News18 Odia Digital
ଭୁବନେଶ୍ବର: ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ନେଇ ପ୍ରାକ ପ୍ରସ୍ତୁତି। ରାଜ୍ୟ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକରେ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ। ବନ୍ୟା, ବାତ୍ୟା, ମରୁଡି ଭଳି ସମ୍ଭାବ୍ୟ ସ୍ଥିତିର ମୁକାବିଲା ସହ ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱାରୋପ କରିଛନ୍ତି ମୁଖ୍ୟମନ୍ତ୍ରୀ।
ପାଣିପାଗ ପରିବର୍ତ୍ତନ ଯୋଗୁଁ ଆଗାମୀ ଦିନ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ପ୍ରସ୍ତାବ ଦେଇଛି କଂଗ୍ରେସ। ପୂର୍ବ ପ୍ରସ୍ତାବର କାର୍ଯ୍ୟକାରିତାକୁ ନେଇ ସନ୍ତୋଷ ପ୍ରକାଶ କରିଥିବା ବେଳେ ଆଉ କିଛିକୁ ନେଇ ଅସନ୍ତୋଷ ପ୍ରକାଶ କରଛନ୍ତି ବିରୋଧୀ।
ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକରେ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ। ଜୁନରୁ ଅକ୍ଟୋବର ମଧ୍ୟରେ ବନ୍ୟା ବାତ୍ୟା ପରି ଅଧିକ ପ୍ରାକୃତିକ ବିପର୍ଯ୍ୟୟ ସାମ୍ନା କରୁଛି ରାଜ୍ୟ। ସମ୍ଭାବ୍ୟ ସ୍ଥିତି ପାଇଁ ପ୍ରସ୍ତୁତ ରହିବା ସହ ଜୀବନ ହାନି ଉପରେ ଧ୍ୟାନ ଦେବାକୁ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
ଵନ୍ୟା ଓ ବାତ୍ୟା ସମୟରେ ପିଇବା ପାଣି ଯୋଗାଣ, ମେଡିକାଲରେ ପର୍ଯ୍ୟାପ୍ତ ଔଷଧ ଯୋଗାଣ, ଉଦ୍ଧାରକାରୀ ଦଳ ମୁତୟନ, ଦୁର୍ବଳ ନଦୀ ବନ୍ଧ ମରାମତି, ବିପର୍ଯ୍ୟୟ ପ୍ରବଣ ଓ ଦୁର୍ଗମ ଅଞ୍ଚଳରେ ପର୍ଯ୍ୟାପ୍ତ ଖାଦ୍ୟପଦାର୍ଥ ମହଜୁଦ ରଖିବା, ଜିଲ୍ଲାସ୍ତରୀୟ ୨୪ ଘଣ୍ଟିଆ ଜରୁରୀକାଳୀନ କେନ୍ଦ୍ର କାର୍ଯ୍ୟକାରୀ, ଗର୍ଭବତୀ ମହିଳା, ଶାରୀରିକ ଓ ମାନସିକ ଭିନ୍ନକ୍ଷମ ବ୍ୟକ୍ତି, ଶିଶୁ, ବିଧବା ଓ ବୟସ୍କ ଲୋକଙ୍କ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
ବର୍ତ୍ତମାନ ରାଜ୍ୟରେ ୮୭୯ଟି ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳ ଥିବାବେଳେ, ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଆଉ ୫୫ଟି ଆଶ୍ରୟସ୍ଥଳ ନିର୍ମାଣ କରାଯାଉଛି। ରାଜ୍ୟର ବିଭିନ୍ନ ସ୍ଥାନରେ ବିପର୍ଯ୍ୟୟ ପ୍ରତିରୋଧି ଗୃହ ନିର୍ମାଣ କରାଯାଉଥିବା ବେଳେ ଫୋକସରେ ରହିଛି ଉପକୂଳିଆ ଅଞ୍ଚଳ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି,"ଆମର ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମର ନୀତି ହେଉଛି ପ୍ରତ୍ୟେକ ଜୀବନ ମୂଲ୍ୟବାନ। ଏହି ନୀତିକୁ ଅନୁସରଣ କରି ଓଡ଼ିଶା ଭଳି ଗୋଟିଏ ବିପର୍ଯ୍ୟୟ ପ୍ରବଣ ରାଜ୍ୟରେ ଆମେ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରି ଏ କ୍ଷେତ୍ରରେ ଏକ ଆଗୁଆ ରାଜ୍ୟ ହୋଇପାରିଛୁ। ପ୍ରତ୍ୟେକ ବର୍ଷର ଜୁନରୁ ଅକ୍ଟୋବର ମାସ ସମୟ ଅତି ଗୁରୁତ୍ବପୂର୍ଣ୍ଣ। ଏହି ସମୟରେ ବନ୍ୟା, ବାତ୍ୟା, ମରୁଡି ପରି ଅନେକ ପ୍ରାକୃତିକ ବିପର୍ଯ୍ୟୟ ଆସେ। ତେଣୁ ଏହି ସମୟ ଭିତରେ ବାତ୍ୟା ଓ ବନ୍ୟା ଏକ ସମୟରେ ଆସିବାର ମଧ୍ୟ ସମ୍ଭାବନା ରହିଛି।’’
