ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଜମି ବିବାଦକୁ ନେଇ ଜଳିଲା ବ୍ରହ୍ମଗିରି; ଶାନ୍ତି ରକ୍ଷା ପାଇଁ ୩ ପ୍ଲାଟୁନ ପୋଲିସ ମୁତୟନ

ଜମି ବିବାଦକୁ ନେଇ ଜଳିଲା ବ୍ରହ୍ମଗିରି; ଶାନ୍ତି ରକ୍ଷା ପାଇଁ ୩ ପ୍ଲାଟୁନ ପୋଲିସ ମୁତୟନ

ଦୁଇ ଗୋଷ୍ଠୀ ମଧ୍ୟରେ ଜମି ବିବାଦକୁ ନେଇ ବୋମାମାଡ । ଆଉ ଜାଳିଦେଲେ ୪୦ରୁ ଉର୍ଦ୍ଧ ଘର । ଏଭଳି ଉତ୍ତେଜନା ଦେଖାଦେଇଛି ପୁରୀ ଜିଲ୍ଲା ବ୍ରହ୍ମଗିରି ଅଂଚଳର କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନାଥପୁର ଗାଁରେ।

ଜମି ବିବାଦକୁ ନେଇ ଜଳିଲା ବ୍ରହ୍ମଗିରି; ଶାନ୍ତି ରକ୍ଷା ପାଇଁ ୩ ପ୍ଲାଟୁନ ପୋଲିସ ମୁତୟନ
ବୋମା ମାଡ଼ କରି ଜାଳି ଦେଲେ ୪୦ରୁ ଉର୍ଦ୍ଧ୍ବ ଘର (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: November 9, 2021, 5:55 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ : ଦୁଇ ଗୋଷ୍ଠୀ ମଧ୍ୟରେ ଜମି ବିବାଦକୁ ନେଇ ବୋମାମାଡ । ଆଉ ଜାଳିଦେଲେ ୪୦ରୁ ଉର୍ଦ୍ଧ ଘର । ଏଭଳି ଉତ୍ତେଜନା ଦେଖାଦେଇଛି ପୁରୀ ଜିଲ୍ଲା ବ୍ରହ୍ମଗିରି ଅଂଚଳର କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନାଥପୁର ଗାଁରେ। ସଙ୍ଘର୍ଷରେ ୧୩ରୁ ଅଧିକ ଆହତ ହୋଇଥିବା ବେଳେ ଚିକିତ୍ସା ପାଇଁ କିଛି ପୁରୀ ଓ କିଛି ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି  । ପରିସ୍ଥିତି ସମ୍ଭାଳିବା ପାଇଁ ପୁଲିସ ପକ୍ଷରୁ ପଦକ୍ଷେପ ନିଆଯାଇଥିବା ବେଳେ ସୁରକ୍ଷା ଦୃଷ୍ଟି କୋଣରୁ ୩ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଘଟଣାସ୍ଥଳରୁ ୩୬ ଟି ବୋମା ଜବତ କରାଯାଇଥିବା ବେଳେ ବମସ୍କ୍ୱାର୍ଡ ପହଞ୍ଚି ବମ ଡିଫ୍ୟୁଜ କରୁଛନ୍ତି । ଘର ପୋଡି ଯାଇଥିବା ବିସ୍ଥାପିତଙ୍କୁ ଶୁଖିଲା ଖାଦ୍ୟ ଓ ପଲିଥିନ ଯୋଗାଇ ଦିଆଯାଇଛି।

"ଦୀର୍ଘ ଦିନର ନୀରବତା ପରେ ପୁଣି ଥରି ଉଠିଲା ବ୍ରହ୍ମଗିରି। ଗୋଷ୍ଠୀ ସଙ୍ଘର୍ଷ ଓ ଘନ ଘନ ବୋମାମାଡ ଆଉ ଘରପୋଡି । ଏଭଳି ବୋମାମାଡ ଘଟଣାରେ ଥରିଉଠିଛି ବ୍ରହ୍ମଗିରିର ସାତପଡା ନାଥପୁର । ୬ ମାସ ତଳେ କୃଷ୍ଣପ୍ରସାଦ ବ୍ଲକ ବ୍ରହ୍ମପୁର ପଞ୍ଚାୟତର ବ୍ରହ୍ମପୁର ଗାଁର ୪୦ରୁ ଉର୍ଦ୍ଧ ଅନୁସୂଚିତଜାତି ପରିବାରକୁ ଗାଁରୁ ବାହାର କରିଦେବା ପରେ ସେମାନେ ନାଥପୁରଠାରେ ଥିବା ୩୫ ମୌଜାର ସରକାରୀ ଗୋଚର ଜମିରେ ଆଶ୍ରୟ ନେବାକୁ ଅନୁରୋଧ କରି ଅସ୍ଥାୟୀ ଭାବେ ରହିବେ ବୋଲି ପ୍ରଶାସନକୁ ଓ ଗ୍ରାମ ମୁରବୀମାନଙ୍କୁ ଜଣାଇଥିଲେ । ତେବେ ନିଜ ଗ୍ରାମର ପରିସ୍ଥିତି ସୁଧୁରିଲେ ପୁଣି ପ୍ରତ୍ୟାବର୍ତ୍ତନ କରିବେ ବୋଲି ମଧ୍ୟ ପ୍ରତିଶୃତି ଦେଇଥିଲେ । ଆଉ ସେମାନଙ୍କୁ ଫେରିବା ପାଇଁ ଆଇନଗତ ସହାୟତା ଦିଆଯିବ ବୋଲି ପ୍ରଶାସନିକ ସ୍ତରରେ ପ୍ରତିଶ୍ରୁତି ଦିଆଯାଇଥିଲା । ହେଲେ ଅନୁସୂଚିତଜାତି ପରିବାର ଲୋକେ ପ୍ରଥମେ ଜରି ପାଲ ଘର, ପରେ ଚାଳ ଘର ଓ ତା ପରେ କଂକ୍ରିଟ ଘର ନିର୍ମାଣ କରିଥିଲେ ।

ଆହାତ ବ୍ଯକ୍ତିମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଉଛି (ପ୍ରତୀକାତ୍ମକ ଛବି)


ଆଉ ଏହାକୁ ନେଇ ୩୫ ମୌଜାର ଲୋକେ ବିରୋଧ କରିବା ସହ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶରେ ସେମାନଙ୍କୁ ବାରଣ କରାଗଲା । ତେବେ ଦିନକୁ ଦିନ ସେମାନେ ଏଠାରେ ଅରାଜକତା ସୃଷ୍ଟି କରିବା ସହ ଜଙ୍ଗଲରୁ କାଠ ଚୋରୀ , ଗୁଣ୍ଡାରାଜ ଓ ବୋମା ବନ୍ଧୁର ଆତଙ୍କ ସୃଷ୍ଟି କରି ଝିଅ ବୋହୁଙ୍କୁ ଖରାପ ବ୍ୟବହାର କରୁଥିବା ଅଭିଯୋଗ ହୋଇଥିଲା  । ତେଣୁ ଗତକାଲି ସେମାନଙ୍କୁ ଅଂଚଳ ଛାଡି ଯିବା ପାଇଁ ୩୫ ମୌଜା ଲୋକେ କହିବାକୁ ଯାଇଥିବା ବେଳେ ଦଳିତ ପରିବାର ଲୋକେ ସଙ୍ଗବଦ୍ଧ ହୋଇ ଆକ୍ରମଣ କରିବା ସହ ତିନିଜଣଙ୍କୁ ଆହତ କରିଥିବା ବେଳେ କିଛି ଗାଡି ଭଙ୍ଗାରୁଜା କରିଥିଲେ," କହିଛନ୍ତି ବେଳାଭୂମି ୩୫ ମୌଜା ଉନ୍ନୟନ ପରିଷଦର କାର୍ଯ୍ୟକାରୀ କମିଟି ସଦସ୍ୟ କେଳୁଚରଣ ଜେନା  ।

ଆଇନଜୀବୀ ତଥା ବ୍ରହ୍ମଗିରି ବାସିନ୍ଦା ରମାଶଙ୍କର ପାତ୍ରଙ୍କ କହିଛନ୍ତି," ସେମାନଙ୍କୁ ୩୫ ମୌଜା ଉନ୍ନୟନ ପରିଷଦ ସହ ଏକ ବୈଠକକୁ ଡକାଯାଇ ଆଲୋଚନା କରାଯାଇଥିଲା  । ହେଲେ ସେମାନେ ଉତକ୍ଷିପ୍ତ ହୋଇ ଗାଳିଗୁଳଜ ସହ ମାରଧର କରିଥିଲେ  । ଆଉ ଏଥିରେ ତିନୋଟି ଗାଁର ଲୋକେ ଆହତ ହେବା ସହ ସେମାନଙ୍କ ଗାଡି ଭଙ୍ଗାରୁଜା କରିଥିଲେ। ଦୁଇ ଗୋଷ୍ଠୀ ମଧ୍ୟରେ ଉପୁଜି ଥିବା ଜମି ବିବାଦ ଘଟଣାକୁ ନେଇ ୪୦ରୁ ଊର୍ଦ୍ଧ ବୋମାମାଡ଼ ହୋଇଥିଲା । ଗୋଷ୍ଠୀ ସଙ୍ଘର୍ଷ ଓ ବୋମାମାଡ଼ରେ ୩୦ ଘର ଜଳିଯାଇଛି । ଅସବର୍ଣ୍ଣମାନେ ବୋମାମାଡକୁ ନେଇ ଘର ଛାଡି ପଳାଇଥିବା ବେଳେ ନିକଟସ୍ଥ ବନ୍ଧମୁଣ୍ଡାର କିଛି ଦଳିତ ସେମାନଙ୍କୁ ସମର୍ଥନ କରିଥିବାରୁ ସେମାନଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିଲା । ଜିଲ୍ଲା ପ୍ରଶାସନ ଓ ୩୫ ମୌଜାର କଥା ନ ମାନୁଥିବାରୁ ଏବେ ସବୁ ଗାଁ ଲୋକେ ମେଳିବାନ୍ଧୁଥିବା ଦେଖିବାକୁ ମିଳିଛି"।

ପୁରୀ ଜିଲ୍ଲାପାଳ ସ୍ଥିତି ଅନୁଧ୍ଯାନ କରୁଛନ୍ତି (ପ୍ରତୀକାତ୍ମକ ଛବି)


"ଆମେ ଗାଁକୁ ଫେରିବା ନେଇ ଅନିଶ୍ଚିତତା ରହିଥିବା ବେଳେ ଏଠି ସରକାରୀ ଜମିରେ ରହିଥିଲୁ। ହେଲେ ଆମକୁ ଅନୁସୂଚିତଜାତି ବୋଲି ଭାବି ଅନେକ ଥର ଆକ୍ରମଣ କରାଯାଇଛି । ମାତ୍ର ଆମେ ଯିବା ପାଇଁ ପ୍ରସ୍ତୁତ ହେଇଛୁ। ସେଠାରେ ଆମକୁ କିଭଳି ସୁରକ୍ଷା ଦିଆଯିବ ସେ ନେଇ ଆମେ ଚିନ୍ତାରେ ରହିଛୁ। ଏପଟେ ଜମି ଛାଡିବାକୁ କୁହାଯିବାକୁ ନେଇ ହୋଇଥିବା ଗଣ୍ଡଗୋଳ ଓ ବୋମାମାଡରେ ଆମ ଘର ସମ୍ପୁର୍ଣ୍ଣ ଜଳି ଯାଇଥିବା ସହ ଏବେବି ମହିଳାଙ୍କୁ ଛାଡି ଗାଁର ପୁରୁଷମାନେ ବାହାରେ ଲୁଚିକି ରହିଛନ୍ତି । ଆଉ ଆମର ୧୦ ଜଣ ଆହତ ହୋଇଥିବା ବେଳେ ପାଖ ଗାଁ ବନ୍ଧମୁଣ୍ଡା ଭୋଇ ସାହିର ଲୋକଙ୍କୁ ମଧ୍ୟ ଆକ୍ରମଣ କରିଛନ୍ତି ସବର୍ଣ୍ଣ ପରିବାର। ବର୍ତ୍ତମାନ ସେମାନେ ଏବେ ପୁରୀ ଓ କଟକରେ ଚିକିତ୍ସିତ ହେଉଛନ୍ତି। ତେଣୁ ଶାନ୍ତି ପ୍ରତିଷ୍ଠା କରି ଆଲୋଚନା କରାଯାଉ," କହିଛନ୍ତି ଆହତ ହୋଇଥିବା ବନ୍ଧମୁଣ୍ଡା ଭୋଇସାହିର ପ୍ରଶାନ୍ତ ଦାସ ।

"ରବିବାର ଅପରାହ୍ନ ୪ଟାରୁ ଆରମ୍ଭ କରି ଅଶାନ୍ତି ଲାଗି ରହିଛି ବ୍ରହ୍ମଗିରିର ନାଥପୁରରେ । ଆଜି ପୁରୀ ଅତିରିକ୍ତ ଏସ୍‌ପି ମିହିର ପଣ୍ଡା, ଏସ୍‌ଡିପିଓ କିଶୋର ଚନ୍ଦ୍ର ମୁଣ୍ଡ ଓ ବ୍ରହ୍ମଗିରି ଆଇଆଇସି ମନୋଜ ଶତପଥୀ ପହଞ୍ଚିଛନ୍ତି। ଏବେ ସୁଦ୍ଧା ସେଠାରେ ଉତ୍ତେଜନା ସ୍ଥଳୀରେ ୩ ପ୍ଲାଟୁନ ପୁଲିସ ମୁତୟନ ଅଛନ୍ତି। ୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ପୁଲିସ ପକ୍ଷରୁ ଶାନ୍ତି ବଜାୟ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି  । ସୋମବାର ଦିନ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ପହଞ୍ଚି ଅନୁଧ୍ୟାନ କରିଥିବା ବେଳେ ୩୬ଟି ବୋମା ଜବତ ହୋଇଛି । ବୋମା ନିଷ୍କ୍ରିୟକାରୀ ଦଳ ପହଞ୍ଚି ସେଗୁଡିକୁ ଡିଫ୍ୟୁଜ କରିଛନ୍ତି  । ୧୦ ଜଣ ଆହତମାନଙ୍କର ଚିକିତ୍ସା କରାଯାଉଛି। ପୁଲିସ ପକ୍ଷରୁ ନାଥପୁରରେ କ୍ୟାମ୍ପ କରାଯାଇଛି । ଆଇନକୁ ହାତକୁ ନେଇ ହିଂସାକାଣ୍ଡ କରିଥିବା ଘଟଣା ଘଟାଇଥିବା ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ସେପଟେ  ଏତେ ସଂଖ୍ୟକ ବୋମା ଓ ବନ୍ଧୁକ କେଉଂଠୁ ଆସିଲା ତାର ତଦନ୍ତ କରାଯାଉଛି । ଏହି ଘଟଣାକୁ ଗୁରୁତର ସହ ନିଆଯାଇଥିବା ବେଳେ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ । ସେପଟେ ଜିଲ୍ଲା ପ୍ରଶାସନର ଜମି ବିବାଦକୁ ନେଇ ଯାହା ନିଷ୍ପତ୍ତି ଆସିବ ତା' ଉପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ," କହିଛନ୍ତି ପୁରୀ ଏସପି  କେ ବିଶାଳ ସିଂ।

"ଶାନ୍ତିପୂର୍ଣ୍ଣ ଭାବେ ସମାଧାନ କରିବା ପାଇଁ ପୋଲିସର ପ୍ରୟାସ ଆରମ୍ଭ ହୋଇଥିବା ବେଳେ ପରିସ୍ଥିତିକୁ ସୁଧାର ଆଣିବା ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉଛି  । ସେପଟେ ଘର ପୋଡି ଯାଇଥିବା ବିସ୍ଥାପିତଙ୍କୁ ଶୁଖିଲା ଖାଦ୍ୟ ଓ ପଲିଥିନ ଦିଆଯାଇଛି  । କ୍ଷତିଗ୍ରସ୍ତଙ୍କୁ କ୍ଷତିପୁରଣ ଦିଆଯିବାର ବ୍ୟବସ୍ଥା କରାଯାଉଛି  । ଜାତୀୟ ଥଇଥାନ ନୀତି ଅନୁସାରେ ବାସନ୍ଦ ପରିବାରଙ୍କୁ ସେମାନଙ୍କ ଜନ୍ମମାଟି ନିଜ ଗାଁ ବ୍ରହ୍ମପୁରକୁ ପଠାଇବା ପାଇଁ ବ୍ୟବସ୍ଥା କରାଯାଉଛି  । ଏଡିଏମ ଓ ପିଡି ଡିଆରଡିଏ ଘଟଣାସ୍ଥଳରେ ରହି ସମସ୍ତ ବ୍ୟବସ୍ଥା ଗ୍ରହଣ କରୁଛନ୍ତି," କହିଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ।

ବ୍ରହ୍ମଗିରି ବିଧାୟକ ଲଳୀତେନ୍ଦୁ ବିଦ୍ୟାଧର ମହାପାତ୍ର ଘଟଣାସ୍ଥଳକୁ ଯାଇ ଉଭୟ ପକ୍ଷଙ୍କ ସହ ଆଲୋଚନା କରିଛନ୍ତି  । ତାଙ୍କ କହିବା ଅନୁଯାୟୀ , ଆଇନକୁ ସମ୍ମାନ ଜଣାଇ ନିଜ ଗାଁକୁ ବିସ୍ଥାପିତମାନେ ଫେରିଲେ ହିଂସାକାଣ୍ଡ ନିଶ୍ଚିତ ଭାବେ ଥମିବ । ୩୫ ମୌଜାର ମୁଖିଆ ଓ ଅନୁସୂଚିତଜାତି ପରିବାର ଲୋକଙ୍କ ସହ ଆଲୋଚନା କରି ଶାନ୍ତି ବଜାୟ ରଖିବା ପାଇଁ ଅନୁରୋଧ କରିଛି । ତେବେ ସେମାନେ ନାଥପୁର ଜମି ଛାଡିବେ ନାହିଁ ବୋଲି ଜିଦ ଧରୁଥିବା ବେଳେ ତାଙ୍କୁ ବୁଝାସୁଝା କରାଯାଇ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ।
Published by: Soumya Das
First published: November 9, 2021, 5:55 PM IST