ଚିଟ ଫଣ୍ଡ କମ୍ପାନୀ ନିର୍ଦ୍ଦେଶକକୁ ଗିରଫ କଲା କ୍ରାଇମବ୍ରାଞ୍ଚ; ଲୋକଙ୍କଠୁ ଠକି ଥିଲା ୩୦ କୋଟି ଟଙ୍କା

ଚିଟଫଣ୍ଡ କମ୍ପାନୀ ଆରୋକ୍ସ ଓପିସି ପ୍ରାଇଭେଟ୍ ଲିମିଟେଡର ସଂସ୍ଥାର ନିର୍ଦ୍ଦେଶକ ବାବୁ ସିଂ ଖୁସୱାକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ୨୦୧୯ ମେ’ରେ ବାଲେଶ୍ବରରେ ଅଫିସ ଖୋଲି ଜମାକାରୀଙ୍କୁ ଲୋଭନୀୟ ସ୍କିମ ଦେଖାଇ ଟଙ୍କା ହଡ଼ପ କରିଥିଲା ।

ଚିଟ ଫଣ୍ଡ କମ୍ପାନୀ ନିର୍ଦ୍ଦେଶକକୁ ଗିରଫ କଲା କ୍ରାଇମବ୍ରାଞ୍ଚ (ପ୍ରତୀକାତ୍ମକ ଛବି)

ଚିଟ ଫଣ୍ଡ କମ୍ପାନୀ ନିର୍ଦ୍ଦେଶକକୁ ଗିରଫ କଲା କ୍ରାଇମବ୍ରାଞ୍ଚ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଆଡୁ ୩୦ କୋଟି ଟଙ୍କାରୁ ଅଧିକ ଠକି ନେଇଥିବା ଚିଟଫଣ୍ଡ କମ୍ପାନୀ ଆରୋକ୍ସ ଡିଲ୍ ମଲଟି ଟ୍ରେଡ୍‌ (ଓପିସି) ପ୍ରାଇଭେଟ୍ ଲିମିଟେଡର ସଂସ୍ଥାର ନିର୍ଦ୍ଦେଶକ ବାବୁ ସିଂ ଖୁସୱାକୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ବା ଇ.ଓ.ଡ଼ବ୍ଲ୍ୟୁ ।  ମଧ୍ୟପ୍ରଦେଶ ଗ୍ବାଲିୟରରୁ ଅଭିଯୁକ୍ତ ବାବୁ ସିଂକୁ ଗିରଫ କରିଛି ଇଓଡବ୍ଲ। ଗିରଫ ପରେ ସ୍ଥାନୀୟ ଡାବରା ଜେ.ଏମ.ଏଫ.ସି କୋର୍ଟରେ ହାଜର କରିବା ପରେ ଅଭିଯୁକ୍ତକୁ ଟ୍ରାଞ୍ଜିଟି ରିମାଣ୍ଡରେ ଓଡ଼ିଶା ଆଣିଛି ଇ.ଓ.ଡ଼ବ୍ଲ୍ୟୁ ।

କମ୍ପାନି ୨୦୧୯ ମେ’ରେ ଗ୍ବାଲିୟର ଆର.ଓ.ସିରେ ରେଜିଷ୍ଟ୍ରେସନ ହୋଇଛି । ୨୦୧୯ ମେ’ରେ ଓଡ଼ିଶା ଆସି ବାଲେଶ୍ବରରେ ଅଫିସ ଖୋଲିବା ସହ ପ୍ରଥମେ ଏଜେଣ୍ଟଙ୍କୁ ନିଯୁକ୍ତି ଦେଇଥିଲା । ସହରରେ ବିଭିନ୍ନ ସ୍ଥାନରେ ଲୋଭନୀୟ ଅଫର ଥିବା ପୋଷ୍ଟର ଲଗା ଯାଇଥିଲା । ଲୋକଙ୍କୁ ସିଧାସଳଖ ବଜାରଠାରୁ କମ୍ ମୂଲ୍ୟରେ ଏଲ.ଇ.ଡି ଟିଭି , ସ୍ମାର୍ଟ ଟିଭି , ଟ୍ରଲି ବ୍ୟାଗ୍ , ମିକ୍ସଚର୍ ଗ୍ରାଇଣ୍ଡର , ଏଲଇଡି ସ୍ମାର୍ଟ ଫ୍ୟାନ୍ ବିକ୍ରି ପାଇଁ ଲୋଭ ଦେଖାଇଥିଲା । ଏହା ସହ ୧୦ ପ୍ରତିଶତ କ୍ୟାସବ୍ୟାକ୍ ଅଫର ମଧ୍ୟ ଦେଇଥିଲା । ପରେ ଜମାକାରୀଙ୍କ ନିକଟତର ହେବାପରେ କୁଆଡେ ଉଭାନ ହୋଇଯାଇଥିଲା । ଅଭିଯୁକ୍ତକୁ  ଅଧିକ ପଚରାଉଚରା ପାଇଁ ରିମାଣ୍ଡରେ ଆଣି ଜେରା କରି ଅଣ୍ଟା ଭିଡ଼ିଛି ତଦନ୍ତକାରୀ ସଂସ୍ଥା ।

"ପ୍ରାୟ ବର୍ଷେ ଧରି ବାଲେଶ୍ବରର ବିଭିନ୍ନ ଅଞ୍ଚଳରେ ଶାଖା କାର୍ଯ୍ୟାଳୟ ଖୋଲି ଲୋଭନୀୟ ସ୍କିମ୍ ବଳରେ କମ୍ପାନି ପ୍ରାୟ ୩୦ କୋଟି ଟଙ୍କା ଠକେଇ କରିଥିବା ଜମାକାରୀମାନେ ଅଭିଯୋଗ କରିଥିଲେ । ତଦନ୍ତ ବେଳେ ଆମେ ଜାଣିବାକୁ ପାଇଲୁ  ପ୍ରଚାର ପ୍ରସାର କରିବା ସହ ଟଙ୍କା ଆଦାୟ କରୁଥିବା ଦୁଇ ଅଭିଯୁକ୍ତ ଶରତ କୁମାର ନାୟକ ଓ ପ୍ରଭାତ ରଞ୍ଜନ ଦାଶ, କମ୍ପାନୀର ମଧ୍ୟପ୍ରଦେଶ ଗ୍ବାଲିୟରସ୍ଥିତ ଏକ ରାଷ୍ଟ୍ରୀୟତ୍ତ ବ୍ୟାଙ୍କ ଆକାଉଣ୍ଟକୁ ୧ କୋଟି ୪୩ ଲକ୍ଷ ଟଙ୍କା ପଠାଇଛନ୍ତି । ତେଣୁ କେଉଁ କାରଣ ପାଇଁ ଏତେ ଟଙ୍କା ପଠା ଯାଇଛି ତାହା ଏବେ ତଦନ୍ତ ପରିସରଭୁକ୍ତ," କହିଛନ୍ତି, ଇଓଡ଼ବ୍ଲ୍ୟୁ ଏସ.ପି ଦିଲ୍ଲୀପ ତ୍ରିପାଠୀ।

କମ୍ପାନୀ ଚେନ୍ ସିଷ୍ଟମରେ ଟଙ୍କା ଜମା କଲେ ୨୫୦ ଦିନ ପର୍ଯ୍ୟନ୍ତ ଅଧିକ ସୁଧରେ ଫେରସ୍ତ ପାଇବାର ଲୋଭ ଦେଖା ଯାଇଥିଲା । ୮ ଜଣ ସଦସ୍ୟ ସିଧାସଳଖ ୧୫୦୦ରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା କଲେ ସେମାନଙ୍କୁ ଦୈନିକ ୧୧ରୁ ୮୦୦ ଟଙ୍କା ପର୍ଯ୍ୟନ୍ତ ସୁଧ ପାଇବାର ସ୍କିମ୍ ରଖା ଯାଇଥିଲା। ଏହା ସହ ଟଙ୍କା ନଚେତ ଗାଡ଼ି ମଧ୍ୟ ଉପହାର ରଖା ଯାଇଥିଲା। ଫ୍ରାଞ୍ଚାଇଜ୍‌ ନାଁରେ ମଧ୍ୟ କମ୍ପାନି କୋଠା , ବିଦେଶ ବୁଲିବା , ଦାମୀ ଉପହାର ସ୍ବପ୍ନ ମଧ୍ୟ ଦେଖାଇଥିଲା । ଯେଉଁମାନେ ସଦସ୍ୟତା ଗ୍ରହଣ କରୁଥିଲେ ସେମାନେ ନିଜର ସାଙ୍ଗସାଥୀ , ସମ୍ପର୍କୀୟ , ବନ୍ଧୁଙ୍କୁ ଏହି ଲୋଭନୀୟ ଅଫର ବିଷୟରେ କହିଥିଲେ । ସେମାନେ ମଧ୍ୟ ଟଙ୍କା ଜମା ରଖିଥିଲେ ।

"କମ୍ପାନୀ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟ , ଚେକରେ କାରବାର କରୁଥିଲା । କମ୍ପାନୀର ମୋବାଇଲ ଫୋନ୍ ଆପ୍ ଜରିଆରେ ସଦସ୍ୟତା ଗ୍ରହଣ କରାଯିବା ସହ ବ୍ୟାପକ ପ୍ରଚାର ପ୍ରସାର କରା ଯାଉଥିଲା । ଏପରିକି ଜଣେ ଅବସରପ୍ରାପ୍ତ ବି.ଏସ.ଏଫ୍ ଯବାନ ୩୦ ଲକ୍ଷ ଟଙ୍କା ଜମା ରଖି ଠକାମିର ଶିକାର ହୋଇଥିଲେ । ଅଜୟ କୁମାର ସାହୁ ନାମକ ଜଣେ ବ୍ୟକ୍ତି ୨୦ ଲକ୍ଷ ଟଙ୍କାର ଶିକାର ହୋଇଥିଲେ । ଏମିତି ଅନେକ ଲୋକ ୧୦ ଲକ୍ଷ ଟଙ୍କାରୁ ଅଧିକ ଜମା ରଖିଥିବା ଜଣାପଡ଼ିଛି । ଏହି ସ୍କିମ୍ ଧୀରେ ଧୀରେ ପଡ଼ୋଶୀ ଜିଲ୍ଲା ଭଦ୍ରକ , ମୟୂରଭଞ୍ଜ , କେନ୍ଦୁଝରକୁ ବ୍ୟାପୀ ଯାଇଥିଲା । ୪ ଜିଲ୍ଲାର ଶହ ଶହ ଲୋକ ଠକାମିର ଶିକାର ହୋଇଥିବା ଜଣାପଡ଼ିଥିଲା," କହିଛନ୍ତି ଏସ.ପି ଶ୍ରୀ ତ୍ରିପାଠୀ ।
Published by:Soumya Das
First published: