ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଓ.ଏସ୍.ଆଇ.ଟି.ସି.ର ଶତାଧିକ ନୂଆ ବସ ସହ ମୋ ବସର ଅତ୍ୟାଧୁନିକ ୨ଟି ଡ଼ିପୋ ଉଦଘାଟନ କଲେ CM ନବୀନ

ଓ.ଏସ୍.ଆଇ.ଟି.ସି.ର ଶତାଧିକ ନୂଆ ବସ ସହ ମୋ ବସର ଅତ୍ୟାଧୁନିକ ୨ଟି ଡ଼ିପୋ ଉଦଘାଟନ କଲେ CM ନବୀନ

ଏହି ବସ୍ ଗୁଡିକ ଆନ୍ତଃରାଜ୍ୟ ବସ୍‌ ପରିବହନରେ ମଧ୍ୟ ନିୟୋଜିତ ହେବ। ସୂଚନାଯୋଗ୍ୟ ଯେ ନିଗମ ପକ୍ଷରୁ ଚଳାଚଳ କରିବାକୁ ଥିବା ୧୮୦ଟି ନୂଆ ବସ୍‌ ମଧ୍ୟରୁ ଶୁକ୍ରବାର ୧୧୦ଟିର ଶୁଭାରମ୍ଭ ହୋଇଥିବା ବେଳେ, ଆଉ ୭୦ଟି ବସ୍‌ ଖୁବ୍ ଶୀଘ୍ର ଚଳାଚଳ କରିବ।

ଓ.ଏସ୍.ଆଇ.ଟି.ସି.ର ଶତାଧିକ ନୂଆ ବସ ସହ ମୋ ବସର ଅତ୍ୟାଧୁନିକ ୨ଟି ଡ଼ିପୋ ଉଦଘାଟନ କଲେ CM ନବୀନ
ବସର ଅତ୍ୟାଧୁନିକ ୨ଟି ଡ଼ିପୋ ଉଦଘାଟନ କଲେ CM ନବୀନ
  • News18 Odia
  • Last Updated: September 4, 2021, 12:29 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ଶୁକ୍ରବାର ରାଜଧାନୀ ଏ.ଜି. ଛକରେ ଥିବା ଓ.ଏସ୍.ଆଇ.ଟି.ସି.ର ମୁଖ୍ୟ କାର୍ଯ୍ୟାଳୟରୁ ୧୧୦ଟି ନୂଆ ଅତ୍ୟାଧୁନିକ ବସର ଯାତ୍ରା ଶୁଭାରମ୍ଭ କରିଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ। ଯାତ୍ରୀମାନଙ୍କୁ ଆରାମଦାୟକ ଅନୁଭୂତି ପ୍ରଦାନ କରିବା ପାଇଁ ଏଥିରେ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ସଂଯୁକ୍ତ କରାଯାଇଛି। ପତାକା ଦେଖାଇ ବସ ଯାତ୍ରାର ଶୁଭାରମ୍ଭ କରିଛନ୍ତି ମୁଖ୍ୟ ମନ୍ତ୍ରୀ।

ସୁରକ୍ଷା ପାଇଁ ସି.ସି. ଟିଭି କ୍ୟାମେରା, ଆରାମଦାୟକ ସିଟ୍, ଆପତ୍ତିକାଳୀନ ବଟମ୍, ଭେହିକିଲ ଟ୍ରାକିଂ ସିଷ୍ଟମ, ଅଗ୍ନି ନିର୍ବାପକ ବ୍ୟବସ୍ଥା, ବସ୍‌ ମଧ୍ୟରେ ଯାତ୍ରୀ ମାନଙ୍କୁ ବିଭିନ୍ନ ସୂଚନା ପ୍ରଦାନ ନିମନ୍ତେ system ITMS ଭଳି ବିଭିନ୍ନ ବୈଷୟିକ ଜ୍ଞାନକୌଶଳଯୁକ୍ତ ସୁବିଧା ରହିଛି ।

ଏହି ବସ୍ ଗୁଡିକ ଆନ୍ତଃରାଜ୍ୟ ବସ୍‌ ପରିବହନରେ ମଧ୍ୟ ନିୟୋଜିତ ହେବ। ସୂଚନାଯୋଗ୍ୟ ଯେ ନିଗମ ପକ୍ଷରୁ ଚଳାଚଳ କରିବାକୁ ଥିବା ୧୮୦ଟି ନୂଆ ବସ୍‌ ମଧ୍ୟରୁ ଶୁକ୍ରବାର ୧୧୦ଟିର ଶୁଭାରମ୍ଭ ହୋଇଥିବା ବେଳେ, ଆଉ ୭୦ଟି ବସ୍‌ ଖୁବ୍ ଶୀଘ୍ର ଚଳାଚଳ କରିବ।

ଓ.ଏସ୍.ଆଇ.ଟି.ସି.ର ଶତାଧିକ ନୂଆ ବସର ଶୁଭାରମ୍ଭ


ବର୍ତ୍ତମାନ ଓ.ଏସ୍.ଆଇ.ଟି.ସି ପକ୍ଷରୁ ୨୮ଟି ଜିଲ୍ଲାରେ ତଥା ୪୩ଟି ଆନ୍ତଃରାଜ୍ୟ ମାର୍ଗରେ ୩୯୮ଟି ବସ୍‌ ଆନ୍ଧ୍ର ପ୍ରଦେଶ, ପଶ୍ଚିମ ବଙ୍ଗ, ଝାଡ଼ଖଣ୍ଡ ଓ ଛତିଶଗଡକୁ ସଂଯୋଗ କରୁଛି । ଶୁକ୍ରବାର ଯାତ୍ରା ଆରମ୍ଭ କରିଥିବା ୧୧୦ଟି ବସ୍‌ ଗୁଡିକ ଭଲ୍‌ବୋ, ଏସି ଅଲଟ୍ରା ଡିଲକ୍ସ, ନନ-ଏସି ଡିଲକ୍ସ ତଥା ନନ-ଏସି ହାଇ କମ୍ପର୍ଟ ବସ ରହିଛି ।

"ନୂଆ ବସ୍‌ ଗୁଡ଼ିକ ଓଡ଼ିଶାର ଜନସାଧାରଣଙ୍କ ଯାତାୟତ ତଥା ପରିବହନ କ୍ଷେତ୍ରରେ ସହାୟକ ହେବ । କେବଳ ଲୋକଙ୍କ ଯାତାୟତରେ ସହାୟକ ହେବ ତାହା ନୁହେଁ ବରଂ ଏଥିରେ ଥିବା ଅନେକ ଅତ୍ୟାଧୁନିକ ସେବା ଗୁଡ଼ିକ ଯାତ୍ରୀଙ୍କୁ ଏକ ନୂଆ ଅନୁଭୂତି ଆଣିଦେବ,’’ କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

ପରେ ମୁଖ୍ୟ ମନ୍ତ୍ରୀ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ନିକଟରେ ଓ.ଟି.ଡ଼ି.ସି ପକ୍ଷରୁ ନିର୍ମିତ ରେଷ୍ଟୁରାଣ୍ଟ ନିମନ୍ତ୍ରଣର ଶୁଭ ଉଦ୍‌ଘାଟନ କରିଥିଲେ। ଓ.ଟି.ଡ଼ି.ସିର ୪୨ତମ ପ୍ରତିଷ୍ଠା ଦିବସ ଅବସରରେ ଉଦ୍‌ଘାଟିତ ଏହି ରେଷ୍ଟୁରାଣ୍ଟରେ ଖାଣ୍ଟି ଓଡ଼ିଆ ବ୍ୟଞ୍ଜନ ଉପଲବ୍‌ଧ ହେବ।

"ଓଡ଼ିଆ ଖାଦ୍ୟକୁ ଲୋକପ୍ରିୟ କରି ବ୍ୟଞ୍ଜନ ପର୍ଯ୍ୟଟନର ବିକାଶରେ ଏହା ସହାୟକ ହେବ। ଓ.ଟି.ଡ଼ି.ସିର ନିମନ୍ତ୍ରଣ ରେଷ୍ଟୁରାଣ୍ଟ ଶୃଙ୍ଖଳରେ ଏହା ହେଉଛି ପ୍ରଥମ ଓ ପରବର୍ତ୍ତୀ ପର୍ଯ୍ୟାୟରେ ପୁରୀ ଓ ସମ୍ବଲପୁରରେ ମଧ୍ୟ ଏଭଳି ରେଷ୍ଟରାଣ୍ଟ ଖୋଲାଯିବ,’’ କହିଥିଲେ ଓ.ଟି.ଡ଼ି.ସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ।

ଓ.ଟି.ଡ଼ି.ସି ପକ୍ଷରୁ ନିର୍ମିତ ରେଷ୍ଟୁରାଣ୍ଟ ନିମନ୍ତ୍ରଣର ଶୁଭ ଉଦ୍‌ଘାଟନ


ଖାଲି ଏତିକି ନୁହେଁ ଏହା ପରେ ମୁଖ୍ୟ ମନ୍ତ୍ରୀ ପଟିଆ ଯାଇ ପଟିଆ ଓ ଭଗବାନପୁର ଠାରେ ମୋ ବସ୍ର ଦୁଇଟି ଡିପୋ ଉଦ୍‌ଘାଟନ କରିଥିଲେ । ଏହି ଅତ୍ୟାଧୁନିକ ଡିପୋ ଦୁଇଟିରେ ମେସିନ୍‌ ଜରିଆରେ ବସ୍ ପରିଷ୍କାର କରିବା ସହିତ ବସ୍ ଗୁଡ଼ିକରେ ତେଲ ପକାଇବାର ସୁବିଧା ମଧ୍ୟ କରାଯାଇଛି । ସେହି ପରି ପୋଖରୀପୁଟ ଠାରେ ରାଜ୍ୟ ସାମାଜିକ ସୁରକ୍ଷା, ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ନବନିର୍ମିତ ଭିନ୍ନକ୍ଷମ ସଶକ୍ତିକରଣ ପ୍ରତିଷ୍ଠାନର ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ୧୯ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରତିଷ୍ଠାନରେ ସମସ୍ତ ପ୍ରକାର ଅକ୍ଷମତାର ପରୀକ୍ଷା, ଚିକିତ୍ସା, ଗତିଶୀଳତାର ତାଲିମ, ପ୍ରାକ୍‌ ବିଦ୍ୟାଳୟ ଶିକ୍ଷା, ଚିତ୍ରକଳା, ନୃତ୍ୟଗୀତ ତାଲିମ ତଥା ବୃତ୍ତିଗତ ଶିକ୍ଷା ଓ ବିଭିନ୍ନ ପ୍ରକାର ପରାମର୍ଶର ବନ୍ଦୋବସ୍ତ କରାଯାଇଛି।

ଏହି ପ୍ରତିଷ୍ଠାନରେ ୧୮ ବର୍ଷ ବୟସ ପର୍ଯ୍ୟନ୍ତ ୧୦୦ ଜଣ ଭିନ୍ନକ୍ଷମ ପିଲାଙ୍କର ରହଣୀର ସୁବନ୍ଦୋବସ୍ତ କରାଯାଇଛି । ଏଠାରେ ପିଲାମାନଙ୍କର ଅଭିଭାବକ ମଧ୍ୟ ପିଲାମାନଙ୍କ ସହିତ ରହି ଚିକିତ୍ସା କରାଇ ପାରିବେ । କେନ୍ଦ୍ରରେ ଉନ୍ନତମାନର ଯନ୍ତ୍ରପାତିର ସୁବିଧା ମଧ୍ୟ କରାଯାଇଛି ।

୧୧୦ଟି ନୂଆ ଅତ୍ୟାଧୁନିକ ବସର ଯାତ୍ରା ଶୁଭାରମ୍ଭ କରିଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ


କାର୍ଯ୍ୟକ୍ରମରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ଆଇନ ମନ୍ତ୍ରୀ ପ୍ରତାପ ଜେନା, ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ସୁଷାନ୍ତ ରାଉତ, ଓ.ଟି.ଡି.ସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଓ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ଶାସନ ସଚିବ ଉପସ୍ଥିତ ଥିଲେ।
Published by: Lipina Das
First published: September 4, 2021, 12:29 PM IST