News18 Odia Digital
ଭୁବନେଶ୍ବର: ଆମର ଅର୍ଥନୈତିକ ଅଗ୍ରଗତି ବହୁତ ଭଲ ଭାବରେ ଚାଲିଛି। ଗରିବୀ କମିଛି। ବେକାରୀ କମ କରିବାରେ ଆଜି ଓଡ଼ିଶା ସାରା ଦେଶରେ ସବୁଠାରୁ ଭଲ କାମ କରିଛି। ଶିଳ୍ପ କ୍ଷେତ୍ରରେ ଓଡ଼ିଶା ଆଗୁଆ ରାଜ୍ୟ ହୋଇପାରିଛି। ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ପାଳନ ଅବସରରେ ବାର୍ତ୍ତା ରଖି ଏହା କହିଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ସମାରୋହ ପ୍ରଦର୍ଶନୀ ପଡ଼ିଆରେ ମହାଆଡମ୍ବରେ ପାଳିତ ହୋଇଛି।
ଭର୍ଚୁଆଲରେ ଯୋଗ ଦେଇ ମୁଖ୍ୟ ମନ୍ତ୍ରୀ କହିଥିଲେ ଯେ ଆଉ ୧୪ ବର୍ଷ ପରେ ଓଡ଼ିଶା ଶହେ ବର୍ଷ ପୂରଣ କରିବ। ସାରା ଓଡ଼ିଶା ଏବେ ଏକ ମନ, ଏକ ପ୍ରାଣ ହୋଇ ଗୋଟିଏ ଲକ୍ଷ୍ୟରେ ଆଗକୁ ଯିବା ପାଇଁ ନିଷ୍ପତ୍ତି ନେଇଛି। ଆଜି ସାରା ଓଡ଼ିଶାର ସ୍ୱର ଦୃଢ଼ ହୋଇଛି। ୨୦୩୬ରେ ଓଡ଼ିଶା ଶ୍ରେଷ୍ଠ ରାଜ୍ୟ ଭାବରେ ସାରା ଦେଶକୁ ମାର୍ଗ ଦର୍ଶନ କରିବ ବୋଲି ସେ ଦୃଢ଼ ବିଶ୍ୱାସ ପ୍ରକଟ କରିଥିଲେ । ସେ ଯେ ନୂଆ ଶତାବ୍ଦୀରେ ଓଡ଼ିଶାରେ ଏକ ନୂଆ ଯୁଗ ଆରମ୍ଭ ହୋଇଛି। ଏ ଯୁଗ ବିକାଶ ଓ କଲ୍ୟାଣର ଯୁଗ। ଆମର ୫-ଟି ଗଭର୍ନାନ୍ସ ମଡେଲ ସାରା ଦେଶରେ ଆଦର୍ଶ ସୃଷ୍ଟି କରିଛି ବୋଲି ମତ ରଖିଥିଲେ ମୁଖ୍ୟ ମନ୍ତ୍ରୀ।
ପ୍ରାକୃତିକ ବିପର୍ଯ୍ୟୟ ଠାରୁ ଆରମ୍ଭ କରି କୋଭିଡ ମହାମାରୀ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଲୋକଙ୍କୁ ସୁରକ୍ଷା ଦେବାରେ ଓଡ଼ିଶା ଆଜି ଦେଶ ପାଇଁ ମଡେଲ ହୋଇଛି ବୋଲି କହିଥିଲେ ମୁଖ୍ୟ ମନ୍ତ୍ରୀ।
ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଙ୍କ ଶୁଭେଚ୍ଛା ବାର୍ତ୍ତା ପାଠ କରିଥିଲେ ସୂଚନା ଓ ଲୋକ ସମ୍ପର୍କ ସଚିବ ବିଷ୍ଣୁ ପଦ ସେଠୀ।
ଏହି ଅବସରରେ ରାଷ୍ଟ୍ରପତିଙ୍କ ବାର୍ତ୍ତାରେ ଉଲ୍ଲେଖ ରହିଥିଲା ଓଡ଼ିଶା ରାଜ୍ୟ ହେଉଛି ବିପୁଳଖଣୀ, ସାମୁଦ୍ରିକ ଓ ଜଙ୍ଗଲ ସମ୍ପଦର ଗନ୍ତାଘର। ବିକାଶ ମାର୍ଗରେ ଓଡ଼ିଶା ଦୃତଗତିରେ ଅଗ୍ରସର ହେବା ସହିତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଉପରାଷ୍ଟ୍ରପତିଙ୍କ ବାର୍ତ୍ତାରେ କହିଥିଲେ ଯେ ସମୃଦ୍ଧ ସଂସ୍କୃତି ପାଇଁ ପରିଚିତ ଓଡ଼ିଶା ଜାତୀୟ ପ୍ରଗତିରେ ସମୟ କ୍ରମେ ବର୍ଷ ବର୍ଷ ଧରି ଉଲ୍ଲେଖନୀୟ ଅବଦାନ ରଖିଆସିଛି।
