News18 Odia Digital
ପୁରୀ: ହବିଷ୍ୟାଳୀ ଶିବିରରେ ଭଜନ କୀର୍ତ୍ତନ ବଦଳରେ ଚାଲିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୀତ। ଯେଉଁଥିରେ ପରମ୍ପରା ପ୍ରତି କୁଠାରଘାତ ହେଉଛି ବୋଲି ସାଧାରଣରେ ଅଭିଯୋଗ ହେଉଛି।
ପୁରୀରେ ହବିଷ୍ୟାଳୀମାନଙ୍କ ପାଇଁ ସ୍ୱତନ୍ତ୍ର କେନ୍ଦ୍ର ନିର୍ମାଣ କରିଛନ୍ତି ରାଜ୍ୟ ସରକାର। କାର୍ତ୍ତିକ ମାସରେ ଭଜନକୀର୍ତ୍ତନରେ ଶିବିର ପ୍ରକମ୍ପିତ ହେବା ବଦଳରେ ନବୀନଙ୍କୁ ପ୍ରଶଂସା କରି କବିତା ପାଠ କରୁଛନ୍ତି ହବିଷ୍ୟାଳୀ। ସବୁଠୁ ବଡ଼ କଥା ହେଉଛି ଏହାକୁ ଶୁଣୁଥିବା ଶ୍ରୋତା ମାନଙ୍କ ମଧ୍ୟରେ ପୁରୀ ଜିଲ୍ଲା ପ୍ରଶାସକ ଅଧିକାରୀମାନେ ସାମିଲ ଅଛନ୍ତି। ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଭଜନ ବଦଳରେ ନବୀନ ଗୀତ ଗାଇ ପରମ୍ପରାକୁ ଦିଗହରା କରିବାକୁ ଚେଷ୍ଟା ହେଉଛି କି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି।
ଭଜନକୀର୍ତ୍ତନ ବଦଳରେ ରାଜନୈତିକ ପରିବେଶ ଏଠାରେ ମୁଣ୍ଡ ଟେକିଛି। ପରିସ୍ଥିତି ଏପରି ହୋଇଛି ଯେ ପ୍ରଶାସନିକ ଅଧିକାରୀମାନେ ହବିଷ୍ୟାଳୀଙ୍କୁ ଭଜନକୀର୍ତ୍ତନ ବଦଳରେ ‘ନବୀନ ଭଜନ’ ଗାନ କରିବାକୁ ପ୍ରବର୍ତ୍ତାଇଛନ୍ତି। ବିଭିନ୍ନ ମହଲରୁ ଏହାକୁ ନିନ୍ଦା କରାଯାଇଛି ବୋଲି କହିଛନ୍ତି ସେବାୟତ ତଥା ବରିଷ୍ଠ କଂଗ୍ରେସ ନେତା ବିନାୟକ ଦାସ ମହାପାତ୍ର ।
ସୂଚନାଯୋଗ୍ୟ ବୁଧବାର ଦିନ ବଗଲା ଧର୍ମଶାଳାରେ ହବିଷ୍ୟାଳୀମାନଙ୍କୁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଶାଲ ବଣ୍ଟନ କରାଯାଇଥିଲା। ଏହି ଅବସରରେ ବଗଲା ଧର୍ମଶାଳାରେ ରହୁଥିବା ଚଞ୍ଚଳା ସାଠୁଆ ନାମ୍ନୀ ଜଣେ ହବିଷ୍ୟାଳୀ ରାଜ୍ୟ ସରକାରଙ୍କ ସମସ୍ତ ବ୍ୟବସ୍ଥାକୁ ପ୍ରଶଂସା କରି ସ୍ୱରଚିତ କବିତା ପଠନ କରିଥିଲେ।ଅନ୍ୟ ହବିଷ୍ୟାଳୀମାନେ ମଧ୍ୟ ଏକାଠି ବସି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ହୋଇଥିବା ବ୍ୟବସ୍ଥା ଉପରେ ଲିଖିତ କବିତା ପାଠ କରିଥିଲେ। କବିତା ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଗୁଣଗାନ ହେଉଥିବା ଦେଖିବାକୁ ମିଳିଥିଲା। ଆଉ ପାଖରେ ଜିଲ୍ଲାପାଳଙ୍କ ସହ ଅନ୍ୟ ପ୍ରଶାସନିକ ଅଧିକାରୀମାନେ ବସି ଧ୍ୟାନର ସହ ଶୁଣୁଥିଲେ ଓ ତାଳି ମାରୁଥିଲେ। ଏସବୁ ହବିଷ୍ୟାଳୀମାନେ ନିଜସ୍ୱ କରୁଥିଲେ କି ଅଧିକାରୀମାନଙ୍କ ଦ୍ୱାରା କରାଯାଉଠିଲା ତାହାକୁ ନେଇ ପ୍ରଶ୍ନ କରିଛନ୍ତି ଜଗନ୍ନାଥ ପ୍ରେମୀ ଓ ବୁଦ୍ଧିଜୀବୀ।
ଅନ୍ୟପଟେ ଚଳିତ ବର୍ଷ ହବିଷ୍ୟାଳୀ କେନ୍ଦ୍ରର ଉଦଘାଟନ ଓ ହବିଷ୍ୟାଳୀ ମା ମାନଙ୍କୁ ଶୁଭେଚ୍ଛା ଜଣାଇବା ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ହବିଷ୍ୟାଳୀ କେନ୍ଦ୍ର ମାନଙ୍କରେ ରହୁଥିବା ସମସ୍ତ ମା ମାନଙ୍କୁ ଗୋଟାଏ ଗୋଟିଏ ଶାଲ ପ୍ରଦାନ ପାଇଁ ଘୋଷଣା କରିଥିଲେ। ସେହି ଆଧାରରେ ବୃନ୍ଦାବତୀ ନିବାସ, ଅକ୍ଷୟ ପାତ୍ର ଫାଉଣ୍ଡେସନ, ବଗଲା ଧର୍ମଶାଳା, ବାଗେଡିଆ ଧର୍ମଶାଳା ଓ ମୋଚି ସାହି କଲ୍ୟାଣ ମଣ୍ଡପ ଠାରେ ରହୁଥିବା ହବିଷ୍ୟାଳୀମାମାନଙ୍କୁ ଜିଲ୍ଲାପାଳ ଶାଲ ପ୍ରଦାନ କରିଛନ୍ତି। ଜିଲ୍ଲାପାଳ ମା ମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ। ମା ମାନେ ସେମାନଙ୍କ ପ୍ରତିକ୍ରିୟାରେ ସମସ୍ତ ବ୍ୟବସ୍ଥା ଭଲ ଓ ଶୃଙ୍ଖଳିତ ହୋଇଛି ବୋଲି କହିବା ସହ ହୁଳହୁଳି ଓ କରତାଳି ମାଧ୍ୟମରେ ସରକାର ଓ ପ୍ରଶାସନଙ୍କୁ ଧନ୍ୟବାଦ ଓ ଆଶୀର୍ବାଦ ଦେଇଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।