News18 Odia Digital
ଭୁବନେଶ୍ବର: ଆସନ୍ତା ୨୪ରେ ପୌର ନିର୍ବାଚନ। ପଞ୍ଚାୟତ ପରେ ଏବେ ପୌର ପାଇଁ କମର କଷି ଲେଣି ତିନି ଦଳ। ପ୍ରାର୍ଥୀ ଚୟନ ଚୂଡାନ୍ତ କରି ମଇଦାନକୁ ଓହ୍ଲାଇବାକୁ ସଜବାଜ ଆରମ୍ଭ ହୋଇଛି। ପ୍ରଚାରକୁ ଓହ୍ଲାଇବା ପୂର୍ବରୁ ଦଳୀୟ ସାଂସଦ, ବିଧାୟକ ଓ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କୁ ଟିପ୍ସ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ବିରୋଧିଙ୍କ ଅପ ପ୍ରଚାର ରୋକିବା ସହ ସରକାରୀ ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଆହ୍ୱାନ କରିଛନ୍ତି।
ପଞ୍ଚାୟତ ପରି ପୌର ନିର୍ବାଚନରେ ଅପପ୍ରଚାର କରିବେ ବିରୋଧୀ। ଲୋକଙ୍କ ସାମ୍ନାରେ ବିରୋଧୀଙ୍କ ଅପ ପ୍ରଚାରର ମୁଖା ଖୋଲିବା ଦଳର କର୍ମୀଙ୍କ ଦାୟିତ୍ୱ। ବିରୋଧୀଙ୍କ ନକରାତ୍ମକ ରାଜନୀତିକୁ ସତ ଉଦ୍ୟମ ଜରିଆରେ ମୁକାବିଲା କରିବାକୁ ପଡ଼ିବ। ପଞ୍ଚାୟତ ନିର୍ବାଚନର ଏକପାଖିଆ ବିଜୟ ପରେ ପୌର ପାଇଁ କମର କଷୁଛି ବିଜେଡି।
ପ୍ରଚାର ମଇଦାନକୁ ଓହ୍ଲାଇ ପୂର୍ବରୁ ବୁଧବାର ଦିନ ଭର୍ଚୁଆଲ ମାଧ୍ୟମରେ ଦଳୀୟ ସାଂସଦ, ବିଧାୟକ ଓ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କୁ ଏପରି ଟିପ୍ସ ଦେଇଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଠିକ ପଞ୍ଚାୟତ ଭୋଟ ପୂର୍ବରୁ ନବୀନ ନିଜ ବ୍ରିଗେଡ଼ଙ୍କୁ ଏହିଭଳି ଢ଼ଙ୍ଗରେ ସମ୍ବୋଧିତ କରିଥିଲେ।
ଏହାକୁ କାମରେ ଲଗାଇ ପଞ୍ଚାୟତ ବାଜିମାତ ପରେ ସହର ଭୋଟ ପାଇଁ ସମାନ ଫର୍ମୁଲା ଆପଣେଇଛନ୍ତି ବିଜେଡି ମୁଖିଆ। ଓଡ଼ିଶାରେ ମିଛ ଓ ଛଳନାର ରାଜନୀତି ନୁହେଁ ବରଂ ସରକାତ୍ମକ ରାଜନୀତିକୁ ଲୋକେ ଗ୍ରହଣ କରନ୍ତି। ଜଗା ମିଶନ, ପିଇବା ପାଣି ସୁବିଧା,ମିଶନ ଶକ୍ତି ,ଅନଲାଇନ ବ୍ୟବସ୍ଥା,ବସ୍ତିବାସିନ୍ଦାଙ୍କୁ ସୁବିଧା ଭଳି ସହରାଞ୍ଚଳରେ ବିକାଶମୂଳକ କାର୍ଯ୍ୟକୁ ମୁଖ୍ୟ ପ୍ରସଙ୍ଗ କରି ଲୋକଙ୍କ ଅସ୍ଥାଭାଜନ ହେବାକୁ ବ୍ଲୁ ପ୍ରିଣ୍ଟ କରିଛି ଶାସକ ଦଳ।
