ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ
News18 Odia Digital
ବାଲେଶ୍ବର: ବୃଦ୍ଧି ପାଉଛି ଶିଶୁ ଶ୍ରମିକ ନିୟୋଜନ। ବାଲେଶ୍ୱର ଜିଲ୍ଲାର ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନ ମୁଖ୍ୟତଃ ରାସ୍ତା କଡ଼ ଖାଦ୍ୟ ଦୋକାନ, ହୋଟେଲ ଆଦି ସ୍ଥାନରେ ଛୋଟ ଛୋଟ ଶିଶୁମାନଙ୍କୁ ନିୟୋଜିତ କରି କାର୍ଯ୍ୟ ତୁଲା ଯାଉଥିବା ଅଭିଯୋଗ ବାରମ୍ବାର ସାମ୍ନାକୁ ଆସୁଛି।
ନିୟମ ଅନୁସାରେ 14 ବର୍ଷରୁ କମ ବୟସର ଶିଶୁଙ୍କୁ କାର୍ଯ୍ୟରେ ଲଗାଇବା ଅପରାଧ। ସେହିପରି ୧୪ ରୁ ୧୮ ବର୍ଷର ଶିଶୁଙ୍କୁ ବିପଦଜନକ କାର୍ଯ୍ୟରେ ଲଗାଇବା ବେଆଇନ ହୋଇଥିବା ବେଳେ ଏହି ନିୟମକୁ ଫୁ କରି ଦେଉଥିବା ଘଟଣା ଜିଲ୍ଲାର ବହୁ ସମୟରେ ଦେଖିବାକୁ ମିଳୁଛି। ଖାଲି ହୋଟେଲ ବା ଦୋକାନ ନୁଁହେ ଇଟା ଭାଟି ଭଳି ବିପଦଜନକ ସ୍ଥାନରେ ମଧ୍ୟ ଶିଶୁ ଶ୍ରମିକ ନିୟୋଜିତ ହୋଇଥିବା ମଧ୍ୟ ପୂର୍ବରୁ ଦେଖିବାକୁ ମିଳିସାରିଛି।
ମୁଖ୍ୟତଃ ଶ୍ରମ ବିଭାଗର ନୀରବତା ଓ ଅବିଭାବକମାନଙ୍କର ସଚେତନତା ଅଭାବ ପାଇଁ ଶିଶୁ ଶ୍ରମିକ ସଂଖ୍ୟା ବଢୁଥିବା କୁହାଯାଉଥିବା ବେଳେ ଶିଶୁ ଶ୍ରମ ନିରାକରଣ, ଶିଶୁମାନଙ୍କ ଅଧିକାର ଓ ବେଆଇନ ଭାବେ ଶିଶୁଙ୍କୁ କାର୍ଯ୍ୟରେ ନିୟୋଜନ ପାଇଁ ଆଇନରେ ରହିଥିବା ଦଣ୍ଡ ବ୍ୟବସ୍ଥା ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଏକ ‘‘ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ’ ସ୍ଥାନୀୟ ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କକାର୍ଯ୍ୟାଳୟରୁ ଯାତ୍ରା ଆରମ୍ଭ କରିଛି।
ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି। ଓଡ଼ିଶା ସରକାରଙ୍କ ଶ୍ରମ ଓ ରାଜ୍ୟ କର୍ମଚାରୀ ବିଭାଗ, ବାଲେଶ୍ଵର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗର ମିଳିତ ଆନୁକୂଲ୍ୟରେ ଶିଶୁ ଶ୍ରମିକ ଉଚ୍ଛେଦ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଏହି ରଥ ଜିଲ୍ଲାର ବିଭିନ୍ନ ସହରାଞ୍ଚଳ ଓ ବ୍ଲକ ଗସ୍ତ କରି ଲୋକଙ୍କୁ ଶିଶୁ ଶ୍ରମିକ ନିରାକରଣ ସମ୍ପର୍କରେ ସଚେତନ କରିବ।
୧୪ ବର୍ଷ ପୂରି ନ ଥିବା ଶିଶୁଙ୍କୁ କୌଣସି ପ୍ରକାର ବୃତ୍ତି ଓ ପ୍ରକ୍ରିୟାରେ ତଥା ୧୫ ବର୍ଷରୁ ୧୮ ବର୍ଷ ବୟସର କିଶୋରଙ୍କୁ ବିପଦସଙ୍କୁଳ ବୃତ୍ତି ଓ ପ୍ରକ୍ରିୟାରେ ନିୟୋଜନ କରିବା ଏକ ଧର୍ତବ୍ୟ ଅପରାଧ ହୋଇଥିବା। ଏପରି ନିୟୋଜନ କରିଥିବା ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମନା ସହ କାରାଦଣ୍ଡ ପାଇଁ ଆଇନରେ ବ୍ୟବସ୍ଥା ରହିଛି।
କିଛି ଦିନର ସଚେତନତା କାର୍ଯ୍ୟକ୍ରମ ପରେ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ, କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ଅଞ୍ଚଳରେ ଚଢ଼ାଉ ଆରମ୍ଭ କରାଯାଇ ଜିଲ୍ଲାରେ ଶିଶୁ ଶ୍ରମିକଙ୍କ ବାସ୍ତବିକ ସ୍ଥିତିର ଆକଳନ କରାଯିବା ସହିତ ଆଇନ ଉଲ୍ଲଙ୍ଘନ କ୍ଷେତ୍ରରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଭାଗୀୟ ଶ୍ରମ ଆୟୁକ୍ତ ଅଜୟ କୁମାର ପ୍ରଧାନ କହିଛନ୍ତି।
ଏହି ଅବସରରେ ବାଲେଶ୍ବର ଜିଲ୍ଲା ତଥା ରାଜ୍ୟକୁ ଶିଶୁ ଶ୍ରମ ମୁକ୍ତ କରିବା ପାଇଁ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସମସ୍ତଙ୍କ ସହଯୋଗ କାମନା କରିଥିବା ବେଳେ ଜିଲ୍ଲା ଶ୍ରମ ଅଧିକାରୀ ବୃନ୍ଦାବନ ସେଠୀ, ଜିଲ୍ଲା ଶିଶୁ ମଙ୍ଗଳ କମିଟିର ସଦସ୍ୟ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତାମାନଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।