News18 Odia Digital
ଭୁବନେଶ୍ୱର: ରାଜ୍ୟରେ ବେଧଡ଼କ ଚାଲିଥିବା ଡ୍ରଗ୍ସ କାରବାରର ଶିକାର ହୋଇଛି ରାଜଧୀନୀ ଭୁବନେଶ୍ୱରର ଜଣେ ନୀରିହ ସ୍କୁଲ୍ ଛାତ୍ର । ଡ୍ରଗ୍ସ ପାଇଁ ଜଣେ ନବମ ଶ୍ରେଣୀରେ ପଢ଼ୁଥିବା ଛାତ୍ର ଅଶ୍ଵିନୀ ପାଢ଼ିକୁ ହତ୍ୟା କରିଛନ୍ତି ଦୁବୃର୍ତ୍ତମାନେ l
ଡ୍ରଗ୍ସ ପାଇଁ ଟଙ୍କାର ଆବଶ୍ୟକତା ଥିବାରୁ ଅଶ୍ଵିନୀକୁ ଅଭିଯୁକ୍ତମାନେ ହତ୍ୟା କରିଥିବା ସନ୍ଦେହ କରାଯାଉଛି l ଏହି ହତ୍ୟା ମାମଲାରେ ଚାରି ଜଣଙ୍କୁ ଗିରଫ କରାଯାଇଛି l ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଚଳାଇଛି କମିଶନରେଟ ପୋଲିସ l
ଅଗଷ୍ଟ ୨ ତାରିଖ ସନ୍ଧ୍ୟାରେ ଅଶ୍ଵିନୀ ଘରୁ ବାହାରି ଭରତପୁର ବଜାରକୁ ଯାଉଥିଲା l ସଉଦା କିଣିବା ପାଇଁ ତା’ ପାଖରେ ହଜାରେ ଟଙ୍କା ଥିଲା l ଏତିକି ବେଳେ ଅନ୍ଧାରିଆ ଜାଗା ଦେଖି ଅଶ୍ଵିନୀଙ୍କୁ ଦୁବୃର୍ତ୍ତମାନେ ତା’ ପାଖରେ ଯାହା ଟଙ୍କା ଅଛି ଦେବାକୁ କହି ଧମକାଇଥିଲେ l ହେଲେ ଅଶ୍ଵିନୀ ଟଙ୍କା ନ ଦେଇ ସେଠାରୁ ଖସିଯିବାକୁ ଉଦ୍ୟମ କରିଥିଲା l
ଦୁବୃର୍ତ୍ତମାନେ ଏକ ଧାରୁଆ ଅସ୍ତ୍ରରେ ଅଶ୍ଵିନୀର ମୁଣ୍ଡକୁ ଆକ୍ରମଣ କରିଥିଲେ l ସେ କଷ୍ଟରେ ଚିତ୍କାର କରିବାରୁ ତାକୁ ଘୋସୋରି ଘୋସାରି ନିକଟରେ ଥିବା ଏକ ନିଛାଟିଆ ସ୍ଥାନକୁ ନେଇ ଫୋପାଡ଼ି ଦେଇଥିଲେ l ତା’ ପକେଟରେ ଥିବା ହଜାରେ ଟଙ୍କା ନେଇ ଫେରାର ହୋଇଯାଇଥିଲେ ଆକ୍ରମଣକାରୀମାନେ l
ଅଗଷ୍ଟ ୨ ତାରିଖ ରାତିରୁ ଅଶ୍ଵିନିକୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା l ଛଅ ଦିନ କାଳ ଚିକିତ୍ସା ଚାଲିବା ପରେ ମଙ୍ଗଳବାର ରାତିରେ ତା’ର ମୃତ୍ୟୁ ହୋଇଥିଲା l
ଅଶ୍ଵିନୀ ଭରତପୁରର ଡକ୍ଟର ଆମ୍ବେଦକର ବିଦ୍ୟାପୀଠରେ ନବମ ଶ୍ରେଣୀର ଛାତ୍ର ଥିଲା l ତା’ର ଏଭଳି ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହିଁ ତା’ ପରିବାର ଓ ସାଙ୍ଗସାଥୀମାନେ l
