତା ଦଳକୁ ଆଶୀର୍ବାଦ କରିଛନ୍ତି। ଏହି ଆଶୀର୍ବାଦ ଓ ସ୍ନେହ ଆମକୁ ଆହୁରି କଠିନ ପରିଶ୍ରମ କରିବାକୁ ପ୍ରେରଣା ଦେଉଛି। ମୁଁ ଧନ୍ୟବାଦ ଦେଉଛି ଆମର କର୍ମୀ ଓ ଶୁଭେଚ୍ଛୁମାନଙ୍କୁ, ଯେଉଁମାନେ ରାତିଦିନ ଏକ କରି କାମ କରି ନିଜର ସବୁ ସୁଖ ସୁବିଧା ତ୍ୟାଗ କରି ଆମ ସରକାରଙ୍କ ନୀତି ଓ କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି। ଏହି ସଫଳତା ହେଉଛି ଆପଣମାନଙ୍କର ଯେଉଁମାନେ ଘର ଘର ବୁଲି ପ୍ରଚାର କରି ଲୋକଙ୍କୁ ବୁଝାଇଛନ୍ତି। ଏ ସଫଳତା ହେଉଛି ଓଡ଼ିଶାବାସୀଙ୍କର, ଯେଉଁମାନେ ଆମର ଗଭର୍ଣ୍ଣାନ୍ସରେ ଆସ୍ଥା ରଖିଛନ୍ତି । ଗଣତନ୍ତ୍ରରେ ଲୋକଙ୍କ ସ୍ବର ହିଁ ଶ୍ରେଷ୍ଠ ଓ ରାଜ୍ୟର ସବୁ ପଞ୍ଚାୟତରେ ଜନମତ ହିଁ ଏହା ପ୍ରମାଣିତ କରିଛି। ବିଜୁ ଜନତା ଦଳ ଓଡ଼ିଶାବାସୀଙ୍କର ଏହି ମତକୁ ନମ୍ରତାର ସହ ଗ୍ରହଣ କରିଛି। ଆମେ ଆମର ଭଲ କାମ ଜାରି ରଖିବୁ।’’

ଆଗାମୀ ପୌର ନିର୍ବାଚନ ସମୟରେ ମଧ୍ୟ ବିରୋଧୀ ଦଳଙ୍କର ଅପପ୍ରଚାର ପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇ ମୁଖ୍ୟ ମନ୍ତ୍ରୀ କହିଥିଲେ, ‘‘ବର୍ତ୍ତମାନ ପୌର ନିର୍ବାଚନର ସମୟ ଆସିଛି । ଆପଣ ଜାଣନ୍ତି, ପଞ୍ଚାୟତ ନିର୍ବାଚନରେ ବିରୋଧୀ ଦଳ କେତେ ଅପପ୍ରଚାର କରିଛନ୍ତି। ମୋ ସରକାରକୁ ବଦନାମ କରିବା ପାଇଁ ମିଛ କାହାଣୀ କହିଛନ୍ତି ଓ ନେଗେଟିଭ୍‌ ରାଜନୀତି କରିଛନ୍ତି। କିନ୍ତୁ ଓଡ଼ିଶାବାସୀ ସେମାନଙ୍କ କଥାକୁ ଗୁରୁତ୍ବ ଦେଇନାହାନ୍ତି। ଆଗାମୀ ପୌର ନିର୍ବାଚନରେ ମଧ୍ୟ ସେମାନେ ପୁଣିଥରେ ସେହିଭଳି ଅପପ୍ରଚାର କରିବେ। ଲୋକଙ୍କ ଆଗରେ ବିରୋଧୀ ଦଳଙ୍କ ଅପପ୍ରଚାରର ମୁଖା ଖୋଲିବା ହେଉଛି ଆମ ଦଳର ପ୍ରତି କର୍ମୀ ଭାଇ ଭଉଣୀମାନଙ୍କର ଦାୟିତ୍ବ।’’

