News 18 Odia Digital
ଭୁବନେଶ୍ୱର : ଏଣିକି ଦିନରେ ନୁହେଁ ରାତିରେ ହେବ ସଫେଇ କାର୍ଯ୍ୟକ୍ରମ । ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ବିଭିନ୍ନ ୱାର୍ଡ଼ରେ କରାଯିବ ସଫେଇ । ରାତି ପାହିବା ପରେ ଭୁବନେଶ୍ୱର ବାସିନ୍ଦା ପାଇବେ ସ୍ୱଚ୍ଛ ଓ ଆବର୍ଜନାମୁକ୍ତ ଅଞ୍ଚଳର ଅନୁଭବ । ପୂର୍ବରୁ ମହାନଗର ନିଗମର କିଛି ହାତଗଣତି ୱାର୍ଡ଼ରେ ପାଇଲଟ ପ୍ରୋଜେକ୍ଟ ଭାବେ ଏଭଳି କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ବେଳେ ଆନୁଷ୍ଠାନିକ ଭାବେ ଭୁବନେଶ୍ୱର ମହାନଗର ନିଗମର ୧୧ ନଂ ୱାର୍ଡରେ ଶନିବାର ବିଳମ୍ବିତ ରାତିରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି ।
ୱାର୍ଡ଼ର ବିଏମସି କଲ୍ୟାଣ ମଣ୍ଡପରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । କାର୍ଯ୍ୟକ୍ରମରେ ମହାନଗର ନିଗମର ପଦାଧିକାରୀଙ୍କ ସମେତ ସଫେଇ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ । ୱାର୍ଡ଼ର ପ୍ରୋଜେକ୍ଟ କୋର୍ଡ଼ିନେଟର ପ୍ରବେଶ କୁମାର ସାହୁଙ୍କ ସୂଚନା ଅନୁସାରେ, ଏହା ଲମ୍ବା ସମୟର ଯୋଜନା ଥିଲେ ମଧ୍ୟ ତାକୁ ଅଗ୍ରାଧିକାର ଭିତ୍ତିରେ ବିଭିନ୍ନ ଅଂଚଳକୁ ଗୁରୁତ୍ୱ ଦିଆଯାଇ ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଛି ।
ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀ ଅଧୀନରେ ଥିବା ବିଭିନ୍ନ ୱାର୍ଡ଼ ମଧ୍ୟରୁ ଏହି ୱାର୍ଡ଼ ହେଉଛି ପ୍ରଥମ ଯେଉଁଠି ଏହି କାର୍ଯ୍ୟକୁ ପ୍ରଥମ କରି ଆରମ୍ଭ କରାଯାଇଛି । ଏହାକୁ ପାଇଲଟ ପ୍ରୋଜେକ୍ଟ ଭାବେ ନିଆଯାଇଛି । ଏହାର ସଫଳତା ପରେ ଅନ୍ୟାନ୍ୟ ଅଞ୍ଚଳରେ ଏହା ଲାଗୁ ହୋଇପାରେ । ମହାନଗର ନିଗମର ୪୦ ନମ୍ବର ୱାର୍ଡ଼ ଓ ୧, ୨ ନମ୍ବର ମାର୍କେଟ ଅଂଚଳରେ ପୂର୍ବରୁ ଆରମ୍ଭ ହୋଇସାରିଛି ଏଭଳି ରାତ୍ରିକାଳୀନ ସଫେଇ କାର୍ଯ୍ୟକ୍ରମ ।
ରାତି ପାହିବା ପରେ କୌଣସି ଅଂଚଳରେ ଅଳିଆ ଆବର୍ଜନା ଗଦା ହୋଇଥିବା ନଜରକୁ ଆସିବ ନାହିଁ । ରାତ୍ରିକାଳୀନ ସଫେଇ କାର୍ଯ୍ୟକ୍ରମ ଭିତରେ ସନ୍ଧ୍ୟା ୭ଟାରୁ ରାତି ୧୨ଟା ପର୍ଯ୍ୟନ୍ତ କିମ୍ବା ଆବଶ୍ୟକସ୍ଥଳେ ଆଉ କିଛି ସମୟ ଏହି ସଫେଇ କାର୍ଯ୍ୟକ୍ରମ କରାଯିବ ।
ବିଏମସି ଅଧିକାରୀ ପୁରୀନ୍ଦେର ନନ୍ଦଙ୍କ କହିଛନ୍ତି ଯେ, ଯେଉଁ ଭଳି ନିୟମିତ ଭାବେ ସକାଳେ ସଫେଇ କାର୍ଯ୍ୟକ୍ରମ କରାଯାଉଥିଲା ସେହିଭଳି ରାତ୍ରୀକାଳୀନ ସଫେଇ କାର୍ଯ୍ୟକ୍ରମ ମଧ୍ୟ କରାଯିବ । ସକାଳୁ ମର୍ଣ୍ଣିଂ ୱାକ୍ ସମୟରେ ଲୋକଙ୍କୁ ଆଉ ସେ ଆବର୍ଜନା ସମସ୍ୟାକୁ ସାମ୍ନା କରିବାକୁ ପଡ଼ିବ ନାହିଁ । ବିଏମସିର ଏଭଳି ଉଦ୍ୟମକୁ ସ୍ୱାଗତ କରିଛନ୍ତି ମହାନଗର ବାସିନ୍ଦା ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।