News18 Odia Digital
ଭୁବନେଶ୍ୱର: ପୂଜା ଛୁଟି ପରେ ପିଲାଏ ପଢ଼ିବେ ପୁରୁଣା ପାଠ। ଏନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ। କୋଭିଡ ପାଇଁ ଦୁଇ ବର୍ଷର ଶିକ୍ଷାରେ ହୋଇଥିବା କ୍ଷତିର ଭରଣା ପାଇଁ ଲର୍ଣ୍ଣିଂ ରିକଭରି ପ୍ରୋଗ୍ରାମ ଜରିଆରେ ଏକ୍ସଟ୍ରା କ୍ଲାସରେ ପାଠ ପଢିବେ ଛାତ୍ରଛାତ୍ରୀ। ତେବେ ଅର୍ଦ୍ଧ ବାର୍ଷିକ ପରୀକ୍ଷା ଥିବାରୁ ଏ ସମୟରେ ପୁରୁଣା ପାଠ ପଢ଼ାଇବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଅଭିଭାବକ।
ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ଲର୍ଣ୍ଣିଂ ରିକଭରି ପ୍ରୋଗ୍ରାମ। ରାଜ୍ୟ ସରକାର ପ୍ରସ୍ତୁତ କରିଛନ୍ତି ସ୍ଵତନ୍ତ୍ର ପୁସ୍ତିକା। ଦୁଇଟି ଘରୋଇ ସଂସ୍ଥା ଦ୍ଵାରା ପିଲାଏ ପଢ଼ିବେ ପାଠ। ଏଥିଲାଗି ପ୍ରତିଦିନ ଦୁଇଟି ଏକଷ୍ଟ୍ରା କ୍ଲାସ ଜରିଆରେ ପିଲାଏ ପଢ଼ିବେ ପୁରୁଣା ପାଠ। କୋଭିଡ ସମୟରେ ପିଲାଏ କେତେ ପାଠ ପଢ଼ିଛନ୍ତି ତାହା ଜାଣିବା ଲାଗି ପ୍ରଥମେ ବେସ୍ ଲାଇନ୍ ଟେଷ୍ଟ ହେବ। ଯେଉଁମାନେ ଏଥିରେ ବିଫଳ ହେବେ ସେମାନଙ୍କୁ ଅତିରିକ୍ତ କ୍ଲାସ ଜରିଆରେ ଘରୋଇ ସଂସ୍ଥା ପାଠ ପଢ଼ାଇବ। ରାଜ୍ୟର ୫୫ ହଜାର ୭୪୫ଟି ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲ ଗୁଡ଼ିକରେ ଲର୍ଣ୍ଣିଂ ରିକଭରି ପ୍ରୋଗ୍ରାମ କରାଯିବ। ଶିକ୍ଷାଦାନ ପାଇଁ ଦୁଇଟି ଘରୋଇ ସଂସ୍ଥା ମଧ୍ୟରେ ସମାନ ଭାବେ ଜିଲ୍ଲା ବଣ୍ଟା ଯାଇଛି । ତୃତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଓଡ଼ିଆ ଓ ଗଣିତ କ୍ଲାସ ଦିଆଯିବ । ସେହିପରି ଚତୁର୍ଥରୁ ନବମ ଶ୍ରେଣୀ ପିଲା ଗଣିତ, ଇଂରାଜୀ, ବିଜ୍ଞାନ ଓ ପରିବେଶ ବିଜ୍ଞାନ ପଢିବ। ଆସନ୍ତା ସେପ୍ଟେମ୍ବର ୨୨ରୁ ୨୭ ତାରିଖ ଯାଏ ଶିକ୍ଷକମାନଙ୍କୁ ଟ୍ରେନିଂ ଦିଆଯିବ। ତିନି ମାସ ଭିତରେ ସରିବ ଲର୍ଣ୍ଣିଂ ରିକଭରି ପ୍ରୋଗ୍ରାମ।
ଦିନିକିଆ ସ୍କୁଲ ପରିଚାଳନା ବୈଠକ ସହ ଅଭିଭାବକ ଶିକ୍ଷକ ବୈଠକ ଜରିଆରେ ଲର୍ଣ୍ଣିଂ ରିକଭରି ପ୍ରୋଗ୍ରାମ ନେଇ ସଚେତନ କରାଯିବ । ଜିଲ୍ଲା ଶିକ୍ଷାଧିକାରୀ ଓ ବ୍ଲକ ଶିକ୍ଷାଧିକାରୀଙ୍କ ଦ୍ବାରା ଦୁଇଟି ମନିଟରିଂ ଟିମ୍ ଗଠନ କରାଯାଇ କାର୍ଯ୍ୟକ୍ରମର ସଫଳ ରୂପାୟାନ ଦିଗରେ ତଦାରଖ କରାଯିବ।
ପ୍ରଥମେ ଲର୍ଣ୍ଣିଂ ଏନହାନ୍ସମେଣ୍ଟ ପ୍ରୋଗ୍ରାମ ଆଉ ଏବେ ଏଲଆରପି। ଓସେପା ଦ୍ବାରା ପିଲାଙ୍କ ଦକ୍ଷତା ବଢ଼ାଇବାକୁ ଏ ପ୍ରୟାସ କେତେ ସଫଳ ହେଉଛି ତା ଉପରେ ନଜର।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।