ଚିଲିକାରେ ଶେଷ ହୋଇଛି ଶୀତକାଳୀନ ପକ୍ଷୀ ଗଣନା କାର୍ଯ୍ୟକ୍ରମ; କମିଛି ବିଦେଶୀ ପକ୍ଷୀଙ୍କ ଆଗମନ

ସମୁଦାୟ ଚିଲିକାରେ ଶେଷ ହୋଇଛି ଶୀତକାଳୀନ ପକ୍ଷୀ ଗଣନା କାର୍ଯ୍ୟକ୍ରମ। ଚଳିତ ବର୍ଷ ଶୀତର ପ୍ରକୋପ ଅଧିକ ଥିବା ସତ୍ତ୍ୱେ ବିଦେଶାଗତ ପକ୍ଷୀଙ୍କ ଆଗମନ ଚିଲିକାରେ କମିଛି ବୋଲି କହିଛନ୍ତି ବନ୍ୟପ୍ରାଣୀ ବନଖଣ୍ଡ ଡ଼ିଏଫଓ।

ଚିଲିକାରେ ଆରମ୍ଭ ହୋଇଛି ଶୀତକାଳୀନ ପକ୍ଷୀ ଗଣନା କାର୍ଯ୍ୟକ୍ରମ (ପ୍ରତୀକାତ୍ମକ ଛବି)

ଚିଲିକାରେ ଆରମ୍ଭ ହୋଇଛି ଶୀତକାଳୀନ ପକ୍ଷୀ ଗଣନା କାର୍ଯ୍ୟକ୍ରମ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ସମୁଦାୟ ଚିଲିକାରେ ଶେଷ ହୋଇଛି ଶୀତକାଳୀନ ପକ୍ଷୀ ଗଣନା କାର୍ଯ୍ୟକ୍ରମ। ଗତବର୍ଷ ତୁଳନାରେ ଚଳିତ ବର୍ଷ ଶୀତର ପ୍ରକୋପ ଅଧିକ ଥିବା ସତ୍ତ୍ୱେ ବିଦେଶାଗତ ପକ୍ଷୀଙ୍କ ଆଗମନ ଚିଲିକାରେ କମିଛି ବୋଲି କହିଛନ୍ତି ବନ୍ୟପ୍ରାଣୀ ବନଖଣ୍ଡ ଡ଼ିଏଫଓ।

ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଡ଼ିଏଫଓ ଜ୍ୟୋତି କାଟାଲଙ୍କ କହିବା ମୁତାବକ ଚଳିତ ବର୍ଷ ଚିଲିକାରେ ସମୁଦାୟ ୧୮୩ ପ୍ରଜାତିର ୧୦ ଲକ୍ଷ ୭୪ ହଜାର ୧୭୩ ପକ୍ଷୀ ଆସିଛନ୍ତି। ଯାହାକି ଗତ ବର୍ଷଠାରୁ ଚଳିତ ବର୍ଷ ୬୫ହଜାର ୮ଶହ ୮୯ ପକ୍ଷୀ ସଂଖ୍ୟା କମ। ପକ୍ଷୀ ଗଣନା ପାଇଁ ଚିଲିକାକୁ ୫ଟି ଜୋନରେ ବିଭକ୍ତ କରାଯାଇଥିବା ବେଳେ ୨୧ଟି ଟିମ ନିୟୋଜିତ ହୋଇଥିଲେ। ପ୍ରତି ଟିମରେ ୫ ଜଣ ସଦସ୍ୟ ରହିଥିଲେ। ଚିଲିକା ଜଳରାଶିରେ ୧୯ଟି ଟିମ୍ ଥିବାବେଳେ ଚିଲିକା ଉପକୂଳରେ ଥିବା ରୋଡରେ ୨ଟି ଟିମ୍ ପକ୍ଷୀଙ୍କ ଗତିବିଧି ଉପରେ ନଜର ରଖିଥିଲେ। ଗତବର୍ଷ ସମୁଦାୟ ୧୯୦ ପ୍ରଜାତିର ୧୨ ଲକ୍ଷ ୪୨ହଜାର ୮୨୬ ଗୋଟି ପକ୍ଷୀ ଆସିଥିବାବେଳେ ତନ୍ମଧ୍ୟରୁ ୧୧୧ ପ୍ରଜାତିର ୧୨ ଲକ୍ଷ ୦୪ ହଜାର ୩୫୧ ଗୋଟି ବିଦେଶୀ ପକ୍ଷୀ ଓ ୭୯ ପ୍ରଜାତିର ୮୩ ହଜାର ୪ ଶହ ୭୫ ଗୋଟି ସ୍ଥାନୀୟ ପକ୍ଷୀ ସାମିଲ ଥିଲେ। ସେହିପରି ଭାବେ ଚଳିତବର୍ଷ ସମୁଦାୟ ୧୮୩ ପ୍ରଜାତିର ୧୦ ଲକ୍ଷ ୭୪ ହଜାର ୧୭୩ ଗୋଟି ପକ୍ଷୀ ଆସିଥିବାବେଳେ ତନ୍ମଧ୍ୟରୁ ୧୦୭ ପ୍ରଜାତିର ୧୦ ଲକ୍ଷ ୩୬ ହଜାର ୨୨୦ ଗୋଟି ବିଦେଶୀ ପକ୍ଷୀ ଓ ୭୬ ପ୍ରଜାତିର ୩୭ ହଜାର ୯ ଶହ ୫୩ ଗୋଟି ସ୍ଥାନୀୟ ପକ୍ଷୀ ସାମିଲ୍ ଅଛନ୍ତି।