‘‘ହତ୍ୟାକାରୀମାନେ ଡ୍ରଗ୍ସସ ସେବନ କରନ୍ତି l ଡ୍ରଗ୍ସ ପାଇଁ ସେମାନେ ଚୋରି, ଛିନତାଇ ଓ ଲୁଟପାଟ କରନ୍ତି l ମୋ’ ଭଣଜା ଏକୁଟିଆ ଯାଉଥିବା ଦେଖି ତାକୁ ଆକ୍ରମଣ କରି ତା’ ଠାରୁ ଟଙ୍କା ଲୁଟି ନେଇଥିଲେ,’’ କହିଛନ୍ତି ଅଶ୍ଵିନୀର ମାମୁଁ ଶିଶିର ତ୍ରିପାଠୀ ।
ଭରତପୁର ଛକରେ ଶିବା, ପପୁ ଓ ସେମାନଙ୍କ ସହଯୋଗୀମାନେ ଆଡ଼୍ଡା ଜମାନ୍ତି ଓ ଡ୍ରଗ୍ସ ପାଇଁ ରାସ୍ତାରେ ଏକୁଟିଆ ଯାଉଥିବା ମହିଳାଙ୍କ ଠାରୁ ଲୁଟ କରନ୍ତି ବୋଲି ସ୍ଥାନୀୟ ଲୋକେ ପୋଲିସକୁ କହିଥିବା ଜଣାପଡ଼ିଛି ।
‘‘ଏହି ମାମଲାର ସଘନ ତଦନ୍ତ ଚାଲିଛି l ଖୁବ୍ ଶୀଘ୍ର ଅନ୍ୟ ଅପରାଧୀମାନଙ୍କୁ ଗିରଫ କରାଯିବ,’’ କହିଛନ୍ତି ଭୁବନେଶ୍ଵର ଡିସିପି ଉମାଶଙ୍କର ଦାଶ ।
ଏହି ବି ପଢ଼ନ୍ତୁ | ଏଣିକି ଟ୍ରେନ୍ ଭିତରେ ଭିକ ମାଗିଲେ ଓ ସିଗାରେଟ୍ ଟାଣିଲେ ଜେଲ୍ ଦଣ୍ଡ ହେବ ନାହିଁ; ବଦଳୁଛି ନିୟମ
ଏହି ବି ପଢ଼ନ୍ତୁ | ଭାରତକୁ ମିଳିଲା ଆମେରିକା ସମେତ ୪ଟି ବଡ଼ ଦେଶର ସମର୍ଥନ; ଚୀନରୁ ଭାରତ ଆସିଲା Apple ର ୮ଟି କାରଖାନା
ମୃତ ଅଶ୍ଵିନୀର ବାପା ଅଶୋକ କହିଛନ୍ତି, ‘‘ଡ୍ରଗ୍ସ ପାଇଁ ମୋ’ ପୁଅକୁ ହତ୍ୟା କରାଯାଇଛି l ସମସ୍ତ ହତ୍ୟାକାରୀଙ୍କୁ ଫାଶି ଦିଆଯାଉ l ତାହା ହେଲେ ମୋ’ ଆତ୍ମାକୁ ଶାନ୍ତି ମିଳିବ ।’’
ବେଆଇନ ଡ୍ରଗ୍ସ କାରବାର ବନ୍ଦ କରିବା ପାଇଁ ରାଜ୍ୟରେ ଚାଲିଛି ରେଡ ପରେ ରେଡ l ପ୍ରତି ମାସ ୨ କେଜିରୁ ୪ କେଜି ପର୍ଯ୍ୟନ୍ତ ଡ୍ରଗ୍ସ ଧରା ପଡୁଛି l ଏଜେଣ୍ଟ ଓ ଡିଲର ବି ଗିରଫ ହୋଇ ଜେଲ ଯାଉଛନ୍ତି l ଏହା ପରେ ବି ଡ୍ରଗ୍ସ କାରବାର ଉପରେ ରୋକ ଲାଗୁ ନ ଥିବାରୁ ସଭ୍ୟ ସମାଜରେ ଚିନ୍ତା ବଢ଼ିଚାଲିଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।