ମୁଖ୍ୟ ମନ୍ତ୍ରୀଙ୍କ ଦିଗ ଦର୍ଶନକୁ ପାଥେୟ କରି ଦଳ ପାଞ୍ଚୟତ ଦାଖଲ କରିଥିବା ବେଳେ ପୌର ନିର୍ବାଚନ ପାଇଁ ଆକ୍ଟିଭ ଛାମୁଆ ଶିବିର। ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, "ବିଜେଡି ଉପରେ ଲୋକଙ୍କ ଆସ୍ଥା ଅଛି। ପଞ୍ଚୟତ ନିର୍ବାଚନରେ ତାହା ପ୍ରତିଫଳିତ ହୋଇଛି। ପୌର ନିର୍ବାଚନ ବି ଦଳ ପାଇଁ ଚ୍ୟାଲେଞ୍ଜ। ଅନେକ ଆଶାୟୀ ଅଛନ୍ତି। ଠିକଣା ପ୍ରାର୍ଥୀ ଦେଇ ବିଜୟ ଲାଭ କରିବୁ। ବିରୋଧୀ ଗଣମାଧ୍ୟମରେ ଅପ ପ୍ରଚାର କରି ସାଙ୍ଗଠନିକ ଦକ୍ଷତା ବୃଦ୍ଧି ପାଇ ପ୍ରୟାସ କରୁଛନ୍ତି। ମୁଖ୍ୟ ମନ୍ତ୍ରୀଙ୍କ ସ୍ବାସ୍ଥ୍ୟଗତ ସମସ୍ୟା କଥା କହୁଛନ୍ତି। ନିଜକୁ ଦୁର୍ବଳ ବୋଲି ଭାବୁଛନ୍ତି ତେଣୁ ଏପରି କରୁଛନ୍ତି। ସରକାରଙ୍କ ବିକାଶମୂଳକ ଯୋଜନା ଓ ମୁଖ୍ୟ ମନ୍ତ୍ରୀଙ୍କ ଦିଗଦର୍ଶନକୁ ପାଥେୟ କରି ପାଞ୍ଚୟତ ନିର୍ବାଚନ ଜିତିଥିଲୁ। ପୌରରେ ବି ସମାନ ଏଜେଣ୍ଡା ରହିବ। ପଞ୍ଚୟତ ନିର୍ବାଚନ ପରି ପୌରରେ ସଫଳତା ପାଇବୁ ବୋଲି ଆଶା ରହିଛି। ସହର ଲୋକ ଶିକ୍ଷିତ, ସେମାନେ ଭଲ କାମକୁ ପସନ୍ଦ କରିବେ। ବିରୋଧୀଙ୍କ ଭାଷଣ ଭାଷଣରେ ରହିଯିବ।’’
ପଞ୍ଚୟତରେ ବିରୋଧୀଙ୍କୁ ଶକ୍ତ ଝଟକା ଲାଗିଥିଲେ ବି ତ୍ରୁଟି ସୁଧାରି ମଇଦାନକୁ ଓହ୍ଲାଇଇବାକୁ ପ୍ରସ୍ତୁତି କଲେଣି। ସହର ଭୋଟ ନିଜ ସପକ୍ଷରେ ଯିବ ଆଶାବାଦୀ ଦୁଇ ବିରୋଧୀ। ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀଭିରାଜ ହରିଚନ୍ଦନ କହିଛନ୍ତି ଯେ ରାଜ୍ୟରେ ମହିଳା ସୁରକ୍ଷିତ ନୁହଁନ୍ତି, ଅନେକ ଇତିହାସ ରହିଛି। ଏହା କଣ ଅପ ପ୍ରଚାର। ଯୁବକମାନେ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି। ସତ କହି ଲୋକଙ୍କ ଦୁଃଖକୁ ସାମ୍ନାକୁ ଆଣିବା ଯଦି ଅପ ପ୍ରଚାର ଆମେ ଅପପ୍ରଚାର କରିବୁ। ମୁଖ୍ୟ ମନ୍ତ୍ରୀଙ୍କୁ ଲୋକେ ଯେଉଁ ଦାୟତ୍ବ ଦେଇଛନ୍ତି ରାଜ୍ୟର ସେବା କରିବାକୁ ମୁଖ୍ୟ ମନ୍ତ୍ରୀ ତାହା କରୁଛନ୍ତି ନା ନିଜ ଦଳର ସେବା କରୁଛନ୍ତି ସ୍ପଷ୍ଟ କରନ୍ତୁ।’’
ସେହିପରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି,"ଟଙ୍କା ଦେଇ ନିର୍ବାଚନ ଲଢୁଛନ୍ତି, ରାଜସ୍ବ ୩୦ ପତିଶତ ବଢ଼ିଥିଲେ ମଧ୍ୟ ରାଜ୍ୟର ବିକାଶ ନାହିଁ। କୃଷି, ଶିଳ୍ପ, ନିଯୁକ୍ତି ସବୁଥିରେ ନୈରାଶ୍ୟଜନକ ସ୍ଥିତି। ତାକୁ ଯଦି ମୁଖ୍ୟ ମନ୍ତ୍ରୀ ଅପ ପ୍ରଚାର କହିବେ ତାହେଲେ ଆମେ ଲାଚାର।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।