ସେହିପରି ପ୍ରଧାନ ମନ୍ତ୍ରୀ ତାଙ୍କ ବାର୍ତ୍ତାରେ ବହୁମୁଖୀ ପ୍ରଗତିର ସ୍ବିକୃତି ପାଇଁ ଉତ୍କଳ ଦିବସ ପାଳନ ବୋଲି କହିଥିଲେ।। ସ୍ବତନ୍ତ୍ର ଓଡ଼ିଶା ଗଠନର ପ୍ରମୁଖ ଭୂମିକା ନିଭାଇଥିବା ବୀରପୁତ୍ରମାନଙ୍କ ସ୍ମୃତି ଚାରଣ କରିଥିଲେ ମୁଖ୍ୟ ମନ୍ତ୍ରୀ।
ମୁଖ୍ୟ ମନ୍ତ୍ରୀ ଭର୍ଚୁଆଲରେ ଉପସ୍ଥିତ ରହିଥିବା ବେଳ ବାଚଷ୍ପତି ସୂର୍ଯ୍ୟ ନାରାୟଣ ପାତ୍ର, ମନ୍ତ୍ରୀ ରଘୁନନ୍ଦନ ଦାସ, ମନ୍ତ୍ରୀଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଅଶୋକ ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ସଚିବ ବିଷ୍ଣୁ ସେଠୀ ମଞ୍ଚରେ ଉପସ୍ଥିତ ଥିଲେ।
ସାରା ରାଜ୍ୟରେ ୮୭ତମ ଓଡ଼ିଶା ଦିବସ ପାଳିତ ହୋଇଛି। କୋଭିଡ ଯୋଦ୍ଧାଙ୍କ ସମେତ କୃତୀ ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଉତ୍ସବ ପ୍ରାରମ୍ଭରେ ଉତ୍କଳ ଜନନୀଙ୍କୁ ପୁଷ୍ପଗୁଚ୍ଛ ଅର୍ପଣ ଓ ପ୍ରଦୀପ ପ୍ରଜ୍ୱଳନପୂର୍ବକ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପରିବେଷଣ ହୋଇଥିଲା।
ଏହା ପରେ ପୋଲିସ ବ୍ୟାଣ୍ଡ ଓଡ଼ିଆ ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ କରିଥିଲେ। ସଭା ପରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ତରଫରୁ ସ୍ୱନାମ ଧନ୍ୟ କଣ୍ଠଶିଳ୍ପୀମାନଙ୍କ ଦ୍ୱାରା ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ, ଓଡ଼ିଶୀ ନୃତ୍ୟ ଓ ସମ୍ବଲପୁରୀ ଲୋକନୃତ୍ୟ ପରିବେଷିତ ହୋଇଥିଲା।
ସୂଚନା ଓ ଲୋକସମ୍ପର୍କ ବିଭାଗ ଓ ଓଡ଼ିଆ, ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଯୁଗ୍ମ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ-୨୦୨୨ ସମାରୋହରେ ପାଳିତ ହୋଇଥିଲ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।