News18 Odia Digital
ବ୍ରହ୍ମପୁର: ବନ୍ଦ ହେବ ସିଟି ବସ । ଆଉ ଚାଲିବ ମୋ ବସ୍ । ପୂର୍ବ ଅପେକ୍ଷା ଅଧିକ ଯାତ୍ରୀ ମାନେ ସୁବିଧା ସୁଯୋଗ ପାଇବା ସହିତ ଜିଲ୍ଲାର ଅନେକ ସହରକୁ ମୋ ବସ ସେବା ସଂଯୋଗ ହେବ। ଏଭଳି ନିଷ୍ପତ୍ତି ନେଇଛି ଗଞ୍ଜାମ ଜିଲ୍ଳା ପ୍ରଶାସନ। ବର୍ତ୍ତମାନ ବ୍ରହ୍ମପୁରରୁ ଗୋପାଳପୁର, ଛତ୍ରପୁର, ଭୌରବୀ ଭଳି ମାତ୍ର କିଛି ସ୍ଥାନକୁ ସିଟି ବସ ଚଳାଚଳ ହେଉଥିବା ବେଳେ ମୋ ବସ ଜିଲ୍ଲାର ବ୍ରହ୍ମପୁର ସମେତ ୧୮ଟି ସହରାଞ୍ଚଳକୁ ଯାତାୟତ କରିପାରିବ । ଆସନ୍ତା ଅକ୍ଟୋବର ସୁଦ୍ଧା ସହରରେ ମୋ ବସ ସେବା କାର୍ଯ୍ୟକାରୀ କରିବା ନିମନ୍ତେ ଲକ୍ଷ୍ୟ ରଖିଛି ଜିଲ୍ଲା ପ୍ରଶାସନ । ସେପଟେ ଜିଲ୍ଲା ପ୍ରଶାସନର ଏଭଳି ପଦକ୍ଷେପକୁ ଯାତ୍ରୀ ଓ ସହରବାସୀ ସ୍ବାଗତ କରିଛନ୍ତି ।
ବନ୍ଦ ହେବ ସିଟି ବସ । ଆଉ ଗଡ଼ିବ ମୋ ବସ୍ । ଏଭଳି ନିଷ୍ପତ୍ତି ନେଇ ଗଞ୍ଜାମ ଜିଲ୍ଳା ପ୍ରଶାସନ । ୨୦୧୮ ମସିହାରେ ପ୍ରଥମେ ଭୁବନେଶ୍ବର ଓ କଟକରେ ମୋ ବସ ସେବା ଆରମ୍ଭ ହୋଇଥିବା ବେଳେ ଏବେ ବିଭିନ୍ନ ସହର ଓ ଜିଲ୍ଲାରେ ମୋ ବସ ସେବା ସଫଳ ହୋଇପାରିଛି । ଯେଉଁଥିପାଇଁ ଖୁବଶୀଘ୍ର ବ୍ରହ୍ମପୁର ସହରରେ ମଧ୍ୟ ମୋ ବସ୍ ସେବା କାର୍ଯ୍ୟକାରୀ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଛି । ମୋ ବସ ସେବା ବ୍ରହ୍ମପୁର ସମେତ ୧୮ଟି ସହରକୁ ଚାଳାଚଳ କରିବ । ଏହାସହିତ ଗୋଟିଏ ସହରରୁ ଅନ୍ୟ ଏକ ସହରକୁ ଚଳାଚଳ ସମୟରେ ଯେଉଁ ସବୁ ଗ୍ରାମାଞ୍ଚଳ ଗୁଡ଼ିକ ରହିଛି ସେହି ଅଞ୍ଚଳର ଯାତ୍ରୀ ମାନେ ମଧ୍ୟ ମୋ ବସର ସୁବିଧା ଉଠାଇପାରିବେ । ମୋ ବସ ଚାଳାଚଳ ନେଇ ନିକଟରେ ଜିଲ୍ଲା ପ୍ରଶାସନ ଓ କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପେର୍ଟ ତଥା କ୍ରୁଟ ମଧ୍ୟରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଆଉ ଏହି ବୈଠକରେ କେତୋଟି ସହରରେ ମୋ ବସ ଗଡ଼ିବ ଏବଂ କିଭଳି ଯାତ୍ରୀ ମାନେ ସୁବିଧା ସୁଯୋଗ ପାଇପାରିବେ ସେ ନେଇ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ହୋଇଛି ।
