News18 Odia Digital
ଭୁବନେଶ୍ୱର: ଆଜିଠୁ ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ମୂଲ୍ୟାଙ୍କନ ଆରମ୍ଭ ହୋଇଛି । ଉଭୟ ଅନଲାଇନ୍ ଓ ଅଫଲାଇନରେ ଖାତା ଦେଖା ହେବ । ମୂଲ୍ୟାଙ୍କନ ପାଇଁ ୧୫ ହଜାର ମୂଲ୍ୟାଙ୍କନକାରୀ ନିୟୋଜିତ ହେବେ। ମେ ଶେଷ ସୁଦ୍ଧା ରେଜଲ୍ଟ ପ୍ରକାଶ ପାଇବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି ।
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ମାର୍ଚ୍ଚ ୧ରୁ ଆରମ୍ଭ ହୋଇ ଏପ୍ରିଲ ୫ ତାରିଖରେ ଏହା ଶେଷ ହୋଇଛି। ଏପ୍ରିଲ ୧୦ ତାରିଖରୁ ଅର୍ଥାତ୍ ଆଜିଠାରୁ ଆରମ୍ଭ ହୋଇଛି ଖାତାଦେଖା ପ୍ରକ୍ରିୟା। ଉଭୟ ଅନଲାଇନ ଓ ଅଫଲାଇନରେ ମୂଲ୍ୟାଙ୍କନ କରାଯିବ। ଅଫଲାଇନରେ ମୂଲ୍ୟାଙ୍କନ ଏପ୍ରିଲ ୨୨ ଓ ଅନଲାଇନ୍ ଖାତା ଦେଖା ଏପ୍ରିଲ ୨୩ ରେ ଶେଷ ହେବ। ସେହିପରି ଦିତୀୟ ପର୍ଯ୍ୟାୟ ଅଫଲାଇନ୍ ଖାତାଦେଖା ଏପ୍ରିଲ ୨୩ ରୁ ଆରମ୍ଭ ହୋଇ ମେ’ ୪ ତାରିଖ ଏବଂ ଅନଲାଇନ୍ ଖାତାଦେଖା ଏପ୍ରିଲ ୨୫ ରୁ ଆରମ୍ଭ ହୋଇ ମେ’ ୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଚଳିତବର୍ଷ ଅଫଲାଇନ୍ ମୂଲ୍ୟାଙ୍କନ ଲାଗି ୬୫ ଟି ଜୋନ୍ ହୋଇଛି। ଏଥିରେ ୩୯ ଟି ଅନଲାଇନ୍ ମୂଲ୍ୟାଙ୍କନ କେନ୍ଦ୍ରରେ ଖାତାଦେଖା ହେବ। ୨ଟି ପର୍ଯ୍ୟାୟରେ ଖାତାଦେଖା ଶେଷ ହେବା ପରେ ମଇ ମାସ ପ୍ରଥମ ସପ୍ତାହ ବେଳକୁ ଟାବୁଲେଶନ ପ୍ରକ୍ରିୟା ଆରମ୍ଭ ହେବ। ମେ ମାସ ଶେଷ ସୁଦ୍ଧା ରେଜଲ୍ଟ ବା ଫଳାଫଳ ପ୍ରକାଶ ପାଇବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି।
ସୂଚନା ଅନୁସାରେ, ଅଫଲାଇନ୍ କେନ୍ଦ୍ରଗୁଡ଼ିକରେ ସକାଳ ୧୦ ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଖାତା ଦେଖା ହେବ। ମାତ୍ର ଅନଲାଇନ୍ ଖାତାଦେଖା ପାଇଁ ୨ଟି ପର୍ଯ୍ୟାୟ ଧାର୍ଯ୍ୟ ହୋଇଥିବାରୁ ଏଠାରେ ସକାଳ ୮ଟାରୁ ଖାତାଦେଖା ପ୍ରକ୍ରିୟା ଆରମ୍ଭ ହେବ। ଅଫଲାଇନ୍ କେନ୍ଦ୍ରରେ ପ୍ରତ୍ୟେକ ଉତ୍ତରଖାତା ମୂଲ୍ୟାଙ୍କନ ଶେଷ ହେବା ପରେ ୨ଥର ସିନିୟର ଅବଜରଭର ଏବଂ ଥରେ ସେଣ୍ଟର ସୁପରିଟେଣ୍ଡେଣ୍ଟଙ୍କ ଦ୍ୱାରା ଯାଞ୍ଚ କରାଯିବ। ଯେପରି ମୂଲ୍ୟାଙ୍କନରେ କୌଣସି ତ୍ରୁଟି ନରୁହେ ସେଥିପାଇଁ ତ୍ରିସ୍ତରୀୟ ମୂଲ୍ୟାଙ୍କନ କରିବାକୁ ନିଷ୍ପତ୍ତି ହୋଇଛି। ଅନଲାଇନ୍ କେନ୍ଦ୍ରରେ ପ୍ରତ୍ୟେକ ଉତ୍ତରଖାତା ସ୍କାନିଂ କରାଯିବ। ଏହା ପରେ ୨ ଥର ପାଇଁ ମୂଲ୍ୟାଙ୍କନ କରାଯିବ।
ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସମସ୍ତ ମୂଲ୍ୟାଙ୍କନ କେନ୍ଦ୍ରରେ ପିଇବା ପାଣି, ବିଦ୍ୟୁତ ବ୍ୟବସ୍ଥା, ବିଶ୍ରାମଗୃହ ଆଦି ସମସ୍ତ ବ୍ୟବସ୍ଥା କରାଯିବ। ମୂଲ୍ୟାଙ୍କନ କେନ୍ଦ୍ରକୁ ମୋବାଇଲ ନେବାକୁ ବାରଣ କରାଯାଇଥିବାବେଳେ ଧାର୍ଯ୍ୟ ସମୟ ମଧ୍ୟରେ ମୂଲ୍ୟାଙ୍କନ କାରୀ ନ ପହଞ୍ଚିଲେ କାରଣ ଦର୍ଶାଅ ସମନ୍ ଜାରି କରାଯିବ। ଯେଉଁ ଅଧ୍ୟାପକ କିମ୍ବା ଅଧ୍ୟାପିକା ତଥା ପରୀକ୍ଷା କେନ୍ଦ୍ରରେ ନିୟୋଜିତ ହେବାକୁ ଥିବା କର୍ମଚାରୀଙ୍କ ପିଲାମାନେ ପରୀକ୍ଷା ଦେଇଛନ୍ତି ସେମାନଙ୍କୁ ମୂଲ୍ୟାଙ୍କନ ପ୍ରକ୍ରିୟାରୁ ବାଦ୍ ଦିଆଯାଇଥିବା ବେଳେ ସିସିଟିଭି ନଜରରେ ରହିବ ସମସ୍ତ ମୂଲ୍ୟାଙ୍କନ ଜୋନ୍।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।