"ଚଳିତ ବର୍ଷ ଚିଲିକାରେ ନୂଆ ଅତିଥି ରୂପେ ଦେଖିବାକୁ ମିଳିଛି ମଙ୍ଗୋଲିଆନଗଡ ପ୍ରଜାତିର ୨ଟି ପକ୍ଷୀ । ଏହି ପକ୍ଷାମାନେ ମଙ୍ଗୋଲିଆରୁ ଆସିଛନ୍ତି," କହିଛନ୍ତି ଡାକ୍ତର ବିଭାସ ପାଣ୍ଡବ।

କାହିଁକି କମିଗଲେ ଚିଲିକାରେ ପକ୍ଷୀ? ଯାହାର କାରଣ ନେଇ ସ୍ପଷ୍ଟ କରିଛନ୍ତି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ଭେଟନାରି ଓ ପଥୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ସୁସେନ୍ ପଣ୍ଡା। "ଚଳିତ ବର୍ଷ ପାଗ ଅନୁକୂଳ ନଥିଲା। ବର୍ଷା ହୋଇଥିବାରୁ ପାଣି ଚିଲିକାର ଢିପ ଅଂଶକୁ ପାଣି କବଳିତ କରିଥିଲା। ଯେହେତୁ ଏହି ବିଦେଶୀ ପକ୍ଷୀ ହଂସ ଓ ବଗ ଜାତୀୟ ତେଣୁ ସେମାନଙ୍କୁ ଜାଗା ମିଳିଲା ନାହିଁ। ତେଣୁ ସେମାନେ ଚିଲିକାକୁ ଚଳିତ ବର୍ଷ ଉତ୍କୃଷ୍ଟ ସ୍ଥାନ ମଣିଲେ ନାହିଁ। ଚିଲିକା କୂଳ , ଅବବାହିକା ତା ସହ କିଛି ସଂଲଗ୍ନ ଅଞ୍ଚଳକୁ ପାଣି କବଳିତ କରିଥିବାରୁ ଘାସ, ଗୁଲ୍ମ , ପକ୍ଷୀ ଖାଉଥିବା ଗଛର ଖାଦ୍ୟ ନଷ୍ଟ ହୋଇଗଲା। ଚିଲିକା ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ବର୍ଷା କାରଣରୁ ଧାନ ଫସଲ ନଷ୍ଟ ହୋଇଗଲା। ଏହି ବିଲରେ ପୋକ ଜୋକ୍ ବି ମରିଗଲେ।  ତେଣୁ ତାକୁ ମଧ୍ୟ ଖାଉଥିଲେ ପକ୍ଷୀ। ଯଦି ଆଗକୁ ପାଣି କମେ, ବାତାବରଣ ଠିକ୍ ରୁହେ ତେବେ ପକ୍ଷୀ ଆସି ପାରନ୍ତି। "

ଏହି କାର୍ଯ୍ୟକ୍ରମରେ ଗତ ୩ ତାରିଖ ଦିନ ପ୍ରଧାନ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଓ ବନ୍ୟପ୍ରାଣୀ ତତ୍ତ୍ଵବଧାରକଙ୍କ ନିର୍ଦ୍ଦେଶକ୍ରମେ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡରେ ପକ୍ଷୀ ଗଣନା କାର୍ଯ୍ୟକ୍ରମରେ ଯୋଗଦାନ କରିଥିବା ସମସ୍ତ ଅଂଶଗ୍ରହଣକାରୀଙ୍କୁ ବିଏନ୍ଏଚ୍ଏସର ଡାଇରେକ୍ଟର ଡାଃ ବିଭାସ ପାଣ୍ଡବ ତାଲିମ ପ୍ରଦାନ କରିଥିଲେ। ଏହାପରେ ୪ ତାରିଖଦିନ ଓଡିଶା ରାଜ୍ୟ ବନ୍ୟପ୍ରାଣୀ ବିଭାଗ, ସିଡିଏ, ବି ଏନ୍ ଏଚ୍ ଏସ୍ , ଡବ୍ଲ୍ୟୁ ଡବ୍ଲ୍ୟୁ ଏଫ୍ ଇଣ୍ଡିଆ ଏବଂ ବିଭିନ୍ନ ଏନ୍ ଜି ଓ ସଂସ୍ଥାରୁ ଆସିଥିବା ସମୁଦାୟ ୧୦୬ଜଣଙ୍କୁ ନେଇ ଗଣନା କାର୍ଯ୍ୟକ୍ରମ କରାଯାଇଥିଲା।ତେବେ ଗଣନା କାର୍ଯ୍ୟରେ ଜିପିଏସ, ବାଇନାକୁଲାର, ୱାକି ଟକି, କ୍ୟାମେରା ଓ ଅନ୍ୟ ଉପକରଣ ଆଦି ବ୍ୟବହୃତ କରାଯାଇଥିଲା।
Published by:Soumya Das
First published:
)}