‘‘କିଛିଦିନ ମଧ୍ୟରେ କ୍ରୁଟ ଏକ ଟିମ ସହରରେ ପହଞ୍ଚି ସର୍ଭେ କରିବ । ୧୫ ସପ୍ତାହ ମଧ୍ୟରେ ଏହି ସର୍ଭେ ଶେଷ ହେବ। କେଉଁ ରାସ୍ତା ଦେଇ ମୋ ବସ ଯିବ, କେଉଁ କେଉଁ ସ୍ଥାନରେ ବସ୍ ରହିବ, କେଉଁ ସ୍ଥାନରେ ଅଧିକ ଯାତ୍ରୀ ବସରେ ବସିବେ ଏବଂ କେଉଁ ସହରାଞ୍ଚଳ ପାଇଁ କେତୋଟି ବସ୍ର ଆବଶ୍ୟକତା ରହିଛି । ଏହି ସମସ୍ତ ବିଷୟକୁ ନେଇ ସର୍ଭେ କରିବା ପରେ ଆସନ୍ତା ଅକ୍ଟୋବର ମାସ ଶେଷ ସୁଦ୍ଧା ସହରରେ ମୋ ବସ୍ ଚାଳାଚଳ କରିବା ନିମନ୍ତେ ଲକ୍ଷ୍ୟ ରଖାଯାଇଥିବା ,‘‘ କହିଛନ୍ତି ବିଏମସି କମିଶନର ଜେ.ସୋନାଲ ।
ବ୍ରହ୍ମପୁର ସହରରୁ ଗୋପାଳପୁର, ଛତ୍ରପୁର ଓ ଭୌରବୀକୁ ଚାଳାଚଳ ହେଉଛି ବର୍ତ୍ତମାନ ସିଟି ବସ । ଆଉ ଏହି ଅଞ୍ଚଳର ଯାତ୍ରୀ ମାନେ ମଧ୍ୟ ସିଟି ବସ ଦ୍ବାରା ବେଶ ସୁବିଧା ପାଇପାରୁଛନ୍ତି । କିନ୍ତୁ ଜିଲ୍ଲାର ଅନ୍ୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳକୁ ସିଟି ବସ ଚଳାଚଳ କରୁନଥିବା ଯୋଗୁଁ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମଖୀନ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ବ୍ରହ୍ମପୁରରେ ମୋ ବସ ସେବାର କାର୍ଯ୍ୟକାରୀ କରିବା ନିମନ୍ତେ ଜିଲ୍ଲା ପ୍ରାଶସନ ଯେଉଁ ନିଷ୍ପତ୍ତି ନେଇଛି ତାହା ସ୍ବାଗତଯୋଗ୍ୟ । କିନ୍ତୁ ମୋ ବସ ଚାଳାଚଳ ହେବା ପରେ ତାହାକୁ ସୁପରିଚାଳନା କରାଯାଉ । ନଚେନ ବର୍ତ୍ତମାନ ଯେଭଳି ସିଟି ବସ ଡ଼ିପୋରେ ଏକାଧିକ ବସ ଚଳାଚଳ ନ ହୋଇ କ୍ଷତ ଖାଉଛି ସେଭଳି ପରିସ୍ଥିତି ସୃଷ୍ଟି ହେବା ପୂର୍ବରୁ ହିଁ ସତର୍କ ରହି ବସ ଚଳାଚଳ କରିବା ଆବଶ୍ୟକ ବୋଲି କହିଛନ୍ତି ଯାତ୍ରୀ ସୁଦେଶ ପାତ୍ର ।
ସହରରେ ବର୍ତ୍ତମାନ ଚାଲୁଥିବା ୪୨ଟି ସିଟି ବସର ପରମିଟ୍ ଠାରୁ ଆରମ୍ଭ କରି ଅନ୍ୟ କ୍ଷେତ୍ରରେ ସଠିକ ରହିଛି କି ନାହିଁ ତାହାର ତଦାରଖ କରାଯିବ । ଏହାପରେ ଏହି ସମସ୍ତ ଗାଡ଼ିକୁ କ୍ର ୁଟ୍ ଅଧିନକୁ ଚାଲିବା ପରେ କିଛି ନୂଆ ଗାଡ଼ିକୁ ଧରି ସହରରୁ ବିଭିନ୍ନ ସହରାଞ୍ଚଳ ଓ ଗ୍ରାମାଞ୍ଚଳକୁ ମୋ ବସ ସେବା ଆରମ୍ଭ କରାଯିବ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।