News18 Odia Digital
ଭୁବନେଶ୍ବର: ମନୋଜ କିଶୋର ସାହିତ୍ୟ ପ୍ରତିଭା ପୁରସ୍କାର ପରିମାଣ ୨ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ନୂଆ ନିଷ୍ପତ୍ତି ଅନୁଯାୟୀ ଉଭୟ ଇଂରାଜୀ ଓ ଓଡ଼ିଆରେ ଗଳ୍ପ ବିଭାଗରେ ରାଜ୍ୟସ୍ତରରେ ପ୍ରଥମ ବିବେଚିତ ଛାତ୍ରଛାତ୍ରୀମାନଙ୍କୁ ୩୦ ହଜାର ଟଙ୍କା, ଦ୍ବିତୀୟ ବିବେଚିତ ଛାତ୍ରଛାତ୍ରୀ ମାନଙ୍କୁ ୨୦ ହଜାର ଟଙ୍କା ଓ ତୃତୀୟ ବିବେଚିତ ଛାତ୍ରଛାତ୍ରୀଙ୍କୁ ୧୦ ହଜାର ଟଙ୍କାର ଆର୍ଥିକ ପୁରସ୍କାର ଦିଆଯିବା ସହ ମନୋଜ ଦାସଙ୍କ ପୁସ୍ତକ, ତୈଳଚିତ୍ର, ଅଙ୍ଗବସ୍ତ୍ର ଓ ତାମ୍ରଫଳକ ପ୍ରଦାନ କରାଯିବ।
ପ୍ରଥମ ସ୍ଥାନ ପାଇଁ ପ୍ରତ୍ୟେକ ବିଭାଗରେ ଜଣଙ୍କୁ, ଦ୍ବିତୀୟ ସ୍ଥାନ ପାଇଁ ପ୍ରତ୍ୟେକ ବିଭାଗରେ ଦୁଇ ଜଣଙ୍କୁ ଓ ତୃତୀୟ ସ୍ଥାନ ପାଇଁ ପ୍ରତ୍ୟେକ ବିଭାଗରେ ତିନି ଜଣଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ଏଥିନିମନ୍ତେ ପ୍ରତିବର୍ଷ ୨ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରାଯିବ।
ଯଶସ୍ବୀ ସାରସ୍ବତ ସାଧକ ସ୍ବର୍ଗତ ମନୋଜ ଦାସଙ୍କର ସ୍ମୃତିରେ ‘ମନୋଜ ଦାସ ଆନ୍ତର୍ଜାତୀୟ ସାହିତ୍ୟ ପୁରସ୍କାର’ ପ୍ରଦାନ କରାଯିବ ବୋଲି ୨୦୨୧ ମେ ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ଏହାର ନିୟମାବଳୀ ମଧ୍ୟ ପ୍ରକାଶିତ ହୋଇଥିଲା। ତେବେ ବିଭିନ୍ନ ସ୍ତରରେ ସାହିତ୍ୟିକ ଓ ବିଶିଷ୍ଟ ବ୍ୟକ୍ତିଙ୍କର ମତାମତ ସଂଗ୍ରହ କରାଯାଇ ଏହି ପୁରସ୍କାରରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି।
ଇଂରାଜୀ ଭାଷାରେ ସୃଜନାତ୍ମକ ସାହିତ୍ୟ ସୃଷ୍ଟି କରୁଥିବା ଓଡ଼ିଆ ସାହିତ୍ୟିକମାନଙ୍କୁ ଆନ୍ତର୍ଜାତୀୟ ପୁରସ୍କାର ରାଶି ବାବଦକୁ ୧୦ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଥିଲା। ନୂଆ ନିଷ୍ପତ୍ତି ଅନୁଯାୟୀ ଇଂରାଜୀ ଭାଷାରେ ସୃଜନାତ୍ମକ ସାହିତ୍ୟ ସୃଷ୍ଟି କରୁଥିବା ଭାରତୀୟ ସାହିତ୍ୟିକମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ସେହିପରି ଯୁବପିଢ଼ି ମଧ୍ୟରେ ଉଭୟ ଇଂରାଜୀ ଓ ଓଡ଼ିଆ ସାହିତ୍ୟ ପ୍ରତି ଆଗ୍ରହ ସୃଷ୍ଟି ନିମନ୍ତେ ପ୍ରତିବର୍ଷ ହାଇସ୍କୁଲ ସ୍ତରରେ ଇଂରାଜୀ ଓ ସାହିତ୍ୟରେ ମୌଳିକ ରଚନା ପାଇଁ ‘ମନୋଜ-କିଶୋର ସାହିତ୍ୟ ପ୍ରତିଭା ସମ୍ମାନ’ ପ୍ରଦାନ କରାଯିବା ପାଇଁ ନିଷ୍ପତ୍ତି ହୋଇଥିଲା।
ଏଥିନିମନ୍ତେ ଉଭୟ ଓଡ଼ିଆ ଓ ଇରାଜୀ ଭାଷାରେ ଗୋଟିଏ ଗୋଟିଏ ପୁରସ୍କାର ପ୍ରଦାନ କରାଯିବ ଓ ପୁରସ୍କାର ବାବଦରେ ଏକ ଲଷ ଟଙ୍କା ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ସେହିପରି ମନୋଜ ଦାସଙ୍କ ପରିବାର ସଦସ୍ୟ ମାନଙ୍କ ପ୍ରସ୍ତାବ କ୍ରମେ ରାଜ୍ୟ ସରକାର ତାଙ୍କର ଜନ୍ମସ୍ଥାନ ବାଲେଶ୍ବର ଜିଲ୍ଲା ଶଂଖାରୀ ଗ୍ରାମରେ ଥିବା ତାଙ୍କର ପୈତୃକ ବାସଭବନକୁ ହାତକୁ ନେବେ ଓ ତାହାକୁ ପ୍ରଥିତଯଶା ଭାତୃଦ୍ବୟ ପ୍ରଫେସର ମନ୍ମଥ ନାଥ ଦାସ ଓ ମନୋଜ ଦାସ, ଏହି ଦୁଇ ଭାଇଙ୍କ ନାମରେ ‘ମନ୍ମଥ-ମନୋଜ ସ୍ମାରକୀ’ ଭାବରେ ଘୋଷଣା କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା।
ସେଠାରେ ଉଭୟ ମନ୍ମଥ ନାଥ ଦାସ ଓ ମନୋଜ ଦାସଙ୍କ ଦ୍ବାରା ଇତିହାସ ଓ ସାହିତ୍ୟ ଉପରେ ଲିଖିତ ସମସ୍ତ ପୁସ୍ତକକୁ ରଖାଯାଇ ଏକ ଲାଇବ୍ରେରୀ ମଧ୍ୟ ସ୍ଥାପନ କରାଯିବ ଓ ବାସଭବନ ପରିସରରେ ଥିବା ମନ୍ଦିରର ସଂରକ୍ଷଣ ମଧ୍ୟ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ଏଥିପାଇଁ ତାଙ୍କ ପରିବାର ତରଫରୁ ଆବଶ୍ୟକ ପୈତୃକ ଜମି ଓ ଘର ହସ୍ତାନ୍ତର ପ୍ରକ୍ରିୟା ଜାରି ରହିଛି। ଏହି ପ୍ରକ୍ରିୟାକୁ ତ୍ବରାନ୍ବିତ କରି ଖୁବ୍ ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।