‘‘ମୋ’ ସଜା ସରିଲାଣି, ମୋତେ ବେଆଇନ ଭାବେ ଜେଲରେ ରଖାଯାଉଛି’’: ଅର୍ଥତତ୍ବର ପ୍ରଦୀପ ସେଠୀ

ଚିଟ ଫଣ୍ଡ କମ୍ପାନୀ ଅର୍ଥତତ୍ବର ମୁଖ୍ୟ ପ୍ରଦୀପ ସେଠୀଙ୍କୁ CBI କୋର୍ଟରୁ ମିଳିଥିବା ୭ ବର୍ଷର ସଜା ମେ’ ମାସରେ ପୂରା ହୋଇଯାଇଛି । ଜେଲରୁ ମୁକୁଳିବା ପାଇଁ ସେ ଏବେ ହାଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

‘‘ମୋ’ ସଜା ସରିଲାଣି, ମୋତେ ବେଆଇନ ଭାବେ ଜେଲରେ ରଖାଯାଉଛି’’: ଅର୍ଥତତ୍ବର ପ୍ରଦୀପ ସେଠୀ
ଅର୍ଥତତ୍ବର ମୁଖ୍ୟ ପ୍ରଦୀପ ସେଠୀ
  • News18 Odia
  • Last Updated: October 2, 2020, 11:37 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ବହୁଚର୍ଚ୍ଚିତ ଚିଟ ଫଣ୍ଡ କମ୍ପାନୀ ଅର୍ଥତତ୍ବର ମୁଖ୍ୟ ପ୍ରଦୀପ ସେଠୀଙ୍କ ଜେଲ ରହଣିକୁ ନେଇ ଏବେ ହାଇ କୋର୍ଟରେ ଦାଖଲ ହୋଇଥିବା ହେବିୟସ୍‌ କର୍ପସ୍‌ ମାମଲାର ଶୁଣାଣି ଆରମ୍ଭ ହୋଇଛି । ପ୍ରଦୀପ ସିବିଆଇ କୋର୍ଟ ଦ୍ବାରା ଶୁଣାଯାଇଥିବା ୭ ବର୍ଷର ସଜାକୁ ପୂରା କରିସାଥିବା ସତ୍ତ୍ୱେ ତାଙ୍କୁ ବେଆଇନ ଭାବେ ଜେଲରେ ରଖାଯାଇଛି ବୋଲି କୋର୍ଟଙ୍କୁ କହିଛନ୍ତି ତାଙ୍କ ଓକିଲ । ଏହି ମାମଲାର ଶୁଣାଣି କରି ହାଇ କୋର୍ଟ ରାଜ୍ୟ ସରକାରଙ୍କୁ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

କୋର୍ଟରେ ଗୁରୁବାର ଦିନ ହୋଇଥିବା ଏହି ଶୁଣାଣିରେ ପ୍ରଦୀପଙ୍କ ଓକିଲଙ୍କ ପକ୍ଷରୁ ଦର୍ଶାଯାଇଥିଲା କି ପ୍ରଦୀପଙ୍କ ନାଁରେ ରାଜ୍ୟର ବିଭିନ୍ନ ସ୍ଥାନରେ ମୋଟ ୨୪ଟି ମାମଲା ଦାୟର ହୋଇଥିଲା । ଚିଟ ଫଣ୍ଡ ମାମଲାର ଶୁଣାଣି କରି ସୁପ୍ରିମ କୋର୍ଟ ସମସ୍ତ ମାମଲାକୁ ସିବିଆଇକୁ ହସ୍ତାନ୍ତରିତ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ରାଜ୍ୟ ସରକାର ମାତ୍ର ୮ଟି ମାମଲା ସିବିଆଇକୁ ହସ୍ତାନ୍ତରିତ କରିଥିଲେ । ସେହି ୮ଟି ମାମଲାର ଶୁଣାଣି କରି ସିବିଆଇ କୋର୍ଟ ପ୍ରଦୀପଙ୍କୁ ଶୁଣାଇଥିବା ୭ ବର୍ଷର ସଜାକୁ ସେ ଚଳିତ ବର୍ଷ ମେ' ମାସ ୧୨ ତାରିଖରେ ପୂରା କରି ସାରିଛନ୍ତି ବୋଲି କହିଥିଲେ ତାଙ୍କ ଓକିଲ । ଅନ୍ୟ ମାମଲାଗୁଡିକ ତଦନ୍ତ ଶେଷ ହୋଇ ନ ଥିବାରୁ ପ୍ରଦୀପ ସେଠୀଙ୍କୁ ଜେଲରେ ରହିବାକୁ ପଡ଼ିଛି ।

‘‘ପ୍ରଦୀପ ସେଠୀଙ୍କ ଜେଲ ଦଣ୍ଡ ଅବଧି ଗତ ମେ' ୧୨ ତାରିଖରୁ ଶେଷ ହୋଇ ସାରିଛି । ତା’ ପରେ ମଧ୍ୟ ସେ ଜେଲରେ ଅଛନ୍ତି, ଯାହାକି ସମ୍ପୂର୍ଣ୍ଣ ବେଆଇନ । ଯଦି ରାଜ୍ୟ ସରକାର ତାଙ୍କ ବିରୁଦ୍ଧରେ ଥିବା ଅନ୍ୟ ୧୮ଟି ମାମଲାକୁ ନିଜ ପାଖରେ ରଖି ସିବିଆଇକୁ ନ ଦେଲେ ସେଥିରେ ପ୍ରଦୀପ ସେଠୀଙ୍କ ଭୁଲ କେଉଁଠି ରହିଲା? ରାଜ୍ୟ ସରକାରଙ୍କ ଭୁଲ ପାଇଁ ପ୍ରଦୀପ ସେଠୀ କାହିଁକି ଜେଲରେ ରହିବେ? ସେଇଥି ପାଇଁ ଆମେ ହାଇ କୋର୍ଟରେ ହେବିୟସ୍‌ କର୍ପସ୍ ଦାଖଲ କରିଛୁ,’’ କହିଛନ୍ତି ପ୍ରଦୀପ ସେଠୀଙ୍କ ଓକିଲ ସୌମରଞ୍ଜନ ମହାନ୍ତି ।

ଚିଟ ଫଣ୍ଡ କମ୍ପାନୀମାନଙ୍କ ଦ୍ୱାରା ଠକେଇର ଶିକାର କିଛି ଲୋକ


ଅର୍ଥତତ୍ବ ଚିଟ ଫଣ୍ଡ କେଲେଙ୍କାରୀର ମୁଖ୍ୟ କାର୍ପଟଦାର ଏହାର ନିର୍ଦ୍ଦେଶକ ପ୍ରଦୀପ ସେଠୀ ଜମାକାରୀଙ୍କ ଠାରୁ ପ୍ରାୟ ୫୦୦ କୋଟି ଟଙ୍କାର ଅର୍ଥ ଠକେଇ କରିଥିବା ଅଭିଯୋଗ ହୋଇଥିଲା । ୨୦୧୩ ମସିହା ମେ' ମାସରେ ପୋଲିସ ତାଙ୍କୁ ବ୍ରହ୍ମପୁରରୁ ଗରିଫ କରିଥିଲା । ଗୋଟିଏ ବର୍ଷ ପରେ ଅର୍ଥାତ ୨୦୧୪ ମସିହା ମେ ୫ ତାରିଖ ଦିନ ସୁପ୍ରିମ କୋର୍ଟ ଏହି ଠକେଇ ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ତେବେ ପ୍ରଦୀପ ସେଠୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା ମୋଟ ୨୪ଟି ମାମଲା ମଧ୍ୟରୁ ସିବିଆଇକୁ ମାତ୍ର ୮ଟି ମାମଲା ହସ୍ତାନ୍ତରିତ କରିଥିଲେ ରାଜ୍ୟ ସରକାର ।

ପ୍ରଦୀପ ସେଠୀ ହାଇ କୋର୍ଟ ଦାୟର କରିଥିବା ହେବିୟସ୍ କର୍ପସ ମାମଲାର ଶୁଣାଣି ଆସନ୍ତା ଅକ୍ଟୋବର ୬ ତାରିଖରେ ଥିବା ବେଳେ ସେହି ଦିନ ରାଜ୍ୟ ସରକାର କୋର୍ଟରେ କ'ଣ ଜବାବ ଦାଖଲ କରୁଛନ୍ତି ତା ଉପରେ ସବୁ କିଛି ନିର୍ଭର କରୁଛି । ଯଦି ସରକାର ଅଦାଲତରେ ସନ୍ତୋଷଜନକ ଉତ୍ତର ନ ରଖନ୍ତି ତେବେ ପ୍ରଦୀପ ସେଠୀଙ୍କ ଜେଲରୁ ମୁକୁଳିବା ବାଟ ଫିଟି ପାରେ ବୋଲି ମତ ଦେଇଛନ୍ତି ଆଇନ ବିଶାରଦ ।

ଜମାକାରୀ ମିଳିତ ମଞ୍ଚର ଆବାହକ ଜୟନ୍ତ ଦାସ


ଏହି ପୂରା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଦାୟୀ କରିଛି ଚିଟ ଫଣ୍ଡ କ୍ଷତିଗ୍ରସ୍ତଙ୍କ ପାଇଁ ଲଢୁଥିବା ଜମାକାରୀ ମିଳିତ ମଞ୍ଚ । ‘‘ତଦନ୍ତକାରୀ ସଂସ୍ଥାର ଦାୟିତ୍ବ ଥିଲା ଯେ ଅର୍ଥତତ୍ବ ଚିଟ ଫଣ୍ଡ କମ୍ପାନୀ କେତେ ଲୋକଙ୍କ ପାଖରୁ କେତେ ଟଙ୍କା ନେଇଛି ଓ ସେ ଟଙ୍କା ନେଇ କଣ କରିଛି ତାହା ବାହାର କରିବା । କିନ୍ତୁ ତଦନ୍ତକାରୀ ସଂସ୍ଥାମାନେ ତାହା କଲେ ନାହିଁ । ଫଳରେ ତଦନ୍ତ ଠିକ ଢଙ୍ଗରେ ହେଲା ନାହିଁ କି କ୍ଷତିଗ୍ରସ୍ତ ଲୋକେ ସେମାନଙ୍କ ଟଙ୍କା ମଧ୍ୟ ଫେରିପାରିବା ନେଇ କିଛି ବ୍ୟବସ୍ଥା ହେଲା ନାହିଁ । ରାଜ୍ୟ ସରକାର ଚିଟ ଫଣ୍ଡ କ୍ଷତିଗ୍ରସ୍ତମାନଙ୍କୁ ଟଙ୍କା ଦେବା ପାଇଁ ୩୦୦ କୋଟି ଟଙ୍କାର ଗୋଟିଏ କର୍ପସ ଫଣ୍ଡ କରିଥିଲେ । ମାତ୍ର ସେଥିରୁ କ୍ଷୁଦ୍ର ଜାମାକାରୀମାନଙ୍କୁ ୯ କୋଟି ଟଙ୍କା ଦେଇ ଚୁପ ହୋଇ ବସିଛନ୍ତି,’’ ଅଭିଯୋଗ କରିଛନ୍ତି ଜମାକାରୀ ମିଳିତ ମଞ୍ଚର ଆବାହକ ଜୟନ୍ତ ଦାସ ।

ଏହା ବି ପଢ଼ନ୍ତୁ | କ’ଣ ସେହି ସ୍ପେଶାଲ୍‌ ସିଗାରେଟ୍ ଯାହା ବିଷୟରେ ଦୀପିକା ପାଦୁକୋନ୍ ଜେରା ବେଳେ କହିଛନ୍ତି?

ଏହା ବି ପଢ଼ନ୍ତୁ | ବରିଷ୍ଠ IPS ଅଫିସର ନିଜ ସ୍ତ୍ରୀଙ୍କୁ ଖୁବ୍ ପିଟିଲେ; Video ଭାଇରାଲ୍ ହେଲାପଦରୁ ହଟାଗଲେ

‘‘ଚିଟ ଫଣ୍ଡ କେଲେଙ୍କାରୀକୁ ରାଜ୍ୟ ସରକାର ସେତେବେଳେ ପ୍ରୋତ୍ସାହନ ଦେଇଥିଲେ । ପରେ କ୍ରାଇମ ବ୍ରାଞ୍ଚ ଓ ସିବିଆଇ ଚିଟ ଫଣ୍ଡ ଠକଙ୍କ ସହିତ ଏକ ଅଘୋଷିତ ରାଜିନାମା କରି ସେମାନଙ୍କ ସୁରକ୍ଷା ଦେଉଛନ୍ତି । ଫଳରେ କ୍ଷତିଗ୍ରସ୍ତ ଜମାକାରୀମାନଙ୍କର ଟଙ୍କା ଫେରସ୍ତ ପାଇବା ପ୍ରକ୍ରିୟା ବିଳମ୍ବିତ ହେଉଛି । ଏହାର ପ୍ରତିବାଦରେ ଆମେ ପଞ୍ଚାୟତ ସ୍ତରରେ ଜମାକାରୀ ସତ୍ୟାଗ୍ରହ ଆରମ୍ଭ କରିବାକୁ ଯାଉଛୁ,’’ କହଛନ୍ତି ଦାସ ।



କଟକ ସ୍ଥିତ ଚିଟ ଫଣ୍ଡ ତଦନ୍ତ କମିଶନଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ମୁତାବକ ୨୦୧୯ ମସିହା ଜାନୁଆରୀ ମାସ ସୁଦ୍ଧା ଦାଖଲ ହୋଇଥିବା ସତ୍ୟପାଠ ମୁତାବକ ୧,୨୦୦ଟି ଚିଟ ଫଣ୍ଡ କମ୍ପାନୀ ଓଡ଼ିଶାରେ ସକ୍ରିୟ ଥିଲା । ଅନୁସନ୍ଧାନରୁ ୫୭୬ଟି କମ୍ପାନୀର କିଛି କିଛି ପ୍ରାମାଣିକ ତଥ୍ୟ ମିଳିଛି । ବାକି କମ୍ପାନୀଗୁଡ଼ିକର ଠିକଣା ବା ସମ୍ପତ୍ତି ବାବଦରେ ସୂଚନା ମିଳି ପାରି ନାହିଁ । ଏହି କମ୍ପାନୀଗୁଡ଼ିକ ମଧ୍ୟରୁ ସୁପ୍ରିମ କୋର୍ଟ ମାତ୍ର ୪୪ଟି ବଡ଼ କମ୍ପାନୀର ଠକେଇର ତଦନ୍ତ ସିବିଆଇକୁ ଦେଇଥିବା ବେଳେ ବାକି ଥିବା ଅନ୍ୟ କମ୍ପାନୀଗୁଡ଼ିକର ଅର୍ଥ କାରବାର ଓ ଆପରାଧିକ କାର୍ଯ୍ୟକଳାପର ତଦନ୍ତ କରିବା ପାଇଁ ଯଥା କ୍ରମେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ କ୍ରାଇମ ବାଞ୍ଚକୁ ନିର୍ଦ୍ଦେଶ ଦେଇଥିଲେ । ସେହି ବଡ଼ କମ୍ପାନୀମାନଙ୍କ ମଧ୍ୟରେ ଗୋଟିଏ ଥିଲା ଅର୍ଥତତ୍ବ ।
Published by: Anand Shankar Thankur Das
First published: October 2, 2020, 11:37 PM IST
corona virus btn
corona virus btn
Loading