News18 Odia Digital
ଭୁବନେଶ୍ବର: ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସମୀକ୍ଷା କରିଛନ୍ତି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡାକ୍ତର ବୃନ୍ଦା। ରାଜ୍ୟ ସ୍ବାସ୍ଥ୍ୟ ପ୍ରତିଶ୍ରୁତି ସମିତି ସଭା ଗୃହ ଠାରେ ଅନୁଷ୍ଠିତ ଏହି ବୈଠକରେ ବିଭାଗୀୟ ଅତିରିକ୍ତ ଶାସନ ସଚିବ ଶୁଭାନନ୍ଦ ମହାପାତ୍ରଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ଅତିରିକ୍ତ ଶାସନ ସଚିବ ଶୁଭାନନ୍ଦ ମହାପାତ୍ର ବିଭିନ୍ନ ଯୋଜନାର କାର୍ଯ୍ୟାୟନ ସମ୍ବନ୍ଧିତ ସଦ୍ୟତମ ତଥ୍ୟ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ। ବୈଠକରୁ ଜଣାପଡ଼ିଛି ଓଡିଶା ସରକାରଙ୍କ ଏହି ସାର୍ବଜନିନ ସ୍ବାସ୍ଥ୍ୟ ସେବା ଯୋଜନା ବି.ଏସ.କେ.ୱାଈ. ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି।
ବିଲ ଗୁଡ଼ିକୁ ଅନୁମୋଦନ ଦେବା ପୁର୍ବରୁ ସମସ୍ତ ଦରକାରୀ ତଥ୍ୟ ଓ ନିର୍ଦ୍ଧାରିତ ଦର ତାଲିକାକୁ ସଠିକ ଭାବେ ତନଖି କରି ବିଲ ପୈଠ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ଡାକ୍ତର ବୃନ୍ଦା ନିର୍ଦ୍ଦେଶ ଦେଇଛନ୍ତି।
ରାଜ୍ୟ ବାହାରେ ପଞ୍ଜିକୃତ ହୋଇଥିବା ହସ୍ପିଟାଲମାନଙ୍କ ସହ ଭିଡିଓ କନ୍ଫରେନ୍ସିଂ ଏବଂ ମୋବାଇଲ ଫୋନ ମାଧ୍ୟମରେ ବରାବର ଯୋଗାଯୋଗରେ ରହିବାକୁ ଅତିରିକ୍ତ ଶାସନ ସଚିବ ନୋଡାଲ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।
ଏହି ବୈଠକରେ ବି.ଏସ.କେ.ୱାଇ ସଫ୍ଟ ଓୟାର ନବୀକରଣ ଏବଂ ଚିକିତ୍ସା ବିଲ୍ ଗୁଡ଼ିକର ସମୟାନୁବନ୍ଧିତ ପୈଠ ଆଦି ବିଷୟ ମୁଖ୍ୟତଃ ସମୀକ୍ଷା ହୋଇଥିଲା। ବର୍ତ୍ତମାନ ସୁଦ୍ଧା ରାଜ୍ୟ ଭିତର ଓ ବାହାରର ୫୫୪ଟି ସୁପର ସ୍ପେଶାଲିଟି ହସ୍ପିଟାଲଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି।
ଏଥି ମଧ୍ୟରୁ ୧୦୩ ହସ୍ପିଟାଲ ବାହାର ରାଜ୍ୟର। ସେଗୁଡିକ ମୁଖ୍ୟତଃ ଆସାମ, ଆନ୍ଧ୍ର ପ୍ରଦେଶ, ଛତିଶଗଡ, ପଶ୍ଚିମ ବଙ୍ଗଳା, ମହାରାଷ୍ଟ୍ର, ଦିଲ୍ଲୀ, ଗୁଜରାଟ, ପଞ୍ଜାବ, ତାମିନାଡୁ, ହରିୟାଣା, ଉତ୍ତର ପ୍ରଦେଶ, ଝାଡ଼ଖଣ୍ଡ, ରାଜସ୍ଥାନ, ତେଲେଙ୍ଗାନା ଏବଂ ଉତ୍ତରାଖଣ୍ଡ ଆଦି ରାଜ୍ୟରେ ଅଛି।
ଏହାଛଡ଼ା ରାଜ୍ୟରେ ଥିବା ଆଉ ୨୯ଟି ସ୍ପେଶାଲିଟି ହସ୍ପିଟାଲକୁ ତାଲିକା ଅନ୍ତର୍ଭକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଏହି ୨୯ଟି ହସ୍ପିଟାଲ ପଞ୍ଜିକୃତ ହେଲେ ସମୁଦାୟ ପଞ୍ଜିକୃତ ହସ୍ପିଟାଲ ସଂଖ୍ୟା ୫୮୩କୁ ବୃଦ୍ଧି ପାଇବ।
୨୦୨୨ ଜାନୁଆରୀ ୧ ତାରିଖରୁ ଡ଼ିସେମ୍ବର ୨୫ ସୁଦ୍ଧା ବି.ଏସ୍.କେ.ୱାଇ.ରେ ୬.୩୧ ଲକ୍ଷ ଲୋକଙ୍କୁ ମିଳିଲା ଦେୟମୁକ୍ତ ଚିକିତ୍ସା ପ୍ରଦାନ କରାଯାଇଥିବା ବେଳେ ଚିକିତ୍ସା ଖର୍ଚ୍ଚ ବାବଦକୁ ରାଜ୍ୟ ସରକାର ୧୩୮୯ କୋଟି ଟଙ୍କା ପୈଠ କରିଥିବା ଜଣାପଡ଼ିଛି। ରାଜ୍ୟର ସମସ୍ତ ୩୦ ଟି ଜିଲ୍ଲାର ଲୋକ ବି.ଏସ୍.କେ.ୱାଇ.ରେ ଚିକିତ୍ସା ସୁବିଧା ପାଇଛନ୍ତି।
ଚିକିତ୍ସା ପାଇଁ ଆସିଥିବା ଶତ ପ୍ରତିଶତ ରୋଗୀଙ୍କୁ ୧୦୪ କଲସେଣ୍ଟର୍ ମାଧ୍ୟମରେ କାଉସେଲିଂ କରାଯାଇଛି। ବି.ଏସ୍.କେ.ୱାଇ.ରେ ବର୍ତ୍ତମାନ ପର୍ଯ୍ୟନ୍ତ ସମୁଦାୟ ୨୦୫୬ଟି ଚିକିତ୍ସା ଓ ନିଦାନ ପ୍ୟାକେଜ୍ କରାଯାଇଛି। ରୋଗୀମାନଙ୍କୁ ସେମାନଙ୍କର ରୋଗ ଅନୁସାରେ ଉପଯୁକ୍ତ ପ୍ୟାକେଜ୍ ଅନ୍ତର୍ଭୂକ୍ତ କରି ସମ୍ପୂକ୍ତ ହସ୍ପିଟାଲମାନେ ଚିକିତ୍ସା କରିଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।