ବିଜୁ ଜନତା ଦଳର ଆଦର୍ଶ ଓ ସହରାଞ୍ଚଳର ବିକାଶ କାର୍ୟ୍ୟ ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ମନ୍ତ୍ରୀ ଆହୁରି କହିଥିଲେ, ‘‘ଆମେ ପଜିଟିଭ୍ ପଲିଟିକ୍ସରେ ବିଶ୍ବାସ କରୁ। ସକରାତ୍ମକ ରାଜନୀତି। ରୂପାନ୍ତରିଣ ପ୍ରଶାସନ ଓ ଲୋକଙ୍କର ସଶକ୍ତିକରଣ ହେଉଛି ଆମର ହଲ୍‌ମାର୍କ। ସହରାଞ୍ଚଳ‌ରେ ଅନେକ ଭଲ କାମ ହୋଇଛି। ସହରର ଗରିବ ଲୋକଙ୍କ ପାଇଁ ଜାଗା ମିଶନ ଏକ ନୂଆ ବେଞ୍ଚମାର୍କ ସୃଷ୍ଟି କରିଛି। ରାସ୍ତାକଡ଼ର ଲାଇଟ୍‌ ଠାରୁ ଆରମ୍ଭ କରି ଇଣ୍ଡୋର ଷ୍ଟାଡିୟମ୍‌, ଭଲ ପିଇବା ପାଣି ଠାରୁ ଆରମ୍ଭ କରି ମଡର୍ଣ୍ଣ ୱେଷ୍ଟ ମ୍ୟାନେଜମ୍ୟାଣ୍ଟ ସିଷ୍ଟମ୍‌, ମିଶନ ଶକ୍ତିର ମା ମାନଙ୍କ ପାଇଁ ରୋଜଗାରର ନୂଆ ନୂଆ ସୁଯୋଗ, ୱାର୍ଡ ସ୍ତରରେ ଭିତ୍ତିଭୂମି ଓ ନାଗରିକ ସୁବିଧା ଓ ଅନ୍‌ଲାଇନରେ ମ୍ୟୁନିସପାଲ ସେବା। ନାଗରିକ ମାନଙ୍କର କଲ୍ୟାଣକୁ ଦୃଷ୍ଟିରେ ରଖି ଆମର ସବୁ କାର୍ୟ୍ୟକ୍ରମ ତିଆରି କରାଯାଇଛି। ବସ୍ତିବାସିନ୍ଦାଙ୍କ ଠାରୁ ଆରମ୍ଭ କରି ଆପାର୍ଟମେଣ୍ଟର ମାଲିକ, ମା'ମାନଙ୍କ ଠାରୁ ଆରମ୍ଭ କରି ଶିଶୁ ତଥା ଯୁବସମାଜ ସମସ୍ତଙ୍କ ସଶକ୍ତିକରଣ ପାଇଁ ଆମେ ପ୍ରତିଶ୍ରୁତି ଦେଇ କାମ କରୁଛୁ।’’

ଓଡ଼ିଶାବାସୀ ନକରାତ୍ମକ ରାଜନୀତିକୁ କେବେ ବି ଗ୍ରହଣ କରିବେ ନାହିଁ ବୋଲି ମତ ଦେଇ ମୁଖ୍ୟ ମନ୍ତ୍ରୀ କହିଥିଲେ ଯେ ଏହିସବୁ କାର୍ୟ୍ୟକ୍ରମକୁ ଆମକୁ ଲୋକଙ୍କ ପାଖକୁ ନେଇଯିବାକୁ ହେବ। ବିରୋଧୀ ଦଳଙ୍କର ମିଛ ତଥା ନେଗେଟିଭ୍ ପଲିଟିକ୍ସ ଆମର ସକରାତ୍ମକ ତଥା ସତ୍ ଉଦ୍ୟମ ଜରିଆରେ ହିଁ ମୁକାବିଲା କରିବାକୁ ପଡ଼ିବ। ଆମର ପୁରା ବିଶ୍ବାସ, ଏହି ପଞ୍ଚାୟତ ନିର୍ବାଚନରେ ଆପଣମାନେ ଯେପରି କଠିନ ପରିଶ୍ରମ କରିଥିଲେ, ପୌର ନିର୍ବାଚନରେ ମଧ୍ୟ ସେହିପରି ଉଦ୍ୟମ ଜାରି ରଖିବେ। ଆମେ ପୁଣି ଥରେ ଲୋକଙ୍କ ଆସ୍ଥା ଓ ଆଶୀର୍ବାଦ ଲାଭ କରିପାରିବା ଓ ବିରୋଧୀ ଦଳଙ୍କୁ ଦେଖାଇ ଦେବା ମିଛ ଓ ଛଳନାର ରାଜନୀତି ଓଡ଼ିଶାରେ କାମ କରିବ ନାହିଁ ।

ରାଜନୀତିର ଅର୍ଥ କେବଳ କ୍ଷମତା ନୁହେଁ। ଗୋଟିଏ ଗଣତନ୍ତ୍ରରେ ଲୋକମାନେ ହିଁ ହେଉଛନ୍ତି, କ୍ଷମତାର ସ୍ରୋତ। ରାଜ୍ୟର ସବୁଠାରୁ ଦୁର୍ଗମ ଅଞ୍ଚଳରେ ରହୁଥିବା ସାଧାରଣ ଲୋକଟିର ବିଶ୍ବାସ ହେବା ଦରକାର ଯେ ବିଜୁ ଜନତା ଦଳ ସବୁବେଳେ ତା'ର କଲ୍ୟାଣ ଓ ତା'ର ଶକ୍ତିକରଣ ପାଇଁ କାମ କରୁଛି। ଏହି ବାର୍ତ୍ତାକୁ ଲୋକମାନଙ୍କ ପାଖରେ ପହଞ୍ଚାଇବା ପାଇଁ ମୁଖ୍ୟ ମନ୍ତ୍ରୀ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ।

ପରିଶେଷରେ ଏହି ଅଭୂତପୂର୍ବ ଜନାଦେଶ ପାଇଁ ଓଡ଼ିଶାର ଜନସାଧାରଣଙ୍କୁ ଓ ସମସ୍ତଙ୍କୁ ମୁଖ୍ୟ ମନ୍ତ୍ରୀ ପୁଣି ଥରେ ଧନ୍ୟବାଦ ଜଣାଇଥିଲେ।
Published by:Lipina Das
First published: