ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»କଂକ୍ରିଟ ଜଙ୍ଗଲରେ ନିର୍ମାଣ ହେବ ନଗର ବନ; ରାଜଧାନୀବାସୀଙ୍କୁ ମିଳିବ ବଣ ଭୋଜି କରିବାର ସୁବିଧା

କଂକ୍ରିଟ ଜଙ୍ଗଲରେ ନିର୍ମାଣ ହେବ ନଗର ବନ; ରାଜଧାନୀବାସୀଙ୍କୁ ମିଳିବ ବଣ ଭୋଜି କରିବାର ସୁବିଧା

ସହର ମଧ୍ୟରେ ତଥା ଉପକଣ୍ଠରେ ଲୋକଙ୍କ ସହାୟତାରେ ସୃଷ୍ଟି କରାଯାଇଛି ଜଙ୍ଗଲ । ସେହି ଜଙ୍ଗଲଗୁଡ଼ିକର ସୁରକ୍ଷା ସହିତ ଲୋକଙ୍କ ବ୍ୟବହାରଯୋଗ୍ୟ କରିବା ପାଇଁ ବନ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ନୂଆ ପ୍ରୟାସ ।

କଂକ୍ରିଟ ଜଙ୍ଗଲରେ ନିର୍ମାଣ ହେବ ନଗର ବନ; ରାଜଧାନୀବାସୀଙ୍କୁ ମିଳିବ ବଣ ଭୋଜି କରିବାର ସୁବିଧା
କଂକ୍ରିଟ ଜଙ୍ଗଲରେ ନିର୍ମାଣ ହେବ ନଗର ବନ
  • News18 Odia
  • Last Updated: November 23, 2021, 4:04 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: କଂକ୍ରିଟ ଜଙ୍ଗଲ ମଝିରେ ପ୍ରକୃତିର ମଜା ନେବା ପାଇଁ ବନ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ନୂଆ ପ୍ରଚେଷ୍ଟା । ସବୁ ସହରାଞ୍ଚଳରେ ପ୍ରତିଷ୍ଠା ହେବ ‘‘ନଗର ବନ’’ ତଥା ‘‘ନଗର ବାଟିକା’’ । ଯେଉଁଠି ପିଲା ଠାରୁ ବୟସ୍କ ସବୁ ବର୍ଗଙ୍କ ପାଇଁ ରହିବ ଉଭୟ ଆମୋଦ ଓ ଶିକ୍ଷଣୀୟ ବ୍ୟବସ୍ଥା । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ଓ ରାଉରକେଲାରେ ସ୍ଥାନ ଚିହ୍ନଟ ହୋଇ କାମ ଆରମ୍ଭ ହୋଇଛି । ଏହା ଦ୍ବାରା ସହରାଞ୍ଚଳରେ ସୃଷ୍ଟି ହୋଇପାରିବ ସବୁଜିମା ଓ ଉତ୍ତମ ପରିବେଶ ।

ସହର ମଧ୍ୟରେ ତଥା ଉପକଣ୍ଠରେ ଲୋକଙ୍କ ସହାୟତାରେ ସୃଷ୍ଟି କରାଯାଇଛି ଜଙ୍ଗଲ । ସେହି ଜଙ୍ଗଲଗୁଡ଼ିକର ସୁରକ୍ଷା ସହିତ ଲୋକଙ୍କ ବ୍ୟବହାରଯୋଗ୍ୟ କରିବା ପାଇଁ ବନ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ନୂଆ ପ୍ରୟାସ ।

ସହରାଞ୍ଚଳରେ ପ୍ରତିଷ୍ଠା ହେବ ‘‘ନଗର ବନ’’ ଓ ‘‘ନଗର ବାଟିକା’’ । ୫୦ ଏକରରୁ ଅଧିକା ଜଙ୍ଗଲ ଜମିରେ ନଗର ବନ ଓ ତା’ଠାରୁ କମ୍ ଜଙ୍ଗଲ ଜମିରେ ପ୍ରତିଷ୍ଠା ହେବ ନଗର ବାଟିକା । ଭୁବନେଶ୍ବରର ପାତ୍ରପଡା ଠାରେ ଔଷଧୀୟ ବୃକ୍ଷ ଜ୍ଞାନ କେନ୍ଦ୍ର ଓ ସ୍ମୃତି ବନ ପଛଭାଗରେ ପ୍ରାୟ ୭୦ ଏକର ଜଙ୍ଗଲ ଜମିରେ ଆରମ୍ଭ ହୋଇଛି ପାଚେରୀ ନିର୍ମାଣ କାର୍ଯ୍ୟ । ଆଗାମୀ ଦିନରେ ଜଙ୍ଗଲ ଜମିର ପରିସୀମାକୁ ଦୃଷ୍ଟିରେ ରଖି ସବୁ ସହରାଞ୍ଚଳରେ ପ୍ରତିଷ୍ଠା ହେବ ନଗର ବନ ଅଥବା ନଗର ବାଟିକା ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ବର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ।

