News18 Odia Digital
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ଦ୍ବିତୀୟ ପର୍ଯ୍ୟାୟର ଷଷ୍ଠ ତଥା ଶେଷ ଦିବସରେ ୫ଟି ଜିଲ୍ଲାର ୪୧୬ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି। ଏହାଦ୍ବାରା ଦୁଇଟି ପର୍ଯ୍ୟାୟରେ ସମୁଦାୟ ୩୯୭୮ଟି ସ୍କୁଲ ରୂପାନ୍ତରିତ ହୋଇଛି।
ପ୍ରଥମ ପର୍ଯ୍ୟାୟରେ ୧୦୭୫ଟି ସ୍କୁଲ ରୂପାନ୍ତରିତ ହୋଇଥିବା ବେଳେ, ଦ୍ବିତୀୟ ପର୍ଯ୍ୟାୟରେ ୨୯୦୬ଟି ସ୍କୁଲର ରୂପାନ୍ତରଣ ହୋଇଛି। ଏହି ଅବସରରେ ପିଲାମାନଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍କୁଲ ରୂପାନ୍ତରଣ କେବଳ ସ୍କୁଲର କାୟିକ ପରିବର୍ତ୍ତନ ନୁହେଁ। ଏହା ପିଲାମାନଙ୍କର ମାନସିକ ସ୍ତରରେ ବିରାଟ ପରିବର୍ତ୍ତନ ଆଣିପାରିଛି।
ପିଲାଙ୍କ ଆତ୍ମବିଶ୍ବାସ ବୃଦ୍ଧି ପାଇଛି। ଭବିଷ୍ୟତରେ ସେମାନେ ସଫଳ ହେବା ସହିତ ଓଡ଼ିଶାର ରୂପାନ୍ତରରେ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରଖିପାରିବେ ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ। ସ୍କୁଲ ରୂପାନ୍ତର ବାସ୍ତବରେ ଓଡ଼ିଶାର ଭବିଷ୍ୟତର ରୂପାନ୍ତର ପାଇଁ ମୂଳଦୁଆ ପକାଇଛି ବୋଲି ସେ କହିଥିଲେ। ପିଲାଙ୍କ ଭିତରେ ସେ ଓଡ଼ିଶାର ଭବିଷ୍ୟତ ଝଲକ ଦେଖିପାରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ସେହିପରି ପିଲାମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରି ଅତ୍ୟନ୍ତ ଉତ୍ସାହର ସହିତ ନିଜ ଭବିଷ୍ୟତର ସ୍ବପ୍ନକୁ ଉପସ୍ଥାପିତ କରିଥିଲେ। ସେମାନଙ୍କ ଭିତରେ ଆତ୍ମବିଶ୍ବାସ ଝରି ଉଠୁଥିଲା। ସେମାନେ କହିଥିଲେ ଯେ ଉନ୍ନତ ସୁବିଧା ସହିତ ମାଗଣା ବିଜୁଳି ଓ ଇଣ୍ଟରନେଟ୍ ସୁବିଧା ଯୋଗୁଁ, ଯେ କୌଣସି ବିଷୟରେ ସେମାନେ ତୁରନ୍ତ ଆବଶ୍ୟକୀୟ ତଥ୍ୟ ବା ଜ୍ଞାନ ପାଇପାରୁଛନ୍ତି। ସାରା ବିଶ୍ବର ଜ୍ଞାନ ଏବେ ସେମାନଙ୍କ ହାତ ମୁଠାରେ। ତେଣୁ ରୂପାନ୍ତର ଯୋଗୁ ଏବେ ସ୍କୁଲ ସେମାନଙ୍କ ପାଇଁ ପ୍ରକୃତରେ ଏକ ଜ୍ଞାନ ମନ୍ଦିର ହୋଇପାରିଛି ବୋଲି ସମସ୍ତେ କହିଛନ୍ତି। ସେମାନଙ୍କ ସ୍କୁଲ ଏବେ ଉତ୍କର୍ଷର କେନ୍ଦ୍ର ହୋଇଛି ବୋଲି ପିଲାମାନେ ମତ ରଖିଥିଲେ।
ଏହି ଅବସରରେ ଆଲୋଚନାରେ ଭାଗ ନେଇ କୋରାପୁଟରୁ ନିବେଦିତା, ଗଜପତିରୁ ରେଶମା, ସମ୍ବଲପୁରରୁ ଆକୃତି ବଲାଙ୍ଗୀରରୁ ଅଞ୍ଜନେୟ ଓ ଯାଜପୁରରୁ ମନୀଷା ଆଦି ଛାତ୍ରଛାତ୍ରୀ ସେମାନଙ୍କ ବ୍ୟକ୍ତବ୍ୟରେ ସ୍କୁଲ ରୂପାନ୍ତର ବିଷୟରେ ସେମାନଙ୍କ ଅନୁଭବ ବର୍ଣ୍ଣନା କରିଥିଲେ।
ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା କୋରାପୁଟ ଜିଲ୍ଲାର ୯୫ଟି ହାଇସ୍କୁଲ, ଗଜପତିର ୩୧ଟି, ସମ୍ବଲପୁରର ୪୦ଟି, ବଲାଙ୍ଗୀରର ୧୦୦ଟି ଓ ଯାଜପୁରର ୧୫୦ଟି ହାଇସ୍କୁଲ ଲୋକାର୍ପିତ ହୋଇଛି।
ଏହା ସହିତ ଦ୍ଵିତୀୟ ପର୍ଯ୍ୟାୟ ସ୍କୁଲ ରୂପାନ୍ତର ଶେଷ ହୋଇଛି। ଏହି ଅବସରରେ ପିଲାମାନଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ସ୍କୁଲ ଆଜି ଯେଉଁ ନୂଆ ରୂପ ନେଇଛି, ତାହା ପିଲାମାନଙ୍କ ଭିତରେ ଆନନ୍ଦ ଓ ଉତ୍ସାହ ଭରି ଦେଇଛି। ରୂପାନ୍ତର ସେମାନଙ୍କ ମାନସିକ ସ୍ତରରେ ମଧ୍ୟ ପରିବର୍ତ୍ତନ ଆଣିଛି। ସେମାନେ ଆଗ ଅପେକ୍ଷା ଅଧିକ ଆତ୍ମବିଶ୍ବାସର ସହ ନୂଆ ଆଶା ଓ ସଂକଳ୍ପ ନେଇ ଆଗକୁ ବଢୁଛନ୍ତି। ଏହା ଓଡ଼ିଶାର ଭବିଷ୍ୟତ ପାଇଁ ଏକ ଶୁଭ ସଙ୍କେତ ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ। ସ୍କୁଲ ସମୟ ଜୀବନର ଶ୍ରେଷ୍ଠ ସମୟ ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏ ରୂପାନ୍ତର ଆମର ପିଲାମାନଙ୍କୁ ଶ୍ରେଷ୍ଠ କରି ଗଢ଼ି ତୋଳିବା ପାଇଁ ସୁଯୋଗ ସୃଷ୍ଟି କରିଛି।
ପ୍ରତ୍ୟେକ ପିଲା ସ୍ବତନ୍ତ୍ର ଓ ତା ଭିତରେ ଭରି ରହିଛି ବିପୁଳ ସମ୍ଭାବନା। ପିଲାଙ୍କ ଆଖିରେ ଥାଏ ସୁନ୍ଦର ଭବିଷ୍ୟତର ସ୍ବପ୍ନ। ଜୀବନରେ କିଛି ବଡ଼ କରିବାର ସ୍ବପ୍ନ। ସ୍କୁଲ ରୂପାନ୍ତର ପିଲାମାନଙ୍କ ଏ ସ୍ବପ୍ନରେ ଡେଣା ଯୋଡିପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହା ପିଲାମାନଙ୍କ ପାଇଁ ନୂଆ ସୁଯୋଗ ଆଣିଛି। ତେଣୁ ଆତ୍ମବିଶ୍ୱାସର ସହ ଆଗକୁ ବଢ଼ିବାକୁ ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ। ପିଲାମାନଙ୍କ ସ୍ବପ୍ନ ସାକାର ହେଲେ, ନୂଆ ଓଡ଼ିଶାର ଲକ୍ଷ୍ୟ ପୂରଣ ହେବ ଓ ନୂଆ ଓଡ଼ିଶା ଗଠନର ଭିତ୍ତି ସ୍ଥାପିତ ହେବ।
ଶିକ୍ଷା ହିଁ ଜୀବନରେ ସବୁଠାରୁ ବଡ଼ ରୂପାନ୍ତର ଆଣିଥାଏ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜୀବନର ଏ ଗୁରୁତ୍ବପୂର୍ଣ୍ଣ ସମୟକୁ ଠିକ୍ ଭାବରେ ଉପଯୋଗ କର ଓ ନିଜ ପାଇଁ, ନିଜ ପରିବାର ପାଇଁ ଓ ପ୍ରିୟ ଓଡ଼ିଶା ପାଇଁ ନୂଆ ପରିଚୟ ସୃଷ୍ଟି କର। ପିଲାମାନଙ୍କୁ ୫-ଟି ମହତ୍ତ୍ବ ବିଷୟରେ ବୁଝାଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଟେକ୍ନୋଲୋଜି, ଟିମୱାର୍କ, ଟାଇମ ବା ସମୟ ଓ ଟ୍ରାନ୍ସପେରେନ୍ସି ବା ସ୍ବଚ୍ଛତାର ପ୍ରୟୋଗରେ ଆସେ ରୂପାନ୍ତର।
ଟେକ୍ନୋଲୋଜି ଦ୍ବାରା ସେମାନଙ୍କ ସ୍କୁଲରେ ସ୍ମାର୍ଟ କ୍ଲାସ ରୁମ୍, ଇ-ଲାଇବ୍ରେରୀ, କମ୍ପ୍ୟୁଟର, ଆଧୁନିକ ପରୀକ୍ଷାଗାର ଆଦିର ବ୍ୟବସ୍ଥା ହେବା ସହିତ ଭଲ ପିଇବା ପାଣି ଓ ଉତ୍ତମ ପରିମଳ ବ୍ୟବସ୍ଥାର ସୁବିଧା କରାଗଲା। ସେହିପରି ଟିମ୍ୱାର୍କରେ ପଞ୍ଚାୟତ ପ୍ରତିନିଧି, ସ୍କୁଲ ପରିଚାଳନା କମିଟି, ଶିକ୍ଷକ, ପୁରାତନ ଛାତ୍ର ଓ ପ୍ରଶାସନ ଆଦି ସମସ୍ତେ ମିଳିମିଶି ଏ ରୂପାନ୍ତର କାମରେ ସାମିଲ ହୋଇଛନ୍ତି।
ସେହିପରି ଟାଇମ ବା ସମୟକୁ ଗୁରୁତ୍ବ ଦିଆଯାଇ ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ ଠିକ୍ ସମୟରେ କାର୍ଯ୍ୟ ଶେଷ ହୋଇଛି। ସେହିପରି ଟ୍ରାନ୍ସପେରେନ୍ସି ବା ସ୍ବଚ୍ଛତାର ପ୍ରୟୋଗ କରାଯାଇ ସବୁ କାମ ସମସ୍ତଙ୍କ ସହ ଆଲୋଚନା କରି କରାଯାଇଛି। ଭିଜନ ଡକ୍ୟୁମେଣ୍ଟ ଠାରୁ ଆରମ୍ଭ କରି କାମ ତଦାରଖ ପର୍ଯ୍ୟନ୍ତ ସମସ୍ତଙ୍କ ଜ୍ଞାତସାରରେ ସବୁ କାର୍ଯ୍ୟ ହୋଇଛି। ଏହି ସ୍ବଚ୍ଛତା ହେଉଛି ୫-ଟି କାର୍ଯ୍ୟକ୍ରମର ବଡ଼ ଶକ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏସବୁ ମିଶି ରୂପାନ୍ତର ଆସିଛି ବୋଲି ସେ ମତବ୍ୟକ୍ତ କରିଥିଲେ। ଏ ରୂପାନ୍ତର ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ସ୍କୁଲ ମ୍ୟାନେଜମେଣ୍ଟ କମିଟି, ପଞ୍ଚାୟତ ପ୍ରତିନିଧି, ପୁରାତନ ଛାତ୍ର ସଂସଦ, ଶିକ୍ଷକ ଶିକ୍ଷୟତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।
ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ମନ୍ତ୍ରୀ ଟୁକୁନି ସାହୁ, ମନ୍ତ୍ରୀ ରୋହିତ ପୂଜାରୀ, ବିଧାୟକ ଅମର ପ୍ରସାଦ ଶତପଥୀ, ବିଧାୟକ ରଘୁରାମ ପଡଲ ଓ ଜିଲ୍ଲା ପରିଷଦ ସଭାପତି ଜି. ତିରୁପତି ରାଓ ପ୍ରମୁଖ ଉଦବୋଧନ ଦେଇ ସ୍କୁଲ ମାନଙ୍କର ଅନୁକୂଳ ପରିବେଶ ପିଲା ଓ ଅଭିଭାବକ ମାନଙ୍କ ଭିତରେ ଭରସା ସୃଷ୍ଟି କରିଛନ୍ତି।
କାର୍ଯ୍ୟକ୍ରମ ପରିଚାଳନା କରି ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ ପାଣ୍ଡିଆନ କହିଥିଲେ ଯେ ଦୁଇଟି ପର୍ଯ୍ୟାୟରେ ୩୯୮୧ଟି ହାଇସ୍କୁଲ ରୂପାନ୍ତରଣ ଶେଷ ହୋଇଛି। କୋଭିଡ ଓ ପଞ୍ଚାୟତ ନିର୍ବାଚନ ପରି ଆହ୍ୱାନ ମୂଳକ ସମୟ ସତ୍ତ୍ବେ ଏହା ସଫଳ ହୋଇ ଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଉନ୍ନୟନ କମିସନର ପ୍ରଦୀପ ଜେନା ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ସ୍ବାଗତ ଭାଷଣ ଦେଇଥିଲେ ଓ ଓସେପାର ପ୍ରକଳ୍ପ ନିର୍ଦ୍ଦେଶକ ଧନ୍ୟବାଦ ଦେଇଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।