News18 Odia Digital
ଭୁବନେଶ୍ବର: ଭାରତୀୟ ପୁରୁଷ ଓ ମହିଳା ହକି ଦଳର ପୁଣି ଦାୟିତ୍ବ ନେଇଛି ଓଡ଼ିଶା । ପୁରୁଷ ଓ ମହିଳା ଅଲିମ୍ପିକ୍ସ ହକି ଦଳ ପାଇଁ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ଓଡ଼ିଶା ସରରାକ ଏହାର ଘୋଷଣା କରିଛନ୍ତି । ୨୦୨୩ ପର୍ଯ୍ୟନ୍ତ ଓଡ଼ିଶା ପ୍ରଯୋଜକ ଦାୟିତ୍ବରେ ଥିଲା । ଆଉ ଏବେ ଏହାକୁ ୧୦ ବର୍ଷ ବଢ଼ାଇ ଅର୍ଥାତ୍ ୨୦୩୩ ପର୍ଯ୍ୟନ୍ତ ଏହାର ପ୍ରୟୋଜକ ରହିବ ଓଡ଼ିଶା । ଲୋକସେବା ଭବନରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଟୋକିଓ ଅଲିମ୍ପିକ୍ସରେ ସଫଳ ପ୍ରଦର୍ଶନ କରିଥିବା ଉଭୟ ପୁରୁଷ ଓ ମହିଳା ଟିମ୍କୁ ସମ୍ବର୍ଦ୍ଧିତ କରିଥିଲେ ।
ଏହି ଅବସରରେ ଉଭୟ ଟିମ୍କୁ ୫୦ ଲକ୍ଷ ଲେଖାଏଁ ଅର୍ଥରାଶି ଦେଇଛନ୍ତି ମୁଖ୍ୟ ମନ୍ତ୍ରୀ । ଦୁଇ ଟିମର ପ୍ରତି ଖେଳାଳିଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଦିଆଯାଇଛି । ବ୍ୟକ୍ତି ଭାବେ ଭଲ ପ୍ରଦର୍ଶନ କରିଥିବା ଖେଳାଳୀଙ୍କୁ ବି ୫ ଲକ୍ଷ ଟଙ୍କା ଲେଖାଏଁ ସ୍ବତନ୍ତ୍ର ଭାବେ ଅର୍ଥରାଶି ପୁରସ୍କାର ଦିଆଯାଇଛି ।
ପୁରୁଷ ହକିରେ ସର୍ବାଧିକ ଗୋଲ ସ୍କୋର ପାଇଁ ହରମନପ୍ରିତ ସିଂହ, ଶ୍ରେଷ୍ଠ ଗୋଲ କିପର ଭାବେ ଶ୍ରୀଜେଶ ଓ ଓଡ଼ିଆ ଖେଳିଳି ଅମିତ ରୋହିତ ଦାସଙ୍କୁ ଶ୍ରେଷ୍ଠ ମିଡ୍ ଫିଲ୍ଡର ଭାବେ ୫ ଲକ୍ଷ ଟଙ୍କା ପୁରସ୍କାର ଦିଆଯାଇଛି । ସର୍ବାଧିକ ଗୋଲ୍ର ସହାୟକ ଭାବେ ନୀଳକାନ୍ତ ଶର୍ମା ଓ ଶ୍ରେଷ୍ଠ ଡିଫେନ୍ସ ରୂପିନ୍ଦର ପାଲ୍ ସିଂହଙ୍କୁ ପୁରସ୍କୃତ କରାଯାଇଛି । ମହିଳା ହକି ଦଳରେ ଥିବା ଓଡ଼ିଶାର ଦୀପ ଗ୍ରେସ୍ ଏକ୍କାଙ୍କୁ ଶ୍ରେଷ୍ଠ ଡିଫେଣ୍ଡର ପୁରସ୍କାର ଭାବେ ୫ ଲକ୍ଷ ଟଙ୍କା ଦିଆଯାଇଛି । ଗୁରଜିତ କୌର, ବନ୍ଦନା କଟାରିଆ ସର୍ବାଧିକ ମହିଳା ଗୋଲ୍ ସ୍କୋରର ଓ ଗୋଲ ରକ୍ଷକ ଭାବେ ସବିତା ପୁନିଆଙ୍କୁ ପୁରସ୍କୃତ କରାଯାଇଛି ।

ଭାରତୀୟ ପୁରୁଷ ଓ ମହିଳା ହକି ଦଳର ପୁଣି ଦାୟିତ୍ବ ନେଇଛି ଓଡ଼ିଶା
ସର୍ବାଧିକ ଗୋଲ୍ର ସହାୟକ ଭାବେ ରାନୀ ରାମପାଲ, ନବନୀତ କୌର ଓ ଶ୍ରେଷ୍ଠ ମିଡ୍ ଫିଲ୍ଡର ଭାବେ ପି. ସୁଶୀଳା ଚାନୁଙ୍କୁ ଦିଆଯାଇଛି ୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ।
ସମ୍ବର୍ଦ୍ଧନା ଉତ୍ସବରେ ଭାରତୀୟ ପୁରୁଷ ହକି ଦଳର ଅଧିନାୟକ ହକିର ପ୍ରୋତ୍ସାହନ ପାଇଁ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଦେଇଥିଲେ । ଆଉ କହିଥିଲେ ଯେ ଓଡ଼ିଶା ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି ହକିର ଜଣେ ପ୍ରକୃତ ପ୍ରଶଂସକ । ତାଙ୍କର ଦୂରଦୃଷ୍ଟି ଓ ପ୍ରୋତ୍ସାହନର ଫଳ ପଦକରେ ପ୍ରତିଫଳିତ ହୋଇଛି । ଆମେ ପଦକ ଜିତିଛୁ, କିନ୍ତୁ ଏହା ଦେଶକୁ ନବୀନଙ୍କ ଉପହାର ।

୨୦୩୩ ପର୍ଯ୍ୟନ୍ତ ହକି ଟିମର ପ୍ରୟୋଜକ ରହିବ ଓଡ଼ିଶା
ମହିଳା ଦଳର ଅଧିନାୟିକା ରାନୀ ରାମପାଲ କହିଥିଲେ ଯେ ଓଡ଼ିଶା ଏବେ ଭାରତୀୟ ହକିର ଘର । ଓଡ଼ିଶାର ଲୋକେ ଆମ ହକି ପରିବାରର ସଦସ୍ୟ । ସେହିପରି ହକି ଇଣ୍ଡିଆର ସଭାପତି ନରେନ୍ଦ୍ର ବାତ୍ରା କହିଛନ୍ତି କି ଅଲିମ୍ପିକ୍ସ ପଦକ ପାଇବା ପଛରେ ଓଡ଼ିଶାର ଅବଦାନ ଗୁରୁତ୍ବପୂର୍ଣ୍ଣ ।