ନବୀନ ପଟ୍ଟନାୟକ (ପ୍ରତୀକାତ୍ମକ ଛବି) News18 Odia Digital
୨୦ ତାରିଖରୁ ବିଦେଶ ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ଇଟାଲୀ ଗସ୍ତ ଶେଷ କରି ରବିବାର ରାତିରେ ଦୁବାଇରେ ପହଞ୍ଚିଛନ୍ତି । ସେଠାରେ ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ଆୟୋଜନ ହୋଇଛି। ଆସନ୍ତା ୨୯ ତାରିଖରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମଧ୍ୟପ୍ରାଚ୍ୟର ପୁଞ୍ଜି ନିବେଶକାରୀଙ୍କ ସହ ସିଧାସଳଖ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଆଲୋଚନା ସମୟରେ ଖାଦ୍ୟ ପ୍ରକ୍ରିୟାକରଣ, ପର୍ଯ୍ୟଟନ, ପେଟ୍ରୋକେମିକାଲ, ପେଟ୍ରୋଲିୟମ ସେକ୍ଟର ଓ ଡାଉନ୍ଷ୍ଟ୍ରିମ୍ ଇଣ୍ଡଷ୍ଟ୍ରୀ ଉପରେ ଫୋକସ କରାଯିବାର ସ୍ଥିର କରାଯାଇଛି ।
ଏହା ପୂର୍ବରୁ ସେ ଆବୁଧାବିର ଶେଖଜୈଦ ମସଜିଦ ପରିଦର୍ଶନ କରିଛନ୍ତି। ସେଠାକାର ମାର୍ବଲ ଗମ୍ବୁଜ, ଆବୁଧାବି ମୋଗଲ ସ୍ଥାପତ୍ୟ ଦ୍ୱାରା ଅନୁପ୍ରାଣିତ ଜଟିଳ ଇନଲେ କାମ ସହିତ ଚମତ୍କାରତା ବାବଦରେ ବଖାଣିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ କାରିଗର ଓ ମାର୍ବଲ ମଧ୍ୟ ରାଜସ୍ଥାନର ମାକ୍ରାନା ଗାଁରୁ ଆସିଥିଲେ। ସବୁଆଡ଼େ ଭାରତର ଟିକିଏ ସ୍ପର୍ଶ ରହିଛି ବୋଲି ମୁଖ୍ୟମନ୍ତ୍ରୀ ସୋସିଆଲ ସାଇଟରେ ପ୍ରକାଶ କରିଛନ୍ତି।
ଦୁବାଇର ହୋଟେଲ୍ ଓବରାଇରେ ହେବାକୁଥିବା ପୁଞ୍ଜିତିଙ୍କ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟ ଶାସନ ସଚିବ, ଶିଳ୍ପ ସଚିବ, ଯୋଗାଣ ସଚିବ, ଆବାସିକ କମିଶନର 9 ୫-ଟି ସଚିବ ଯୋଗ ଦେବେ । ରାଜ୍ୟରେ ସଫଳତାର ସହ ପୁଞ୍ଜି ନିବେଶ କରିଥିବା ଶିଳ୍ପପତିଙ୍କ ଏକ ପ୍ରତିନିଧି ଦଳ ମଧ୍ୟ ଏହି କନ୍କ୍ଲେଭ୍ରେ ଯୋଗ ଦେବେ । ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ବ୍ୟାପକ ସୁବିଧା ସୁଯୋଗ ରହିଥିବା ବେଳେ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ନେଇ ମୁଖ୍ୟମନ୍ତ୍ରୀ ଓ ଟିମ୍ ଓଡ଼ିଶା ମଧ୍ୟପ୍ରାଚ୍ୟର ପୁଞ୍ଜିତିଙ୍କ ସହ ଆଲୋଚନା କରିବେ ।
ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଟାଲି ରାଜଧାନୀ ରୋମରେ ପୁଞ୍ଜିନିବେଶକାରୀଙ୍କ ସହ ଆଲୋଚନା କରିବା ସହ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଧର୍ମଗୁରୁ ପୋପ୍ ଫ୍ରାନସିସ୍ଙ୍କୁ ସାକ୍ଷାତ କରିଥିଲେ । ଏଥିସହ ସେଠାରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ସହ ମଧ୍ୟ ଭାବ ବିନିମୟ କରିଥିଲେ । ଆସନ୍ତା ୩୦ ତାରିଖରେ ଶ୍ରୀ ପଟ୍ଟନାୟକ ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି ।
Published by: Soumya Das
First published: June 28, 2022, 16:21 IST
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।