• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • ମନ୍ତ୍ରୀଙ୍କୁ ସୁରକ୍ଷା ଯୋଗାଇପାରୁନାହାନ୍ତି ମୁଖ୍ୟମନ୍ତ୍ରୀ.. ତୁରନ୍ତ ଇସ୍ତଫା ଦିଅନ୍ତୁ; ସନ୍ତୋଷ ସିଂ ସାଲୁଜା

ମନ୍ତ୍ରୀଙ୍କୁ ସୁରକ୍ଷା ଯୋଗାଇପାରୁନାହାନ୍ତି ମୁଖ୍ୟମନ୍ତ୍ରୀ.. ତୁରନ୍ତ ଇସ୍ତଫା ଦିଅନ୍ତୁ; ସନ୍ତୋଷ ସିଂ ସାଲୁଜା

ନିଜ ଦଳର ମନ୍ତ୍ରୀଙ୍କୁ ସୁରକ୍ଷା ଦେଇପାରୁନାହାନ୍ତି ରାଜ୍ୟ ସରକାର । ସାଧାରଣ ଜନତାଙ୍କୁ କ'ଣ ସୁରକ୍ଷା ଦେବେ ? ଏହା କହିବା ସହ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି କଂଗ୍ରେସ ।

ମୁଖ୍ୟମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ; ବିଧାୟକ ସନ୍ତୋଷ ସିଂ ସାଲୁଜା

ମୁଖ୍ୟମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ; ବିଧାୟକ ସନ୍ତୋଷ ସିଂ ସାଲୁଜା

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ (Health minister Naba das ) ଗୁଳିମାଡ ଘଟଣାରେ ରାଜନୈତିକ ଯୁଦ୍ଧ ମଧ୍ୟ ଆରମ୍ଭ ହୋଇସାରିଛି । ବିରୋଧୀ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ (CM Naveen patnaik) ଟାର୍ଗେଟ କରିଛନ୍ତି । ନିଜ ଦଳର ଜଣେ ମନ୍ତ୍ରୀଙ୍କୁ ସୁରକ୍ଷା ଦେଇପାରୁନାହାନ୍ତି ରାଜ୍ୟ ସରକାର । ସାଧାରଣ ଜନତାଙ୍କୁ କଣ ସୁରକ୍ଷା ଦେବେ ? ଏହା କହିବା ସହ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି କଂଗ୍ରେସ (Congress) ।

କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା (MLA Santosh sing saluja) ଗଣମାଧ୍ୟମରେ ମତ ପ୍ରକାଶ କରି କହିଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ଉପରକୁ ଗୁଳି ମାଡ କରିବା ଘଟଣା ଅତ୍ୟନ୍ତ ନିନ୍ଦନୀୟ । ରକ୍ଷକ ସାଜୁଥିବା ଜଣେ ପୋଲିସ କର୍ମଚାରୀ କିପରି ଭକ୍ଷକ ସାଜିଲେ ତାହା ଆଶ୍ଚର୍ଯ୍ୟର କଥା । ଏଥିରୁ ପ୍ରମାଣିତ ସାଧାରଣ ଜନତା ତ ଦୂରର କଥା ରାଜ୍ୟ ସରକାର ନିଜ ମନ୍ତ୍ରୀଙ୍କୁ ସୁରକ୍ଷା ଯୋଗାଇବାରେ ସମ୍ପୂର୍ଣ୍ଣ ବିଫଳ । ତେଣୁ ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ତୁରନ୍ତ ଇସ୍ତଫା ଦେବା ଆବଶ୍ୟକ । ଏଥିସହ ଘଟଣାର ତଦନ୍ତ ସଠିକ ଭାବରେ କରାଯିବା ଆବଶ୍ୟକ । ସେହିପରି ବରିଷ୍ଠ କଂଗ୍ରେସ ନେତା ଗଣେଶ୍ୱର ବେହେରା ମଧ୍ୟ ଘଟଣାକୁ ତୀବ୍ର ନିନ୍ଦା କରିବା ସହ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ କରିଥିଲେ ।



ସୂଚନାଯୋଗ୍ୟ, ଝାରସୁଗୁଡାରେ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେବାକୁ ଯାଇଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । କିନ୍ତୁ ହଠାତ କେହି କିଛି ଭାବିବା ପୂର୍ବରୁ ବନ୍ଧୁକର ଶବ୍ଦ ଶୁଭିଥିଲା । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଛାତିରେ ଗୁଳି ବାଜିବା ପରେ ଖବର ଆଖି ପିଛୁଳାକେ ଚାରିଆଡେ ପ୍ରଚାରିତ ହୋଇଗଲା । ତୁରନ୍ତ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ନିକଟସ୍ଥ ହସ୍ପିଟାଲକୁ ସ୍ଥାନନ୍ତରଣ କରାଯାଇଥିଲା । ପ୍ରାଥମିକ ଚିକିତ୍ସା କରାଯିବା ପରେ ତୁରନ୍ତ ଏୟାରଲିଫ୍ଟ କରାଯାଇ ଭୁବନେଶ୍ୱର ବିମାନବନ୍ଦର ଏବଂ ବିମାନବନ୍ଦରରୁ ଗ୍ରୀନ କରିଡର କରାଯାଇ ଆପୋଲୋ ହସ୍ପିଟାଲକୁ ସ୍ଥାନାନ୍ତରଣ କରାଯାଇଥିଲା । ବର୍ତ୍ତମାନ ଆପୋଲୋ ହସ୍ପିଟାଲରେ ବର୍ତ୍ତମାନ ଡାକ୍ତର ଦେବାଶିଷ ନାୟକ ନେତୃତ୍ୱରେ ୫ଜଣିଆ ଡାକ୍ତରୀ ଟିମ ଚିକିତ୍ସା କରୁଥିବା ଜଣାପଡିଛି ।

ତେବେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ଏପର୍ଯ୍ୟନ୍ତ ଡାକ୍ତରୀ ଟିମ କୌଣସି ପ୍ରତିକ୍ରିୟା ଦେଇନଥିବା ବେଳେ ନିଜର ପ୍ରିୟଜନ ତଥା ସମ୍ପର୍କୀୟମାନେ କହିଛନ୍ତି, ଯାହା ଜଣାପଡ଼ୁଛି ବର୍ତ୍ତମାନ ଅବସ୍ଥା ସଙ୍କଟାପନ୍ନ ରହିଛି । ଏଥିସହ ପ୍ରିୟଜନମାନେ କହିଛନ୍ତି, ସେ କିପରି ଭଲ ହୋଇଯାଆନ୍ତୁ, ସଠିକ ଚିକିତ୍ସା ହେଉ । ଭଗବାନଙ୍କ ନିକଟରେ ପ୍ରାର୍ଥନା କରନ୍ତୁ ନବ ଦାସ କିପରି ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ ।

ସେପଟେ, ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାରିବା ଘଟଣାରେ ମୁହଁ ଖୋଲିଛନ୍ତି ଅଭିଯୁକ୍ତ ଏଏସଆଇ ଗୋପାଳ ଦାସଙ୍କ ପତ୍ନୀ । ସେ ପ୍ରତିକ୍ରିୟା ଦେଇ କହିଛନ୍ତି, ମୁଁ ଘଣ୍ଟେ ତଳେ ଶୁଣିଲି ଏପରି ହୋଇଛି ବୋଲି । ମୁଁ ନିଜେ ଆଶ୍ଚର୍ଯ୍ୟ, ସକାଳୁ କଥା ବି ହୋଇନି ତାଙ୍କ ସହ । ୭ କି ୮ ବର୍ଷ ହେବ ମାନସିକ ଅବସ୍ଥା ଭଲ ନଥିଲା । ପୂର୍ବରୁ ଥରେ ଥାନାରୁ କୁଆଡେ ପଳାଇଯାଇଥିଲେ । ମେଡିସିନ ଖାଉଥିଲେ । କନେଷ୍ଟବଳରୁ ପ୍ରମୋଶନ ହୋଇ ଏଏସଆଇ ହୋଇଥିଲେ । ଛୁଟିରେ ଆସିବା ସମୟରେ ସାଧାରଣ ବ୍ୟବହାର କରୁଥିଲେ । ସେ ଖୁବ ଭଲ ଏମିତି କାହିଁକି କଲେ ମୁଁ କିଛି ଜାଣିପାରୁନି ।ସେ ମତେ କିଛି କହିନାହାନ୍ତି ନବ ଦାସଙ୍କ ବିଷୟରେ । ସେ ଜଣେ ସ୍ପୋର୍ଟମ୍ୟାନ ଥିଲେ । ସ୍ତ୍ରୀ ହିସାବରେ ଏ ଖବର ଶୁଣି ମତେ ଭଲ ଲାଗୁନି । ୪ ମାସ ତଳେ ଛୁଟିରେ ଆସିଥିଲେ ଭଲ ଥିଲେ । ଆଜି ସକାଳେ ଝିଅକୁ ଭିଡିଓ କଲ୍ କରିଥିଲେ । କଥା ହେବା ସମୟରେ ଅନ୍ୟ ଏକ ଫୋନ କଲ୍ ଆସିବାରୁ କହିଲେ ଫୋନ ରଖ ଗୋଟେ କଲ୍ ଆସୁଛି । ମୁଁ ୧୫ ଦିନ ତଳେ କ୍ୱାଟରକୁ ଯାଇଥିଲି । ମେଡିସିନ ଖାଉଥିଲେ ମଝିରେ ମଝିରେ ମେଡିସିନ ଛାଡିଦେଇଥିଲେ । ମୁଁ କହିବାରୁ ଖାଇଥିଲେ । ଏବେ ଖାଉଥିଲେ କି ନାହିଁ ମୁଁ ପଚାରିନଥିଲି । ସମସ୍ତଙ୍କ ସହ ତାଙ୍କର ଭଲ ସମ୍ପର୍କ । ଆପଣ ଷ୍ଟାଫଙ୍କୁ ପଚାରନ୍ତୁ ସେ ସମସ୍ତଙ୍କ ସହ ଭଲ । ମୁଁ କଣ କରିବି ନିଜେ କିଛି ଭାବି ପାରୁନି । ପିଲାମାନେ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇପଡିଛନ୍ତି । ସେମାନେ ଭାବୁଛନ୍ତି ହଠାତ କିପରି ଏପରି ହୋଇଗଲେ ବାପା । ବ୍ରହ୍ମପୁରରେ କନେଷ୍ଟବଳ ଥିଲେ ପ୍ରମୋଶନ ପରେ ଝାରସୁଗୁଡା ବଦଳି ହୋଇଯାଇଥିଲା ।

ଏହି ଖବର ପଢ଼ନ୍ତୁ - http://ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳିମାଡ ଘଟଣା; କାହା ଫୋନ ପାଇଁ ଝିଅର କଲ୍ କାଟିଲେ ASI ଗୋପାଳ ଦାସ ?
Published by:Soubhagya Mishra
First published: