News 18 Odia Digital
ଭୁବନେଶ୍ୱର; ହକି ବିଶ୍ୱକପ ପାଇଁ ମୁଖ୍ୟମନ୍ତ୍ରୀଙ୍କର ବଡ଼ ଘୋଷଣା । ଚଳିତ ବିଶ୍ୱକପରେ ଭାରତ ଚାମ୍ପିୟନ ହେଲେ ପ୍ରତି ଖେଳାଳିଙ୍କୁ ରାଜ୍ୟ ସରକାରଙ୍କ ତରଫରୁ କୋଟିଏ ଟଙ୍କା । ଏପରି ଏକ ବଡ଼ ଘୋଷଣା ଏବେ ସବୁଠି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ରାଜ୍ୟ ସରକାରଙ୍କ ଏହି ଘୋଷଣା ଭାରତୀୟ ହକି ଖେଳାଳିଙ୍କ ମନରେ ଅଧିକ ଉତ୍କଣ୍ଠା ଭରିଦେବ ବୋଲି କ୍ରୀଡାବିତ କହିଛନ୍ତି ।
ସୂଚନାଯୋଗ୍ୟ, ଜାନୁଆରୀ ୧୩ ତାରିଖରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ସମେତ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଅନୁଷ୍ଠିତ ହେବ ହକି ବିଶ୍ୱକପ୍ । ଆଜି ନେଦରଲାଣ୍ଡ ଖେଳାଳି ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଏହା ପୂର୍ବରୁ ୨୦୧୮ମସିହାରେ ନେଦରଲାଣ୍ଡ ରୋପ୍ୟ ପଦକ ହାସଲ କରିଥିଲା । ଏଥିସହ ୬ ଥର ଫାଇନାଲ ପର୍ଯ୍ୟନ୍ତ ଯାଇଥିବାବେଳେ ସମୁଦାୟ ୩ ଥର ଚାମ୍ପିୟନ ହୋଇଛି ଦଳ । ସେଥରିପାଇଁ ଚଳିତ ହକି ବିଶ୍ୱକପରେ କଡା ମୁକାବିଲା ଦେଖିବାକୁ ମିଳିବ ।
ଚଳିତ ହକି ବିଶ୍ୱକପ ପାଇଁ କମିସନରେଟ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ବିଶ୍ୱକପ ସମ୍ପର୍କିତ ତଥ୍ୟ ପାଇଁ ଏକ ହ୍ୱାଟସଆପ ନମ୍ୱର ମଧ୍ୟ ଜାରି କରାଯାଇଛି । ୭୩୭୭୭୭୦୦୭୦ ନମ୍ୱରରେ ମେସେଜ କରି ଲୋକମାନେ ସମସ୍ତ ତଥ୍ୟ ପାଇପାରିବେ । ସେହିପରି ବିଏମସି ପକ୍ଷରୁ ମଧ୍ୟ ହକି ଖେଳ ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଶାନ୍ତି ଶୃଙ୍ଖଳାର ସହ କିପରି ଚଳିତ ଥର ହକି ବିଶ୍ୱକପକୁ ଅନୁଷ୍ଠିତ ହେବ ସେନେଇ ଜନସାଧାରଣ ସହଯୋଗ କରିବାକୁ ମେୟର ସୁଲୋଚନା ଦାସ ରାଜଧାନୀବାସିନ୍ଦାଙ୍କୁ ଅନୁରୋଧ କରିଛନ୍ତି ।
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ପହଞ୍ଚି ଉଦ୍ଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭାରତର ସବୁଠୁ ବଡ଼ ହକି ଷ୍ଟାଡିୟମକୁ ଉଦଘାଟନ କରି ମୁଁ ଖୁସି ଅନୁଭବ କରୁଛି । ସ୍ୱତନ୍ତ୍ର ବ୍ୟବସ୍ଥା ରହିଥିବା ଏହି ଷ୍ଟାଡିୟମରେ ୨୦ ହଜାର ଦର୍ଶକ ଏକଥରେ ବସି ହକି ଦେଖିବାର ମଜା ନେଇପାରିବେ । ଏହି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ୧ବର୍ଷ ୩ମାସ ମଧ୍ୟରେ ଶେଷ କରାଯାଇଛି । ହକି ବିଶ୍ୱକପ ପୂର୍ବରୁ ମୁଖ୍ୟମନ୍ତ୍ରୀ ରାଉରକେଲାରେ ମୋ ବସର ମଧ୍ୟ ଶୁଭାରମ୍ଭ କରିଛନ୍ତି । ରାଉରକେଲାର ବାସିନ୍ଦା ମୋ ବସ ଦ୍ୱାରା ଖୁବ ସହଜରେ ଯାତାୟତ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି ।
ଆଜି ରାଉରକେଲାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମେତ ୫ଟି ସଚିବ ଭିକେ ପାଣ୍ଡିଆନ , ଉଚ୍ଚ ଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀ, କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା, ଦକ୍ଷତା ବିକାଶ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡାଇ, ଦଳର ସଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ସୁନ୍ଦରଗଡ ବିଧାୟିକା କୁସୁମ ଟେଟେ, ଏବଂ ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ ମଧ୍ୟ ଉପସ୍ଥିତ ରହିଥିଲେ । ଆଜିର କାର୍ଯ୍ୟକ୍ରମ ପାଇଁ ବିର୍ଷା ମୁଣ୍ଡା ହକି ଷ୍ଟାଡିୟମ ସମେତ ସମସ୍ତ ଆଖପାଖ ଅଞ୍ଚଳରେ କଡା ସୁରକ୍ଷା ବ୍ୟବସ୍ଥା ଦେଖିବାକୁ ମିଳିଥିଲା ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।