ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା; ବିନା ସୁଧରେ ମିଳିବ ୫ଲକ୍ଷ ଟଙ୍କା ଋଣ
- News18 Odia
- Last Updated :
- Bhubaneswar, India
News 18 Odia Digital
ଭୁବନେଶ୍ୱର; ଏକ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର । ରାଜ୍ୟର ମିଶନ ଶକ୍ତି କ୍ଷେତ୍ରରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ବିନା ସୁଧରେ ଯୋଗାଇ ଦିଆଯିବ । ୨୦୨୨ ଏପ୍ରିଲ ପହିଲାରୁ ଏହି ନୂତନ ଋଣ ବ୍ୟବସ୍ଥା ଲାଗୁ ହେବ । ପୂର୍ବରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ବିନା ସୁଧରେ ଦିଆଯାଉଥିଲା। ଯୁଗାନ୍ତକାରୀ ପଦକ୍ଷେପ ରୂପେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି "ଏହି ନିଷ୍ପତି ଦ୍ବାରା ମିଶନ ଶକ୍ତି ମାଆମାନେ ଏସଏଚଜିରୁ ଏସଏମଇ ବା କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ ଭାବରେ ନିଜକୁ ପ୍ରତିଷ୍ଠିତ କରିପାରିବେ ଏବଂ ଆମର ଲକ୍ଷ ଲକ୍ଷ ମାଆମାନେ ଅଧିକ ଟଙ୍କାର ଋଣ ନେଇ ବଡ଼ ବଡ଼ ବ୍ୟବସାୟ କରିପାରିବେ।
ଓଡ଼ିଶାର ରୂପାନ୍ତର କ୍ଷେତ୍ରରେ ମାଆମାନେ ହେଉଛନ୍ତି ଏକ ଅଭିନ୍ନ ଅଙ୍ଗ। ଆଜିର ଏହି ନିଷ୍ପତ୍ତି ସେମାନଙ୍କୁ ସଶକ୍ତ କରିବାରେ ଓ ସ୍ଥାନୀୟ ଅର୍ଥନୀତିକୁ ପ୍ରୋତ୍ସାହିତ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ। ମିଶନ ଶକ୍ତି ମାଆମାନଙ୍କୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ ଭାବରେ ପରିଣତ କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ । ଆଗାମୀ ୫ ବର୍ଷ ମଧ୍ୟରେ ମିଶନ ଶକ୍ତି ଗ୍ରୁପମାନଙ୍କୁ ପ୍ରାୟ ୫୦ ହଜାର କୋଟି ଟଙ୍କାର ଋଣ ଯୋଗାଇ ଦେବା ପାଇଁ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି । ଏହାଦ୍ୱାରା ମିଶନ ଶକ୍ତିର ମାଆମାନେ ସଫଳ ଉଦ୍ୟୋଗୀ ଭାବରେ ନିଜକୁ ପ୍ରତିଷ୍ଠିତ କରିପାରିବେ ବୋଲି ସେ ଆଶାପ୍ରକାଶ କରିଛନ୍ତି । ରାଜ୍ୟ ସରକାର ମିଶନ ଶକ୍ତି ମାନଙ୍କୁ ଗତ ୩ ବର୍ଷରେ ସରକାରୀ ଭାବରେ ୪ହଜାର କୋଟି ଟଙ୍କାର ବିଜନେସ ଯୋଗାଇ ଦିଆଯାଇଛି। ଏହା ସହିତ ଗତ ୫ ବର୍ଷରେ ମିଶନ ଶକ୍ତି ମାଆମାନଙ୍କୁ ୧୭ ହଜାର କୋଟିରୁ ଅଧିକ ଟଙ୍କାର ଋଣ ଯୋଗାଇ ଦିଆଯାଇଛି।
ବର୍ତ୍ତମାନ ମିଶନ ଶକ୍ତିଙ୍କୁ ଉତ୍ସାହିତ କରିବାପାଇଁ ଓଡ଼ିଶା ସରକାର ବିନା ସୁଧରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ସୁବିଧା ଯୋଗାଇ ଦେଉଛନ୍ତି । ଏହି କାର୍ଯ୍ୟକ୍ରମରେ ଚାରି ଲକ୍ଷ ଏସ ଏଚଜି ଗ୍ରୁପର ବ୍ୟାଙ୍କ ଖାତାକୁ ରାଜ୍ୟ ସରକାର ୫୦୦ କୋଟି ଟଙ୍କାର ସୁଧ ଫେରାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ରାଜ୍ୟର ୭୦ ଲକ୍ଷ ମାଆମାନଙ୍କୁ ୬ ଲକ୍ଷ ଏସଏଚଜି ଜରିଆରେ ଏହା ଏକାଠି କରିପାରିଛି । ଏହି ଆନ୍ଦୋଳନକୁ ଆହୁରି ଆଗକୁ ନେବା ପାଇଁ ତାଙ୍କ ସରକାର ସ୍ବତନ୍ତ୍ର ଭାବରେ ମିଶନ ଶକ୍ତି ବିଭାଗ ଗଠନ କରିଛନ୍ତି ଏବଂ ସବୁ SHG କାର୍ଯ୍ୟକ୍ରମ ଏହି ବିଭାଗ ଜରିଆରେ ହିଁ କାର୍ଯ୍ୟକାରୀ କରାଯାଉଛି । ମୁଖ୍ୟମନ୍ତ୍ରୀ ଘୋଷଣା କରିବା ପୂର୍ବରୁ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଗୃହରେ କହିଥିଲେ, ମିଶନ ଶକ୍ତି ମାଧ୍ୟମରେ ସ୍ୱୟଂସହାୟକ ଗୋଷ୍ଠୀ ବିନା ସୁଧରେ ନେଉଥିବା ଋଣ ୩ଲକ୍ଷ ଥିବାବେଳେ ତାହାକୁ ୫ ଲକ୍ଷକୁ ବୃଦ୍ଧି କରାଗଲା । ଏନେଇ ସମସ୍ତ ସୁଧକୁ ସରକାର ବହନ କରିବେ ବୋଲି ଗୃହରେ ଘୋଷଣା କରିଥିଲେ ମହିଳା ଶିଶୁ ବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ । ୨୦୨୦ ଜୁନ୍ ୧ ତାରିଖରେ ସ୍ଵତନ୍ତ୍ର ଭାବେ ମିଶନ ଶକ୍ତି ବିଭାଗ ପ୍ରତିଷ୍ଠା କରାଯାଇଥିଲା।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।