ସହର ମଧ୍ୟରେ ତଥା ଉପକଣ୍ଠରେ ଲୋକଙ୍କ ସହାୟତାରେ ସୃଷ୍ଟି କରାଯାଇଛି ଜଙ୍ଗଲ


ଭୁବନେଶ୍ବର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ମନୋଜ ମହାପାତ୍ର କହିଛନ୍ତି, "ଭାରତ ସରକାରଙ୍କର ନଗର ବନ କରିବାର ଯୋଜନାକୁ ରୂପରେଖ ଦେବା ଆରମ୍ଭ ହୋଇଛି। ପାତ୍ରପଡା ଠାରେ ୭୦ ଏକର ପରିମିତ ଜଙ୍ଗଲର ନବକଳେବର ଚାଲିଛି। ବିଶେଷ କରି ସହରବାସୀଙ୍କୁ ପ୍ରକୃତି କୋଳକୁ ଫେରାଇ ଆଣିବା ସହ ଜଙ୍ଗଲର ସୁରକ୍ଷା ପାଇଁ ଏଭଳି ଏକ ନଗର ବନର ପରିକଳ୍ପନା କରାଯାଇଛି ।’’

ପ୍ରସ୍ତାବିତ ନଗର ବନ ଓ ନଗର ବାଟିକାରେ ରହିବ ବିଭିନ୍ନ ସୁବିଧା । ଔଷଧୀୟ ବୃକ୍ଷ, ଚଲାପଥ, ବଣ ଭୋଜିର ସୁବିଧା, ବିସ୍ତୀର୍ଣ୍ଣ ଜଙ୍ଗଲ ପରିକ୍ରମା କରିବାକୁ ବ୍ୟଟେରୀ ଗାଡ଼ି, ସାଇକେଲ ସହିତ ମୋ ବସର ସୁବିଧା । ଯୋଗାସନ ପାଇଁ ରହିବ ସ୍ବତନ୍ତ୍ର ବ୍ୟବସ୍ଥା । ତେବେ ଏହି ସବୁର ରକ୍ଷଣାବେକ୍ଷର ପାଇଁ ଲୋକଙ୍କ ଠାରୁ ଆଦାୟ କରାଯିବ ଦେୟ। କଂକ୍ରିଟ ଜଙ୍ଗଲରେ ପରିବେଷ୍ଟିତ ସହର ମଧ୍ୟରେ ସୃଷ୍ଟି ହେବ ଜଙ୍ଗଲ ପରିବେଶ । ସବୁଜିମାରେ ପରିଣତ ହେବ ଓ ଏହାର ମଜା ନେବେ ସହରବାସୀ । ସରକାରଙ୍କ ଏଭଳି ପଦକ୍ଷେପକୁ ସ୍ବାଗତ କରିଛନ୍ତି ପରିବେଶବିତ୍।

ପରିବେଶବିତ୍ ଡଃ ଜୟକୃଷ୍ଣ ପାଣିଗ୍ରାହୀ କହିଛନ୍ତି, "ନଗର ବନ ହେଉ ବା ବାଟିକା ଏ ଯେଉଁ ଚିନ୍ତାଧାରା ସରକାରଙ୍କର ବେଶ୍ ଭଲ। ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ଜଙ୍ଗଲର ସୁରକ୍ଷା ସାଙ୍ଗକୁ କଂକ୍ରିଟ ଜଙ୍ଗଲରେ ଯଦି ପ୍ରାକୃତିକ ସୌନ୍ଦର୍ଯ୍ୟ ମିଳିପାରିବ ତେବେ ତାହା ବେଶ୍ ଭଲ ହେବ। ଏହା ସାଙ୍ଗକୁ ସେଠି ପ୍ରକୃତିକୁ କିଭଳି ବଞ୍ଚାଇ ହେବ ସେଥି ପାଇଁ ବିଭିନ୍ନ ଯୋଜନା ମଧ୍ୟ କରିବାର ଆବଶ୍ୟକ ଅଛି ।’’

ଭୁବନେଶ୍ବର ପାତ୍ରପଡା ଅଞ୍ଚଳରେ ପ୍ରସ୍ତାବିତ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ସ୍ମାର୍ଟସିଟିରେ ପ୍ରାୟ ୨୫୦ ଏକର ଜଙ୍ଗଲର ଏକ ନୂଆ ଗ୍ରୀନ୍ କରିଡୋର ସୃଷ୍ଟି ହୋଇପାରିବ।
Published by: Lipina Das
First published: November 23, 2021, 4:04 PM IST