ଏ ବାବଦରେ ପ୍ରସ୍ତୁତିକୁ ସୁଦୃଢ଼ କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ ପ୍ରତିକ୍ରିୟା। ଆଗାମୀ ବନ୍ୟା ଓ ବାତ୍ୟା ଭଳି ସମ୍ଭାବ୍ୟ ସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ବନ୍ୟା ଓ ବାତ୍ୟା ସମୟରେ ପିଇବା ପାଣି, ମେଡିକାଲରେ ପର୍ଯ୍ୟାପ୍ତ ଔଷଧ ଯୋଗାଣ, ଉଦ୍ଧାରକାରୀ ଦଳ ମୁତୟନ, ଦୁର୍ବଳ ବନ୍ଧ ବାଡ ମରାମତି ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି।
ବିଭିନ୍ନ ବିଭାଗ ସହ ସମନ୍ୱୟ ରଖି କରାଯିବ। ପାଣିପାଗ ପରିବର୍ତ୍ତନ ହେଉଥିବାରୁ ବିଶେଷଜ୍ଞ ଓ ବୈଜ୍ଞାନିକମାନଙ୍କ ସହ ପରାମର୍ଶ କରି ପଦକ୍ଷେପ ନେବାକୁ ବିରୋଧୀ ଦଳ ସଦସ୍ୟ ନରସିଂହ ମିଶ୍ର କିଛି ପ୍ରସ୍ତାବ ଦେଇଛନ୍ତି।
ବିଭାଗ ତଦାରଖ କରିବ ଓ ବିଶେଷଜ୍ଞଙ୍କ ପରାମର୍ଶ କରି ବିଭାଗ ନିଷ୍ପତ୍ତି ନେବ। ସରକାରୀ ବ୍ୟବସ୍ଥାକୁ ସୁଦୃଢ଼ ପାଇ ପଦକ୍ଷେପ ନିଆଯିବ। ବନ୍ୟା ଓ ବାତ୍ୟା ଭଳି ସ୍ଥିତିର ମୁକାବିଲା ପାଇଁ ବିଭାଗ ସଜାଗ ଅଛି। ଆଗାମୀ ଦିନରେ ଯଦି ମରୁଡି ସ୍ଥିତି ବି ଆସେ ସରକାର ପଦକ୍ଷେପ ନେବେ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ ଚିରାଚରିତ ଭାବେ ପ୍ରତିବର୍ଷ ବସୁଛି ବୈଠକ। ପୂର୍ବ ବୈଠକରେ ଯାହା ପ୍ରସ୍ତାବ ଦେଇଥିଲି ଅଧିକ ପ୍ରଶ୍ନର ଉତ୍ତର ମିଳିନି। ଦୁର୍ନୀତି ଅଭିଯୋଗର ତଦନ୍ତ ହୋଇନାହିଁ।
ବର୍ତ୍ତମାନ ପାଣିପାଗ ପରିବର୍ତ୍ତନ ଯୋଗୁଁ କିଛି ଆକଳନ କରାଯାଇ ପାରୁନି। ଅନେକ ସମୟରେ ଅଧିକ ବର୍ଷା ଯୋଗୁଁ କ୍ଷୟକ୍ଷତି ହେଉଥିଲେ ବି ସୁବିଧା ମିଳୁନି। ମରୁଡି ସମୟରେ କିଛି ସରକାରୀ ସୁବିଧା ପାଉନାହାଁନ୍ତି ଲୋକେ। ବିଭିନ୍ନ ପ୍ରକଳ୍ପ କ୍ଷୟକ୍ଷତି ହେଉଥିଲେ ବି ମରାମତି ହେଉନାହିଁ। ଲୋକ ଘର ଭଙ୍ଗା ଟଙ୍କା ପାଉନାହାଁନ୍ତି। ଜଳସେଚନ ପ୍ରକଳ୍ପ ଅକାମୀ ହୋଇଥିଲେ ବି ମରାମତି ହୋଇନାହିଁ। ପାଣିପାଗ ପରିବର୍ତ୍ତନ ଯୋଗୁଁ ଆଗାମୀ ସ୍ଥିତିର ମୁକାବିଲା ପାଇଁ ଭଲ ବୈଜ୍ଞାନିକ ଓ ବିଶେଷଜ୍ଞକୁ ନେଇ ଅନୁଧ୍ୟାନ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି। ତେଣୁ ମୁକାବିଲା ପାଇ ବୈଜ୍ଞାନିକ ଓ ବିଶେଷଜ୍ଞକୁ ନେଇ ଅନୁଧ୍ୟାନ ସହ ସମାଧାନ ନେଇ ପଦକ୍ଷେପ ନିଅନ୍ତୁ ସରକାର।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।